Tuesday, September 10, 2024
Homeଖବରପ୍ରମୁଖ ଖବରସ୍ମୃତିରେ ବିଶ୍ବକପ୍-୨୦୨୩

ସ୍ମୃତିରେ ବିଶ୍ବକପ୍-୨୦୨୩

ଭୁବନେଶ୍ବର: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ବିଶ୍ବକପ୍-୨୦୨୩ ସ୍ମରଣୀୟ ହୋଇ ରହିବ। ଗୁଜରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୧ ଲକ୍ଷ ୩୦ ହଜାର ଦର୍ଶକଙ୍କ ସାମ୍ନାରେ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଟିମ୍ ଓ ପାଟ୍ କମିନ୍ସଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ଟିମ୍ ମଧ୍ୟରେ ଏହି ମ୍ୟାଚ୍ ଖେଳାଯାଇଥିଲା। ୨୦୨୩ ଅକ୍ଟୋବର ୫ରୁ ଆରମ୍ଭ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ହୋଇଥିବା ଟୁର୍ଣ୍ଣାମେଣ୍ଟ ନଭେମ୍ବର ୧୯ରେ ଆୟୋଜକ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ କ୍ରମାଗତ ୧୦ଟି ମ୍ୟାଚରେ ଆକର୍ଷଣୀୟ ପ୍ରଦର୍ଶନ କରି ମଧ୍ୟ ଫାଇନାଲ ମୁକାବିଲାରେ କିଛି ତ୍ରୁଟି ଯୋଗୁଁ ଓ ଅଷ୍ଟ୍ରେଲିଆର ଭଲ ଯୋଜନା ପାଇଁ ପରାଜିତ ହେବାକୁ ପଡ଼ିଥିଲା। ଅଷ୍ଟ୍ରେଲିଆ ଟସ୍‌ ଜିଣି ପ୍ରଥମେ ବୋଲିଂ ‌କରିବା ପରେ ଭାରତ ବ୍ୟାଟିଂ କରିଥିଲା। ପୂରା ଟିମ ସମସ୍ତ ୱିକେଟ ହରାଇ ୨୪୦ ରନ୍‌ରେ ଅଟକି ଯାଇଥିଲା। ଜବାବରେ ଅଷ୍ଟ୍ରେଲିଆ ଟିମ୍‌ ୪୩ ଓଭରରେ ୪ଟି ୱିକେଟ ହରାଇ ଲକ୍ଷ୍ୟ ପୂରା କରିଥିଲା। ନିନ୍ଦୁକମାନେ ଯାହା ବି କୁହନ୍ତୁ ପଛେ, ଭାରତ ଏହି ମ୍ୟାଚରେ ପରାଜିତ ହୋଇ ବି ବିଶ୍ବବାସୀଙ୍କର ହୃଦୟ ଜିତିଛି। ତେଣୁ ନିଶ୍ଚିତ ଭାବେ ଏହି ଲଢ଼େଇ ଭାରତୀୟ, କ୍ରୀଡ଼ାବିତ୍‌, ପ୍ରଶଂସକଙ୍କ ମନରେ ସ୍ମରଣୀୟ ହୋଇ ରହିବ।

କଙ୍ଗାରୁ ଦଳ ଠାରୁ ଫାଇନାଲ ମ୍ୟାଚ୍‌ ହାରିବା ପରେ ୧୫୦ କୋଟି ଭାରତୀୟଙ୍କ ସ୍ବପ୍ନ ଭାଙ୍ଗି ଚୂରମାର ହୋଇଗଲା। ଉତ୍ସାହ, ଉନ୍ମାଦନା, ଉତ୍କଣ୍ଠା ଓ ଉଲ୍ଲାସର ମାହୋଲ ହଠାତ୍‌ ନିରାଶା, ଲୁହ ଓ କୋହରେ ପରିଣତ ହୋଇଗଲା। ସେହିପରି ଶୁଭେଚ୍ଛା, ଶୁଭକାମନା, ପୂଜାପାଠ ଓ ପ୍ରାର୍ଥନା କିଛି କାମ ଦେଲାନାହିଁ। ଏକଦା ଯେଉଁ ପଡ଼ିଆରେ ରନ୍‌ ବର୍ଷୁଥିଲେ ଓ ବୋଲରମାନେ ୱିକେଟ୍‌ ଝଡ଼ାଉ ଥିଲେ, ସେଠାରେ  ପାଲଟା ପରିସ୍ଥିତିର ସମ୍ମୁଖୀନ ହେଲା ଭାରତୀୟ କ୍ରିକେଟ୍ ଦଳ। ଆରମ୍ଭରୁ ଭଲ ବ୍ୟାଟିଂ ଓ ବୋଲିଂ ପ୍ରଦର୍ଶନ ହୋଇଥିଲେ ବି କେଜାଣି କେମିତି ହଠାତ୍‌ ଓଲଟପାଲଟ ହୋଇଗଲା। ଆଶା ଥିଲା ୨୦୦୩ ବିଶ୍ବକପ୍‌ ଫାଇନାଲ୍ ପରାଜୟର ପ୍ରତିଶୋଧ ସମ୍ଭବ ହେବ। କିନ୍ତୁ ଏହା ହୋଇ ପାରିଲା ନାହିଁ। ୧୨ ବର୍ଷ ପରେ ବିଶ୍ବକପ୍‌ ଏବଂ ୧୦ ବ‌ର୍ଷ ପରେ ଏକ ଆଇସିସି ଟ୍ରଫି ଜିତିବାର ଯେଉଁ ସୁବର୍ଣ୍ଣ ସୁଯୋଗ ଆସିଥିଲା ତାହା ଏତେ ସହଜରେ ଖସିଯିବ ବୋଲି ବିଶ୍ବାସ ହେଉନି। ବିଶ୍ବକପ୍‌ ୨୦୨୩ରେ ରୋହିତ ଶର୍ମା, ବିରାଟ କୋହଲି, ଶୁବମନ୍‌ ଗିଲ, କେଏଲ୍‌ ରାହୁଲ, ଶ୍ରେୟସ ଆୟର, ମହମ୍ମଦ ସାମି, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା ଓ ରବୀନ୍ଦ୍ର ଜାଦେଜାଙ୍କ ସ୍ମରଣୀୟ ରହିବ।

ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତି

ବିଶ୍ବକପ୍ ଫାଇନାଲ ମ୍ୟାଚ୍ରେ କେବଳ କ୍ରିକେଟ ଖେଳାଳି ଅଥବା ପ୍ରଶଂସକ ନୁହଁନ୍ତି। ବରଂ ସମାଜର ବିଭିନ୍ନ ବର୍ଗରୁ ଲୋକଙ୍କର ଏଠାରେ ସମାଗମ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଅମିତ ଶାହ, ବିଶିଷ୍ଟ ଶିଳ୍ପପତି, ଫିଲ୍ମ ତାରକା, ପୂର୍ବତନ କ୍ରିକେଟର ସଚିନ୍ ତେନ୍ଦୁଲକର, ଯୁବରାଜ ସିଂହ, ମହେନ୍ଦ୍ର ସିଂ ଧୋନିଙ୍କ ସମେତ ୨୦୧୧ ବିଶ୍ୱକପ୍ ଚାମ୍ପିଅନ୍ ଦଳର ସଦସ୍ୟମାନେ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ଦର୍ଶକଙ୍କ ମନରେ ଅଧିକ ଆନନ୍ଦ ଭରିଦେବାକୁ ଏୟାର ସୋ, ଲେଜର ସୋ ଓ ଡ୍ରୋନ୍ ସୋ ଆୟୋଜନ ହୋଇଥିଲା। ସେହିପରି ଷ୍ଟାଡିୟମ ଭିତରେ ନୃତ୍ୟ, ଗୀତର ଆସର କରାଯାଇଥିଲା। ସଂଗୀତ ନିର୍ଦ୍ଦେଶକ ପ୍ରୀତମ, କଣ୍ଠଶିଳ୍ପୀ ଜୋନିତା ଗାନ୍ଧୀ, ଲୋକପ୍ରିୟ ଗୁଜରାଟୀ ଗାୟକ ଆଦିତ୍ୟ ଗନ୍ଧବୀ ଦର୍ଶକଙ୍କୁ ମନୋରଞ୍ଜନ କରିଥିଲେ। ୫ ଶହରୁ ଅଧିକ ଡ୍ୟାନ୍ସର ବଲିଉଡ୍ ସଂଗୀତରେ ନୃତ୍ୟ କରିଥିଲେ।

ମୋଦୀ-ନବୀଙ୍କ ଶୁଭେଚ୍ଛା, ମନ୍ଦିରରେ ପୂଜାର୍ଚ୍ଚନା

୨୦୨୩ ବିଶ୍ବକପ୍ରେ ଭାରତୀୟ ଖେଳାଳିମାନଙ୍କ ଅବିଶ୍ବନୀୟ ଯାତ୍ରା ଥିଲା। ଲିଗ୍ ପର୍ଯ୍ୟାୟରେ ୯ଟି ମ୍ୟାଚ୍ ବିଜୟ ଓ ସେମିଫାଇନାଲରେ ଜିତି ଫାଇନାଲରେ ପହଞ୍ଚିଥିଲେ। ତେଣୁ ଟମ୍ ଇଣ୍ଡିଆକୁ ସାଧାରଣ ଦର୍ଶକ ଓ ପ୍ରଶଂସକଙ୍କ ପର୍ଯ୍ୟନ୍ତ ଶୁଭଚ୍ଛା ଜଣାଇଥିଲେ। ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଥିଲେ ଯେ, ଭାରତୀୟ ଦଳ ସହ ରହିଛି ୧୪୦ କୋଟି ଭାରତୀୟଙ୍କ ବିଜୟ କାମନା। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଶୁଭେଚ୍ଛା ବାର୍ତ୍ତାରେ ଲେଖିଥିଲେ-  ଭାରତୀୟ କ୍ରିକେଟର ଭଲ ପ୍ରଦର୍ଶନ କରନ୍ତୁ। ଫାଇନାଲ ମ୍ୟାଚ୍ ରବିବାର ଦିନ ଥିବାରୁ ଦେଶର ଯୁବପିଢ଼ିଙ୍କ ମଧ୍ୟରେ ପର୍ବ-ପର୍ବାଣୀର ମାହୋଲ୍ ଭଳି ଥିଲା। ଏହା ହୋଲି କିମ୍ବା ଦୀପାବଳି ଭଳି ଲାଗୁଥିଲା। ଭାରତର ବିଜୟୀ କାମନାରେ ସମଗ୍ର ଦେଶରେ ପୂଜା-ପାଠ ସାଙ୍ଗକୁ ହୋମ-ଯଜ୍ଞର ଆୟୋଜନ ହୋଇଥିଲା। କେଉଁଠି ମନ୍ଦିରରେ ପୂଜାର୍ଚ୍ଚନା, କେଉଁଠି ଆଳତୀ ତ୍ ପୁଣି କେଉଁଠି ଦୀପ ଲାଗିଥିଲା।  

ମୁମ୍ବାଇ-ଦିଲ୍ଲୀରୁ ସ୍ବତନ୍ତ୍ର ଟ୍ରେନ୍

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମୁକାବିଲା ପାଇଁ ଭାରତୀୟ ରେଳ ପକ୍ଷରୁ ଦିଲ୍ଲୀ ଓ ମୁମ୍ବାଇରୁ ୪ଟି ସ୍ବତନ୍ତ୍ର ଟ୍ରେନ୍ର ବ୍ୟବସ୍ଥା କରାଯାଇଥିଲା। ଦେଶର ବିଭିନ୍ନ କୋଣରୁ ଅହମଦାବାଦକୁ ସଂଯୋଗ କରୁଥିବା ଟ୍ରେନ୍ ଓ ବିମାନରେ ଭିଡକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ଏଭଳି ପଦକ୍ଷେପ ନେଇଥିଲେ। କ୍ରୀଡାପ୍ରେମୀଙ୍କୁ ନେଇ ମୁମ୍ବାଇରୁ ଅହମ୍ମଦାବାଦକୁ ବନ୍ଦେ ଭାରତ ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରା କରିଥିଲା। ସେହିପରି ଟିମ୍ ଇଣ୍ଡିଆର ଜର୍ସି ପିନ୍ଧି ଦର୍ଶକମାନେ ଟ୍ରେନରେ ଅହମ୍ମଦାବାଦ ଯାତ୍ରା କରିଥିଲେ।

୧୫ ମିନିଟ୍ର ଏୟାର ସୋ’

ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍ ତରଫରୁ ବିଶ୍ବକପ୍ ଫାଇନାଲ୍ ପୂର୍ବରୁ ୧୫ ମିନିଟ୍ର ଏୟାର ସୋ’ ପ୍ରଦର୍ଶନ କରାଯାଇଥିଲା। ଏହି ଏୟାର ସୋ’ ଦିନ ୧.୩୫ ମିନିଟ୍ରେ ଆରମ୍ଭ ହୋଇ ୧ଟା ୫୦ ଯାଏଁ ଚାଲିଥିଲା। ଫ୍ଲାଇଟ୍ କମାଣ୍ଡର ଓ ଡେପୁଟି ଟିମ୍ ଲିଡର ୱିଙ୍ଗ କମାଣ୍ଡର ସିଦେଶ କାର୍ତ୍ତିକଙ୍କ ନେତୃତ୍ବରେ ୯ଟି ବିମାନ ଅହମଦାବାଦ ଏୟାରପୋର୍ଟରୁ ଉଡ଼ାଣ ଆରମ୍ଭ କରିଥିଲା। ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ଉପରେ ଭର୍ଟିକାଲ୍ ସୋ’ କରିବା ସହ ଦର୍ଶକମାନଙ୍କୁ ଏକ ଅଭୁଲା ଅଭିଜ୍ଞତା ପ୍ରଦାନ କରିଥିଲା। ପ୍ରଥମ ଥର ପାଇଁ ବିଶ୍ବକପ୍ ମ୍ୟାଚ୍ ସମୟରେ ଏପରି ଏୟାର ସୋ’ କରାଯାଇଥିଲା।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments