ଭୁବନେଶ୍ୱର: ସରପଂଚମାନେ ହେଉଛି ସ୍ଥାନୀୟ ଲୋକଙ୍କ ମଧ୍ୟରେ ସବୁଠାରୁ ଭଦ୍ର ବ୍ୟକ୍ତି ତଥା ଗ୍ରାମାଂଚଳ ଲୋକଙ୍କ ପାଇଁ ଆଦର୍ଶ ମଣିଷ । ଦିନ ଥିଲା ସରପଂଚ ଗରିବ, ଅଭାବୀ, ଅସହାୟ ଓ ବିପଦରେ ପଡିଥିବା ଲୋକଙ୍କର ସାଥୀଟିଏ ହୋଇ ରହୁଥିଲେ । ସାଧାରଣ ଲୋକଙ୍କର ବିପତ୍ତି ସମୟରେ ଛିଡ଼ା ହେଉଥିଲେ । ସରପଂଚଙ୍କ ବଳ କହିଲେ ଗାଁରେ ରହୁଥିବା ଚାଷୀ ପୁଅ, ଶ୍ରମିକ, ଦିନ ମଜୁରିଆ ଆଦି । କିନ୍ତୁ ସମୟ କ୍ରମରେ ସରପଂଚମାନେ ନିଜର କର୍ତ୍ତବ୍ୟରୁ ଓହରି ଯାଉଥିବାରୁ ସେମାନଙ୍କୁ ଆକ୍ରମଣ କରିବାକୁ ଲୋକେ ପଛାଉ ନାହାନ୍ତି ।
ଗ୍ରାମ ପଂଚାୟତସ୍ତରରେ ସବୁଠାରୁ ସରକାରଙ୍କ ସବୁଠାରୁ ଟାଣୁଆ ନେତା କୁହାଯାଉଥିବା ସରପଂଚଙ୍କୁ ଅନେକ ସ୍ଥାନରେ ସାଧାରଣଙ୍କ ଟାର୍ଗେଟରେ ରହୁଥିବା ଦୃଶ୍ୟ ନଜରକୁ ଆସିଛି । ଏହାର ଜ୍ୱଳନ୍ତ ଉଦହାରଣ ହେଉଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଦାଶ ବିଦ୍ୟାଧରପୁର ପଂଚାୟତର ସରପଂଚ । ଏଠାକାର ସରପଂଚ ହରିହର ନନ୍ଦ ଗତକାଲି ଦୁର୍ବୃତ୍ତମାନଙ୍କ ଦ୍ୱାରା ଆକ୍ରମଣର ଶିକାର ହେବା ପରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ପଂଚାୟତ ଆଗରେ ବସିଥିଲେ ସରପଂଚ ହରିହର
ପଂଚାୟତ କାର୍ଯ୍ୟାଳୟ ଆଗରେ ଏକାକୀ ବସିଥିବା ବେଳେ ଗତକାଲି ସରପଂଚଙ୍କ ନିକଟକୁ କିଛି ଦୁର୍ବୃତ୍ତ ପହଂଚିଥିଲେ । କୌଣସି କାରଣକୁ ନେଇ ଦୁର୍ବୃତ୍ତମାନଙ୍କର ସରପଂଚଙ୍କ ସହିତ ଯୁକ୍ତିତର୍କ ହୋଇଥିଲା । ଏହା ପରେ ଦୁର୍ବୃତ୍ତମାନେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ଖଣ୍ଡାରେ ଆକ୍ରମଣ କରି ସେଠାରୁ ପଳାୟନ କରିଥିଲେ । ହରିହର ୨୦୧୭ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ ।
ଜିଲ୍ଲାପାଳ କ୍ଷମତା ମିଳିବା ପରେ କିଛି ସରପଂଚଙ୍କ ଉତ୍ପାତ ବଢ଼ିଛି
କରୋନା ସଂକ୍ରମଣ ବଢ଼ିବା ପରେ ରାଜ୍ୟ ସରକାର ସରପଂଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଥିଲେ । କିନ୍ତୁ କିଛି ସରପଂଚମାନେ ରାଜ୍ୟ ସରକାରଙ୍କ ଭାବନାକୁ ଠିକରେ ନବୁଝି ନିଜ କ୍ଷମତାର ଅପବ୍ୟବହାର କରିଥିବା ମଧ୍ୟ ଦୃଷ୍ଟିଗୋଚର ହୋଇଛି । ସମ୍ଭବତଃ କ୍ଷମତାର ଅପବ୍ୟବହାର କରୁଥିବା ସରପଂଚ ଲୋକଙ୍କର ଶିକାର ହେଉଛନ୍ତି । ଆଉ ଏକ ଅନ୍ୟ କାରଣ ହେଉଛି, ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ମଧ୍ୟ ସରପଂଚମାନଙ୍କୁ ଆକ୍ରମଣ କରାଯାଉଛି ।
ଆଦର୍ଶ ସରପଂଚ ପାଇଁ ଉପାୟ
-ପ୍ରଥମତଃ ଆଦର୍ଶ ସରପଂଚ ହେବାକୁ ହେଲେ ଗାଁ ଲୋକଙ୍କ ସହିତ ଭଲଭାବରେ ମିଳାମିଶା କରିବାକୁ ହେବ ।
-ସରକାରୀ ଯୋଜନା ଲୋକଙ୍କୁ ସହଜରେ ପହଂଚାଇବାକୁ ହେବ ।
-ସାଧାରଣ ଲୋକଙ୍କ ମନକୁ କିଣିଲା ଭଳି କଥା କହିବାକୁ ହେବ ।
-ଲୋକଙ୍କର ସୁଖ-ଦୁଃଖ ସମୟରେ ନିଜକୁ ସାମଲ କଲେ ଭଲ ।
-ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୂଚାରୁ ଭାବେ ପରିଚାଳନା କରିବା ଦରକାର ।
-ଶେଷରେ ନିର୍ବାଚନ ପ୍ରଚାର ସମୟରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ପଡ଼ିବ ।
ନିଶ୍ଚିତକୋଇଲିରେ ସରପଂଚ ଗିରଫ
ରାଜ୍ୟ ସରକାରଙ୍କ ଦ୍ୱାରା କ୍ଷମତା ମିଳିବା ପରେ କଟକ ଜିଲ୍ଲା ନିଶ୍ଚିତକୋଇଲି ବ୍ଲକ ଅନ୍ତର୍ଗତ ନଗସପୁର ପଂଚାୟତର ସରପଂଚ ସୁଧାଂଶୁ ଶେଖର ଭୂୟାଁ ଗତ ଏପ୍ରିଲ ୨୫ରେ ଗିରଫ ହୋଇଥିଲେ । ସେ ଜଣେ ନଗସପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ଅଜନ୍ତା ମହାନ୍ତିଙ୍କୁ ଦୁର୍ବ୍ୟବହାର କରିଥିଲେ । କ୍ଷମତାର ଆଳ ଦେଖାଇ ସେ ମହିଳା ଡାକ୍ତରଙ୍କୁ କହିଥିଲେ, ମୁଁ ସରପଂଚ । ଜିଲ୍ଲାପାଳ କ୍ଷମତା ପାଇଛି । ଘଟଣା ଦିନ ଡାକ୍ତର ମହାନ୍ତି ସରପଂଚଙ୍କ କହିବା ଅନୁସାରେ ବୈଠକ ଡାକି ନଥିଲେ । କାରଣ ଡାକ୍ତର ଜଣକ ନ୍ୟୁଟ୍ରେଶନ ଦିବସ ପାଇଁ ନିଜ କାମରେ ବ୍ୟସ୍ତ ଥିଲେ ।
ବରଗଡ଼ ଜିଲ୍ଲାରେ ଲକ୍ଷେ ଟଙ୍କା ଜରିମାନା ଦେଇଥିଲେ ସରପଂଚ
କୋଭିଡ ଯୋଦ୍ଧା ମାନ୍ୟତା ଦେଇ ନଥିଲେ ମଧ୍ୟ କରୋନା ମୁକାବିଲା ପାଇଁ ସରପଂଚଙ୍କ ଅବଦାନ ଅତୁଳନୀୟ ବୋଲି ରାଜ୍ୟ ସରକାର ଦୃହଦୟଙ୍ଗମ କରିଥିଲେ । କିନ୍ତୁ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅଧିନ ଗୌରେନମୁଣ୍ଡା ସରପଂଚ ମାଳବ ସାହୁ ଗତ ୨୮ ତାରିଖରେ ପଂଚାୟତ ସମିତି କାର୍ଯର୍୍ୟାଳୟରେ ନିଜର ଶତାଧିକ ସମର୍ଥକଙ୍କ ସହ ଉତ୍ପାତ କରିଥିଲେ । ସିସିଟିଭି ଫୁଟେଜରୁ ସରପଂଚଙ୍କ କୋଭିଡ-୧୯ ନିୟମ ଉଲ୍ଲଂଘନ ଜଣାପଡ଼ିବା ପରେ ତାଙ୍କୁ ସ୍ଥାନୀୟ ବିଡିଓ ନିରଂଜନ ସା ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଥିଲେ ।