ଭୁବନେଶ୍ବର: ‘ଯୋଗ’ ଏକ ଆଧ୍ୟାତ୍ମିକ ପ୍ରକ୍ରିୟା, ଯେଉଁଥିରେ ଶରୀର ଓ ଆତ୍ମା (ଧ୍ୟାନ)କୁ ଏକାଠି ମିଶାଇଥାଏ। ମନକୁ ଶବ୍ଦରୁ ମୁକ୍ତ କରି ନିଜେନିଜେ ଶାନ୍ତି ଓ ଶୂନ୍ୟତାକୁ ଯୋଡ଼ିବାର ଏକ ଶୈଳୀ ହେଉଛି ଯୋଗ। ତେଣୁ ଯୋଗ ସାଧାନ କରିବା ପୂର୍ବରୁ ଏହାରି ସଂପର୍କରେ ଭଲଭାବରେ ଜାଣିବା ଦରକାର। ଯୋଗର ଉତ୍ପତ୍ତି ସର୍ବପ୍ରଥମେ ଭାରତରୁ ହିଁ ହୋଇଥିଲା। ଏହା ପରେ ବିଶ୍ବର ଅନ୍ୟ ଦେଶରେ ଲୋକପ୍ରିୟ ହୋଇଛି। ଆମେ ଯେତେବେଳେ ଯୋଗ ସଂପର୍କରେ ଚିନ୍ତା କରୁ, ପ୍ରଥମେ ପତଞ୍ଜଳିକୁ ମନେ ପକାଇଥାଉ। କାରଣ ପତଞ୍ଜଳି ହିଁ ପ୍ରଥମ ଏବଂ ଏକମାତ୍ର ବ୍ୟକ୍ତି ଥିଲେ, ଯିଏକି ଯୋଗକୁ ଆସ୍ଥା, ଅନ୍ଧବିଶ୍ବାସ ଏବଂ ଧର୍ମରୁ ବାହାରି ଆସି ଏକ ସୁବ୍ୟବସ୍ଥିତ ରୂପ ଦେଇଥିଲେ।
ଭାରତରେ କେଉଁ ଆବାହମାନ କାଳରୁ ଯୋଗ ପଂରପରା ରହି ଆସିଛି। ମୁନୀଋଷିମାନେ ଯୋଗ ସାଧନ କରୁଥିଲେ। ସାଧୁସନ୍ଥମାନେ ମଧ୍ୟ ଯୋଗ କରିବା ଆମେ ପିଲାଟି ଦିନରୁ ଦେଖି ଆସିଛେ। କିନ୍ତୁ ଏକବିଂଶ ଶଦ୍ଦାଦ୍ଦୀରେ ଯୋଗ ପୂରା ବିଶ୍ବରେ ଅଧିକ ଲୋକପ୍ରିୟତା ଅର୍ଜନ କରିଛି। ସମଗ୍ର ବିଶ୍ବବାସୀ ଯୋଗକୁ ଗ୍ରହଣ କରିଛନ୍ତି। ଯୋଗ ମାଧ୍ୟମରେ ବହୁତ ବଡ଼ବଡ଼ ରୋଗ ଭଲ ହୋଇପାରୁଛି ବୋଲି ଡାକ୍ତରମାନେ ମଧ୍ୟ ସ୍ବୀକାର କରିସାରିଛନ୍ତି। ୨୦୧୪ ଡିସମ୍ବେର ୧୧ ତାରିଖରେ ଆମେରିକାସ୍ଥିତ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ‘ଅନ୍ତର୍ଜାତୀୟ ଯୋଗ ଦିବସ’ର ପ୍ରସ୍ତାବକୁ ମଂଜୁରୀ ମିଳିବା ପରେ ସର୍ବପ୍ରଥମେ ଏହା ୨୦୧୫ ଜୁନ୍ ୨୧ରେ ପୂରା ବିଶ୍ବରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଥିଲା।
୩୦ ମିନିଟ ଯୋଗ ଭଲ
ଯୋଗ ବିଶେଷଜ୍ଞଙ୍କ ଅନୁସାରେ ପ୍ରତିଦିନ ୩୦ ମିନିଟ ଯୋଗ କରିବା ଦ୍ବାରା ଶରୀର ସୁସ୍ଥ ଏବଂ ମନ ଭଲ ରହିବ। ଯୋଗାଭ୍ୟାସ ଶରୀରକୁ ସୁସ୍ଥ ରଖିବା ପାଇଁ ଆଦର୍ଶ। ଯୋଗ କରାଯିବା ଦ୍ବାରା ମାଂସପେଶୀ ଶକ୍ତ ହୋଇଥାଏ। ଶରୀରର ଆସନକୁ ଠିକ୍ ରଖିଥାଏ। ହଜମ ଶକ୍ତି ବଢ଼ାଇବା ସହିତ ଶରୀରର ଆଭ୍ୟନ୍ତରୀଣ ଅଙ୍ଗକୁ ସୁସ୍ଥ ରଖିଥାଏ। ସେହିପରି ଅସ୍ଥମା, ମଧୁମେହ, ହୃଦ୍ୟ ସଂପର୍କିତ ରୋଗକୁ ଭଲ କରିଥାଏ। କେବଳ ସେତିକି ନୁହେଁ ଶରୀରତ ତ୍ବଚାରେ ନୂଆ ଚମକ ଦେଇଥାଏ। ତେଣୁ ସକାଳ ହେଉ ଅଥବା ସନ୍ଧ୍ୟାରେ ହେଉ, ଯୋଗ କରାଯିବା ଦରକାର। କିନ୍ତୁ ଭୋଜନ ପରେ ଯୋଗ କରିବା ଉଚିତ ନୁହେଁ। ଖାଦ୍ୟ ଖାଇବାର ୩ ଘଣ୍ଟା ପରେ ଯୋଗ କଲେ ଭଲ। ଏହା ବ୍ୟତୀତ ସକାଳୁ ଖାଲି ପେଟରେ ଯୋଗ କଲେ ଏହା ଉତ୍ତମ। ବଜ୍ରାସନ ଖାଇବା ପରେ କରାଯାଇପାରିବ।
ସବୁ ସ୍ଥାନରେ ଯୋଗ
ଯୋଗକୁ ଆଜି ସମଗ୍ର ବିଶ୍ବବାସୀ ଗ୍ରହଣ କରିସାରିଛନ୍ତି। ଜଳ ଏବଂ ସ୍ଥଳରେ ଯୋଗ କରାଯାଉଛି। ଅତୀତରେ ଆଶ୍ରମରେ ଯୋଗ କରାଯାଉଥିଲା। ଆଜିର ଦିନରେ ଖେଳପଡ଼ିଆ, ବିଦ୍ୟାଳୟ, ଆଶ୍ରମ, ଡାକ୍ତରଖାନା, ସେନା ଶିବିରରେ ଯୋଗ କରାଯାଉଛି। ଯୋଗରେ କେବଳ ସାଧୁସନ୍ଥ ନୁହେଁ ବରଂ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଅନ୍ୟାନ୍ୟ ଅଧିକାରୀ, କର୍ମଚାରୀ, ଯୁବକ-ଯୁବତୀ, ଛାତ୍ରଛାତ୍ରୀ ତଥା ସମାଜର ସବୁ ବର୍ଗର ଲୋକେ ଏହାକୁ ଅନୁସରଣ କରୁଛନ୍ତି। ସମୁଦ୍ର ଠାରୁ ହିମାଳୟ ପାହଡ଼ ପର୍ଯ୍ୟନ୍ତ ଯୋଗ ଶିବିରର ଆୟୋଜନ ହେଉଛି। ମାଓ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ଓ ସେନା ଶିବିରରେ ଯବାନମାନେ ଯୋଗ କରୁଛନ୍ତି। ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୁଦ୍ଧଜାହାଜ ‘ଆଇଏନ୍ଏସ୍ ବିକ୍ରାନ୍ତ’ରେ ଯୋଗ କରିଥିବା ବେେଳେ ‘ବିଜେପି’ ସାଂଦସ ମନୋଜ ତିୱାରୀ ଯମୁନା ନଦୀରେ ଏକ ଡଙ୍ଗାରେ ଯୋଗ କରିଛନ୍ତି। ପ୍ରବଳ ବର୍ଷା ସତ୍ତ୍ବେ ‘ବିଜେପି’ ମୁଖ୍ୟ ଜେ. ପି. ନଡ୍ଡା ହରିୟାଣାର ଗୁରୁଗ୍ରାମରେ ଏକ ଷ୍ଟାଡିୟମ୍ରେ ଯୋଗ କରିଛନ୍ତି।
ଯୋଗ ପାଲଟିଛି ଆନ୍ଦୋଳନ
ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଭାରତରୁ ଆସିଛି। କିନ୍ତୁ ଏହା କପିରାଇଟ୍, ରୟାଲ୍ଟି ମୁକ୍ତ ଅଟେ। ଏହାକୁ ଯେକୌଣସି ବୟସ୍କ ବ୍ୟକ୍ତି ମଧ୍ୟ କରିପାରିବେ। ଯୋଗ ସବୁଠାରେ କରିହେବ। ଏହା ପୁଣି ବ୍ୟକ୍ତିଗତ ଭାବେ ଓ ସାମୁହିକ ଭାବେ। ଜାତିସଂଘ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଯୋଗ ଶିବିରରେ ମୋଦୀ କହିଛନ୍ତି, ଯୋଗ ସମସ୍ତଙ୍କୁ ଏକାଠି କରିପାରିବ। ବିଶ୍ବରେ ଶାନ୍ତି ପ୍ରତିଷ୍ଠା ପାଇଁ ଶକ୍ତି ଯୋଗାଇବ। ପୂର୍ବରୁ ସେ ଭିଡିଓ ବାର୍ତ୍ତା ଜାରି କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଯୋଗ ବୈଶ୍ବିକ ଆନ୍ଦୋଳନ ହୋଇଯାଇଛି। ‘ବସୁଧୈବ କୁଟୁମ୍ବକମ୍’ ଭାବଧାରାରେ ଆଜି ସମଗ୍ର ବିଶ୍ବରେ କୋଟି କୋଟି ଜନତା ଯୋଗ କରୁଛନ୍ତି। ତେଣୁ, ଆନ୍ତର୍ଜାତିକ ଯୋଗ ଦିବସ ମାଧ୍ୟମରେ ଯୋଗ ବୈଶ୍ବିକ ଆନ୍ଦୋଳନରେ ପରିଣତ ହୋଇଛି। ଭାରତର ଆହ୍ବାନରେ ୧୮୦ରୁ ଅଧିକ ଦେଶ ଏକତ୍ର ହେବା ସ୍ମରଣୀୟ ଘଟଣା। ୯ମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତିସଂଘ ମୁଖ୍ୟାଳୟରେ ଅନୁଷ୍ଠିତ ଯୋଗ କାର୍ଯ୍ୟକ୍ରମରେ ନେତୃତ୍ବ ନେଇଛନ୍ତି। ଏଥିରେ ଜାତିସଂଘର ବହୁ ପଦସ୍ଥ ଅଧିକାରୀ ଏବଂ ସମଗ୍ର ବିଶ୍ବର ରାଷ୍ଟ୍ରଦୂତ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଅଂଶ ଗ୍ରହଣ କରିଛନ୍ତି।