ଭୁବନେଶ୍ବର: ଜମ୍ମୁ କଶ୍ମୀରରେ ଆତଙ୍କବାଦୀମାନେ ପୁଣି ଥରେ ଉପଦ୍ରବ ସୃଷ୍ଟି କରିଛନ୍ତି। ଯବାନଙ୍କ ଗାଡ଼ି ଉପରକୁ ଗ୍ରେନେଡ ଆକ୍ରମଣ କରି ଭୟଭୀତ କରାଇବା ସହ ନିଜେ ମଜବୁତ ଥିବା ପ୍ରମାଣିତ କରିଛନ୍ତି। ସେନାର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଯଦିଓ ଆତଙ୍କବାଦୀ ଗତିବିଧି ସଂପୂର୍ଣ୍ଣରୂପେ ହ୍ରାସ ପାଇପାରି ନାହିଁ, ତଥାପି ସ୍ଥିତି ସୁଧୁରିଛି। ଭାରତୀୟ ସେନାର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ ଓଡ଼ିଆ ଯବାନମାନେ ମଧ୍ୟ ଯୁଦ୍ଧଭୂମିରେ ସହିଦ୍ ହେଉଛନ୍ତି। ଏପ୍ରିଲ ୨୦ ତାରିଖରେ ମଧ୍ୟ ଜଣେ ଓଡ଼ିଆ ଯବାନ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଛନ୍ତି। କିଛି ମାସ ପୂର୍ବରୁ ଜଣେ ଓଡ଼ିଆ ଯବାନ ମଣିପୁରରେ ସହିଦ ହୋଇଥିଲେ। ୨୦୧୯ ଫେବ୍ରୁଆରି ୧୪ରେ ପୁଲୱାମା ଆକ୍ରମଣ ଘଟଣାରେ ୪୦ ଜଣ ସିଆରପିଏଫ ଯବାନଙ୍କ ମଧ୍ୟରୁ ଓଡ଼ିଶାରୁ ୨ ଜଣ ଥିଲେ। ସେହି ସମୟରେ ମଧ୍ୟ ଯବାନଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିଲା।
ଏପ୍ରିଲ ୨୦ ତାରିଖ ଅପରାହ୍ଣରେ ଜମ୍ମୁ କାଶ୍ମୀରର ପୁଞ୍ଚରେ ଯବାନଙ୍କ ଗାଡ଼ି ଉପରକୁ ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ଼ କରିଥିଲେ। ଆକ୍ରମଣରେ ସେନାର ଗାଡ଼ି ଜଳି ଯାଇଥିଲା। ଫଳରେ ୫ ଜଣ ଯବାନ ସହିଦ ହୋଇଯାଇଥିଲେ। ଏହି ନିହତ ଯବାନଙ୍କ ମଧ୍ୟରେ ଓଡ଼ିଆ ପୁଅ ତଥା ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ଅଳଗୁମ ଖଣ୍ଡାୟତସାହିର ଦେବାଶିଷ (୨୮ ବର୍ଷ)। ପ୍ରତାପ ବିଶ୍ବାଳ ଓ ମମତା ବିଶ୍ବାଳଙ୍କ ବଡ଼ପୁଅ ଦେବାଶିଷ ୧୦ ବର୍ଷ ତଳେ ସେନାରେ ଯୋଗ ଦେଇଥିଲେ। ସେ ଗତବର୍ଷ ମେ’ ମାସ ୪ ତାରିଖରେ ସୁଶ୍ରୀସଙ୍ଗୀତା ବିଶ୍ବାଳଙ୍କୁ ବିବାହ କରିଥିଲେ।ତାଙ୍କର ଏକ ୭ମାସର ଛୋଟ ଝିଅ ଅଛି। ଦେବାଶିଷ ସହିଦ ହେବା ଘଟଣାକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଖଣ୍ଡାୟତସାହି ନିରବୀ ଯାଇଛି।
ଓଡ଼ିଶାର ବୀର ଯବାନ ଦେବାଶିଷ
ଦେବାଶିଷ ବିଶ୍ୱାଳ ସହିଦ ହେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଟୁଇଟରରେ ସେ ଲେଖିଛନ୍ତି, ଜମ୍ମୁ କାଶ୍ମୀରର ପୁଞ୍ଛରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ବୀର ଯବାନ ଦେବାଶିଷ ବିଶ୍ୱାଳ ସହିଦ ହୋଇଥିବା ଖବର ଅତ୍ୟନ୍ତ ଦୁଃଖଦାୟକ। ଦେଶର ସୁରକ୍ଷାରେ ତାଙ୍କର ବଳିଦାନ ସବୁବେଳେ ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଦେବାଶିଷ ବିଶ୍ୱାଳ (ସାହିତ୍ୟ)ଙ୍କ ସମେତ ଯବାନମାନେ ସହିଦ ହୋଇଥିବା ଖବର ଶୁଣି ମୁଁ ଦୁଃଖିତ ଏବଂ ଗଭୀର ଭାବରେ ମର୍ମାହତ। ଏହି ବୀର ଯବାନ ମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ।
ବିଏସ୍ଏଫ୍ ଓଡ଼ିଆ ଯବାନ ସହିଦ
ମଣିପୁର ନିର୍ବାଚନ ଡ୍ୟୁଟିରେ ନିୟୋଜିତ ଥିବା ସମୟରେ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍)ରେ କାର୍ଯ୍ୟରତ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ଗାଲେରୀ ଗ୍ରାମର ସ୍ବର୍ଗତ ନରସିଂହ ସାହୁଙ୍କ ପୁଅ ରବୀନ୍ଦ୍ରନାଥ ସାହୁ ସହିଦ ହୋଇଥିଲେ। ଏହା ଥିଲା ଗତ ମାର୍ଚ୍ଚ ପ୍ରଥମ ସପ୍ତାହର ଘଟଣା। ରବୀନ୍ଦ୍ରଙ୍କ ସହିଦ ହେବା ଖବର ଜଣାପଡ଼ିବା ପରେ ତାଙ୍କ ପରିବାରବର୍ଗ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଗାଲେରୀ ବଡ଼ଦାଣ୍ଡ ସାହିର ମୂଳବାସିନ୍ଦା ରବୀନ୍ଦ୍ର ପତ୍ନୀ ଓ ଝିଅଙ୍କ ସହ କୋଲକାତା ବିଏସ୍ଏଫ୍ ବେସ୍ କ୍ୟାମ୍ପ୍ରେ ରହୁଥିଲେ। ପରେ ତାଙ୍କୁ ତ୍ରିପୁରା ବଦଳି ହୋଇଥିଲା। ଫେବ୍ରୁଆରି ମାସରେ ମଣିପୁରରେ ନିର୍ବାଚନ ଡ୍ୟୁଟି ପଡ଼ିବାରୁ ସେ ସେଠାକୁ ଯାଇଥିଲେ।
୨ ସହିଦ ଯବାନଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ
୨୦୧୩ ମସିହାରେ ମାଓବାଦୀଙ୍କ ସହିତ ଗୁଳିବିନିମୟରେ ସହିଦ ହୋଇଥିବା ଓଡ଼ିଶାର ୨ ଜଣ କମାଣ୍ଡୋ ସହିଦ ଦେବାଶିଷ ସେଟ୍ଟୀ ଓ ସୁଧୀର କୁମାର ଟୁଡୁଙ୍କୁ ୨୦୨୧ରେ ମରୋଣତ୍ତର ଶୌର୍ଯ୍ୟଚକ୍ର ସମ୍ମାନ ମିଳିଥିଲା। ଉଭୟ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଘଂଚ ଜଙ୍ଗଲରେ ମାଓବାଦୀମାନେ ସହିଦ ଦିବସ ପାଳନ କରୁଥିବା ବେଳେ ଗୁଳିବିନିମୟରେ ସହିଦ ହୋଇଥିଲେ। ଦେବାଶିଷ ସେଟ୍ଟୀ ୨୦୧୩ ଅକ୍ଟୋବର ୧ ତାରିଖରେ ଓଡ଼ିଶା ପୁଲିସ୍ରେ ଯୋଗ ଦେଇଥିଲେ। ସେ ୨୦୧୬ ମାର୍ଚ୍ଚ ୧୦ ତାରିଖରେ ଏସ୍ଓଜିରେ ସାମିଲ ହୋଇଥିଲେ। ସୁଧୀର କୁମାର ଟୁଡୁ ଓଡ଼ିଶା ପୁଲିସରେ ୨୦୧୩ ମସିହାରେ ଯୋଗ ଦେଇଥିଲେ। କୋରାପୁଟର ୧ମ ବାଟାଲିୟନରୁରେ କନଷ୍ଟେବଳ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୮ ଜୁନ୍ ୧୦ରେ ଏସ୍ଓଜି ଯବାନ ହୋଇଥିଲେ।