ଭୁବନେଶ୍ୱର: ଠକେଇର ସୀମା ଅତିକ୍ରମ କରିଛି। ସର୍ବସାଧାରଣ ଟଙ୍କାକୁ ନିଜ ପାଣ୍ଠିରେ ପୂରାଇବା ପାଇଁ ଅର୍ଥାତ ନିଜ ରୋଜଗାରରୁ ଆୟ କର ଦେଇ ଦେଶ ଗଢ଼ିବା ଭଳି କାମ କରିବାକୁ ଚାହାନ୍ତି ଲକ୍ଷପତି ଆଉ କୋଟିପତି। ଦେଶର ବହୁତ କମ୍ ପରିମାଣରେ ଲୋକେ ଦେଶ ନିର୍ମାଣ କଥା ଚିନ୍ତା କରୁଥିବା ବେଳେ ବାକି ଲୋକମାନେ ଟ୍ୟାକ୍ସ ଫାଙ୍କି ନିଜେ ବିଳାସମୟ ଜୀବନଯାପନ କରିବାକୁ ଚାହୁଁଛି। ବିଗତ ଦିନରେ ଏଭଳି ଲୋକ ସାମ୍ନାରେ ଆସିଛନ୍ତି। ଧୀନକ ଶ୍ରେଣୀର ଲୋକେ ଦେଶର ଆଇନ୍-କାନୁନ୍ ଉଲ୍ଲଂଘନ କରୁଥିବା ଦୃଷ୍ଟିଗୋଚର ହେଉଛି। ସରକାରଙ୍କ ନିୟମ ଅନୁସାରେ ଦେଶର ଜନତା ନିଜ ବାବଦରେ ସମସ୍ତ ଆଥିକ ତଥ୍ୟ ଦେବା ଉଚିତ୍ ହୋଇଥିଲେ, ମଧ୍ୟ ଏଥିରେ ଖିଲାପ ହେଉଛି।
ଆର୍ଥିକ ବର୍ଷ ୨୦୨୦-୨୧ ଗତ ମାର୍ଚ୍ଚ ୩୧ ତାରିଖରେ ଶେଷ ହୋଇଛି। ଚଳିତ ମାସ ୧ ତାରିଖ ଠାରୁ ଆର୍ଥିକ ବର୍ଷ ୨୦୨୨-୨୩ ଆରମ୍ଭ ହୋଇଯାଇଛି। କିନ୍ତୁ ଏହି ୩ ସପ୍ତାହ ମଧ୍ୟରେ ଦେଶରେ ଅନେକଗୁଡ଼ିଏ ବଡ଼ଧରଣର ଠକେଇ ସାମ୍ନାକୁ ଆସିଛି। କିଛି ବ୍ୟବସାୟୀ ଏଥିରେ ସାମିଲ ରହିଛନ୍ତି, ଯେଉଁମାନେ କି କୋଟି କୋଟି ଟଙ୍କା ଠକେଇ କରି ଦେଶ ନିର୍ମାଣରେ ବାଧା ସୃଷ୍ଟି କରିଛନ୍ତି। କୋଟିପତି ବ୍ୟବସାୟୀ ହୁଅନ୍ତୁ ଅଥବା ବେତନଭୋଗୀ ହୁଅନ୍ତୁ ଆୟକର ଓ ଜିଏସ୍ଟି ପୈଠ କରିବାରେ ପଛଘୁଞ୍ଚା ଦେଉଛନ୍ତି।
ଟଙ୍କା ଗଣି ଗଣି ଥକିଗଲେ
ଆୟକର ବିଭାଗର ଅଧିକାରୀମାନେ ମୁମ୍ବାଇର ଜଣେ ବ୍ୟବସାୟୀଙ୍କ ଠିକଣାରେ ଚଢ଼ଉ କରିଛନ୍ତି। ବ୍ୟବସାୟୀଙ୍କ ଘରୁ ଏତେ ପରିମାଣରେ ନଗଦ ଟଙ୍କା ଓ ରୁପା ମିଳିଛି, ଯାହାକି ଅଧିକାରୀମାନେ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି। କାରର ନଗଦ ୯.୭୮ କୋଟି ଟଙ୍କା ଗଣି ଗଣି ଅଧିକାରୀମାନଙ୍କୁ ଥକିଯିବାକୁ ପଡ଼ିଛି। ଚଢ଼ଉ ସମୟରେ ଆୟକର ବିଭାଗକୁ ୧୯ କିଲୋ ରୁପାର ଇଟା ମଧ୍ୟ ମିଳିଛି। ମୁମ୍ବାଇର ଜୋଭେରୀ ବଜାରରେ ରହୁଥିବା ଅଳଙ୍କାର ବ୍ୟବସାୟୀ ଚାମୁଣ୍ଡାଙ୍କ ଉପରେ ମହାରାଷ୍ଟ୍ର ଜିଏସ୍ଟି ବିଭାଗ ନଜର ରଖିଥିଲା। କାରଣ ଜଣେ ବ୍ୟବସାୟୀ ୩ ବର୍ଷ ଭିତରେ ନିଜର ଆୟ ୨୨.୮୩ ଲକ୍ଷରୁ କେଉଁ ଉପାୟରେ ୧୭୬୪ କୋଟି ଟଙ୍କା କରିଥିଲା। ସଂପୃକ୍ତ ବ୍ୟବସାୟୀ ଜିଏସ୍ଟି ପୈଠ କରୁ ନଥିଲେ। ସେ ଆର୍ଥିକ ବର୍ଷ ୨୦୧୯-୨୦ରେ ୨୨.୮୩ ଲକ୍ଷ ଟଙ୍କା ରୋଜଗାର କରିଥିଲା ବେଳେ ୨୦୨୦-୨୧ରେ ଏହା ୬୫୨ କୋଟି ହୋଇଥିଲା। ଆର୍ଥିକ ବର୍ଷ ୨୦୨୧-୨୨ରେ ୧୭୬୪ କୋଟି ହୋଇଥିଲା।
୪.୧୧ କୋଟି ଜିଏସ୍ଟି ଫାଙ୍କିଲେ
ମହାରାଷ୍ଟ୍ର କଥା ଛାଡ଼ନ୍ତୁ ସମ୍ବଲପୁର ସହରରେ ମଧ୍ୟ ଜଣେ କୋଟିପଟି ସିବିଆଇ ହାତରେ ଧରାପଡ଼ିଛନ୍ତି। ନଟବରଲାଲ୍ ଅଗ୍ରୱାଲ ନାଁରେ ଜଣେ ବ୍ୟବସାୟୀ ଜାଲ କାଗଜପତ୍ର ମାଧ୍ୟମରେ ସ୍ଥାନୀୟ ୟୁନିୟନ ବ୍ୟାଙ୍କର ଏକ ଶାଖାରୁ ୪ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏନେଇ ସିବିଆଇ ପକ୍ଷରୁ ସ୍ଥାନୀୟ ବାଲିବନ୍ଧାସ୍ଥିତ ନଟବରଲାଲ୍ ଅଗ୍ରୱାଲଙ୍କ ବାସଭବନରେ ଶୁକ୍ରବାର ଚଢ଼ଉ କରାଯାଇଥିଲା। ୟୁନିୟନ୍ ବ୍ୟାଙ୍କରୁ ନଟବରଲାଲ୍ ଅଗ୍ରୱାଲ ୪ କୋଟି ୧୧ ଲକ୍ଷ ଟଙ୍କାର ଠକେଇ କରିଥିବା ନେଇ ବ୍ୟାଙ୍କର ରିଜିଓନାଲ୍ ଅଫିସ୍ ଏଜିଏମ୍ ତପନ କୁମାର ସାହୁ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ଗ୍ରାଫାଇଟ୍ ବ୍ୟବସାୟୀ ନଟବରଲାଲ୍ ବ୍ୟାଙ୍କରୁ ଏହି ଋଣ ୨୦୧୪-୧୭ ଆର୍ଥିକ ବର୍ଷରେ ପର୍ଯ୍ୟାୟକ୍ରମେ ନେଇଥିଲେ।
କେନ୍ଦ୍ରୀୟ କର୍ମୀଙ୍କ ନାଁରେ ଆକାଉଣ୍ଟ ଖୋଲି ଠକେଇ
ସେହିପରି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ନାମରେ ଜାଲ୍ ବ୍ୟାଙ୍କ ଆକାଉଣ୍ଟ ଖୋଲି ୧୩. ୭୫ କୋଟି ଟଙ୍କାର ଜିଏସ୍ଟି ଠକେଇ ମାମଲାରେ ସମ୍ବଲପୁର ସାଇବର ଥାନା ପୁଲିସ ରାଉରକେଲା ଅର୍ବାନ କୋଅପରେଟିଭ୍ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ଅକ୍ଷୟ କୁମାର ନାୟକ, ବରିଷ୍ଠ ସହାୟକ ପି.କେ.ଜେନାଙ୍କ ସମେତ ଅନ୍ୟ ଦୁଇ ଜଣବ୍ୟକ୍ତି ସୁବାସ ସ୍ୱାଇଁ ଓ ଅମିତ ବେରିୱାଲଙ୍କୁ ଗିରଫ କରିଛି। ଅଭିଯୋଗ ଅନୁସାରେ ସଦର ଥାନା କୁଲ୍ତା ନୂଆପାଲି ଗାଁର ଅଚ୍ୟୁତାନନ୍ଦ ବଢ଼େଇ ବିଟେକ୍ କରିବା ପରେ କେନ୍ଦ୍ର ସରକାରଙ୍କ ଷ୍ଟାଟିଷ୍ଟିକ୍ସ ବିଭାଗର ଏବେ କାର୍ଯ୍ୟରତ ଅଛନ୍ତି। ଅଚ୍ୟୁତାନନ୍ଦଙ୍କ ନାମରେ ରାଉରକେଲା ଅର୍ବାନ କୋଅପରେଟିଭ୍ ବ୍ୟାଙ୍କରେ ଏକ ଆକାଉଣ୍ଟ ଖୋଲାଯାଇଥିଲା। ଏହି ଆକାଉଣ୍ଟ ଜରିଆରେ ୧୩.୭୫ କୋଟି ଟଙ୍କାର କାରବାର ହୋଇଥିବା ବେଳେ ଜିଏସ୍ଟି ଦାଖଲ କରାଯାଇନଥିଲା। ନିକଟରେ ଆୟକର ବିଭାଗ ପକ୍ଷରୁ ଶ୍ରୀ ବଢ଼େଇଙ୍କ ପାଖକୁ ଆୟକର ଦାଖଲ କରିନଥିବା ସଂକ୍ରାନ୍ତରେ ଏକ ନୋଟିସ୍ ଆସିଥିଲା। ଆୟକର ବିଭାଗରୁ ନୋଟିସ୍ ପାଇବା ପରେ ସେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ତାଙ୍କ ନାମରେ କେହି ଜାଲ ଆକାଉଣ୍ଟ ଖୋଲି ଏଭଳି କରିଥିବା ସନ୍ଦେହ କରି ସମ୍ବଲପୁର ସାଇବର ଥାନାରେ ଅଭିଯୋଗ କରିଥିଲେ।