ଭୁବନେଶ୍ବର: ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଧରି ଉଦ୍ୟମ ହୋଇଥିବା ପୁରୁଷ ହକି ବିଶ୍ବକପ୍-୨୦୨୩ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରାଉରକେଲାର ନବନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଜାନୁଆରି ୧୩ ତାରିଖରେ ଉଦ୍ଘାଟନୀ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ବୁଧବାର କଟକସ୍ଥିତ ଐତିହାସିକ ବାରବାଟୀ ଷ୍ଟାଡିୟମରେ ହକି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୭ ଘଣ୍ଟା ଧରି ଚାଲିଥିବା କାର୍ଯ୍ୟକ୍ରମରେ ଉଭୟ ବଲିଉଡ ଓ ଓଲିଉଡର କଳାକାରମାନେ ପ୍ରସ୍ତୁତି ଦେଇଥିବାରୁ ଦର୍ଶକଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା।
ଓଡ଼ିଶା ଇତିହାସରେ ଯେତେସବୁ କ୍ରୀଡ଼ା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଛି, ହକି ବିଶ୍ବକପ ମହୋତ୍ସବ ଭଳି ହୋଇନାହିଁ। ଏହି କାର୍ଯ୍ୟକମ ନିଶ୍ଚିତଭାବେ ସ୍ବତନ୍ତ୍ର। ପ୍ରାୟ ୪୦ ହଜାର ଦର୍ଶକଙ୍କ ସାମ୍ନାରେ ବଲିଉଡ ଷ୍ଟାର ଦିଶା ପଟନୀ, ରଣବୀର ସିଂହ, ପ୍ରୀତମ, ନୀତି ମୋହାନ, ବେନ୍ନୀ ଦୟାଲ, ନକାଶ ଅଜିଜ୍ ପ୍ରସ୍ତୁତି ଦେଇଥିଲେ। ସେହିପରି ଓଡ଼ିଆ କଳାକାର ଅରୁଣା ମହାନ୍ତି, ସ୍ନିତି ମିଶ୍ର, ଋତୁରାଜ ମହାନ୍ତି, ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ଏଲିନା ସାମନ୍ତରାୟ, ଅନନ୍ୟା ନନ୍ଦ ଓ ପ୍ରିନ୍ସ ଗ୍ରୁପଙ୍କ ପ୍ରସ୍ତୁତି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।
୭ ଘଣ୍ଟାର ନାଚଗୀତ
ବାରବାଟୀରେ ହକି ମହୋତ୍ସବ ଅପରାହ୍ଣ ୩ଟାରୁ ଆରମ୍ଭ ହୋଇଥିଲା। ଦୀର୍ଘ ୭ ଘଣ୍ଟା ଧରି ନୃତ୍ୟଗୀତର ଆସର ଚାଲିଥିଲେ ବି ଦର୍ଶକ ବିରକ୍ତି ପ୍ରକାଶ କରି ନଥିଲେ। ବରଂ ନାଚଗୀତରୁ ଭରପୁର ମଜା ନେଇଥିଲେ। ଦର୍ଶକଙ୍କ ମଧ୍ୟରେ ଯୁବପିଢ଼ିଙ୍କ ସମେତ ନେତା ଓ ମନ୍ତ୍ରୀ ଥିଲେ। ଏପରିକି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ ହକି (ଏଫ୍ଆଇଏଚ୍) ସଭାପତି ତୟା ବିକ୍ରମ, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ, ୫ଟି ସଚିବ ଭିକେ ପାଣ୍ଡିଆନ ପ୍ରମୁଖ ଦୀର୍ଘ ସମୟ ପର୍ଯ୍ୟନ୍ତ ଉପସ୍ଥିତ ରହିଥିଲେ।
ମ୍ୟାଚ୍ ପାଇଁ ପ୍ରଶଂସା
ହକି ବିଶ୍ବକପ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆନ୍ତରିକ ରହିଛି। ଉଭୟ ସରକାର ଜଣେ ଅନ୍ୟକୁ ପ୍ରଶଂସା କରିଛନ୍ତି। ସମାରୋହକୁ ସମ୍ବୋଧିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାର ସବୁ ପ୍ରକାରର ସମର୍ଥନ ଯୋଗାଇ ଦେଇଛନ୍ତି। ସେଥିପାଇଁ ଧନ୍ୟବାଦ ଜଣାଉଛି। ଅପରପକ୍ଷେ, କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ବିଶ୍ବରେ ଯେତେ ସବୁ ବିଶ୍ବକପ ହକିର ଆୟୋଜନ ହୋଇଛି ସେଥିରୁ ଭାରତ ତଥା ଓଡ଼ିଶାରେ ସବୁଠାରୁ ଭବ୍ୟ ହୋଇପାରିଛି। ଭାରତକୁ କ୍ରମାଗତ ଭାବେ ୨ ଥର ହକି ବିଶ୍ବକପର ଆୟୋଜନ କରିବାର ସୁଯୋଗ ମିଳିଛି। ଏହା ଓଡ଼ିଶା ସରକାରଙ୍କ ଯୋଗୁଁ ସଫଳ ହୋଇପାରିଛି।
ରାଜ୍ୟବ୍ୟାପି ବୁଲିଲା ଟ୍ରଫି
ହକି ବିଶ୍ବକପକୁ ଚାରିପାର୍ଶ୍ବରୁ ସଫଳ ରୂପ ଦେବା ପାଇଁ ସରକାର ଜୋରଦାର ଉଦ୍ୟମ କରିଛନ୍ତି। କ୍ରୀଡ଼ା ଭିତ୍ତିଭୂମିକୁ ମଜବୁତ କରିବା ସହିତ ପ୍ରଚାର ପ୍ରସାର ମଧ୍ୟ କରିଛନ୍ତି। ୨୦୧୮ ମସିହାର ଉଦ୍ଘାଟନୀ ମହୋତ୍ସବ ତୁଳନାରେ ୨୦୨୩ ବିଶ୍ବକପ୍ ସାଂସ୍କୃତିକ କାର୍ଯ୍ୟକ୍ରମ ଅନେକ ପରିମାଣରେ ଭିନ୍ନ ରୂପ ମିଳିଛି। ଚଳିତ ବିଶ୍ବକପ ହକି ଟ୍ରଫି ପାଇଁ ଜିଲ୍ଲା ସ୍ତରରେ ମଧ୍ୟ ମହୋତ୍ସବ ହୋଇଛି। ଜିଲ୍ଲା ସଦର ମହକୁମାରେ ହକି ବିଶ୍ବକପ ଟ୍ରଫିକୁ ଜୋରଦାର ସ୍ବାଗତ କରାଯାଇଛି। ସ୍ବାଗତ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ହକି ଟୁର୍ଣ୍ଣାମେଣ୍ଟକୁ ସଫଳ ରୂପ ଦେବାପାଇଁ ରାଜ୍ୟ ସରକାର ଯେପରି ଭାବେ ପ୍ରୟାସ କରିଛନ୍ତି, ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ସେହିଭଳି ପଦକ୍ଷେପ ନେଲେ ଓଡ଼ିଶାର ବିକାଶ ଦେଶରେ ଉଦାହରଣ ହୋଇପାରନ୍ତା।