ଭୁବନେଶ୍ବର: ଜୀବ ଜଗତରେ ମନୁଷ୍ୟ ପରି ଅନ୍ୟ ପ୍ରାଣୀମାନେ ମଧ୍ୟ ସ୍ବାଧୀନତାର ସହିତ ବଞ୍ଚିବାର ଅଧିକାର ଅଛି। ମନୁଷ୍ୟ କଥା କହି ପାରୁଛି ଓ ଚିନ୍ତା କରିପାରୁଛି ବୋଲି ପୃଥିବୀ ଉପରେ ନିଜର ଅଧିକାର ଦାବି କରିବା ଠିକ୍ ନୁହେଁ। ବରଂ ମଣିଷପଣିଆର ପରିଚୟ ଦେଇ ଅନ୍ୟ ଜୀବଜନ୍ତୁଙ୍କୁ ଭଲ ପାଇବା ଓ ବଂଶ ବିସ୍ତାର କରାଇବାରେ ସହାୟକ ହେବା ଦରକାର। ପୃଥିବୀ ପୃଷ୍ଠରେ ସବୁ ପ୍ରାଣୀଙ୍କର ଉପସ୍ଥିତି ରହିଲେ ପରିବେଶ ସନ୍ତୁଳନ ମଧ୍ୟ ରହିବ। ପରିବେଶ ସୁସ୍ଥ ରହିଲେ ମଣିଷ ନିରୋଗ ହୋଇ ବଞ୍ଚି ରହିବ।
ମନୁଷ୍ୟ ସମାଜ ଶିକ୍ଷିତ ଓ ବୁଦ୍ଧିମାନ ହୋଇ ମଧ୍ୟ ବିବେକହୀନ ହୋଇ କାମ କରୁଛି। ଜଙ୍ଗଲ ଅବକ୍ଷୟ ହେଉଛି। ନଖ, ଚମଡ଼ା, ଦାନ୍ତ, ଶିଙ୍ଗ, ଖୋଳପା ବିକ୍ରି କାରିବା ଉଦ୍ଦେଶ୍ୟରେ ବାଘ, ହାତୀ, ହରିଣ, କଇଁଛ, ବଜ୍ରକାପ୍ତା ଶିକାର କରୁଛି। ସେହିପରି ହରିଣ, କୁଟ୍ରା, ବାର୍ହା, ଠେକୁଆକୁ ମାରି ମାଂସ ଖାଉଛି। ଶିକାରୀଙ୍କ କବଳରୁ ପକ୍ଷୀମାନେ ମଧ୍ୟ ସୁରକ୍ଷିତ ନାହାନ୍ତି। ଶୀତଦିନ ହେଲେ ଓଡ଼ିଶାର ଜଳରାଶିରେ ଦେଶୀ-ବିଦେଶୀ ପକ୍ଷୀମାନେ ସୌନ୍ଦର୍ଯ୍ୟ ବଢ଼ାଉଥିଲା ବେଳେ ସେଥିରୁ କିଛି ଶିକାରୀଙ୍କ ଟାର୍ଗେଟର ଶିକାର ହୋଇଥାନ୍ତି। ବନ ବିଭାଗ ଓ ଏସ୍ଟିଏଫ୍ ଦ୍ବାରା ଶିକାରୀ ଓ ଚାଲାଣକାରୀମାନେ ଗିରଫ ହେଉଥିଲେ ମଧ୍ୟ ନୀରିହ ପଶୁ-ପକ୍ଷୀମାନେ ସ୍ବାଧୀନତାର ସହିତ ଚଳପ୍ରଚଳ କରିପାରୁନାହାନ୍ତି।
କଥା କୁହା ଶୁଆକୁ ଚୋରାଚାଲାଣ
ଶୁଆ କଥା କହେ ବୋଲି ଅନ୍ୟ ପକ୍ଷୀ ତୁଳନାରେ ଏହାର ଚାହିଦା ଅଧିକ ରହିଥାଏ। ପୁଣି ସବୁଜ ରଂଗ ହୋଇଥିବାରୁ ଘରର ସୌନ୍ଦର୍ଯ୍ୟ ବଢ଼ାଇଥାଏ। ଶୁଆ ଏକ ପକ୍ଷୀ ହୋଇଥିଲେ ବି ଘରକୁ ଯେତେବେଳେ କେହି ଅତିଥି ଆସନ୍ତି, ସେତେବେଳେ ସେ ପ୍ରଥମେ ସୂଚନା ଦେଇଥାଏ। ସେହି କାରଣରୁ ଦକ୍ଷିଣ ଏସିଆ, ମୁଖ୍ୟତଃ ଭାରତୀୟ ଗ୍ରୀଷ୍ମ ମଣ୍ଡଳୀୟ ଅରଣ୍ୟ ଅଞ୍ଚଳରେ ଦେଖାଯାଉଥିବା ଏହି ଶୁଆର ପଶ୍ଚିମ ଏସିଆରେ ଭଲ ଚାହିଦା ରହିଛି। ଏବେ ସୁନ୍ଦରଗଡ଼ ଜିଲ୍ଲାର ହେମଗିର ଓ ଆଖପାଖ ଅଞ୍ଚଳରେ ଶୁଆ ଶାବକ ଚୋରାଚାଲାଣ ଆନ୍ତଃରାଜ୍ୟ ରାକେଟ୍ ସକ୍ରିୟ ହେଲେଣି। ହେମଗିର ଜଙ୍ଗଲରେ ପ୍ରଚୁର ପରିମାଣରେ ସୁଉଚ୍ଚ ଶାଳଗଛ ରହିଛି। ଏହି ଗଛଗୁଡ଼ିକରେ ଶୁଆଙ୍କ ମୁଖ୍ୟ ବାସସ୍ଥାନ। ଶୁଆପକ୍ଷୀ ଏହି ସୁଉଚ୍ଚ ଶାଳବୃକ୍ଷ କୋରଡ଼ରେ ନିଜ ଶାବକଙ୍କୁ ଜନ୍ମକରି ସୁରକ୍ଷିତ ଲାଳନପାଳନ କରିଥାଏ।
ଶୁଆର ମୂଲ୍ୟ ୫ ଲକ୍ଷ!
ଜାନୁଆରିରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଭାରତୀୟ ପ୍ରଜାତି ଶୁଆଶାବକ ଜନ୍ମ ନେଇଥାନ୍ତି। ଏମାନଙ୍କ ଆୟୁଷ ୨୫ରୁ ୩୦ ବର୍ଷ। କିନ୍ତୁ ଶୁଆଶାବକଙ୍କ ଉପରେ ଚୋରାବେପାରୀଙ୍କ ନଜର ପଡୁଛି। ସୁଉଚ୍ଚ ସୁରକ୍ଷିତ ଗଛ କୋରଡ଼ ମଧ୍ୟରେ ସୁନ୍ଦର କଥାକୁହା ଶୁଆଶାବକ ସୁରକ୍ଷିତ ନାହାନ୍ତି। ସ୍ଥାନୀୟ ଅଞ୍ଚଳର ଆଦିବାସୀ ଲୋକେ ଶୁଆ ପିଛା ୧୦୦ରୁ ଟଙ୍କା ନେଇ ଏହାକୁ ଦଲାଲ ହାତରେ ଟେକି ଦିନ୍ତି। ପରେ ଏହା ଗୋଆ, ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ ଓ ନୂଆଦିଲ୍ଲୀକୁ ଚୋରାଚାଲାଣ କରାଯାଇଥାଏ। ସେଠାରୁ ପୁଣି ସମୁଦ୍ରପଥ ଦେଇ ପଶ୍ଚିମ ଏସିଆକୁ ଚୋରାଚାଲାଣ କରାଯାଉଥିବା ସୂଚନା ରହିଛି। ଗୋଆ, ମୁମ୍ବାଇ, ଅହମଦାବାଦ, ଜୟପୁର ଓ ନୂଆଦିଲ୍ଲୀରେ ଶାବକ ପ୍ରତି ୪୫ରୁ ୫୦ ହଜାର ଟଙ୍କାରେ ବିକ୍ରି ହୁଏ। ଦରିଆ ଆରପାରିରେ ଏହା ଭାରତୀୟ ମୁଦ୍ରାରେ ୨ରୁ ୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଥାଏ।
ଟଙ୍କା ପାଇଁ ବନ୍ୟଜନ୍ତୁ ଶିକାରୀ
ରାଜ୍ୟରେ କେବଳ ଶୁଆଶାବକ ବିପଦରେ ନାହାନ୍ତି। ବରଂ ଅନ୍ୟ ବନ୍ୟଜନ୍ତୁ ମଧ୍ୟ ବିପଦପୂର୍ଣ୍ଣ ଅବସ୍ଥାରେ ବଞ୍ଚୁଛନ୍ତି। ହାତୀ, ବାଘ, ବଜ୍ରକାପ୍ତା, ହରିଣମାନଙ୍କ ଜୀବନ ପ୍ରତି ଘୋର ବିପଦ ଦେଖାଯାଇଛି। ଦନ୍ତା ମୃତ୍ୟୁ ଓ ବାଘଛାଲ ଜବତ ଏକ ପ୍ରକାର ସାଧାରଣ ବିଷୟ ପାଲଟିଛି। କୁହାଯାଉଛି ଯେ, ଚୋରାଚାଲାଣକାରୀମାନେ ହାତୀ ଦାନ୍ତକୁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରନ୍ତି। ସେହିପରି ବାଘଛାଲର ମଧ୍ୟ ବିଦେଶର ବଡ଼ ଚାହିଦା ଥିବାରୁ ଶିକାରୀ ଓ ଚାଲାଣକାରୀମାନେ ବନ୍ୟଜୀନ୍ତୁଙ୍କ ପ୍ରତି ଦୟାର ଭାବ ଦେଖାନ୍ତି ନାହିଁ। କିଛିଦିନ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ପୁଲିସ ଭୋଳାଗଡ଼ିଆ ଗ୍ରାମରୁ ଏକ କଲରାପତରିଆ ବାଘଛାଲ ସହ ଏକ ଲକ୍ଷ ୨୭ ହଜାର ଟଙ୍କା ଓ ଦୁଇଟି ମୋବାଇଲ ଜବତ କରିଥିଲା।