ଭୁବନେଶ୍ୱର: ଗୁଜରାଟ ଓ ହିମାଚଳ ପ୍ରଦେଶରେ ବିଧାନସଭା ପାଇଁ ହୋଇଥିବା ନିର୍ବାଚନ ପ୍ରକ୍ରିୟାରେ ମତଦାନ ସରିଛି । ଏହା ବ୍ୟତୀତ ଦେଶର ରାଜଧାନୀ ନୂଆଦିଲ୍ଲୀ ଉପରେ ମଧ୍ୟ ଜନତାଙ୍କର ନଜର ରହିଛି । ଓଡ଼ିଶାର ପଦ୍ମପୁରରେ ଉପନିର୍ବାଚନ ପାଇଁ ମତଦାନ ହୋଇଛି । ଜନତାଙ୍କ ରାୟ ଇଭିଏମ୍ ଭିତରେ ସିଲ ହୋଇଥିବା ବେଳେ ନିର୍ବାଚନ ଫଳାଫଳ ଡିସେମ୍ବର ୧୦ ତାରିଖରେ ଆସିବ । ତେବେ ସେହି ସମୟ ଆସିବା ପୂର୍ବରୁ ପୂରା ଦେଶବାସୀ ଏକ ଦ୍ୱନ୍ଦ୍ୱରେ ରହୁଛନ୍ତି ଯେ, ଫଳାଫଳ ଯିବ କୁଆଡେ? ବିଧାନସଭା ନିର୍ବାଚନ ଓ ଉପନିର୍ବାଚନରେ ସାମିଲ ହୋଇଥିବା ମତଦାତାଙ୍କ ମଧ୍ୟରୁ ଅଧିକ ଲୋକଙ୍କ ମତ ବିଜେପି ଆଡକୁ ଯାଉଥିବା ଏକଜିଟ ପୋଲ ଓ ସାମାଜିକ ଗଣମାଧ୍ୟମର ପ୍ରତିକ୍ରିୟାରୁ ଜଣାଯାଉଛି । ବିଗତ ୮ ବର୍ଷ ମଧ୍ୟରେ ବିଶ୍ୱ ସ୍ତରରେ ଭାରତର ଖ୍ୟାତି ବଢ଼ିଛି । ନରେନ୍ଦ୍ର ମୋଦୀ ସରକାର ବିଦେଶରେ ମଧ୍ୟ ଲୋକପ୍ରିୟତା ହାସଲ କରିଛି । ଆମେରିକା, ବ୍ରିଟେନ୍, ଜାପାନ, ଅଷ୍ଟ୍ରେଲିଆ ସହିତ ଭାରତର ଉତ୍ତମ ସଂପର୍କ ଗଢ଼ି ଉଠିଛି ।
ମତଦାନ ଶେଷ ହୋଇଗଲା ପରେ ବିଭିନ୍ନ ସଂସ୍ଥା ଦ୍ୱାରା ଏଗଜିଟ୍ ପୋଲ ସର୍ଭେ ହୋଇଛି । ସର୍ଭେ ସଂସ୍ଥାଗୁଡ଼ିକ ଦ୍ୱାରା ନିର୍ବାଚନରେ କିଏ ଜିତିବେ ଓ ସରକାର ଗଢ଼ିବେ ସେନେଇ ପୂର୍ବାନୁ କରାଯାଇଛି । ଗୁଜରାଟରେ ବିଜେପି ଆସିବା ଅଧିକ ସମ୍ଭାବନା ଥିଲା ବେଳେ ହିମାଚଳ ପ୍ରଦେଶରେ ମଧ୍ୟ ବିଜେପି ଲଗାତାର ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିପାରେ । ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀବାସୀ ଆମ ଆଦମୀ ସରକାର ଉପରେ ପୁଣି ଥରେ ଭରସା କରିଛନ୍ତି । ପଦ୍ମପୁରରେ କିଏ ଜିତିବ ଯଦିଓ ଏନେଇ ସର୍ଭେ ହୋଇ ନାହିଁ, କିନ୍ତୁ ସାମାଜିକ ଗଣମାଧ୍ୟମରେ ଆସୁଥିବା ପ୍ରତିକ୍ରିୟା ଅନୁସାରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଧାନସଭାରେ ଆସନ ପାଇବେ । ପଦ୍ମପୁରବାସୀ ପ୍ରଦୀପଙ୍କ ଉପରେ ଭରସା ରଖିଛନ୍ତି । କିନ୍ତୁ ପ୍ରଦୀପ ପୁରୋହିତ ନିର୍ବାଚନରେ ଜିତିବେ ନାଁ ନାହିଁ ତାହା ୧୦ ତାରିଖ ଦିନ ଜଣାପଡ଼ିବ ।
ଗୁଜରାଟରେ ପୁଣି ବିଜେପି ସରକାର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୃହରାଜ୍ୟ ଗୁଜରାଟ ହୋଇଥିବାରୁ ଏଠାକାର ବିଧାନସଭା ନିର୍ବାଚନ ଉପରେ ଦେଶବାସୀ ନଜର ରଖିଛନ୍ତି । ବିଗତ ଦିନରେ ଆମ ଆଦମୀ ପାର୍ଟି ଗୁଜରାଟରେ ଯେଭଳି ଭାବେ ନିର୍ବାଚନୀ ଇସ୍ତାହାର ଘୋଷଣା କରିଥିଲା, ଏଠାରେ ବିଜେପି ହାରିଯିବ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ ଏଗଜିଟ ପୋଲ କହୁଛି ଯେ, ଗୁଜରାଟରେ ପୁଣି ଥରେ ବିଜେପି ସରକାର ଗଢ଼ିବ । ଗୁଜରାଟ ବିଧାନସଭା ୧୮୨ଟି ଆସନକୁ ନେଇ ଗଠିତ । ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ବର ହେଉଛି ୯୨ଟି ଆସନ । ତେବେ ଇଣ୍ଡିଆ ଟୁଡେ, ଟିଭି ୯, ଜନ୍କି ବାତ ଓ ଟାଇମ୍ସ ନ୍ୟୁଜ୍ ନେଟୱର୍କ ଦ୍ୱାରା କରାଯାଇଥିବା ସର୍ଭେ ଅନୁସାରେ ବିଜେପିକୁ ବହୁମତ ମିଳିପାରେ । ଗୁଜରାଟରେ ଆମ ଆଦମୀ ପାର୍ଟି (ଆପ)ର ଘୋଷଣାନାମାକୁ ଲୋକେ ଗ୍ରହଣ କରୁନାହାନ୍ତି ।
ପଦ୍ମପୁରରେ ଉତ୍ସାହ
ପଦ୍ମପୁର ଉପନିର୍ବାଚନରେ ଏଥର ମୋଟ ୧୦ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି । କିନ୍ତୁ ଶାସକ ବିଜେଡିର ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ବିଜୟ ରଂଜନ ସିଂ ବରିହା ଓ ପୂର୍ବତନ ବିଧାୟକ ତଥା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ମଧ୍ୟରେ ଅସଲ ମୁକାବିଲା ହେଉଛି । ଉପନିର୍ବାଚନ ପାଇଁ ପଦ୍ମପୁରବାସୀଙ୍କ ନିକଟରେ ଉତ୍ସାହ ଦେଖାଯାଇଛି । ଅତୀତର ରେକର୍ଡ ଭାଙ୍ଗିଛି । ମତଦାତା ଶୀତକାକରକୁ ଖାତିର ନ କରି ଭୋର ସାଢ଼େ ୬ଟାରୁ ମତଦାନ କେନ୍ଦ୍ରକୁ ପହଞ୍ଚି ଯାଇଥିଲେ । ଏଥର ପ୍ରାୟ ୮୨ ପ୍ରତିଶତ ମତଦାନ ହୋଇଛି । ମତଦାନ ପାଇଁ ସମୟ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିଲା । କିନ୍ତୁ ରାତି ୯ଟା ଯାଏଁ ଭୋଟ ଗ୍ରହଣ କରାଯାଇଛି । ପଦ୍ମପୁରରେ ୨୦୧୯ ସାଧାରଣ ନିର୍ବାଚନରେ ୯୭.୦୫ପ୍ରତିଶତ ଭୋଟିଂ ହୋଇଥିଲା ।
ଓଡ଼ିଶାବାସୀଙ୍କ ଉତ୍କଣ୍ଠା ବଢ଼ିଲା
ଡିସେମ୍ବର ୧୦ ତାରିଖରେ ପଦ୍ମପୁର ନିର୍ବାଚନ ଫଳ ବାହାରିବା ପୂର୍ବରୁ ଓଡ଼ିଶାବାସୀଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଦଳକୁ ସମର୍ଥନ କରୁଥିବା ଲୋକ ଚାହାଁନ୍ତି ମତଦାନ ତାଙ୍କ ସପକ୍ଷରେ ଆସୁ । କିନ୍ତୁ ଯେଉଁମାନେ କୌଣସି ରାଜନୈତିକ ଦଳରେ ନାହାନ୍ତି, ସେମାନେ ଚାହାଁନ୍ତି ରାଜ୍ୟରେ ନେତୃତ୍ୱର ପରିବର୍ତ୍ତନ ଦରକାର । କାରଣ ଦୀର୍ଘ ୨୨ ବର୍ଷର ବିଜେଡି ସରକାରରେ ଦୁର୍ନୀତି ବଢ଼ି ଚାଲିଛି । ରାଜ୍ୟରେ ରୋଜଗାର ମାଧ୍ୟମ ନ ଥିବାରୁ ଦାଦନ ସଂଖ୍ୟା ବଢ଼ିଛି । ରାଜ୍ୟର ଋଣଭାର ବଢ଼ଛି । ଅପରପକ୍ଷେ କୋଇଲା ଓ ଲୁହାପଥର ସମେତ ଅନ୍ୟ ଖଣିଜ ପଦାର୍ଥ ବ୍ୟତୀତ ଅନ୍ୟ ସାମଗ୍ରୀର ଉତ୍ପାଦନ ହ୍ରାସ ପାଇଛି । ଧାମନଗରରେ ବିଜେଡି ହାରିଥିବାରୁ ପଦ୍ମପୁରର ଫଳାଫଳ ୨୦୨୪ ସାଧାରଣ ନିର୍ବାଚନରେ ବଡ଼ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି ।