ଭୁବନେଶ୍ବର: ବିବାହ ଏକ ପବିତ୍ର ବନ୍ଧନ। ଦୁଇଟି ହୃଦୟକୁ ଯୋଡୁଥିବା ଏକ ବିରଳ ମୁହୂର୍ତ୍ତ। ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଗୋଟିଏ ମନନେଇ ସୁଖଦୁଃଖର ସାଥୀ ହୋଇ ବଞ୍ଚିବା ସଂକଳ୍ପର ସମୟ। ଏହା ସହିତ ତାଳ ଦେଇ ଯେତେ ବାଧାବିଘ୍ନ ଆସୁପଛେ ମୁକାବିଲା କରିବାକୁ ସ୍ବାମୀ-ସ୍ତ୍ରୀ ପଣ ଯଦି ସାର୍ଥକ କରିପାରନ୍ତି, ତାହା ହେଉଛି ସଫଳ ଦାମ୍ପ୍ୟତ୍ୟ ଜୀବନ। ମାତ୍ର କ୍ଷୋଭର କଥା ଯେ, ସମସ୍ତଙ୍କ ପାଇଁ ଦାମ୍ପତ୍ୟ ଜୀବନ ସୁଖମୟ ହୋଇପାରି ନଥାଏ। କିଛି ଲୋକଙ୍କ ପାଇଁ ଆରମ୍ଭ ହେବାର ଅଳ୍ପ ସମୟ ପରେ ଶେଷ ହୋଇଯାଇଥାଏ।
ହିନ୍ଦୁ ଧର୍ମ ଅନୁସାରେ ସ୍ବାମୀଙ୍କ ସ୍ଥାନ ବହୁ ଉଚ୍ଚରେ। ସ୍ତ୍ରୀ ନିଜେ କଷ୍ଟ ପାଇଁ ସ୍ବାମୀଙ୍କୁ କିଭଳି ଦେଖିବାକୁ ଚାହାନ୍ତି, ତାହାର ଉଦାହରଣ ହେଉଛି ସାବିତ୍ରୀ-ସତ୍ୟବାନ ଉପାଖ୍ୟାନ। ପୁରାଣରେ ଆହୁରି ଅନେକ କାହାଣୀ ରହିଛି, ଯେଉଁଥିରେ କି ସ୍ବାମୀ-ସ୍ତ୍ରୀଙ୍କ ସଂପର୍କକୁ ପବିତ୍ର ଓ ନିଆରା ଭାବରେ ବର୍ଣ୍ଣନା କରାଯାଇଛି। ମାତ୍ର ଅତ୍ୟାଧୁନିକ ଯୁଗରେ ସେସବୁର ମହତ୍ତ୍ବ କିଛି ଲୋକଙ୍କ ପାଇଁ ମୂଲ୍ୟହୀନ। ମଦ୍ୟପାନ, ଅଭାବ ଓ ପରକୀୟା ପ୍ରୀତି କାରଣରୁ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହେବାର ମୁଖ୍ୟ କାରଣ। ବେଳେବେଳେ ପରିସ୍ଥିତି ଅଣାୟତ୍ତ ହେବାରୁ ହତ୍ୟାକାଣ୍ଡ ମଧ୍ୟ ହେଉଛି। ଜଣେ ମହିଳା ମାତ୍ରାଧିକ ନିର୍ଯାତିତ ହେଲା ପରେ ସେ ବାଧ୍ୟହୋଇ ସ୍ବାମୀଙ୍କୁ ହତ୍ୟା କରୁଛି।
ପୁଅର ସହଯୋଗରେ ସ୍ବାମୀଙ୍କୁ ହତ୍ୟା
ଭଦ୍ରକ ଗ୍ରାମାଞ୍ଚଳ ଥାନା ବାଣିତିଆ ପଞ୍ଚାୟତ ମହଲାସାହିରେ ଜୁଲାଇ ୨୭ରେ ଜଣେ ମହିଳା ନାବାଳକ ପୁଅ ସହ ମିଶି ସ୍ତ୍ରୀ ସ୍ୱାମୀକୁ ଛୁରି ଭୁସି ହତ୍ୟା କରିଛି। ସୁରେଶ ଲାଲ ବାଣିତିଆ ପଞ୍ଚାୟତ ମହଲାସାହିର ସଞ୍ଜୁଲତାଙ୍କୁ ବିବାହ କରିଥିଲେ। ସେ ଘରଜ୍ବାଇଁ ମହଲାସାହିରେ ରହୁଥିଲେ। କିନ୍ତୁ ମଦପିଇ ସବୁ ବେଳେ ପତ୍ନୀଙ୍କ ସହିତ ଝଗଡ଼ା କରୁଥିଲେ, ଯାହାକି ଜୁଲାଇ ୨୬ ତାରିଖ ରାତିରେ କଳହ ତୀବ୍ର ରୂପ ନେଇଥିଲା। ସୁରେଶଙ୍କୁ ସଂଜୁ ଛୁରୀରେ ଭୁସି ଦେଇଥିଲେ। ଜୁଲାଇ ୨୭ ଭୋର ସକାଳୁ ଭୋରୁ ସୁରେଶ ଘର ଭିତରୁ ଚିତ୍କାର କରି ବାହାରକୁ ଦୌଡ଼ିଥିଲେ। ପରେ ସେ ରାସ୍ତାରେ ପଡ଼ି ଯାଇଥିଲେ। ଉଦ୍ଧାର କରିବାକୁ ଲୋକେ ପହଞ୍ଚିବା ପୂର୍ବରୁ ସୁରେଶଙ୍କ ମୃତ୍ୟୁ ହୋଇସାରିଥିଲା।
ଭାଇ ସହ ମିଶି ସ୍ବାମୀଙ୍କୁ ହତ୍ୟା
୨୦୧୯ ନଭେମ୍ବର ୨୦ର ଘଟଣା। ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ପଟାଧାର ଗାଁରେ ଏକ ଲୋମଟାଙ୍କୁରା ଘଟଣା ଘଟିଥିଲା। ଭାଇ ସହ ମିଶି ସ୍ୱାମୀଙ୍କୁ ଅତି ନୃଶଂସ ଭାବେ ସ୍ତ୍ରୀ ହତ୍ୟା କରିବାର ଘଟଣା ସାମ୍ନାକୁ ଆସିଥିଲା। ଟୁଲୁ ପ୍ରଧାନ ନାମରେ ଜଣେ ବ୍ୟକ୍ତି ଭୁବନେଶ୍ୱରରରେ ଅଟୋ ଚଳାଉଥିବା ବେଳେ ତାଙ୍କ ସ୍ତ୍ରୀ ବବି ଓ ଝିଅ ଗାଁରେ ରହୁଥିଲେ। ସ୍ୱାମୀର ଭୁବନେଶ୍ୱରରେ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଯୁକ୍ତିତର୍କ ଲାଗିଥାଏ। ଘଟଣା ଘଟିବାର ପ୍ରାୟ ୧୫ ଦିନ ପୂର୍ବେ ବବି ନିଜ ଝିଅକୁ ଧରି ବାପ ଘରକୁ ଚାଲି ଯାଇଥିଲେ। ଘଟଣା ଦିନ ଟୁଲୁ ସନ୍ଧ୍ୟାରେ ଶ୍ୱଶୁର ଘରେ ପହଞ୍ଚିଥିଲା ବେଳକୁ ଉଭୟଙ୍କ ମଧ୍ୟରେ ପୁଣି କୌଣସି କାରଣୁ ବଚସା ଆରମ୍ଭ ହୋଇଯାଇଥିଲା। ଏଥିରେ ବବି ରାଗି ଯାଇଥିଲେ। ରାଗ ଉପରେ ନିୟନ୍ତ୍ରଣ ରକ୍ଷା କରି ନପାରି ନିଜ ଭାଇ ଜିତୁ ବଢ଼େଇଙ୍କ ସହ ମିଶି ସ୍ୱାମୀଙ୍କୁ ନୃଶଂସ ଭାବେ କଟୁରୀରେ ହାଣି ହତ୍ୟା କରିଥିଲା।
ସ୍ବାମୀଙ୍କୁ ଗାମୁଛାରେ ଚିପିଦେଲା
ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଅନ୍ତର୍ଗତ କୁଶମଦର୍ହା ଗ୍ରାମରେ ୨୦୨୧ ଅକ୍ଟୋବର ୧୯ରେ ଅଭାବନୀୟ ଘଟଣା ଘଟିଥିଲା। ସଦାଶିବ ବରିହା( ୪୯) ପ୍ରତିଦିନ ପରି ନିଶାଶକ୍ତ ଅବସ୍ଥାରେ ଘର ଲୋକଙ୍କୁ ଗାଳିଗୁଲଜ କରିଥିଲା। ସ୍ତ୍ରୀ ସମାରୀ (୪୫) ବୁଝାସୁଝା କରି ବିଫଳ ହେବାରୁ ଉତ୍ତ୍ୟକ୍ତ ହୋଇ ସ୍ୱାମୀକୁ ମାଡ଼ ମାରିବାକୁ ବାଧ୍ୟ ହୋଇଥିଲା। ସଦାଶିବ ଘରୁ ବାହାରି ଗାଁ ଦାଣ୍ଡକୁ ଚାଲିଯିବାରୁ ସ୍ତ୍ରୀ ପଛେପଛେ ଗୋଡ଼ାଇ ଗାମୁଛାରେ ସ୍ୱାମୀର ବେକକୁ ଭିଡ଼ି ଧରିଥିଲେ। କିଛି ସମୟ ପରେ ସ୍ବାମୀର ପ୍ରାଣବାୟୁ ଉଡ଼ି ଯାଇଥିଲା।
କାଠଫାଳିଆରେ ସ୍ବାମୀଙ୍କୁ ପିଟି ଜୀବନ ନେଲା
ସ୍ବାମୀଙ୍କୁ ହତ୍ୟା କରିବା ଘଟଣା ଅତୀତରେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଘଟିଛି। ସ୍ୱାମୀକୁ କାଠଫାଳିଆରେ ପିଟିପିଟି ହତ୍ୟା କରିଥିଲା ସ୍ତ୍ରୀ। ୨୦୨୧ ସେପ୍ଟେମ୍ବର ୨୦ରେ ଚନ୍ଦ୍ରଶେଖରପୁର ଥାନା ଅଧୀନ କଲ୍ୟାଣମଣ୍ଡପ ବସ୍ତିରେ ଏଭଳି ହତ୍ୟାକାଣ୍ଡ ଘଟିଥିଲା। ସାମ ମୁଣ୍ଡୁରି(୫୦) ବିଏମସିରେ ସଫେଇ କାମ କରୁଥିଲେ। ଅଭିଯୁକ୍ତ ଝିଙ୍ଗି ମୁଣ୍ଡୁରି ପ୍ରଥମ ସ୍ୱାମୀର ମୃତ୍ୟୁ ପରେ ସାମଙ୍କୁ ବିବାହ କରିଥିଲେ।