ଭୁବନେଶ୍ବର: ରାଜ୍ୟରେ ପ୍ରତିବର୍ଷ ସର୍ପାଘାତ କାରଣରୁ ଶହଶହ ଲୋକଙ୍କର ମୃତ୍ୟୁ ଘଟୁଛି। ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ ସର୍ପକାମୁଡ଼ା ଜନିତ ମାମଲାରେ ଓଡ଼ିଶାର ସ୍ଥାନ ୨ୟରେ ରହିଛି। ରାଜ୍ୟରେ ମାତ୍ର ଏକ ସପ୍ତାହ ମଧ୍ୟରେ ୮ ଜଣ ଲୋକଙ୍କର ସର୍ପାଘାତରେ ମୃତ୍ୟୁ ହୋଇସାରିଛି। ଏହି ମୃତକମାନଙ୍କ ମଧ୍ୟରେ ୪ ଜଣ ବିଦ୍ୟାର୍ଥୀ ସାମିଲ ଅଛନ୍ତି। କ୍ରମାଗତ ଭାବେ ରାଜ୍ୟର ବିଭିନ୍ନ ସ୍ଥାନରେ ସାପ କାମୁଡ଼ା ଖବର ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଲୋକେ ଓ ସରକାରଙ୍କ ଚିନ୍ତା ବଢ଼ିଛି। ମୋଟାମୋଟି ଭାବେ କହିବାକୁ ଗଲେ ରାଜ୍ୟବାସୀଙ୍କୁ ସାପ ଭୟ ହୋଇଛି।
ଏକ ସପ୍ତାହ ମଧ୍ୟରେ ରାଜ୍ୟରେ ସର୍ପାଘାତ କାରଣରୁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାରୁ ସରକାର ସଚେତନ ହୋଇଛନ୍ତି। ସର୍ପାଘାତ ଜନିତ ମୃତ୍ୟୁ ରୋକିବାକୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜନସ୍ବାସ୍ଥ୍ୟ ବିଭାଗ ସବୁ ସିଡିଏମ୍ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସବୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣ୍ଟିଭେନମ୍ ମହଜୁଦ ରଖିବା ସହ ଔଷଧ ଓ ଟେଷ୍ଟିଂ ମାଗଣା ଯୋଗାଇବାକୁ କୁହାଯାଇଛି। ମେଡିକାଲକୁ ଆସୁଥିବା ସର୍ପାଘାତ ରୋଗୀଙ୍କ ତଥ୍ୟ ପ୍ରତିଦିନ ଦେବେ। ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ ଟିମ୍ ପ୍ରତି ସ୍କୁଲକୁ ଯାଇ ସଚେତନ କରାଇବେ। ହଷ୍ଟେଲରେ ମୂଷା ଓ ବେଙ୍ଗ ଯେପରି ନ ପଶିବେ ସେଥି ପ୍ରତି ସାବଧାନ କରାଇବେ।
ଅଘଟଣ ପରେ ପଦକ୍ଷେପ
ଅନେକ କ୍ଷେତ୍ରରେ ରାଜ୍ୟ ସରକାର ପଛୁଆ ଭାବେ ପଦକ୍ଷେପ ନେବାରେ ଓସ୍ତାଦ। ଉଦାହରଣ ସ୍ବରୂପ ଛତିଶଗଡ଼ ସରକାର ମହାନଦୀରେ ଏକାଧିକ ବ୍ୟାରେଜ କରିସାରିବା ପରେ ନବୀନ ସରକାରଙ୍କ ନିଦ ଭାଙ୍ଗିଥିଲା, ବର୍ତ୍ତମାନ ମହାନଦୀ ମାମଲା ନେଇ ଉଭୟ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଦେଖାଯାଇଛି। ଏହି ସମସ୍ୟାର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ହୋଇଛି। କିନ୍ତୁ ସମାଧାନ କେବେ ହେବ ତାହା ଜଣାନାହିଁ। ହୋଟେଲ ହେଉ ବା ହସ୍ପିଟାଲ ହେଉ ଯେତେ ବେଳେ ନିଆଁ ଲାଗିଥାଏ, ସରକାର ଶୋଇକି ଉଠନ୍ତି। ସତର୍କତା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ହେଟେଲ ଓ ଡାକ୍ତରଖାନା ଯାଞ୍ଚ କରିଥାନ୍ତି। ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ସାପ କାମୁଡ଼ିବା ଯୋଗୁଁ ଲୋକଙ୍କର ମୃତ୍ୟୁ ହେବା କାରଣରୁ ସରକାରଙ୍କ ନିଦ ଭାଙ୍ଗିଛି।
ସପ୍ତାହରେ ୧୦ ମୃତ
ଜୁଲାଇ ୨୫ ତାରିଖ ବିଭିନ୍ନ ଜିଲ୍ଲାରେ ସାପ କାମୁଡ଼ାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଦେବଗଡ଼ ପୌରାଞ୍ଚଳ ଜଙ୍ଗଲିକୁଦର ଗାଁରେ ୨ ଭାଇ ମଧ୍ୟ ସାମିଲ ଅଛନ୍ତି। ମୃତକମାନେ ହେଲେ ସର୍ବେଶ୍ୱର ଦେହୁରୀଙ୍କ ପୁଅ ଗୌରାଙ୍ଗ (୧୪) ଓ ସୌଭାଗ୍ୟ (୮)। ଦୁଇଭାଇ ଘର ଚଟାଣରେ ଶୋଇଥିବା ବେଳେ ଭୋର ସମୟରେ ସାପ କାମୁଡ଼ି ଦେଇଥିଲା। ସେହିପରି ମୟୂରଭଂଜ ଶରତ ଥାନା କଟୁରିଆ ଗାଁରେ ମାଆ ଓ ପୁଅକୁ କାମୁଡ଼ି ଦେଇଥିଲା। ଏହି ଘଟଣାରେ ଦେଢ଼ ବର୍ଷର ଶିଶୁପୁତ୍ର ମୃତ ହୋଇଥିବା ବେଳେ ମା’ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଅନ୍ୟ ଏକ ଘଟଣାରେ କଳାହାଣ୍ଡି ଜିଲ୍ଲା ଆମ୍ବପାଣି ଥାନା ସର୍ଗିଗୁଡ଼ାରେ ସାପକାମୁଡ଼ିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଜଣଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ସାହସପୁରରେ ଜଣେ ନାବାଳିକାର ମୃତ୍ୟୁ ହୋଇଛି। ପୂର୍ବରୁ ଗତ ଗତ ୧୯ ତାରିଖରେ କେନ୍ଦୁଝର ଜିଲ୍ଲାରେ ଏକ ଘରୋଇ କୋଚିଂ ସେଣ୍ଟରରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ୨୩ ତାରିଖ ରାତିରେ ଚମ୍ପୁଆ ବ୍ଲକ ଜାଲି ପଂଚାୟତର ନିଶ୍ଚିତପୁର ଗ୍ରାମରେ ଥିବା କୋଚିଂ ସେଣ୍ଟରରେ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା, ଯେଉଁଥିରେ କି ୩ ଜଣ ଛାତ୍ରଛାତ୍ରୀ ପ୍ରାଣ ହରାଇଥିଲେ।
ଗରିବୀର ସଂକେତ
ଏନ୍ସିଆରବି ରିପୋର୍ଟ ଅନୁସାରେ ଓଡ଼ିଶାରେ ୨୦୨୨ ମସିହାରେ ପୂରା ଭାରତରେ ସାପ କାମୁଡ଼ିବା ଯୋଗୁଁ ୨ୟ ସ୍ଥାନରେ ରହିଛି। ରାଜ୍ୟରେ ପ୍ରତିବର୍ଷ ୨.୨ ପ୍ରତିଶତ ସାପ କାମୁଡ଼ା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ବିଗତ ୩ ବର୍ଷରେ ୨୮୩୯ ଜଣଙ୍କର ମୃତ୍ୟୁ ହୋଇଛି। ମୟୂରଭଂଜରେ ସର୍ବାଧିକ ୨୩୯, କେନ୍ଦୁଝରରେ ୧୮୯, ମାଲକାନଗିରିରେ ୧୬୨ ଓ ବାଲେଶ୍ବରରେ ୧୫୬ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟ ସରକାର ବିକାଶର ଡେଙ୍ଗୁରା ପିଟୁଥିଲେ ବି ସାଧାରଣତଃ ସାପ କାମୁଡ଼ାରେ ମୃତ୍ୟୁ ଗରିବୀକୁ ସୂଚାଉଛି। ଲୋକଙ୍କର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଭଲ ଘରେ ରହୁନାହାନ୍ତି। ତେଣୁ ସାପ କାମୁଡ଼ାରେ ଅକାଳରେ ମୃତ୍ୟୁ ହେଉଛି। ଗାଁ ଗଣ୍ଡାରେ ରହୁଥିବା ଲୋକେ ସାପ କାମୁଡ଼ିବା ମାତ୍ରେ ପ୍ରଥମେ ଗାରେଡି ମନ୍ତ୍ରପାଠ କରି ବିଷ ଓଗାଳିବାକୁ ଚେଷ୍ଟା କରିଥାନ୍ତି। ମାତ୍ର ଚିକିତ୍ସା ବିଜ୍ଞାନ କହୁଛି ଯେ, ସାପ କାମୁଡ଼ିବାର ୧ ଘଣ୍ଟା ମଧ୍ୟରେ ଆହତ ବ୍ୟକ୍ତି ଡାକ୍ତରଖାନାରେ ପହଞ୍ଚିଲେ ସେ ଭଲ ହୋଇପାରିବେ। କିନ୍ତୁ ସାପ କାମୁଡ଼ାରେ ଆହତ ଲୋକେ ବିଳମ୍ବରେ ଡାକ୍ତରଖାନାରେ ପହଞ୍ଚିବା କାରଣରୁ ମୃତ୍ୟୁ ହେଉଛି। ଅନ୍ଧ ବିଶ୍ବାସରେ ନପଡ଼ିଲେ ଆହତ ବ୍ୟକ୍ତି ଭଲ ହୋଇପାରିବେ।