Saturday, September 14, 2024
Homeଖବରପ୍ରମୁଖ ଖବରସ୍ବତନ୍ତ୍ର କୋଶଲ ଦାବିରେ ପଶ୍ଚିମ ଓଡ଼ିଶା ବନ୍ଦ

ସ୍ବତନ୍ତ୍ର କୋଶଲ ଦାବିରେ ପଶ୍ଚିମ ଓଡ଼ିଶା ବନ୍ଦ

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାକୁ ଅବହେଳା, ବୈମାତୃକ ମନୋଭାବ, ଭାଷାକୁ ବିରୋଧ ଅଭିଯୋଗ ଆଣି ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବି କରାଯାଉଛି। ଏହି ଆନ୍ଦୋଳନ ଦୀର୍ଘ ବର୍ଷ ହେଲା ଚାଲିଛି। ଯଦିଓ ସ୍ବତନ୍ତ ରାଜ୍ୟ ଗଠନ ହୁଏ, ଏହା ଦ୍ବାରା ନେତା, ମନ୍ତ୍ରୀ, ଅଧିକାରୀଙ୍କୁ ହିଁ ଅଧିକ ଲାଭ ହେବ। ଏହା ନିଃସନ୍ଦେହରେ କୁହାଯାଇପାରେ। ଅବଶ୍ୟ ଜନସାଧାରଣଙ୍କୁ ଅନେକ କାମ ପାଇଁ କଟକ ଓ ଭୁବନେଶ୍ବରକୁ ‌ଦୌଡ଼ି ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ। ଜନସାଧାରଣ ମଧ୍ୟ ଅନେକ କ୍ଷେତ୍ରରେ ଉପକୃତ ହେବେ। କିନ୍ତୁ ନୂଆ ରାଜ୍ୟ ହେବା ଦ୍ବାରା ନେତା, ଅଧିକାରୀ, ବ୍ୟବସାୟୀ ହିଁ ଅଧିକ ଲାଭବାନ ହେବେ।

ଦୀର୍ଘ ତିନି ଦଶନ୍ଧି ହେଲା ସ୍ୱତନ୍ତ୍ର କୋଶଲ୍‌ ରାଜ୍ୟ ଗଠନ ଦାବି ହୋଇ ଆସୁଛି। ଓଡ଼ିଶାରୁ ପଶ୍ଚିମ ଓଡ଼ିଶା ସହିତ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବ୍ଲକୁକୁ ଯୋଡ଼ି ଏକ ନୂତନ ରାଜ୍ୟ ଗଠନ କରିବାକୁ ନେଇ ବିଗତ କିଛି ବର୍ଷ ହେଲା ମଝିରେମଝିରେ ଆନ୍ଦୋଳନ ଓ ଧର୍ମଘଟ କରାଯାଉଛି। କିନ୍ତୁ କ୍ଷୋଭର ବିଷୟ ହେଲା ଯେ, ଏହି ଆନ୍ଦୋଳନ ବ୍ୟାପକ ହୋଇପାରୁ ନଥିବାରୁ କେନ୍ଦ୍ର ନିକଟରେ ଅସୁବିଧା ପହଞ୍ଚି ପାରୁ ନାହିଁ।

ନୂଆ ରାଜ୍ୟ କେନ୍ଦ୍ରର କାମ

କୌଣସି ଅଞ୍ଚଳକୁ ଏକ ସ୍ବତନ୍ତ୍ର ରାଜ୍ୟ କରିବା କେନ୍ଦ୍ର ସରକାରଙ୍କର କାମ। କିନ୍ତୁ ଏଥି ପାଇଁ ସଂପୃକ୍ତ ଅଞ୍ଚଳର ଇଚ୍ଛା ଶକ୍ତିକୁ ସଫଳ କରିବା ପାଇଁ ରାଜ୍ୟ ସରକାରଙ୍କ ବିପୁଳ ସମର୍ଥନର ଆବଶ୍ୟକତା ଅଛି। କେନ୍ଦ୍ର ସରକାର ଯେତେବେଳେ ହୃଦୟଙ୍ଗମ କରିବେ ଯେ, କୌଣସି ଅଞ୍ଚଳରେ ଦୂରରୁ ଶାସିତ ହେଉଥିବା ଶାସନ ବ୍ୟବସ୍ଥା ଯୋଗୁଁ ବ୍ୟାପକ ଅସୁବିଧା ହେଉଛି, ସେହି ସମୟରେ ହିଁ ନୂତନ ରାଜ୍ୟ ଗଠନର ହୋଇପାରିବ। ସେହିଦୃଷ୍ଟିରୁ ୨୦୦୦ ମସିହାରେ ଉତ୍ତର ପ୍ରଦେଶରୁ ଉତ୍ତରାଖଣ୍ଡ, ବିହାରରୁ ଝାଡ଼ଖଣ୍ଡ, ମଧ୍ୟପ୍ରଦେଶରୁ ଛତିଶଗଡ଼ ସୃଷ୍ଟି ହୋଇଥିଲା। ସେହିପରି ୨୦୧୪ ମସିହାରେ ଆନ୍ଧ୍ରପ୍ରଦେଶରୁ ଅଲଗା ହୋଇ ତେଲେଙ୍ଗାନା ରାଜ୍ୟ ହୋଇଥିବା ବେଳେ ଜମ୍ମୁ କଶ୍ମୀରରୁ ଭିନ୍ନ ହୋଇ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଥିଲା।

ପଶ୍ଚିମ ଓଡ଼ିଶାର ଜନସଂଖ୍ୟା

ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଓ ବୌଦ୍ଧ ଜିଲ୍ଲାକୁ ନେଇ ପଶ୍ଚିମ ଓଡ଼ିଶାର ଭୂଗୋଳ ଗଠିତ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ଲୋକେ ବୌଦ୍ଧ, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାର ଲୋକଙ୍କ ସହିତ ଅଧିକ ଚଳପ୍ରଚଳ କରନ୍ତି। ଏହି ସବୁ ଜିଲ୍ଲାରେ ଏକ କୋଟିରୁ ଅଧିକ ଲୋକ ବସବାସ କରନ୍ତି। ଯଦି ଲୋକ ସଂଖ୍ୟାକୁ ନେଇ ଚିନ୍ତା କରାଯିବ ତେବେ ଗୋଆ, ତ୍ରିପୁରା, ନାଗାଲାଣ୍ଡ, ମିଜୋରାମ, ମଣିପୁରର ଲୋକସଂଖ୍ୟା ପଶ୍ଚିମ ଓଡ଼ିଶା ଠାରୁ ବହୁତ କମ୍‌। କିନ୍ତୁ ଉତ୍ତର-ପୂର୍ବ ଓ ଗୋଆର ଭୂମିର ଗଠନ ପଶ୍ଚିମ ଓଡ଼ିଶାରୁ ବହୁତ ଭିନ୍ନ। କିନ୍ତୁ ଉତ୍ତର-ପୂର୍ବ ଭାରତରେ ବିକାଶରେ ବାଧା ସୃଷ୍ଟି କରିଥାଏ ନଦୀ-ନାଳ ଓ ବଣ-ପାହାଡ଼, ଯାହା ପଶ୍ଚିମ ଓଡ଼ିଶାରେ ସେହିଭଳି ଅସୁବିଧା ନାହିଁ।
ଗୋଆ: ୧୬ ଲକ୍ଷ
ତ୍ରିପୁରା: ୪୫ ଲକ୍ଷ
ଝାଡ଼ଖଣ୍ଡ: ପାଖାପାଖି ୪ କୋଟି
ଛତିଶଗଡ଼: ୨ କୋଟି
ଉତ୍ତରାଖଣ୍ଡ: କୋଟିଏରୁ ଊର୍ଦ୍ଧ୍ବ
ପଶ୍ଚିମ ଓଡ଼ିଶାର ଲୋକସଂଖ୍ୟା: କୋଟିଏରୁ ଊର୍ଦ୍ଧ୍ବ

ରାଜନୈତିକ ମନୋଭାବର ଅଭାବ

ପଶ୍ଚିମ ଓଡ଼ିଶାର ବିକାଶରେ ଆମର ରାଜନେତାଙ୍କର ଆନ୍ତରିକତାର ଅଭାବ କୁହାଯିବ। ରାଜ୍ୟରେ ୨୩ ବର୍ଷ ହେଲା ଗୋଟିଏ ସରକାର ଅଛି। ସରକାର କହୁଛି ଯଦି ବିକାଶ ହେଉ ନଥିଲେ ଲୋକେ ବାରମ୍ବାର ବିଜେଡିକୁ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରି ନଥାନ୍ତେ। ଅନ୍ୟପଟରେ ଯଦି କହିବା ବିଜେଡି କର୍ମୀଙ୍କ ଭାଷାରେ ନବୀନ ଯଦି ବିକାଶର ପୁରୁଷ ତା’ହେଲେ ନୂତନ କୋଶଲ ରାଜ୍ୟର କ’ଣ ଆବଶ୍ୟକତା ରହିଛି। ପଶ୍ଚିମ ଓଡ଼ିଶାର ଲୋକଙ୍କୁ ଭଲ ଭାବରେ ବୁଝିବାକୁ ହେବ ଯେ, ରାଜ୍ୟ ଗଢ଼ିବା କେନ୍ଦ୍ରର କାମ। ବିକାଶ କରିବାର କାମ ରାଜ୍ୟ ସରକାରଙ୍କର। ଯଦି ରାଜ୍ୟ ସରକାର ବିକାଶ କରୁଛନ୍ତି ସ୍ବତନ୍ତ୍ର କୋଶଲର ଆବଶ୍ୟକତା ନାହିଁ। ଯଦି ଦୀର୍ଘ ଦଶନ୍ଧି ଧରି ଅଣଦେଖା କରି ଆସୁଛନ୍ତି, ସ୍ବତନ୍ତ୍ର କୋଶଲ ରାଜ୍ୟ ପଶ୍ଚିମ ଓଡ଼ିଶାବାସୀଙ୍କର ଅଧିକାର।

ପଶ୍ଚିମ ଓଡ଼ିଶା ବନ୍ଦ ଡାକରା

କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସମ୍ବଲପୁର ବ୍ୟତୀତ ପଶ୍ଚିମ ଓଡ଼ିଶାର ଅନ୍ୟ ସବୁ ଜିଲ୍ଲାରେ ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି। ଦୋକାନ ବଜାର ବନ୍ଦ ରହିଥିବା ସହ ଗାଡ଼ିଚଳାଚଳ ବନ୍ଦ ରହିଛି। କେତେକ ସ୍ଥାନରେ ଲୋକେ ରାସ୍ତା ଅବରୋଧ କରିଥିବା ବେଳେ ବିଭିନ୍ନ ସ୍ଥାନରେ ସଂଯୁକ୍ତ କ୍ରିୟାନୁଷ୍ଠାନ ପକ୍ଷରୁ ପିକେଟିଂ କରାଯାଉଛି। ସେହିପରି ସମସ୍ତ ସରକାରୀ, ବେସରକାରୀ ଅଫିସ ବନ୍ଦ ରଖାଯାଇଛି।  ଓଲିଉଡ ବିବାଦ ପରେ ଅଧିକ ସକ୍ରିୟ ହୋଇଛି। ସରକାର ମଧ୍ୟ ପଶ୍ଚିମ ଓଡ଼ିଶା ପ୍ରତି ପାତର ଅନ୍ତର କରୁଛନ୍ତି ବୋଲି ଅଭିଯୋଗ କରାଯାଇଛି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ, ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ, ଏମ୍ସ ହସ୍ପିଟାଲ, କଟନ କରିଡର ପ୍ରତିଷ୍ଠା ଦାବିକୁ ଆଂଚଳିକ ବୈଷମ୍ୟ ଯୋଗୁଁ ଅଣଦେଖା କରାଯାଉଛି।  

ଆଞ୍ଚଳିକ ବୈଷମ୍ୟ ଦେଖାଦେଇଛି: ଭକ୍ତ ଦାସ

ଆଞ୍ଚଳିକ ବୈଷମ୍ୟ ପାଇଁ କୋଶଳ ଆନ୍ଦୋଳନ ଦୀର୍ଘବର୍ଷ ଧରି ଚାଲିଛି। ଏହାକୁ ଦୂର କରିବା ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାର ଉଚିତ ପଦକ୍ଷେପ ନ ନେଲେ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିବ। ଆଉ ମୁଁ ଲୋକ ସଭା ନିର୍ବାଚନ ଲଢିବି ନାହିଁ। ବିଧାନସଭା ନିର୍ବାଚନ ଲଢିବା ପାଇଁ ଆଶାବାଦୀ ଅଛି। ଲୋକଙ୍କ ସମସ୍ୟା ସମାଧାନ ପାଇଁ ମୁଁ ସଂଗ୍ରାମ କରିବି ବୋଲି ପୂର୍ବତନ ଏମ୍‌ପି ଭକ୍ତଚରଣ ଦାସ ୨୦୧୯ ଅକ୍ଟୋବର ୩ ତାରିଖ ଦିନ ଭବାନୀପାଟଣାସ୍ଥିତ ଏକ ହୋଟେଲରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ସେଦିନ ସେ ପଶ୍ଚିମ ଓଡିଶାରେ ସ୍ବତନ୍ତ୍ର ରାଜଧାନୀ ଓ କେବିକେ ବିକାଶ ପରିଷଦ ଗଠନ କରିବା ପାଇଁ ମୁଁ ଦାବି କରିଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments