ନୂଆଦିଲ୍ଲୀ: ଦେଶର ଯୁବଗୋଷ୍ଠୀଙ୍କୁ ସେନା ସହ ଯୋଡ଼ିବାକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗତ ୧୪ ତାରିଖରେ ‘ଅଗ୍ନିପଥ’ ଯୋଜନାର ଘୋଷଣା କରିଥିଲେ। ଏହି ଯୋଜନାରେ ସରକାର ହଜାର ହଜାର ଯୁବକଙ୍କୁ ଚାକିରି ଦେବା ସହିତ ଦେଶର ସେନାକୁ ମଜବୁତ କରିବାର ଲକ୍ଷ୍ୟ ରଖିଛନ୍ତି। ସରକାରଙ୍କ ଯୋଜନା ଠିକ୍ ଭାବେ କାମ କଲେ ଆଗାମୀ ଦିନରେ ସେନାରେ ୫୦ ପ୍ରତିଶତ ଅଗ୍ନିବୀରଙ୍କ ସଂଖ୍ୟା ରହିବ। ଯଦି ଏଭଳି ହୁଏ, ତା’ହେଲେ ୨୦୩୦ ମସିହା ବେଳକୁ ଭାରତୀୟ ସେନାରେ ଅଗ୍ନିବୀରଙ୍କ ସଂଖ୍ୟା ବଢ଼ିଯାଇପାରେ।
କେବଳ ଭାରତ ନୁହେଁ, ପ୍ରତ୍ୟେକ ଦେଶର ଶକ୍ତି ହେଉଛନ୍ତି ସେନା। ତେଣୁ ଅଗ୍ନିବୀର ୪ ବର୍ଷରେ ସେନାରେ କାମ କରିସାରିଲା ପରେ ଅର୍ଥାତ ତାଙ୍କ କାର୍ଯ୍ୟକାଳ ସରିଗଲେ ଯେତେବେଳେ ସେ ଗାଁକୁ ଫେରିବ, ଲୋକେ କହିବେ ଯେ, ତାଙ୍କୁ ବାହାର କରିଦିଆଗଲା। ସେହି ସମୟରେ ଜଣେ ଯୁବକ ପାଠଶାଠରୁ ଦୂରରେ ଥିବାରୁ ନୂଆ ଚାକିରି ମିଳିବା ଆଶା କମ୍। ତେଣୁ ସାମାଜିକ ସମସ୍ୟା ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଯଦିଓ ଆମେ ସେନାରେ ଯୋଗଦେଇ ଏହାର ମୂଲ୍ୟ ଶିଖିବା, କିନ୍ତୁ ଯୁବପିଢ଼ିଙ୍କ ଉପରେ ଏହାର ନକରାତ୍ମକ ପ୍ରଭାବ ପଡ଼ିପାରେ। ଯଦି ସମାଜ ଉପରେ ଏହାର ନକରାତ୍ମକ ପ୍ରଭାବ ପଡ଼େ ତା’ହେଲେ ଆଇନକାନୁନ ବ୍ୟବସ୍ଥା ଖରାପ ହୋଇଯିବ।
ଭାରତୀୟ ସେନା ଭାରି ସାହସୀ
ପୂର୍ବ କମାଣ ଚିଫ ଅଫ୍ ଷ୍ଟାଫ୍ ଲେଫନାଣ୍ଟ ଜେନେରାଲ କେକେ ରେସ୍ପୱାଲ କହିଛନ୍ତି ଯେ, ଅଗ୍ନିପଥ ଯୋଜନା ମାଧ୍ୟମରେ ଆଗାମୀ ୩ ମାସ ମଧ୍ୟରେ ଯୁବଗୋଷ୍ଠୀଙ୍କୁ ଭର୍ତ୍ତି କରାଯିବ। ଏହି ଯୋଜନାକୁ ନେଇ ଭାରତୀୟ ସେନାର ଅବସରପ୍ରାପ୍ତ ସେନା ଅଧିକାରୀ ବିନୋଦ ଭାଟିଆ କହିଛନ୍ତି ଯେ, ଏହା ଏକ ନୂଆ ଯୋଜନା ଏବଂ ଏହା ପୂର୍ବରୁ କେବେ ଟାଇ କରାଯାଇ ନାହିଁ। ସେହିଭଳି କୌଣସି ପାଇଲଟ ପ୍ରକଳ୍ପ ମଧ୍ୟ ଅଣାଯାଇ ନଥିଲା। ଆମର ସେନା ଭାରି ସକ୍ରିୟ, ଯେଉଁଥି ପାଇଁ ସାରା ବିଶ୍ବରେ ଜଣାଶୁଣା। ଭାରତୀୟ ସୈନିକମାନଙ୍କୁ ଯେଉଁ କାମ ଦିଆଯାଏ, ସେମାନେ ସହଜରେ ଏହା କରନ୍ତି। କାରଗିଲ ହେଉ କି ଜମ୍ମୁ କଶ୍ମୀର ହେଉ। ସେହିଭଳି ଉତ୍ତର-ପୂର୍ବ ପରିସ୍ଥିତି ହେଉ, ଆମର ସେନା ବଡ଼ ଦାୟିତ୍ବର ସହିତ କାର୍ଯ୍ୟ ତୁଲାଇଥାନ୍ତି।
କେଜ୍ରିୱାଲଙ୍କ ପ୍ରସ୍ତାବ
‘ଅଗ୍ନିପଥ’ଯୋଜନାକୁ ନେଇ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ଆମ୍ ଆଦମୀ ପାର୍ଟି (ଆପ୍) ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ସଶସ୍ତ୍ର ବାହିନୀରେ ନିଯୁକ୍ତି ପାଇଁ ସେବା ଅବଧିକୁ ମାତ୍ର ଚାରି ବର୍ଷ ମଧ୍ୟରେ ସୀମିତ ନରଖିବାକୁ ଅନୁରୋଧ କରିଛନ୍ତି। ଶ୍ରୀ କେଜ୍ରିୱାଲ ଏହି ଯୋଜନାକୁ ବିରୋଧ କରୁଥିବା ସେନା ଆଶାୟୀମାନଙ୍କୁ ସମର୍ଥନ ଜଣାଇଛନ୍ତି ଏବଂ ଏଥିସହ ବର୍ତ୍ତମାନ ଏହି ଯୋଜନାକୁ ନିନ୍ଦା କରିଥିବା ରାଜନେତାଙ୍କ ବଢୁଥିବା ତାଲିକା ମଧ୍ୟରେ ନିଜକୁ ସାମିଲ କରିଛନ୍ତି।
ବିହାରରେ ବିରୋଧ
ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାର ଦ୍ୱାରା ଅଣାଯାଇଥିବା ଯୋଜନା ‘ଅଗ୍ନିପଥ’କୁ ବିହାର ସମେତ ଅନ୍ୟ ରାଜ୍ୟରେ ମଧ୍ୟ ଜୋରଦାର ବିରୋଧ ହୋଇଛି। ବୁଦ୍ଧିଜୀବୀ ମହଲରେ ଏହି ଯୋଜନାକୁ ଯଦିଓ ସ୍ୱାଗତ କରାଯାଇଛି, ବିହାରର ଜହାନାବାଦ, ବକ୍ସର, ମୁଜାଫରପୁର ଓ ଗୟାରେ ଯୁବ ଛାତ୍ରମାନେ ଉତ୍ତେଜନା ସୃଷ୍ଟି କରିଛନ୍ତି । ଛାତ୍ରମାନେ ରାଜରାସ୍ତାକୁ ଓହ୍ଲାଇ କେନ୍ଦ୍ର ସରକାରଙ୍କ ବିରୋଧରେ ଶ୍ଲୋଗାନ ଦେଇଛନ୍ତି । ଯୁବ ଛାତ୍ରମାନେ ମୋଦୀ ସରକାର ବିରୋଧରେ ଗର୍ଜିଛନ୍ତି ଏବଂ ୮୩ ଓ ୧୧୦ ନମ୍ବର ଜାତୀୟ ରାଜପଥରେ ଅଗ୍ନିକାଣ୍ଡ କରିଛନ୍ତି । ସେନାରେ ୪ ବର୍ଷ ପାଇଁ ଭର୍ତ୍ତି ଏହି ଯୋଜନାକୁ ବିରୋଧ କରି ଯୁବଗୋଷ୍ଠୀ ବୁଧବାର ପଥରମାଡ଼ କରିଥିଲେ । ଫଳରେ ରେଳ ଯାତାୟତ ଓ ସଡ଼କ ଟ୍ରାଫିକ ବାଧିତ ହୋଇଥିଲା । ପ୍ରଦର୍ଶନ କାରଣରୁ ଜନଶତାବ୍ଦୀ ଏକ୍ସପ୍ରେସ ୩୦ ମିନିଟ ବିଳମ୍ବ ହୋଇଥିଲା ।