Tuesday, October 8, 2024
Homeଖବରପ୍ରମୁଖ ଖବରସୁଭଦ୍ରା ପାଇଁ ମହିଳାଙ୍କ ମଧ୍ୟରେ ଉତ୍ସାହ

ସୁଭଦ୍ରା ପାଇଁ ମହିଳାଙ୍କ ମଧ୍ୟରେ ଉତ୍ସାହ

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପ୍ରଚାରର ଅନ୍ୟତମ ପ୍ରତିଶ୍ରୁତି ‘ସୁଭଦ୍ରା’ ଯୋଜନା ଆସନ୍ତା ୧୭ ତାରିଖରେ ଶୁଭାରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେହି ଦିନ ଓଡ଼ିଶା ଗସ୍ତରେ ଆସି ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ଯୋଜନାର ଶୁଭାରମ୍ଭ କରିବେ। ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ୫୦୦୦ ଟଙ୍କା ଲେଖାଏଁ ଦେବେ। ସୁଭଦ୍ରା ଯୋଜନା ନେଇ ଏବେ ରାଜ୍ୟର କୋଣ ଅନୁକୋଣରେ ଉତ୍ସାହ ବଢିଚାଲିଛି। ଅନ୍ଲାଇନ୍ ସେବା କେନ୍ଦ୍ର, ସହଜ କେନ୍ଦ୍ରରେ ଗ୍ରାହକଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ବିରଳ ଦୃଶ୍ୟ ଦେଖିବାକୁ ମିଳୁଛି। ଦିନ ବେଳା ସର୍ଭର ମନ୍ଥର ରହୁଥିବାରୁ ଗ୍ରାମାଞ୍ଚଳରେ ଲୋକେ ରାତାରାତି ଆବେଦନ କରୁଛନ୍ତି। ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ ସମସ୍ୟା କାରଣରୁ ଆବେଦନ ପାଇଁ ଲୋକଙ୍କୁ ରାତିସାରା ଉଜାଗର ମଧ୍ୟ ରହିବାକୁ ପଡୁଛି।

 ଘରେ ଘରେ ସୁଭଦ୍ରା ଯୋଜନା ନାରା ବେଶ ଭାଇରାଲ ହେଉଛି। ଚଳିତ ମାସର ପ୍ରଥମ ସପ୍ତାହରେ ଆରମ୍ଭ ହୋଇଥିବା ଯୋଜନା ସମଗ୍ର ରାଜ୍ୟରେ ୧୧ ତାରିଖ ସୁଦ୍ଧା ୪୫ ଲକ୍ଷ ଆବେଦନକାରୀ ପଂଜିକରଣ କରିଛନ୍ତି। ରାଜ୍ୟ ସରକାର ଏହି ଯୋଜନାକୁ ଅଧିକ ଲୋକପ୍ରିୟ କରାଇବା ପାଇଁ କଲେଜରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଭାର ପ୍ରତିଯୋଗିତାର ଆୟୋଜନ କରୁଛନ୍ତି। ପ୍ରତି ବ୍ଲକ ଓ ଗ୍ରାମ ପଞ୍ଚାୟତରେ ଆରମ୍ଭ ହେବ ‘ସୁଭଦ୍ରା ସ୍ବାଗତ ସପ୍ତାହ’।

ସୁଭଦ୍ରା ସପ୍ତାହ
ସୁଭଦ୍ରା ଯୋଜନା ସମ୍ବନ୍ଧୀୟ ଜନସଚେତନତା ସୃଷ୍ଟି କରିବା ପାଇଁ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ପ୍ରତି ବ୍ଲକ ଓ ଗ୍ରାମ ପଞ୍ଚାୟତରେ ‘ସୁଭଦ୍ରା ସ୍ବାଗତ ସପ୍ତାହ’ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ବ୍ଲକସ୍ତରର ସମସ୍ତ ଅଧିକାରୀ ସମେତ ଅଙ୍ଗନୱାଡି କର୍ମୀ, ସୁପରଭାଇଜର, ଏସ୍ଏଚ୍ ସଦସ୍ୟା, ଆଶାକର୍ମୀମାନେ ଗାଁ ଗାଁରେ ସଭା ଅନୁଷ୍ଠିତ କରାଇ ଲୋକମାନଙ୍କୁ ‘ସୁଭଦ୍ରା’ ଯୋଜନା ସମ୍ବନ୍ଧରେ ସଚେତନ କରିବେ। ପ୍ରତି ଗ୍ରାମ ପଞ୍ଚାୟତରେ ‘ପଥପ୍ରାନ୍ତ ନାଟକ’ ସମେତ ଚିତ୍ରାଙ୍କନ, ସାଧାରଣଜ୍ଞାନ ପ୍ରତିଯୋଗିତା ମାଧ୍ୟମରେ ସଚେତନ କରାଯିବ। ପ୍ରତି ଅଞ୍ଚଳର ସଫଳ ମହିଳାଙ୍କୁ ‘ସୁଭଦ୍ରା ଅପା’ର ଆଖ୍ୟା ଦିଆଯିବା ସହ ସଫଳ ମହିଳାଙ୍କ କାହାଣୀକୁ ‘ମୋ ସୁଭଦ୍ରା ଷ୍ଟୋରି’ ଭାବେ ପ୍ରତିଷ୍ଠିତ କରାଯିବ। ଏହି ଯୋଜନାର ଉଦ୍ଦେଶ୍ୟକୁ ସୁଦୂରପ୍ରସାରୀ କରିବା ନିମନ୍ତେ ‘ଘରେ ଘରେ ସୁଭଦ୍ରା’ ବିଷୟବସ୍ତୁ ଉପରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ପ୍ରବନ୍ଧ, ତର୍କ, ରେଙ୍ଗାଲୀ ଓ ଫଟୋଗ୍ରାଫି ଆଦିର ପ୍ରତିଯୋଗିତା ଅନୁଷ୍ଠିତ କରାଯିବ।

ଠକେଇ ଅଭିଯୋଗରେ ଦଂପତି ଗିରଫ
ରାଜ୍ୟରେ ସୁଭଦ୍ରା ଯୋଜନା ଆରମ୍ଭ ହେବା ପରେ କିଛି ଲୋକ ଅସାଧୁ ଉପାୟ ଅବଲମ୍ବନ କରି ଅର୍ଥ ରୋଜଗାର କରିବାକୁ ଉଦ୍ୟମ କରୁଛନ୍ତି। ଏହି ଯୋଜନା ଅନ୍ତର୍ଗତ ରାଜ୍ୟର ପ୍ରାୟ ୧ କୋଟି ମହିଳା ଉପକୃତ ହେବେ ବୋଲି ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଛନ୍ତି। ବର୍ତ୍ତମାନ ଏହି ଯୋଜନାକୁ ନେଇ ଲୋକଙ୍କ ମନରେ ଲୋଭ ଓ ଇର୍ଷ୍ୟା ଜାତ ହେଲାଣି। ସୁଭଦ୍ରା ନାଁରେ ଠକେଇ ମାମଲା ସାମ୍ନାକୁ ଆସିଛି। ଏହି ମାମଲାରେ ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଦମ୍ପତି ଗିରଫ ହୋଇଛନ୍ତି। ସେମାନେ ସୁଭଦ୍ରା ଫର୍ମ ଦେବା ନାଁରେ ଟଙ୍କା ନେଉଥିବା ଅଭିଯୋଗ ହୋଇଛି । ଚନ୍ଦ୍ରଶେଖରପୁର ଓ ଖାରବେଳ ନଗରରେ ଠକେଇ କରିଥିବା ଖବର ସାମ୍ନାକୁ ଆସିଛି।

କମ୍ପ୍ୟୁଟର ସେଟ ଜବତ
ଏହା ପୂର୍ବରୁ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦର ୱାର୍ଡ ନମ୍ୱର ୧୩ର ସିଗନାଲସାହିରେ ସୁଭଦ୍ରା ଯୋଜନା ଫର୍ମ ପୂରଣ ପାଇଁ ଅଙ୍ଗନବାଡି କର୍ମୀମାନେ ହିତାଧିକାରୀଙ୍କ ପାଖରୁ ୫୦ ଟଙ୍କା ଲେଖାଏଁ ଆଦାୟ କରୁଥିବା ଅଭିଯୋଗ ହୋଇଥିଲା। ଘଟଣାର ସତ୍ୟାସତ ସମ୍ଭନ୍ଧରେ ରାଇରଙ୍ଗପୁର ସିଡିପିଓଙ୍କ ତତ୍ତ୍ୱlବଧାନରେ ସିଗନାଲସାହି ଓ ନୂଆଗାଁର ମହିଳା ପରିଦର୍ଶିକା ଉକ୍ତ ସ୍ଥାନରେ ପହଂଚି ହିତାଧିକାରୀ ଓ ଅଙ୍ଗନବାଡି କର୍ମୀଙ୍କ ଉପସ୍ଥିତିରେ ତଦନ୍ତ କରିବା ପରେ ଜଣାପଡିଲା ଯେ କୌଣସି ଅଙ୍ଗନବାଡି କର୍ମୀଙ୍କ ସେଥିରେ ସମ୍ପୃକ୍ତି ନାହିଁ। ମାତ୍ର ନିକଟସ୍ଥ ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରରେ କାର୍ଯ୍ୟରତ କମ୍ପୁଟର ଅପରେଟରମାନେ ସୁଭଦ୍ରା ଫର୍ମ ପୂରଣ ପାଇଁ କିଛି ହିତାଧିକାରୀଙ୍କ ଠାରୁ ଉକ୍ତ ଅର୍ଥ ରାଶି ଆଦାୟ କରିଥିଲେ।  ଆଦାୟ ହୋଇଥିବା ଅର୍ଥ ରାଶିକୁ ଦେଇଥିବା ସୁଭଦ୍ରା ଯୋଜନାର ସମ୍ପୃକ୍ତ ହିତାଧିକାରୀମାନଙ୍କୁ ଫେରାଇ ଦେବାର ବ୍ୟବସ୍ଥା କରାଯାଇଥିଲା। ଉକ୍ତ ଘଟଣା ଆଧାରରେ ପୁଲିସ ମୋ ସେବା ଓ ଜନସେବା କେନ୍ଦ୍ରର ଗୋଟିଏ ଲ୍ୟାପଟପ ସହ ଗୋଟିଏ ମନିଟର ଓ ସିପିୟୁ ପ୍ରଭୃତି ଜବତ କରିଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments