Tuesday, October 15, 2024
Homeସୀମାରେ ୬ ଯବାନଙ୍କୁ ହତ୍ୟା କରି ଉତ୍ସାହ ଦେଖାଇଲା ପୁଲିସ!
Array

ସୀମାରେ ୬ ଯବାନଙ୍କୁ ହତ୍ୟା କରି ଉତ୍ସାହ ଦେଖାଇଲା ପୁଲିସ!

ଗୁଆହାଟୀ/ଆଇଜଲ: ସୀମାକୁ ନେଇ ଦେଶର ଏକାଧିକ ରାଜ୍ୟରେ ବିବାଦ ଦେଖାଯାଇଛି । ଓଡ଼ିଶା-ଆନ୍ଧ୍ରପ୍ରଦେଶ, ଓଡ଼ିଶା-ଛତିଶଗଡ଼, ମହାରାଷ୍ଟ୍ର-କର୍ଣ୍ଣାଟକ ପରେ ଏବେ ଆସାମ-ମିଜୋରାମ ମଧ୍ୟରେ ସୀମା ବିବାଦ ଚର୍ଚ୍ଚାକୁ ଆସିଛି । କେନ୍ଦ୍ର ସରକାର ଏହି ସମସ୍ୟା ଗୁଡ଼ିକର ସମାଧାନ ସହଜରେ କରିପାରୁ ନଥିବା ବେଳେ ଅନେକ ସମୟରେ ସ୍ଥିତି ସଂଗୀନ ହେଉଛି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଆସାମ ଏବଂ ମିଜୋରାମ ମଧ୍ୟରେ ନିକଟରେ ଦେଖାଯାଇଥିବା ସୀମା ବିବାଦ । ଏହି ବିବାଦ ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଛି । ନିଜର ୬ ଜଣ ଯବାନଙ୍କୁ ହତ୍ୟା କରାଯାଇଥିବା ଆସାମ ଦାବି କରିଛି । ମିଜୋରାମ ପୋଲିସର ଆକ୍ରମଣରେ ଆସାମର ଜଣେ ଏସ୍‌ପିଙ୍କ ସମେତ ୫୦ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି ।

ସୀମା ବିବାଦ ନେଇ ଉଭୟ ଆସାମ ଓ ମିଜୋରାମ ପକ୍ଷ ଜଣେ ଅନ୍ୟର ପୋଲିସକୁ ଘଟଣା ପାଇଁ ଦାୟୀ କହିଛନ୍ତି । ଏହାରି ମଧ୍ୟରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହା ମାମଲାର ସମାଧାନ ପାଇଁ ଉଭୟ ଆସାମ ଓ ମିଜୋରାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିସ୍ୱସର୍ମା ଏବଂ ଜୋରମଥାଙ୍ଗାଙ୍କ ସହ କଥାବାର୍ତ୍ତା କରିଛନ୍ତି । ବର୍ତ୍ତମାନ ପରିପ୍ରେକ୍ଷୀରେ ଉଭୟ ରାଜ୍ୟର ସୀମା ମଧ୍ୟରେ ଥିବା ବିବାଦସ୍ଥଳ ଉତ୍ତେଜନାପୂର୍ଣ୍ଣ ଥିବାରୁ ବ୍ୟାପକ ସିଆରପିଏଫ ଯବାନଙ୍କୁ ମୁତୟନ କରାଯାଇଛି ।

ଗୁଳିମାଡ଼ରେ ଏସ୍‌ପି ଗୁରୁତର

ବିଗତ କିଛି ଦିନ ହେବ ଆସାମ ଓ ମିଜୋରାମ ସୀମାକୁ ନେଇ ବିବାଦ ଲାଗିରହିଛି । ବିବାଦୀୟ ସ୍ଥଳରେ ଉଭୟ ରାଜ୍ୟର ପୋଲିସ ମୁତୟନ ଅଛନ୍ତି । ତେବେ ପୂର୍ବରୁ ଯାହା ଆକଳନ କରାଯାଉଥିଲା, ତାହା ହିଁ ହୋଇଛି । ପୋଲିସ ଆକ୍ରମଣରେ ୬ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ଆସାମ ପୋଲିର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ, କଛାର ଏସ୍‌ପି ନିମ୍ବାଲକର ବୈଭବ ଚନ୍ଦ୍ରକାନ୍ତ ସମେତ ୮୦ ଜଣ ଲୋକ ଗୁଳିମାଡ଼ ଏବଂ ପଥରମାଡ଼ର ଶିକାର ହୋଇଛନ୍ତି । ଏସ୍‌ପି ବୈଭବ ଚନ୍ଦ୍ରକାନ୍ତଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟର ଅଧିକାରୀମାନେ ଆଲୋଚନା କରୁଥିବା ବେଳେ ଗୁଳିମାଡ଼ ହୋଇଥିଲା ।

ଲୋକଙ୍କ ରକ୍ଷା ପାଇଁ ଜୀବନ ଦେଲେ ଯବାନ

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିସ୍ୱଶର୍ମା କହିଛନ୍ତି ଯେ, ଆମର ଯବାନଙ୍କୁ ହତ୍ୟା କରିବା ପରେ ମିଜୋରାମ ପୋଲିସ ଓ ଗୁଣ୍ଡାମାନେ ଉତ୍ସାହ ମନାଉଛନ୍ତି । ଏହାର ପ୍ରମାଣ ଦର୍ଶାଇବା ପାଇଁ ସେ ଏକ ଭିଡିଓକୁ ଟୁଇଟର ମାଧ୍ୟମରେ ସେୟାର କରିଛନ୍ତି । ଏହି ଭିଡିଓରେ ଯବାନମାନେ ହାତ ଧରାଧରି ହୋଇଛନ୍ତି ଏବଂ ଜଣେ ଅନ୍ୟକୁ ଶୁଭେଚ୍ଛା ଜଣାଉଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ମା ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ କହିଛନ୍ତି ଯେ, ସୀମାରେ ହିଂସା ଖବର ଜାଣି ମୁଁ ଦୁଃଖ ଅନୁଭବ କରୁଛି । ଆମ ରାଜ୍ୟର ସାମ୍ବିଧାନିକ ସୀମାର ରକ୍ଷା ପାଇଁ ଆସାମ ପୋଲିସର ୬ ଜଣ ବୀର ଯବାନ ଆସାମ-ମିଜୋରାମ ସୀମାରେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି । ସେ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି ।

ବିବାଦର କାରଣ କ’ଣ?

ଆସାମର ବରାକ ଘାଟୀର କଛାର, କରୀମଗଂଜ ଓ ହ୍ୟାଲାକାଣ୍ଡିଏ ମିଜୋରାମର ୩ ଜିଲ୍ଲା ଆଇଜଲ, କୋଲାସିବ ଓ ମାସିମ ସହିତ ଉଭୟ ରାଜ୍ୟ ମଧ୍ୟରେ ୧୬୪ କିଲୋମିଟର ଦୀର୍ଘ ସୀମା ରହିଛି । ଏକ ଆଂଚଳିକ ବିବାଦ ପରେ ୨୦୨୦ ଅଗଷ୍ଟ ଏବଂ ଫେବ୍ରୁଆରୀରେ ଅନ୍ତଃରାଜ୍ୟ ସୀମା ବିବାଦ ପ୍ରସଙ୍ଗରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । କଛାର ଅଂଚଳରେ ସ୍ଥାନୀୟ ଲୋକେ ଚାଷ ଜମୀକୁ ନେଇ ନିଜ ନିଜ ଭିତରେ ଲଢ଼େଇ କରିଥାନ୍ତି । ଏହି ଘଟଣା ଏବେ ଉଭୟ ରାଜ୍ୟର ସୀମା ବିବାଦକୁ ବଢ଼ାଇ ଦେଇଛି । ଦୀର୍ଘ ଦିନର ଏହି ବିବାଦ ଦ୍ୱାରା ସାଧାରଣ ଜନତା ପ୍ରଭାବିତ ହେଉଛନ୍ତି ।

କେନ୍ଦ୍ରକୁ କଂଗ୍ରେସର ଟାର୍ଗେଟ

କେନ୍ଦ୍ରମନ୍ତ୍ରୀ ଅମିତ ଶାହା ପୂର୍ବୋତ୍ତରରେ ଥିବା ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନାରେ ସୀମା ବିବାଦର ସମାଧାନ ନେଇ ଆବଶ୍ୟକ ପଦକ୍ଷେପ ନେଇଥିଲେ । ଏହି ଘଟଣାର ୨ ଦିନ ପରେ ସୀମାରେ ପୁଣି ଉତ୍ତେଜନା ଦେଖାଯାଇଛି । ଏହାକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି । କଂଗ୍ରେସ ଏକ ବୟାନରେ କହିଛି ଯେ, ଉଭୟ ଆସାମ ଓ ମିଜୋରାମର ମୁଖ୍ୟମନ୍ତ୍ରୀ ଟୁଇଟରରେ ବିତର୍କ କରୁଛନ୍ତି । ଅନ୍ୟପଟରେ ଉଭୟ ରାଜ୍ୟରେ ଉତ୍ତେଜନା ବଢ଼ିଚାଲିଛି । ଏହା ଦୁର୍ଭାଗ୍ୟପୂର୍ଣ୍ଣ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments