Tuesday, September 10, 2024
Homeଖବରପ୍ରମୁଖ ଖବରସୁଭଦ୍ରା ଯୋଜନା: ନିରାଶ ହେବେ ମହିଳା!

ସୁଭଦ୍ରା ଯୋଜନା: ନିରାଶ ହେବେ ମହିଳା!

ଭୁବନେଶ୍ବର: ରାଜ୍ୟ ସରକାର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବହୁ ପ୍ରତୀକ୍ଷିତ ଯୋଜନା ‘ସୁଭଦ୍ରା’ର ଗାଇଡ୍ଲାଇନ୍ ଜାରି କରିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି ‘ସୁଭଦ୍ରା’ର ଗାଇଡ୍ଲାଇନ୍ ଅନୁସାରେ ଯୋଗ୍ୟ ହିତାଧିକାରୀଙ୍କୁ ଆଗାମୀ ୫ ବର୍ଷ ମଧ୍ୟରେ ୫୦ ହଜାର ଟଙ୍କା ମିଳିବ। ଏହି  ଟଙ୍କାରୁ ୫ ହଜାର ଟଙ୍କା ଲେଖାଏଁ ୨ଟି କିସ୍ତିରେ ଜମା କରାଯିବ। ପ୍ରତି ବର୍ଷ ପ୍ରଥମ କିସ୍ତି ରକ୍ଷା ବନ୍ଧନରେ ଓ ଦ୍ୱିତୀୟ କିସ୍ତି ଅନ୍ତର୍ଜାତୀୟ ମହିଳା ଦିବସ (ମାର୍ଚ୍ଚ୮)ରେ ପ୍ରଦାନ କରାଯିବ। ଅର୍ଥାତ ଗୋଟିଏ ଆର୍ଥିକ ବର୍ଷରେ ୧୦ ହଜାର ଟଙ୍କା ମିଳିବ। ଆର୍ଥିକ ବର୍ଷ ୨୦୨୪-୨୫ରୁ ୨୦୨୮-୨୯ ପର୍ଯ୍ୟନ୍ତ ଏହି ଟଙ୍କା ମିଳିବ। ପରବର୍ତ୍ତୀ ସମୟରେ ସହାୟତା ରାଶି ମିଳିବ କି ନାହିଁ, ତାହା ସମୟ କହିବ।

ସୁଭଦ୍ରା ଯୋଜନାରେ ଅର୍ଥକୁ ହିତାଧିକାରୀଙ୍କ ନାମରେ ଆଧାର-ସକ୍ଷମ ଓ ଡିବିଟି- ସକ୍ଷମ ଏକକ-ଧାରକ ବ୍ୟାଙ୍କ ଆକାଉଣ୍ଟରେ ଆଧାର ପେମେଣ୍ଟ ବ୍ରିଜ୍ ସିଷ୍ଟମ (ଏପିବିଏସ୍) ବ୍ୟବହାର କରି ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର (ଡିବିଟି) ମାଧ୍ୟମରେ ଜମା କରାଯିବ। ଡିଜିଟାଲ କରାବାରକୁ ଉତ୍ସାହିତ କରିବାପାଇଁ ସରକାର ଏକ ବ୍ୟାପକ ପୁରସ୍କାର ଓ ସ୍ୱୀକୃତି କାର୍ଯ୍ୟକ୍ରମ ଆରମ୍ଭ କରିବେ। ଏହା ଅଧୀନରେ ସମସ୍ତ ଗ୍ରାମ ପଞ୍ଚାୟତ/ପୌରାଞ୍ଚଳ ସଂସ୍ଥାରୁ ୧୦୦ ଜଣ ମହିଳା, ଯେଉଁମାନେ ନିର୍ଦ୍ଦିଷ୍ଟ ଆର୍ଥିକ ବର୍ଷରେ ସର୍ବାଧିକ ସଂଖ୍ୟକ ଡିଜିଟାଲ କାରବାର କରିଥିବେ, ସେମାନେ ୫୦୦ ଟଙ୍କାର ଅତିରିକ୍ତ ଲାଭ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପାଇବେ।  

ସୁଭଦ୍ରା ନେଇ ସନ୍ଦେହ

ସୁଭଦ୍ରା ଯୋଜନା ଆସନ୍ତା ୧୭ ତାରିଖରେ ଶୁଭାରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ଏହି ଯୋଜନାକୁ ଶୁଭାରମ୍ଭ କରିବେ। ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ପୂରା କରିବାକୁ ଯାଉଥିବାରୁ ରାଜ୍ୟ ସରକାର ବହୁତ ଖୁସି ହେଉଛନ୍ତି। କିନ୍ତୁ ଏହି ଯୋଜନାକୁ ନେଇ ରାଜ୍ୟର ସମସ୍ତ ମହିଳା ଖୁସି ନାହାନ୍ତି। ଏହାର ଏକାଧିକ କାରଣ ରହିଛି। ଏହି ଯୋଜନାରେ ସାମିଲ ହେବା ପାଇଁ ସରକାର ଯେଉଁ ମାପଦଣ୍ଡ ରଖିଛନ୍ତି, ଭୋଟ ଦେଇଥିବା ଲକ୍ଷଲକ୍ଷ ମହିଳା ବଞ୍ଚିତ ହେବେ। ନିର୍ବାଚନ ସମୟରେ ସରକାର ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ୫୦ ଜାରି ଟଙ୍କା ଲେଖାଏଁ ମିଳିବ ବୋଲି କହିଥିଲେ। ସରକାରଙ୍କ ଛଳ ଓ କପଟ ମହିଳାମାନେ ଜାଣି ନଥିଲେ ଯେ, ଏଥି ପାଇଁ ଏକ ଏସ୍ଓପି ପ୍ରସ୍ତୁତ ହେବ। ମାର୍ଗଦର୍ଶିକା ଅନୁସାରେ ମହିଳାମାନେ ଯୋଜନାରେ ସାମିଲ କରିବେ। ରାଜ୍ୟ ସରକାର ଏବେ ଯେଉଁ ଗାଇଡଲାଇନ୍ ଜାରି କରିଛନ୍ତି। ରାଜ୍ୟର ୫୦ ପ୍ରତିଶତ ମହିଳା ଯୋଜନାରେ ସାମିଲ ହେବେ କି ନାହିଁ ସନ୍ଦେହ।

ଯୋଗ୍ୟତା ମାନଦଣ୍ଡ

ହିତାଧିକାରୀ ଓଡ଼ିଶାର ବାସିନ୍ଦା ହେବା ବାଧ୍ୟତାମୂଳକ। ତାଙ୍କର ବୟସ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ୨୧ ବର୍ଷ କିମ୍ବା ତା’ଠାରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ହୋଇଥିବ। ଆଧାରକାର୍ଡରେ ଥିବା ଜନ୍ମ ତାରିଖକୁ ହିତାଧିକାରୀଙ୍କ ବୟସ ଗଣନା ପାଇଁ ଅନ୍ତିମ ତାରିଖ ଭାବେ ଗ୍ରହଣ କରାଯିବ। ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ ଯୋଗ୍ୟତା ତାରିଖ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ହେବ। ଯେକୌଣସି ମହିଳା ମାସକୁ ୧୫୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ କିମ୍ବା ବାର୍ଷିକ ୧୮ ହଜାର ଟଙ୍କା ବା ତା’ଠାରୁ ଅଧିକ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ ଯୋଜନା, ଯଥା- ପେନସନ, ଛାତ୍ରବୃତ୍ତି ଇତ୍ୟାଦି ସହାୟତା ଗ୍ରହଣ କରୁଛନ୍ତି, ସେମାନେ ଯୋଗ୍ୟ ବିବେଚିତ ହେବେ ନାହିଁ। ଜଣେ ମହିଳା ନିଜେ କିମ୍ବା ନିଜର ପରିବାରର ସଦସ୍ୟ ଯଦି- ବର୍ତ୍ତମାନର କିମ୍ବା ପୂର୍ବତନ ସାଂସଦ କିମ୍ବା ବିଧାନସଭା ସଦସ୍ୟ ହୋଇଥିବେ, ତା’ହେଲେ ସେ ଏହି ଯୋଜନାର ସୁବିଧା ପାଇବେ ନାହିଁ। ଆୟକର ଦେୟ ହିତାଧିକାରୀ ହୋଇଥିଲେ ’ସୁଭଦ୍ରା’ ଟଙ୍କା ପାଇବେ ନାହିଁ। ଯେ କୌଣସି ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା କିମ୍ବା ପଞ୍ଚାୟତି ରାଜ ଅନୁଷ୍ଠାନରେ ନିର୍ବାଚିତ ଜନ ପ୍ରତିନିଧି ହୋଇଥିବେ (କେବଳ ୱାର୍ଡ ମେମ୍ବର,ସ୍ଥାନୀୟ ପରିଷଦ ସଦସ୍ୟ ବ୍ୟତୀତ) ଏହାର ଲାଭ ପାଇବେ ନାହିଁ।

ଜଣେ ମହିଳା ନିଜେ କିମ୍ବା ନିଜର ପରିବାରର ସଦସ୍ୟ ଯଦି- ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଯେକୌଣସି ଅଣ୍ଡରଟେକିଂ/ବୋର୍ଡ/ସ୍ଥାନୀୟ ସଂସ୍ଥା/ସଂଗଠନ/ନିୟମିତ/ସ୍ଥାୟୀ/ଚୁକ୍ତିଭିତ୍ତିକ କର୍ମଚାରୀ ଭାବରେ ନିଯୁକ୍ତ କିମ୍ବା ଅବସର ପରେ ପେନସନ ଗ୍ରହଣ କରୁଥିବେ, ତା’ହେଲେ ଏହି ଯୋଜନାରେ ସାମିଲ ହୋଇପାରିବେ ପାହିଁ। କୌଣସି ସରକାରୀ ବିଭାଗ/ଅଣ୍ଡରଟେକିଂ/ବୋର୍ଡ/ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କର ମନୋନୀତ ପ୍ରତିନିଧି ହୋଇନଥିବେ। ପରିବାରର ଜଳସେଚିତ ଜମିର ପରିମାଣ ୫ ଏକରରୁ ଅଧିକ ଓ ଅଣଜଳସେଚିତ ଜମିର ପରିମାଣ ୫ ଏକରରୁ ଅଧିକ ଓ ଅଣ ଜଳସେଚିତ ଜମିର ପରିମାଣ ୧୦ ଏକରରୁ ଅଧିକ ହୋଇଥିଲେ ମଧ୍ୟ ସେ ଏହି ଯୋଜନାର ଲାଭ ମିଳିବ ନାହିଁ। ମିନି ଟ୍ରକ, ଟ୍ରାକ୍ଟର,ଛୋଟ ବାଣିଜ୍ୟିକ ଯାନ ଓ ଅନ୍ୟ ସମାନ ହାଲୁକା ସାମଗ୍ରୀ ଯାନ ବ୍ୟତୀତ ୪ ଚକିଆ ମୋଟର ଯାନର ମାଲିକ ହୋଇଥିଲେ ସୁଭଦ୍ର ଯୋଜନାର ଲାଭ ଉଠାଇ ପାରିବେ ନାହିଁ। ସେହିପରି ହିତାଧିକାରୀ ହେବାକୁ ହେଲେ ଆୟକର ପୈଠ କରୁ ନଥିବା ଦରକାର।

କେମିତି କରିବେ ଆବେଦନ

‘ସୁଭଦ୍ରା’ ଯୋଜନାର ଲାଭ ଉଠାଇବା ପାଇଁ ଫର୍ମ ପୂରଣ କରି ଅଫ୍ଲାଇନରେ ତଥା ସୁଭଦ୍ରା ପୋର୍ଟାଲରେ ଅନ୍ଲାଇନରେ ଆବେଦନ କରାଯାଇପାରିବ। ଅଙ୍ଗନୱାଡି କେନ୍ଦ୍ର,ବ୍ଲକ, ମୋ ସେବା କେନ୍ଦ୍ର, ସାଧାରଣ ସେବା କେନ୍ଦ୍ର ଇତ୍ୟାଦିରେ ମୁଦ୍ରିତ ଆବେଦନ ଫର୍ମ ମାଗଣାରେ ଉପଲବ୍ଧ ହେବ। ଆବେଦନକାରୀମାନେ ଫର୍ମପୂରଣ କରି ଏହାକୁ ନିକଟସ୍ଥ ମୋ ସେବାକେନ୍ଦ୍ର/ସାଧାରଣ ସେବା କେନ୍ଦ୍ରରେ ଦାଖଲ କରିବାକୁ ପଡ଼ିବ। ଆବେଦନକାରୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଫର୍ମ ଓ ଆଧାର କାର୍ଡରେ କୌଣସି ଅସଙ୍ଗତି ଥିଲେ, ଆଧାରରରେ ଥିବା ସୂଚନାକୁ ଚୂଡ଼ାନ୍ତ ଭାବେ ଗ୍ରହଣ କରାଯିବ। ସଂଗୃହୀତ ସମସ୍ତ ଆବେଦନକୁ ସରକାଙ୍କ ପାଖରେ ସଦ୍ୟତମ ଉପଲବ୍ଧ ଡାଟାବେସ ସହିତ ଯାଞ୍ଚ କରାଯିବ ଓ ଆବଶ୍ୟକ ସ୍ଥଳରେ କ୍ଷେତ୍ର ଅନୁସନ୍ଧାନ ମାଧ୍ୟମରେ ଯାଞ୍ଚ କରାଯିବ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments