ଭୁବନେଶ୍ବର: ବନସ୍ତେ ଡାକୁନି ଗଜ, ସହରରେ ଉତ୍ପାତ କରୁଛି ହାତୀ। ବ୍ୟାପକ ଜଙ୍ଗଲ ଅବକ୍ଷୟ ଯୋଗୁଁ ହାତୀମାନେ କେବଳ ଗାଁକୁ ପଶି ଆସୁନାହାନ୍ତି। ବରଂ ସହରରେ ମଧ୍ୟ ଉତ୍ପାତ କରୁଛନ୍ତି। କଟକ ଜିଲ୍ଲା ଜଗତପୁର ସହରାଂଚଳରେ ହାତୀମାନେ ସେବପ୍ଟେମ୍ବର ୨୮ ତାରିଖ ଭୋର ସକାଳୁ ଉପଦ୍ରବ କରିଛନ୍ତି। ଉଗ୍ରହାତୀମାନେ ୨ ଜଣଙ୍କ ଜୀବନ ନେଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଆକ୍ରମଣ କରିଛନ୍ତି। ହାତୀ ଆକ୍ରମଣର ଶିକାର ହୋଇଥିବା ୨ ଜଣ ବ୍ୟକ୍ତି କଟକ ବଡ଼ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହାରି ମଧ୍ୟରେ ଗୋଟିଏ ହାତୀ ଟ୍ରାଙ୍କୁଲାଇଜ ହୋଇଥିବା ବେଳେ ଅନ୍ୟ ଗୋଟିଏ ହାତୀର କୌଣସି ସନ୍ଧାନ ମିଳିପାରି ନାହିଁ। ସେହିଭଳି ହାତୀ ଗୋଷ୍ଠୀର ଅନ୍ୟତମ ସଦସ୍ୟର ମୃତ୍ୟୁ ହୋଇଛି।
ଦିଗହରା ୩ଟି ହାତୀ ବୁଧବାର ଭୋର ସକାଳୁ ଜଗତପୁର ଅଂଚଳରେ ଉତ୍ପାତ କରିଥିଲେ। ଟ୍ରାଙ୍କୁଲାଇଜ କରାଯାଇଥିବା ହାତୀ ୨ ଜଣଙ୍କ ଜୀବନ ନେଇଥିଲା। ଦୁଇ ଜଣଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବା ପରେ ଅନ୍ୟ ଏକ ହାତୀ ମହାନଦୀକୁ ଖସିପଡ଼ି ମୃତ୍ୟୁ ହୋଇଥିଲା। ତେବେ ତୃତୀୟ ହାତୀର ଖବର ବନବିଭାଗ ପାଖରେ ନାହିଁ। ଏହି ଅଂଚଳରେ ହାତୀଟି କେଉଁଠି ଲୁଚିଛି ତାହା ଜଣାପଡ଼ି ନାହିଁ। ତେଣୁ ସ୍ଥାନୀୟ ଲୋକଙ୍କ ମନରେ ଭୟର ବାତାବରଣ ଦେଖାଯାଇଛି।
ହାତୀ ଖୋଜୁଛନ୍ତି ବନବିଭାଗ
ନିଖୋଜ ଥିବା ହାତୀ ଯୋଗୁଁ ସମଗ୍ର ଜଗତପୁର ଅଞ୍ଚଳରେ ଭୟ ସୃଷ୍ଟି ହୋଇଛି। ହାତୀ ଯେକୌଣସି ମୁହୂର୍ତ୍ତରେ ପଦାକୁ ବାହାରି ପାରେ ଏବଂ କ୍ଷୟକ୍ଷତି କରିବା ଆଶଙ୍କା ରହୁଛି। ସେହିପରି ଜାତୀୟ ରାଜପଥରେ ଯାତାୟତ କରୁଥିବା ପଦଚାରୀ ଓ ସାଇକେଲ ଆରୋହୀଙ୍କ ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟିଛି। ଜଗତପୁର ଗୋଲେଇ ଠାରୁ ଜାତୀୟ ରାଜପଥ ପର୍ଯ୍ୟନ୍ତ ଯାତାୟତ କରୁଥିବା ଲୋକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ସବୁଠାରୁ କ୍ଷୋଭର ବିଷୟ ହେଲା ଯେ, ୩୦ରୁ ଊର୍ଦ୍ଧ୍ବ ବନ ବିଭାଗର କର୍ମଚାରୀ ଥାଇ ମଧ୍ୟ ନିଖୋଜ ହାତୀକୁ ଠାବ କରି ନ ପାରିବା।
ଆଶ୍ରୟ ଖୋଜୁଥିଲା ହାତୀ
ହାତୀ ଉତ୍ପାତ ନେଇ ଡିଏଫଓ ଅଜିତ କୁମାର ଶତପଥୀ କହିଛନ୍ତି, ହାତୀଟି ନିଜ ପାଇଁ ଆଶ୍ରୟ ଖୋଜୁଥିଲା। ଲୋକେ ସହଯୋଗ କଲେ ହିଁ ହାତୀଟି ପୁଣି ଜଙ୍ଗଲକୁ ଫେରାଇ ଦିଆଯାଇପାରିବ। କିନ୍ତୁ ଲୋକଙ୍କ ଗହଳି ଯୋଗୁଁ ହାତୀ ଫେରିବାକୁ ବାଟ ପାଉନାହିଁ। ହାତୀମାନେ ଖୁଣ୍ଟୁଣୀ ଜଙ୍ଗଲରୁ ଆସିଥିଲେ। ସେମାନେ ବାଟବଣା ହୋଇ ଜଙ୍ଗଲ ଭିତରକୁ ଯିବା ପରିବର୍ତ୍ତେ ଜଗତପୁର ଆଡ଼କୁ ମୁହାଁଇଥିଲେ। କିନ୍ତୁ ଜଗତପୁର ଅଞ୍ଚଳରେ ରାତି ପାହିଯିବାରୁ ହାତୀମାନେ ବ୍ୟସ୍ତ ହୋଇଯାଇଥିଲେ।
ଭୁବନେଶ୍ବରରେ ହାତୀ ଦ୍ରବ
ସହରାଂଚଳରେ ହାତୀ ଦୌରାତ୍ମ୍ୟ ଘଟଣା ନୂଆଁ ନୁହେଁ। ରାଜ୍ୟର ଅନ୍ୟ ସହରରେ ମଧ୍ୟ ପୂର୍ବରୁ ହାତୀମାନେ ଲୋକଙ୍କୁ ନାକେଦମ୍ କରିଛନ୍ତି। ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳ ଭରତପୁରରେ ବିଗତ ଦିନରେ ହାତୀ ଉପଦ୍ରବ ଦେଖାଯାଇଥିଲା। ଚାରି ବର୍ଷ ପୂର୍ବରୁ ସେପ୍ଟେମ୍ବର ମାସରେ ୫ଟି ହାତୀ ଭରତପୁର ଅଞ୍ଚଳରେ ଉପଦ୍ରବ ସୃଷ୍ଟି କରିଥିଲେ। ସ୍ଥାନୀୟ ଅଞ୍ଚଳର ଲୋକଙ୍କର ନଦି ହଜାଇ ଦେଇଥିଲେ। ସେହିପରି ୨୦୨୦ ମସିହାରେ ଚନ୍ଦ୍ରଶେଖରପୁର ଓ ଅନ୍ଧାରୁଆରେ ହାତୀ ଦୌରତ୍ମ୍ୟ ଦେଖିବାକୁ ମିଳିଥିଲା। ଏହି ଘଟଣା ରାଜଧାନୀବାସୀଙ୍କର ଆଖିରୁ ନିଦ ହଜାଇ ଦେଇଥିଲା।
ବର୍ଷସାରା ହାତୀ-ମଣିଷ ସଂଘର୍ଷ
ଦିନକୁ ଦିନ ବ୍ୟାପକ ଭାବେ ଜଙ୍ଗଲ ଅବକ୍ଷୟ ହେଉଛି। ଜଙ୍ଗଲରେ ଖାଦ୍ୟ ଅଭାବ ଓ ରହିବା ପାଇଁ ଉପଯୁକ୍ତ ପରିବେଶ ନ ଥିବାରୁ ହାତୀମାନେ ଗାଁ ଓ ସହର ମୁହାଁ ହେଉଛନ୍ତି। ଏହି କାରଣରୁ ହାତୀ ଓ ମଣିଷ ଭିତରେ ଏକ ଅଘୋଷିତ ଯୁଦ୍ଧ ଚାଲି ରହିଛି। ବର୍ଷତମାମ ହାତୀମାନେ ଉତ୍ପାତ କରୁଛନ୍ତି। କିଛି ହାତୀ ଶିକାରୀଙ୍କ ବନ୍ଧୁକ ମୁନରେ ପ୍ରାଣ ହାରୁଛନ୍ତି। ହାତୀ ଦାନ୍ତ ଚାଲାଣ ହେଉଛି। ବର୍ଷତମାମ ପ୍ରତି ସପ୍ତାହରେ ହାତୀ ଅଥବା ମନୁଷ୍ୟର ମୃତ୍ୟୁ ହେଉଛି।