ନୂଆଦିଲ୍ଲୀ: ବିଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପୁଳ ସମ୍ମାନ ମିଳୁଥିବା ବେଳେ ସ୍ୱଦେଶରେ ଅସମ୍ମାନ କରାଯାଇଛି। ଆମେରିକା, ବ୍ରିଟେନ୍, ଋଷିଆ, ଫ୍ରାନ୍ସ ଭଳି ଶକ୍ତି ରାଷ୍ଟ୍ର ଗୁଡ଼ିକ ମୋଦୀଙ୍କୁ ସମ୍ମାନ କରନ୍ତି। ପ୍ରଧାନମନ୍ତ୍ରୀ ଯେତେବେଳେ ବିଦେଶ ଗସ୍ତ କରନ୍ତି ବିମାନବନ୍ଦର ଠାରୁ ହୋଟେଲ୍ ରୁମ୍ ପର୍ଯ୍ୟନ୍ତ ସମର୍ଥକଙ୍କ ଭିଡ଼ ଲାଗି ରହିଥାଏ। ମୋଦୀ ସେମାନଙ୍କୁ ଉପେକ୍ଷିତ କର ନଥାନ୍ତି। କିନ୍ତୁ ଦୁଃଖର ବିଷୟ ହେଲା ଯେ, ପଂଜାବରେ ମୋଦୀଙ୍କୁ ବୁଧବାର ଏଭଳି ଅବସ୍ଥାରେ ଫେରିବାକୁ ପଡ଼ିଛି, ଯାହାକି ଭାରତର ଇତିହାସରେ ହୋଇନାହିଁ। ପଂଜାବରେ କ୍ଷମତାସୀନ କଂଗ୍ରେସ ଓ ଦେଶର କିଛି ବିରୋଧୀ ଦଳକୁ ଏହା ସୁହାଉଥାଇ ପାରେ କିନ୍ତୁ ଦେଶରେ ଜଣେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ସୁରକ୍ଷିତ ଦିଆଯାଇ ନ ପାରିବା ଏହାଠାରୁ ଦୁଃଖର ବିଷୟ ଆଉ କ’ଣ ହୋଇପାରେ। ପଂଜାବରେ ପ୍ରଧାନମନ୍ତ୍ରୀ ୪୨ ହଜାର ୭୫୦ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବାକୁ ଥିବା ବେଳେ ରାଜ୍ୟର ସୁରକ୍ଷା ବ୍ୟବସ୍ଥା କାରଣରୁ କାର୍ଯ୍ୟକ୍ରମ ବାତିଲ କରାଯାଇଥିଲା।
କାର୍ଯ୍ୟକ୍ରମ ବାତିଲ ହେବା ପରେ ବିମାନବନ୍ଦରରେ ମୁଁ ଭଟିଣ୍ଡା ବିମାନବନ୍ଦର ପର୍ଯ୍ୟନ୍ତ ଜୀବିତ ଫେରିଛି, ତୁମ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ କହିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହାର କାରଣ ହେଲା ସେ ପଞ୍ଜାବରେ କାରକେଡ ଫ୍ଲାଏଓଭର ଉପରେ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଅଟକି ରହିଥିଲା। କାରଣ ରାସ୍ତାରେ ପ୍ରଦର୍ଶନକାରୀଙ୍କ ଭିଡ ପାଇଁ ମୋଦୀଙ୍କ କାରକେଡ ଆଗକୁ ଯାଇପାରିନଥିଲା ଏହିଠାରୁ ସଭାସ୍ଥଳକୁ ଯିବା ପରିବର୍ତ୍ତେ ପୁଣିଥରେ ବିମାନବନ୍ଦର ଅଭିମୁଖେ ବାହାରିଥିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ। ଏହା ପରେ ପ୍ରଧାନମନ୍ତ୍ରୀଙ୍କ ଫିରୋଜପୁର ସଭା ବାତିଲ ହୋଇଥିଲା। ପ୍ରଥମେ ବର୍ଷା କାରଣରୁ ମୋଦୀଙ୍କ ସଭା ବାତିଲ ହୋଇଥିବା କୁହାଯାଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସୁରକ୍ଷା ସମ୍ବନ୍ଧୀୟ କାରଣରୁ ସଭା ବାତିଲ ହୋଇଥିବା କୁହାଯାଉଛି।
୩୦କିମି ଦୂରରେ ଅଟକି ଗଲା ଗାଡ଼ି
ଗୃହ ମନ୍ତ୍ରାଳୟ ପକ୍ଷରୁ ପଞ୍ଜାବ ସରକାରଙ୍କୁ ଜବାବ ମଗାଯାଇଛି। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଭଟିଣ୍ଡାରେ ପୂର୍ବାହ୍ନରେ ପହଞ୍ଚିଥିଲେ। ପାଗ ମେଘୁଆ ପ୍ରାୟ ୨୦ ମିନିଟ୍ ଅଟକିବା ପରେ ସଡକପଥରେ ରାଷ୍ଟ୍ରୀୟ ସହିଦ ସ୍ମାରକ ଯାଇଥାନ୍ତେ, ଯେଉଁଥିରେ ପ୍ରାୟ ୨ ଘଣ୍ଟା ସମୟ ଲାଗିଥାନ୍ତା। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାବଦରେ ସଙ୍ଗେ ସଙ୍ଗେ ପଞ୍ଜାବ ପୋଲିସ ଡିଜିଙ୍କୁ ଜଣାଇବା ସହ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଷ୍ଟ୍ରୀୟ ସହିଦ ସ୍ମାରକ ଠାରୁ ୩୦ କିଲୋମିଟର ଦୂରରେ ଅଟକିବାକୁ ପଡିଲା। କାରଣ ଆଗକୁ ପ୍ରତିବାଦ କରୁଥିଲେ ପ୍ରଦର୍ଶନକାରୀ। ଗସ୍ତ ନେଇ ପୂର୍ବରୁ ପଞ୍ଜାବ ସରକାରଙ୍କୁ କୁହାଯାଇଥିବାରୁ ସମସ୍ତ ପ୍ରକାର ପ୍ରସ୍ତୁତି ଓ ବ୍ୟବସ୍ଥା କରିବା ଥିଲା, ଯାହାକି ସେଠାରେ ହୋଇ ନଥିଲା।
ସୁରକ୍ଷା ଦେଇପାରୁନି ପଂଜାବ ସରକାର
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବାତିଲ ହେବା ନେଇ ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ କହିଛନ୍ତି ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ଭାବେ ଭୁଷୁଡି ପଡ଼ିଛି। ଯଦି ଏକ ରାଜ୍ୟ ସରକାର ଦେଶର ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ପ୍ରଦାନ କରିପାରିବେ ନାହିଁ ତାହା ପୁଣି ପାକିସ୍ତାନ ସୀମାରୁ ମାତ୍ର ୧୦ କିଲୋମିଟର ଭିତରେ ସେତେବେଳେ ଆପଣ ସରକାର ରହିବାର ଅଧିକାର ନାହିଁ। କେବଳ ଅମରିନ୍ଦର ସିଂହଙ୍କ ଏହି ବୟାନ ନୁହେଁ ଏହି ଘଟଣାକୁ ନେଇ ଦେଶ-ବିଦେଶରେ ଚର୍ଚ୍ଚା ହେଉଛି। କାରଣ ବିଶ୍ୱର ସମଗ୍ର ବିକଶିତ ରାଷ୍ଟ୍ର ଗୁଡ଼ିକ ଭାରତ ଉପରେ ନଜର ରଖିଥାନ୍ତି।
ପ୍ରଧାନମନ୍ତ୍ରୀଙ୍କ ଫୋନ୍ ଉଠାଇଲେନି ମୁଖ୍ୟମନ୍ତ୍ରୀ
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସୁରକ୍ଷା ଦେବାରେ ବିଫଳ ହେବା ପରେ ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ କାର୍ ଫସି ରହିଥିଲେ ସେତେବେଳେ ସେ ମୁଖ୍ୟମନ୍ତ୍ରୀ ଚନ୍ନୀଙ୍କୁ ଫୋନ୍ କରିଥିଲେ। କିନ୍ତୁ ଚନ୍ନୀ ଫୋନ୍ ଉଠାଇନଥିଲେ। ଆଗାମୀ ବିଧାନସଭା ନିର୍ବାଚନରେ ହାରିଯିବା ଭୟରେ କଂଗ୍ରେସ ସରକାର ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମକୁ ସମର୍ଥନ ଜଣାଇ ନଥିଲା। କିନ୍ତୁ ଚନ୍ନୀଙ୍କୁ ଜାଣିବାର ଥିଲା ଯେ, ପ୍ରଧାନମନ୍ତ୍ରୀ ବୁଧବାର ସହିଦ୍ ଭଗତ ସିଂହ ଓ ଅନ୍ୟ ସହିଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ପଂଜାବ ଆସିଥିଲେ।
କ’ଣ କହିଲେ ମୁଖ୍ୟମନ୍ତ୍ରୀ ଚନ୍ନୀ ଅନ୍ୟପଟରେ ନଡ୍ଡାଙ୍କ ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଜି ଫିରୋଜପୁର ଗସ୍ତ ବାତିଲ କରିବାକୁ ପଡ଼ିଛି। ଏହାକୁ ନେଇ ମୁଁ ଦୁଃଖ ପ୍ରକାଶ କରୁଛି। ଆମେ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ କରୁ। ସୁରକ୍ଷାରେ ଯଦି ତ୍ରୁଟି ଥିବ, ଏହାର ତଦନ୍ତ ହେବ। କାର୍ଯ୍ୟକ୍ରମରେ ସାମିଲ ହେବାକୁ ମତେ ବି ଯିବାର ଥିଲା। କିନ୍ତୁ ମୁଁ କରୋନାରେ ସଂକ୍ରମିତ ହେବା ପରେ ରାଜ୍ୟ ସରକାରଙ୍କ ୨ ଜଣ ମନ୍ତ୍ରୀ କାର୍ଯ୍ୟକ୍ରମକୁ ଯିବା ପାଇଁ ନିଷ୍ପତ୍ତି ହୋଇଥିଲା।