Monday, May 19, 2025
Homeସେବାୟତ-ପ୍ରଶାସନ କଳି: ଲିଙ୍ଗରାଜଙ୍କ ନୀତିରେ ବିଭ୍ରାଟ 
Array

ସେବାୟତ-ପ୍ରଶାସନ କଳି: ଲିଙ୍ଗରାଜଙ୍କ ନୀତିରେ ବିଭ୍ରାଟ 

ଭୁବନେଶ୍ବର: ଏକାମ୍ରକ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଅଣଦେଖା କରାଯାଉଛି। ବିଗତ କିଛି ବର୍ଷ ହେଲା ଏହି ଅବହେଳାର ଝଲକ ଦେଖିବାକୁ ମିଳୁଛି। ଓଡ଼ିଶାର ଅନ୍ୟତମ ପୂରାତନ ଶିବାଳୟ ’ଶ୍ରୀଲିଙ୍ଗରାଜ ମନ୍ଦିର’ ଅନେକ ସମୟରେ ବିବାଦ ଘେରକୁ ଆସୁଛି। ସେବାୟତ ଓ ପ୍ରଶାସନ ମଧ୍ୟରେ ଏହି କଳହ ଲାଗିରହୁଛି। ସରକାର ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ କରିପାରୁ ନାହାନ୍ତି। ମହାଶିବରାତ୍ରୀ, ରୁକୁଣା ରଥ ଯାତ୍ରା ତଥା ଅନ୍ୟ ଗୁରୁତ୍ବପୂର୍ଣ୍ଣ ସମୟରେ ଏଠାରେ ଦେଖାଯାଉଥିବା ବିବାଦ ନେଇ ଶିବଭକ୍ତମାନଙ୍କୁ ଶକ୍ତ ଆଘାତ ଲାଗୁଛି।

ସେବାୟତଙ୍କର ଅସୁବିଧା ହେଉ ଅଥବା ପ୍ରଶାସନିକ ଅଣଦେଖା ହେଉ ମହାପ୍ରଭୁ ଲିଙ୍ଗରାଜଙ୍କୁ ଅଣଦେଖା କରାଯାଉଥିବା ନେଇ ଭକ୍ତମହଲରେ ଉଦବେଗ ପ୍ରକାଶ ପାଉଛି। ମାତ୍ର ଶ୍ରଦ୍ଧାଳୁ ଅସନ୍ତୋଷ ହେଲେ କି କିଛି କରିପାରିବାର କ୍ଷମତା ନଥିବାରୁ ବାଧ୍ୟ ହୋଇ ଚୁପ ରହୁଛନ୍ତି। ଅତୀତରେ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବହୁ ବିଳମ୍ବ ହୋଇଛି। ଗତ ଶିବରାତ୍ରିରେ ପ୍ରାୟ ୩ ଘଣ୍ଟା ବିଳମ୍ବରେ ମହାଦୀପ ଉଠିଥିଲା। ଏବେ ଅଶୋକାଷ୍ଟମୀରେ ଆୟୋଜିତ ରୁକୁଣା ରଥଯାତ୍ରାରେ ପୁଣି ବିଳମ୍ବ ହୋଇଛି। ସାଢ଼େ ୩ଟାରେ ରଥ ଟଣାଯିବାକୁ ନୀତି ନିର୍ଘଣ୍ଟ ଥିଲା ବେଳେ, ୫ଟା ୨୩ରେ ଏହି କାମ କରାଯାଇଛି, ଯେଉଁଥି ପାଇଁ ରଥକୁ ଭକ୍ତମାନେ ମନ୍ଦିର ଠାରୁ ଅଳ୍ପ ଦୂର ନେଇପାରିଛନ୍ତି।

ରୁକୁଣା ରଥଯାତ୍ରାରେ ଅବହେଳା

ପ୍ରସିଦ୍ଧ ଏକାମ୍ର କ୍ଷେତ୍ରରେ ପ୍ରତିବର୍ଷ ଅଶୋକାଷ୍ଟମୀ ଅବସରରେ ପୁରୁଣା ଭୁବନେଶ୍ବରର ରଥଦାଣ୍ଡରେ ରୁକୁଣା ରଥ ଗଡ଼ିଥାଏ। ମହାପ୍ରଭୁ ଶ୍ରୀଲିଙ୍ଗରାଜ ମାଉସୀ ଘର (ରାମେଶ୍ବର ମନ୍ଦିର) ରଥରେ ବିରାଜମାନ କରି ଯିବେ ବୋଲି ଭକ୍ତମାନେ ବାଟ ଚାହିଁଥାନ୍ତି। ରଥରେ ଦେବଦେବ ମହାଦେବଙ୍କ ଚଳନ୍ତି ପ୍ରତିମା ପ୍ରଭୁ ଚନ୍ଦ୍ରଶେଖରଙ୍କ ସହ ବିଜେ କରିବେ ପ୍ରଭୁ ବାସୁଦେବ (ଦୋଳଗୋବିନ୍ଦ) ଓ ଦେବୀ ରୁକୁଣା ବା ରୁକ୍ମିଣୀ। ୬ ଦିନ ପାଇଁ ନିଜ ମନ୍ଦିର ଓ ପତ୍ନୀ ଦେବୀ ପାର୍ବତୀଙ୍କୁ ଛାଡ଼ି ଭାଇ ଭଉଣୀଙ୍କ ସହ ମାଉସୀ ଘର ଯାଇଥାନ୍ତି ପ୍ରଭୁ ଶ୍ରୀଲିଙ୍ଗରାଜ। ରାମେଶ୍ବର ମନ୍ଦିରରେ ମାଉସୀ ଘରେ ହରି-ହର ଭେଟ ହୋଇଥାଏ। ମାନ କରିଥାନ୍ତି ମା’ ପାର୍ବତୀ। ରାଗରେ ରଥ ଭାଙ୍ଗିଥାନ୍ତି। ଏମିତିକି ପ୍ରତ୍ୟାବର୍ତ୍ତନ ବେଳେ ମନ୍ଦିର କବାଟ କିଳି ଦିଅନ୍ତି। ପରେ ମାନଭଞ୍ଜନ କରିବେ ପ୍ରଭୁ ଲିଙ୍ଗରାଜ ଓ ମା’ ପାର୍ବତୀ ପୁଣି ମହାଦେବଙ୍କୁ ପାଛୋଟି ନେବେ ମନ୍ଦିରକୁ।

୩ ଘଣ୍ଟା ବିଳମ୍ବରେ ଉଠିଥିଲା ମହାଦୀପ

ଗତ ଥର ଶିବରାତ୍ରି ଅବସରରେ ଲିଙ୍ଗରାଜ ମନ୍ଦିରରେ ମହାଦୀପ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ି ଚାଲିଥିଲା। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଖି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଚୂଡ଼ାରେ ଲାଖି ରହିଥିଲା। ଶିବ ପଞ୍ଚାକ୍ଷରୀରେ ଗଗନ-ପବନ ପ୍ରକମ୍ପିତ ହୋଇଥିଲା। ହରିବୋଲ ଓ ହୁଳହୁଳିରେ ଏକାମ୍ର କ୍ଷେତ୍ର ଉଛୁଳି ପଡ଼ିଥିଲା। କିନ୍ତୁ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମହାଦୀପ ଦୀର୍ଘ ୩ ଘଣ୍ଟା ବିଳମ୍ବରେ ରାତି ୧ଟା ୮ ମିନିଟରେ ଉଠିଥିଲା। ପୂର୍ବରୁ ଏହି କାମ ରାତି ୧୦ଟାରେ ସଂପନ୍ନ କରିବାକୁ ଲକ୍ଷ୍ୟ ରଖାଯାଇଥିଲା।  

ଭୋକରେ ରହିଲେ ପ୍ରଭୁ ଲିଙ୍ଗରାଜ


ଦୀର୍ଘ ୫ ବର୍ଷ ହେଲା ସେବାୟତ ଓ ମନ୍ଦିର ପ୍ରଶାସନ ମଧ୍ୟରେ ବିଭିନ୍ନ ସମୟରେ ବିବାଦ ଲାଗି ରହୁଛି। ଏହି କାରଣରୁ ମହାପ୍ରଭୁ ଲିଙ୍ଗରାଜଙ୍କୁ ଅନେକ ସମୟରେ ଭୋକିଲା ରହିବାକୁ ପଡୁଛି। ଏହି ବିବାଦ ଫଳରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଭ୍ରାଟ ସୃଷ୍ଟି ହୋଇଥାଏ। ସ୍ଥାନୀୟ ପ୍ରଶାସନ ଓ ସରକାର ମଧ୍ୟ ଏହି ମାମଲାର ସ୍ଥାୟୀ ସମାଧାନ କରିପାରୁ ନାହାନ୍ତି। ତେଣୁ ରାଜ୍ୟର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିତରେ ଉଦବେଗ ଦେଖାଦେଉଛି।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments