Wednesday, September 18, 2024
Homeସର୍ବସାଧାରଣରେ ଚୁମ୍ବନ କ୍ଷତିକାରକ
Array

ସର୍ବସାଧାରଣରେ ଚୁମ୍ବନ କ୍ଷତିକାରକ

ଭୁବନେଶ୍ବର: ‘ଚୁମ୍ବନ’ ମାତ୍ରାଧିକ ସ୍ନେହରୁ ଜନ୍ମ ନେଇଥାଏ। ବ୍ୟକ୍ତି ଯେତେବେଳେ ନିଜର ଅତିପ୍ରିୟ ମଣିଷ ପାଇଁ ଭାବବିହ୍ବଳ ହୋଇଥାଏ, ସେହି ସମୟରେ ଚୁମ୍ବନ ମଧ୍ୟ ଦେଇଥାଏ। ସନ୍ତାନ ପ୍ରତି ମା’ର ଚୁମ୍ବନ ସବୁଠାରୁ ଶାଶ୍ବତ, ଚିରନ୍ତନ ଓ ସ୍ବଗୀୟ। ସେହିପରି ଘରର ବରିଷ୍ଠମାନେ ମଧ୍ୟ ଛୋଟ ପିଲାଙ୍କୁ ଦେଉଥିବା ଚୁମ୍ବନରେ ଭରପୁର ରହିଥାଏ ସ୍ନେହ ଓ ମମତା। ପ୍ରେମିକ-ପ୍ରେମିକାର ମଧ୍ୟରେ ଦିଆଯାଉଥିବା ଚୁମ୍ବନକୁ ମଧ୍ୟ ପ୍ରାକୃତିକ କୁହାଯାଇ ପାରିବ। କିନ୍ତୁ ସିନେମାରେ ଅଭିନେତା-ଅଭିନେତ୍ରୀଙ୍କ ଚୁମ୍ବନ କୃତ୍ରିମ, ଯେଉଁଥିରେ କି ସମାଜ ପ୍ରତି କୁପ୍ରଭାବ ମଧ୍ୟ ପଡ଼ିବାର ଆଶଙ୍କା ରହୁଛି।

ଚୁମ୍ବନ ଏକ ଶାଶ୍ବତ ଶବ୍ଦ। ଏକଦା ଏହାକୁ ସକରାତ୍ମକ ମନୋବୃତ୍ତି ନେଇ ବ୍ୟବହାର କରାଯାଉଥିଲା। କିନ୍ତୁ ଆଜିକାଲି ଅନେକ କ୍ଷେତ୍ରରେ ନକରାତ୍ମକ ଶୈଳୀରେ ବ୍ୟବହାର କରାଯାଉଛି। ଚୁମ୍ବନକୁ ନେଇ ମାମଲା ଥାନାକୁ ମଧ୍ୟ ଯାଉଛି। ଚୁମ୍ବନ ଦୃଶ୍ୟ ସାର୍ବଜନିକ ହେଉଛି, ଯାହାକି ପୂର୍ବରୁ ହେଉ ନଥିଲା। ସାମାଜିକ ଗଣମାଧ୍ୟମରେ ଅନେକଙ୍କ ଚୁମ୍ବନ ଦୃଶ୍ୟ ଭାଇରାଲ ହେବା ପରେ ଭୟଙ୍କର ପରିସ୍ଥିତି ମଧ୍ୟ ଦେଖିବାକୁ ମିଳୁଛି।

ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

ନିକଟରେ ‘ବିଦ୍ୟାଳୟ ତରଫରୁ ଭ୍ରମଣ’ରେ ଯାଇଥିବା ବେଳେ ଜଣେ ଛାତ୍ର ସହିତ ଆପତ୍ତିଜନକ ଆଚରଣ କରିଥିବା ଅଭିଯୋଗରେ କର୍ଣ୍ଣାଟକର ଚିକବଲ୍ଲାପୁର ଜିଲ୍ଲା ଅନ୍ତର୍ଗତ ଚିନ୍ତାମଣି ତାଲୁକ ଅଞ୍ଚଳର ମୁରୁଗାମାଲ୍ଲାରେ ଥିବା ସରକାରୀ ହାଇସ୍କୁଲ୍ର ୪୨ ବର୍ଷୀୟ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ ହୋଇଛନ୍ତି। ଭ୍ରମଣ ସମୟରେ ପ୍ରଧାନଶିକ୍ଷୟିତ୍ରୀ ନିଜର ଜଣେ ଛାତ୍ରକୁ ଚୁମ୍ବନ ଦେଇଥିଲେ, ଯାହାକି ପରବର୍ତ୍ତୀ ସମୟରେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ଛାତ୍ରର ଅଭିଭାବକ ଏହି ଚୁମ୍ବନ ଦୃଶ୍ୟ ଦେଖି ତୁରନ୍ତ ସ୍କୁଲ୍କୁ ଯାଇ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଉପରେ ବିରକ୍ତ ହୋଇଥିଲେ। ଚିକବଲ୍ଲାପୁର ‘ପବ୍ଲିକ୍ ଇନ୍ଷ୍ଟ୍ରକ୍ସନ୍’ର ଉପନିର୍ଦେଶକ କହିଥିଲେ, ଘଟଣା ଜାଣିବା ଲାଗି ଚିନ୍ତାମଣି ‘ବିଇଓ’ ଉମାଦେବୀ ସେ ସ୍କୁଲ୍କୁ ଯାଇ ଜାଣିପାରିଛନ୍ତି ଯେ, ‘ବିଦ୍ୟାଳୟ ଭମଣ’ କାର୍ଯ୍ୟକ୍ରମ ସମୟରେ ଉତ୍ତୋଳନ କରାଯାଇଥିବା କେତେକ ଫଟୋ ଓ ଭିଡିଓକୁ ପ୍ରଧାନ ଶିକ୍ଷୟିତ୍ରୀ ‘ଡିଲିଟ୍’ କରି ଦେଇଛନ୍ତି।  

ବାହନରେ ଚୁମ୍ବନ

ଗତ ସେପ୍ଟେମ୍ବର ମାସରେ ରାଜସ୍ଥାନର ଜୟପୁର ସହରରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି ପୁଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିଲେ। ଏକ ଦମ୍ପତି ଚଳନ୍ତା ବାଇକ୍ରେ ବସି ଚୁମ୍ବନ ଆଦାନପ୍ରଦାନ କରୁଥିବା ଭିଡିଓ ଭାଇରାଲ୍ ହେବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଭାଇରାଲ୍ ଭିଡିଓରେ ଦେଖାଯାଇଥିଲା ଯେ, ଜଣେ ମହିଳାଙ୍କୁ ପଛରେ ବସାଇ ଜଣେ ପୁରୁଷ ଲୋକ ଗହଳି ରାସ୍ତାରେ ବାଇକ୍ ଚଳାଇ ଯାଉଛନ୍ତି। କିନ୍ତୁ, ବାଇକ୍ ଚଳାଉଥିବା ବେଳେ ରାସ୍ତାକୁ ନ ଚାହିଁ ସେ ପଛରେ ବସିଥିବା ମହିଳାଙ୍କୁ ଚୁମ୍ବନ ଦେଉଛନ୍ତି। ଦୁହିଁଙ୍କ ମଧ୍ୟରୁ କେହି ହେଲ୍ମେଟ୍ ପିନ୍ଧି ନାହାନ୍ତି। କେହି ଜଣେ ଏହି ଦୃଶ୍ୟର ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ସେୟାର୍ କରିବା ପରେ ତାହା ଭାଇରାଲ୍ ହୋଇଯାଇଥିଲା।  ସେହିପରି ଗତ ଅକ୍ଟୋବରରେ କାରର ସନରୁଫରେ ପରସ୍ପରକୁ ଚୁମ୍ବନ ଦେଇଥିଲେ ଦମ୍ପତି। ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଲୋକେ। ଏହି ଘଟଣାଟି ତେଲେଙ୍ଗାନାର ହାଇଦ୍ରାବାଦରେ ଥିବା ପିଭି ନରସିଂହ ରାଓ ଏକ୍ସପ୍ରେସୱେରେ ଘଟିଥିଲା।

ପୁରସ୍କାର ବିତରଣ ବେଳେ ଚୁମ୍ବନ

ଗତ ଅଗଷ୍ଟ ମାସରେ ସ୍ପେନ୍ ଫୁଟବଲ୍ ମହାସଂଘର ସଭାପତି ଲୁଇସ୍ ରୁବେଲ୍ସ ମହିଳା ବିଶ୍ବକପ୍ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ଦେଶର ତାରକା ଖେଳାଳି ଜେନି ହର୍ମୋସୋଙ୍କ ଓଠରେ ଚୁମ୍ବନ ଦେଇଥିଲେ। ପରେ ସେ ଏହି ଘଟଣାରେ କ୍ଷମା ମାଗିଥିଲେ। ମହିଳା ବିଶ୍ବକପ୍ରେ ସ୍ପେନ୍ ପ୍ରଥମ ଥର ବିଜେତା ହୋଇଥିଲା। ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ଜେନି ପଦକ ନେବା ପାଇଁ ମଞ୍ଚ ଉପରକୁ ଯିବା ପରେ ରୁବେଲ୍ସ ଉଲ୍ଲସିତ ହୋଇ ତାଙ୍କ ଓଠରେ ଚୁମ୍ବନ ଦେଇଥିଲେ। ଏହି ଘଟଣାକୁ ସ୍ପେନ୍ ସରକାର ନିନ୍ଦା କରିବା ସହ ଏହା ଯୌନ ନିର୍ଯାତନା ମାମଲାକୁ ପ୍ରୋତ୍ସାହିତ କରୁଥିବା ନେଇ ଆଲୋଚନା ହୋଇଥିଲା। ସ୍ପେନ୍ ଫୁଟବଲ୍ ମହାସଂଘର ଅନୁରୋଧ ପରେ ଜେନି ମାମଲାରେ ହସ୍ତକ୍ଷେପ କରି ବିଶ୍ବକପ୍ ଜିତିବା ପରେ ରୁବେଲ୍ସ ଅତ୍ୟଧିକ ଖୁସି ହୋଇଯାଇ ଏପରି କରିଦେଇଥିବା କହିଥିଲେ।  

ବିବାହ ବେଳେ କନ୍ୟକୁ ଚୁମ୍ବନ ଦେଲା ବର

୨୦୨୨ ନଭେମ୍ବରରେ ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାରେ ଏକ ବିବାହ ଚାଲିଥିବାବେଳେ ବର ହଠାତ କନ୍ୟାକୁ ଚୁମ୍ବନ ଦେଇଥିଲେ। ଏହି ଘଟଣା ଦେଶରେ ବେଶ ଚର୍ଚ୍ଚାର ବିଷୟ ହୋଇଥିଲା। କିନ୍ତୁ ଏହି ଘଟଣାରେ କନ୍ୟା ରାଗିଯାଇ ବିବାହରୁ ଓହରି ଯାଇଥିଲେ। କେବଳ ଏତିକି ନୁହେଁ, ସେ ଅଭିଯୋଗ ଦାଖଲ କରିବାକୁ ପୁଲିସ ଷ୍ଟେସନକୁ ଯାଇଥିଲେ ଏବଂ ପୁଲିସକୁ କହିଥିଲେ ଯେ ସେ ଆଉ ବର ସହିତ ରହିବାକୁ ଚାହୁଁନାହାଁନ୍ତି । ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ ବର କହିଛନ୍ତି, ଯଦି ସେ ୩୦୦ ଲୋକଙ୍କ ସାମ୍ନାରେ ନିଜକୁ ନିୟନ୍ତ୍ରଣ କରିପାରୁନାହାନ୍ତି, ତେବେ ଭବିଷ୍ୟତରେ ସେ କିପରି ଆଚରଣ କରିବେ ?  ବିବାହ ଦିନ ବର ବରକୁ ଫୁଲମାଳ ପିନ୍ଧାଇବା ପରେ ଦୁହେଁ ମଞ୍ଚରେ ବସିଥିବା ବେଳେ ବର କନ୍ୟାକୁ ଚୁମ୍ବନ ଦେଇଥିଲେ। କନ୍ୟାର ପରିବାର ତାଙ୍କୁ ଶାନ୍ତ କରିବାରେ ବିଫଳ ହେବା ପରେ ତାଙ୍କୁ ବାହଜୋଇର ପୁଲିସ ଷ୍ଟେସନକୁ ନେଇଥିଲେ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments