Friday, March 21, 2025
Homeସ୍ନେହ ଓ ଶ୍ରଦ୍ଧାର ସମୁଦ୍ର ଜେଜେବାପା-ଜେଜେମା’ 
Array

ସ୍ନେହ ଓ ଶ୍ରଦ୍ଧାର ସମୁଦ୍ର ଜେଜେବାପା-ଜେଜେମା’ 

ଭୁବନେଶ୍ବର: ମନୁଷ୍ୟ ଜୀବନ ସ୍ନେହ ଓ ଶ୍ରଦ୍ଧାରେ ପୂର୍ଣ୍ଣ ରହିଲେ ଖୁସି ଲାଗିଥାଏ। ଜୀବନରେ ଯଦିଓ ପ୍ରତ୍ୟେକ ମଣିଷ ଖୁସି ଚାହାନ୍ତି, ତଥାପି ଏହା ସମସ୍ତଙ୍କ ଭାଗ୍ୟରେ ମିଳି ନଥାଏ। ଅର୍ଥାତ ଅନେକଙ୍କୁ ଦୁଃଖର ଭିତରେ ଜିଇଁବାକୁ ପଡ଼ିଥାଏ। ପ୍ରତ୍ୟେକ ମଣିଷ ଶାରୀରିକ, ସାମାଜିକ ଓ ଆର୍ଥିକ ଖୁସି ଚାହାନ୍ତି। ମନୁଷ୍ୟ ଏକ ସାମାଜିକ ପ୍ରାଣୀ ହୋଇଥିବାରୁ ଘରଦ୍ବାର ନିର୍ମାଣ, ପୁଅ-ଝିଅ ବିବାହ କରିବା ବଡ଼ ଦାୟିତ୍ବ ମନେ କରେ। ପୁଅ-ଝିଅଙ୍କୁ ବିବାହ କରିବା ପରେ ନାତିନାତୁଣୀଙ୍କର ଅପେକ୍ଷା କରିଥାଏ। ନାତିନାତୁଣୀଙ୍କୁ ପାଖରେ ପାଇଲେ ଜେଜେବାପା ଓ ଜେଜେମା ଅଧିକ ଉତ୍ସାହିତ ହୋଇ ଉଠନ୍ତି। ବୟସ ସେମାନଙ୍କ ପାଖରେ ହାର ମାନିଥାଏ।

ବୟସ ବଢ଼ିଲେ ବୃଦ୍ଧ-ବୃଦ୍ଧାମାନେ ଛୋଟ ଶିଶୁଙ୍କ ପରି ବ୍ୟବହାର ଦେଖାନ୍ତି। ଛୋଟ ପିଲାଙ୍କ ପରି ମଧ୍ୟ ଜିଦ୍ କରନ୍ତି। ଏକଦା ଯେଉଁ ପୁଅ-ଝିଅଙ୍କୁ ବୁଝାଉଥିଲେ, ସେହିମାନଙ୍କ କଥାରେ ରୁଷନ୍ତି। କିନ୍ତୁ ସେମାନଙ୍କୁ ସହଜରେ ବୁଝାଇପାରନ୍ତି ତାଙ୍କର ନାତିନାତୁଣୀ। ନାତିନାତୁଣୀଙ୍କ ପାଖରେ ଏମିତି ଯାଦୁ ଥାଏ, ଯାହାକି ତାଙ୍କର ବାପା-ମା’ କରିବାରେ ବିଫଳ ହୋଇଥାନ୍ତି, ସେମାନେ ସଜହରେ ଜେଜେବାପା-ଜେଜେମା’ଙ୍କୁ ବୁଝାଇ ଦେଇଥାନ୍ତି। ମାତ୍ର କ୍ଷୋଭର ବିଷୟ ହେଲା ଯେ, ଆମ ସମାଜରେ ଏମିତି ନାତିନାତୁଣୀ ଅଛନ୍ତି, ଯେଉଁମାନେ କି ନିଜ ସ୍ବାର୍ଥ ପାଇଁ ଜେଜେବାପା-ଜେଜେମା’ଙ୍କୁ ହତ୍ୟା କରିବାକୁ ପଛାନ୍ତି ନାହିଁ। ବିଗତ ଦିନରେ ଏଭଳି ଅଘଟଣ ଦେଖିବାକୁ ମଳିଛି। ଏଭଳି ଅସାମାଜିକ ବ୍ୟକ୍ତିମାନେ ଜେଜେବାପା-ମା’ଙ୍କୁ ବୋଝ ମନେ କରନ୍ତି।

ଜେଜେବାପାଙ୍କୁ ଠେଲି ଦେଲା ନାତି

ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ପରଜା ସିଲା ଗାଁରେ ଶୁକ୍ରବାର ଦିନ ନାତିର ମାଡ଼ରେ ଜେଜେବାପାଙ୍କ ମୃତ୍ୟୁ ହୋଇଥିଲା। ଘଟଣା ଦିନ ସକାଳେ ଗୋବର୍ଦ୍ଧନ ନାୟକ(୬୫) ନିଜ ଘର ପିଣ୍ଢାରେ ବସିଥିବା ବେଳେ ନାତି ମୋହନ ନାୟକ ପହଞ୍ଚି ତାଙ୍କୁ ଟଙ୍କା ମାଗିଥିଲା। ଗୋବର୍ଦ୍ଧନ କିନ୍ତୁ ତାଙ୍କ ପାଖରେ ନାହିଁ ବୋଲି କହିଥିଲେ। ଏହାଛଡ଼ା ବାରମ୍ବାର ଟଙ୍କା ମାଗି କାହିଁକି ହଇରାଣ କରୁଛୁ ବୋଲି ରାଗିଯାଇ କହିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ମୋହନ ଜେଜେବାପାଙ୍କୁ ମାଡ଼ ମାରିଥିଲା। ଆଘାତ ପାଇଲା ପରେ ଗୋବର୍ଦ୍ଧନଙ୍କ ମୁଣ୍ଡ ଏକ ପଥରରେ ବାଜି ଯାଇଥିଲା। ଫଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ଠେଙ୍ଗାରେ ପିଟି ଜେଜେବାପାଙ୍କ ଜୀବନ ନେଲା

ଗତବର୍ଷ ମେ’ ୨୫ ତାରିଖରେ ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ଅଧୀନ ବତିସୁଆଁ ପଞ୍ଚାୟତର ହାତୀମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଦୈହିକ ସଂପର୍କ ପାଇଁ ନାତୁଣୀବୋହୂକୁ ବାଧ୍ୟ କରିବାରୁ ଜେଜେବାପାଙ୍କୁ ଠେଙ୍ଗାରେ ବାଡ଼େଇ ହତ୍ୟା କରିଥିଲା ନାତି। ନାତି ନବୀନ ବିବାହ କରିବା ପରଠାରୁ ନାତୁଣୀବୋହୂ ଉପରେ ଧନୁରାମ ମହାକୁଳ(୬୫)ଙ୍କର ଖରାପ ନଜର ରହିଆସିଥିଲା। ତାଙ୍କ ସହ ଶାରୀରିକ ସଂପର୍କ ରଖିବା ପାଇଁ ଧନୁରାମ ନାତୁଣୀବୋହୂକୁ ବାଧ୍ୟ କରିଆସୁଥିଲେ। ନାତି ନବୀନ ଏହା ଜାଣିବା ପରେ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ଜେଜେବାପାଙ୍କୁ ବାରମ୍ବାର ତାଗିଦ କରିଥିଲେ ହେଲେ ଧନୁରାମ କିନ୍ତୁ କିଛି ଶୁଣିନଥିଲେ। ଏଥିଯୋଗୁଁ ଉଭୟଙ୍କ ମଧ୍ୟରେ ମଝିରେ ମଝିରେ ଗଣ୍ଡଗୋଳ ହେଉଥିଲା। ଶେଷରେ ଏହାକୁ କେନ୍ଦ୍ରକରି ଧନୁରାମଙ୍କୁ ନବୀନ ଠେଙ୍ଗାରେ ପିଟି ହତ୍ୟା କରିଥିଲା।

ସୁପ୍ରିମକୋର୍ଟଙ୍କ ବଡ଼ ରାୟ

କୋଭିଡ୍-୧୯ରେ ବାପା-ମାଙ୍କ ମୃତ୍ୟୁ ପରେ ପାଞ୍ଚବର୍ଷୀୟ ବାଳକର ତା’ ମାଉସୀ ପାଖରେ ରହୁଥିବା ବେଳେ ନାତିକୁ ପାଖରେ ରଖିବା ପାଇଁ ଜଣେ ଗୁଜରାଟ ନିବାସୀ ୭୧ ବର୍ଷୀୟ ବୃଦ୍ଧ ଏବଂ ତାଙ୍କ ପତ୍ନୀ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ପିଲାଟିର ଭରଣପୋଷଣ ଦାୟିତ୍ବ ମାଉସୀକୁ ହସ୍ତାନ୍ତର କରିବା ପରେ ତା’ର ଜେଜେବାପା ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମ୍କୋର୍ଟରେ ଶୁଣାଣି ବେଳେ ମାଉସୀଙ୍କ ପକ୍ଷରୁ ଯୁକ୍ତି ରଖାଯାଇଥିଲା ଯେ, ପିଲାଟିର ମାଉସୀ ଅବିବାହିତା ଏବଂ ଆତ୍ମନିର୍ଭରଶୀଳା। ତାଙ୍କୁ ମାତ୍ର ୪୬ ବର୍ଷ ହୋଇଥିବା ବେଳେ ପିଲାଟିର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଭରଣପୋଷଣ ଦାୟିତ୍ବ ସେ ନେଇପାରିବେ। ଅପରପକ୍ଷରେ ବୃଦ୍ଧ ଦମ୍ପତିଙ୍କ ପକ୍ଷରୁ ଯୁକ୍ତି କରାଯାଇଥିଲା, ସେ ଅହମଦାବାଦର ବାସିନ୍ଦା ହୋଇଥିବା ବେଳେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏବଂ ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ। ଅହମଦାବାଦରେ ପିଲାଟିର ପାଠପଢ଼ା ଭଲରେ ହୋଇପାରିବ। ମାଉସୀ ଅବିବାହିତ ଥିବା ବେଳେ ଦାହୋଡ଼ ଅଞ୍ଚଳରେ ରୁହନ୍ତି ଏହାଦ୍ବାରା ବୃଦ୍ଧ ଦମ୍ପତିଙ୍କୁ ନାତିକୁ ଦେଖା କରିବାରେ ମଧ୍ୟ ଅସୁବିଧା ଉପୁଜୁଛି। ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ନାତି କିମ୍ବା ନାତୁଣୀକୁ ପାଖରେ ପାଇଲେ ଜେଜେବାପା ଓ ଜେଜେମା ଅତ୍ୟନ୍ତ ଉତ୍ସାହିତ ହୋଇ ଉଠନ୍ତି ଏବଂ ସେମାନଙ୍କ ଭିତରେ ଅଧିକ ଶକ୍ତି ଭରିଯାଏ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments