Saturday, September 14, 2024
Homeସ୍ମାର୍ଟ ଦେଖାଯାଉଛି ହାଇସ୍କୁଲ, ଖୁସିରେ ନାହାନ୍ତି ଶିକ୍ଷକ
Array

ସ୍ମାର୍ଟ ଦେଖାଯାଉଛି ହାଇସ୍କୁଲ, ଖୁସିରେ ନାହାନ୍ତି ଶିକ୍ଷକ

ଭୁବନେଶ୍ୱର: ରାଜ୍ୟରେ ଥିବା ସରକାରୀ ହାଇସ୍କୁଲଗୁଡ଼ିକ ସ୍ମାର୍ଟ କରିବା ଲକ୍ଷ୍ୟରେ ସରକାର ବିଗତ ୨ ବର୍ଷ ହେଲା ପ୍ରକ୍ରିୟା ଜାରି ରଖିଛନ୍ତି । ୨୦୨୧ ମାର୍ଚ୍ଚ ମାସଠାରୁ ରାଜ୍ୟ ସରକାର ୫-ଟି କାର୍ଯ୍ୟକ୍ରମ ଅଧୀନରେ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ମାଧ୍ୟମରେ ଏପର୍ଯ୍ୟନ୍ତ ମୋଟ ୬୮୭୨ଟି ହାଇସ୍କୁଲକୁ ରୂପାନ୍ତରିତ କରିସାରିଛନ୍ତି । ୨୦୨୩ ଶେଷ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି । ବିଦ୍ୟାଳୟଗୁଡ଼ିକରେ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରି, ଅତ୍ୟାଧୁନିକ ବିଜ୍ଞାନଗାର, ସ୍ୱଚ୍ଛ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା କରାଯାଉଛି । ସେହିପରି ସ୍କୁଲଗୁଡ଼ିକ ଯେଉଁଭଳି ସୌନ୍ଦର୍ଯ୍ୟକରଣ କରାଯାଉଛି, ଘରୋଇ ସଂସ୍ଥାଗୁଡ଼ିକ ସେହିଭଳି କରିପାରୁ ନାହାନ୍ତି ।

ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ଗୋଟିଏ ସ୍କୁଲକୁ ଅତି କମରେ ୨୦ ଲକ୍ଷ ଓ ସର୍ବାଧିକ ୪୦ ଲକ୍ଷ ଟଙ୍କା ଯାଏଁ ଅନୁଦାନ ମିଳିପାରୁଛି । ଏହି କାରଣରୁ ସ୍କୁଲଗୁଡ଼ିକ ଚକାଚକ୍ କରୁଛି । ସ୍କୁଲ ସମ୍ମୁଖ ଦେଇ ଯାଉଥିବା ଅଭିଭାବକମାନେ କେବେ ବି ଭାବି ନଥିବେ ଯେ, ସେମାନଙ୍କର ପିଲାମାନେ ସ୍ମାର୍ଟ ସ୍କୁଲରେ ପାଠ ପଢ଼ିବେ । ପିଲାମାନେ ମଧ୍ୟ ସ୍ମାର୍ଟ ସ୍କୁଲର ପଢ଼ିବାର ଅଭିଜ୍ଞତା ନେଇ ଖୁସି ଅଛନ୍ତି । କ୍ଷୋଭର କଥା ହେଲା ଯେ, ସ୍ମାର୍ଟ ସ୍କୁଲର କର୍ମଚାରୀ ସ୍ମାର୍ଟ ହୋଇପାରି ନାହାନ୍ତି । ଏଦିଗରେ ସରକାର ଆଖି ଦୃଶିଆ ପଦକ୍ଷେପ ନେଇପାରି ନାହାନ୍ତି ।

ସ୍କୁଲଗୁଡ଼ିକ ରୂପାନ୍ତରଣ ହୋଇଯିବା ପରେ ଆକର୍ଷଣୀୟ ଦେଖାଯାଉଛି । ସ୍କୁଲ କୋଠରୀ, ପରିସର ହସୁଛି । କିନ୍ତୁ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଗଢୁଥିବା ଶିକ୍ଷକଶିକ୍ଷୟିତ୍ରୀମାନେ କାନ୍ଦୁଛନ୍ତି । ୫ଟି ସ୍କୁଲର ସୌନ୍ଦର୍ଯ୍ୟକରଣରେ ସେମାନେ ଖୁସି ନାହାନ୍ତି । ହଜାର ହଜାର ହାଇସ୍କୁଲ ସ୍ମାର୍ଟ ଦେଖାଯାଉଥିବା ବେଳେ ଲକ୍ଷାଧିକ ଶିକ୍ଷକ ଅସନ୍ତୋଷ ଭିତରେ ଦିନ କାଟୁଛନ୍ତି । ଅନେକ ଶିକ୍ଷକ-ଶିକ୍ଷୟିତ୍ରୀ ଅବସର ନେବାର ସମୟ ପାଖେଇ ଆସିଥିଲେ ବି ସେମାନେ ବ୍ଲକ ଗ୍ରାଣ୍ଡରୁ ଉପରକୁ ଉଠିପାରିନାହାନ୍ତି । କିନ୍ତୁ ସେମାନେ ପାଠ ପଢ଼ାଇଥିବା ପିଲାମାନେ ତାଙ୍କ ତୁଳନାରେ ୨ ଗୁଣ ଦରମା ପାଇ ବହୁତ ଖୁସିରେ ଅଛନ୍ତି । ଲକ୍ଷାଧିକ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଏକ ମାନସିକ ଚିନ୍ତା ନେଇ ଜୀବନ ଅତିବାହିତ କରୁଛନ୍ତି । ଦୂରଦୂରାନ୍ତରୁ ଆସି ଭୁବନେଶ୍ୱରସ୍ଥିତ ଲୋୟର ପିଏମ୍‌ଜି ଛକରେ ଶିକ୍ଷକମାନେ ଯେତେବେଳେ ସେମାନଙ୍କର ଏକାଧିକ ଦାବି ନେଇ ଧାରଣା, ସରକାର ସେମାନଙ୍କୁ କେବଳ ପ୍ରତିଶ୍ରୁତି ଦେଉଛନ୍ତି, ଯାହାକି ପରବର୍ତ୍ତୀ ସମୟରେ ତାହା ପ୍ରହସନରେ ପରିଣତ ହେଉଛି ।

୨୦୨୩ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବେ ଏକାଧିକ ପ୍ରକଳ୍ପ ହାତକୁ ନେଇଛନ୍ତି । ନିର୍ବାଚନ ଇସ୍ତାହାର ପୂରଣ କରିବାକୁ ଉଦ୍ୟମ କରୁଛନ୍ତି । ଆଗାମୀ ନିର୍ବାଚନରେ ପୁଣି ଥରେ ବିଜୟ ହାସଲ କରିବା ପାଇଁ ଏହିସବୁ ଯୋଜନା । ରୂପାନ୍ତରଣ କାର୍ଯ୍ୟକ୍ରମ ସେଥିରୁ ଏକ ଅଂଶବିଶେଷ । ପୁରୁଣା ସ୍କୁଲରେ ହାଲୁକା ନୀଳ ରଂଗବୋଳି ସରକାର ଧନ୍ୟ ହୋଇଯାଇଛନ୍ତି । ରୂପାନ୍ତରଣର ନିର୍ମାଣ କାର୍ଯ୍ୟ ତୃଣମୂଳସ୍ତରର ନେତାମାନେ କରୁଥିବା ଦୃଷ୍ଟିଗୋଚର ହେଉଛି । ଏଥିରେ ଶାସକ ଦଳକୁ ସମର୍ଥନ କରୁଥିବା କର୍ମଚାରୀ ସର୍ବାଧିକ, ଯେଉଁମାନେ କି ନିର୍ବାଚନ ସମୟରେ ଦଳକୁ ସହଯୋଗ କରିପାରିବେ । ଠିକାକାମ କରି ଦଳୀୟ କର୍ମଚାରୀମାନେ ମାଲାମାଲ ହୋଇଯାଉଛନ୍ତି । ସେଥିପାଇଁ ସେମାନେ ସରକାରଙ୍କ ଗୁଣଗାନ କରୁଛନ୍ତି । ନିର୍ମାଣ କାମରେ ନିମ୍ନମାନ ଯୋଗୁଁ ଅତୀତରେ ଏକାଧିକ ସ୍ଥାନରେ ପାଚେରୀ ଭୁଶୁଡ଼ିଥିବାର ମଧ୍ୟ ନଜିର ରହିଛି ।

ସରକାର ବିଦ୍ୟାଳୟ ଗୁଡ଼ିକ ସ୍ମାର୍ଟ କରୁଛନ୍ତି, ତାହା ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ସ୍କୁଲର ସବୁପିଲାଙ୍କୁ ସ୍ମାର୍ଟ କରିବା ପାଇଁ ସେମିତି ସ୍ୱତନ୍ତ୍ର ଯୋଜନା ରଖୁନାହାନ୍ତି । ଯାହାବି ହେଉଛି କାଗଜକଲମରେ । ବାସ୍ତବରେ ସରକାରଙ୍କ ଦୂରଦୃଷ୍ଟି କାର୍ଯ୍ୟରେ ପରିଣତ ହୋଇପାରୁ ନାହିଁ । ଗ୍ରାମାଞ୍ଚଳର ସରକାରୀ ହାଇସ୍କୁଲରେ ପାଠପଢ଼ା ନିମ୍ନମାନର । ବ୍ଲକ ଗ୍ରାଣ୍ଟ ସ୍କୁଲରେ ସ୍ଥିତି ଏକ ପ୍ରକାରର ଭଲ ରହିଛି । କିନ୍ତୁ ଏଠାରେ ଦରମାରେ ତାରତମ୍ୟ ପାଇଁ ଶିକ୍ଷକମାନେ ମନ ଲଗାଇ ପାଠ ପଢ଼ାଇବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ସରକାରୀ ଯେଉଁ ସ୍କୁଲଗୁଡ଼ିକ ପୂର୍ଣ୍ଣ ଅନୁଦାନ ଦେଉଛନ୍ତି, ସେଠାରୁ ସେହି ହିସାବରେ ରେଜଲ୍ଟ ମଧ୍ୟ ଆଦାୟ କରିବା ଉଚିତ । ଏହା ଦ୍ୱାରା ଲକ୍ଷ୍ୟ ହାସଲ ହୋଇପାରିବ ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments