Wednesday, September 18, 2024
Homeହଳଦିଆ ରଂଗରେ ସଜେଇ ହେବ ପଂଜାବ!
Array

ହଳଦିଆ ରଂଗରେ ସଜେଇ ହେବ ପଂଜାବ!

ଭୁବନେଶ୍ୱର: ପଂଜାବରେ କଂଗ୍ରେସର ପତ୍ତନ ପରେ ଆମ ଆଦମୀ ପାର୍ଟି (ଆପ୍‌)ର ଯୁଗ ଆରମ୍ଭ ହୋଇଯାଇଛି। ପଂଜାବ ବିଧାନସଭା ନିର୍ବାଚନରେ ନବ ନିର୍ବାଚିତ ବିଧାୟକ ଭଗୱନ୍ତ ମାନ୍‌ ମାର୍ଚ୍ଚ ୧୬  ତାରିଖରେ ରାଜ୍ୟର ୧୭ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମାରୋହ ବିଧାନସଭା ଅଥବା କୌଣସି ପଡ଼ିଆ କିମ୍ବା ବଡ଼ ତାରକା ହୋଟେଲରେ କରାଯାଇ ନଥିଲା। ବରଂ ଏହା ସହିଦ୍‌ ଭଗବତ୍‌ ସିଂହଙ୍କ ପୈତୃକ ଗାଁରେ ଆୟୋଜିତ ହୋଇଥିଲା। ସହିଦ୍‌ ଯବାନଙ୍କ ସହ ସପର୍କ ରଖିଥିବା ମାଟି ସହିତ ଦେଶରେ ପ୍ରଥମ ଥର ପଇଁ ଏକ ବଡ଼ଧରଣର କାର୍ଯ୍ୟକ୍ରମ ହୋଇଛି, ଯେଉଁଠି ଲକ୍ଷାଧିକ ଲୋକ ଭିଡ଼ ଲଗାଇଛନ୍ତି। ହୋଶିୟାରପୁର ଜିଲ୍ଲାରେ ସହିଦ-ଏ-ଆଜମ ଭଗତ ସିଂହଙ୍କ ପୈତୃକ ଗାଁ ଖଟକଡକଳାରେ ଆୟୋଜିତ ଭବ୍ୟ ସମାରୋହରେ ଭଗଓ୍ଵନ୍ତ ମାନ୍‌  ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ନେଇଛନ୍ତି। ଖଟକଡକଳାରେ ପଂଜାବ ରାଜ୍ୟପାଳ ବନୱାରୀଲାଲ ପୁରୋହିତ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ୍‌ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଦିଲ୍ଲୀ ଭଳି ପଂଜାବରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା। ଆପ୍‌ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପଂଜାବର ସହ ପ୍ରଭାରୀ ରାଘବ ଚଢ଼ାଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ କୌଣସି ରାଜ୍ୟର ଭିଆଇପିଙ୍କୁ ଆମନ୍ତ୍ରଣ କରି ନଥିଲା। ଭଗୱନ୍ତ ମାନ୍‌ଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ଡ୍ରେସ କୋର୍ଡ ଘୋଷଣା କରାଯାଇଥିଲା। ପୁରୁଷମାନେ ହଳଦିଆ ରଂଗର ପଗଡ଼ି ଓ ମହିଳାମାନେ ହଳଦିଆ ରଂଗର ପୋଷାକ ପିନ୍ଧିଥିଲେ। କାର୍ଯ୍ୟକ୍ରମ ସ୍ଥଳୀକୁ ହଳଦିଆ ରଂଗରେ ସଜାଯାଇଥିଲା। ସମାରୋହରେ ପ୍ରାୟ ୧ ଲକ୍ଷରୁ ଅଧିକ ଲୋକ ଜୁଟିଥିଲେ। ଭଗୱନ୍ତ ମାନ୍‌ ହେଉଉନ୍ତି ସହୀଦ-ଏ-ଆଜମ ଭଗତ ସିଂହଙ୍କ ଜଣେ ବଡ଼ ପ୍ରଶଂସକ। ଭଗତ ସିଂହଙ୍କ ଭଳି ସେ ଜିଇଁବାକୁ ପସନ୍ଦ କରନ୍ତି। ଭଗତ ସିଂହଙ୍କ ଭଳି ପୋଷାକ ପିନ୍ଧିବା ସହିତ ସମାନ ଚିନ୍ତାଧାରା ନେଇ ବଞ୍ଚିବାକୁ ଚେଷ୍ଟା କରନ୍ତି।  ସେ ସହିଦ୍‌ ଭଗତ ସିଂହଙ୍କ ଦ୍ୱାରା ଦିଆଯାଇଥିବା ଶ୍ଲୋଗାନ ‘ଇନ୍‌କ୍ଲବ ଜିନ୍ଦାବାଦ୍‌’ରୁ ନିଜର ରାଲିକୁ ଆରମ୍ଭ ଓ ଶେଷ କରିଥାନ୍ତି।

ଭଗତ ସିଂହଙ୍କ ପ୍ରେରଣାରେ ରାଜନୀତି

ଆମ୍‌ ଆଦମୀ ପାର୍ଟି ନିର ନିର୍ବାଚନ ପ୍ରଚାର ଦିନ ଠାରୁ ସହିଦ୍‌ ଭଗବତ୍‌ ସିଂଙ୍କ ନାଁ ପ୍ରଚାର କରିଆସୁଥିଲା। ଏବେ ନିର୍ବାଚନ ଜିତିଲା ପରେ ଏହି ଗାଁର ମୁଖ୍ୟମନ୍ତ୍ରୀ କ୍ୟାରିୟର ଆରମ୍ଭ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଭଗଓ୍ଵନ୍ତ ମାନ୍‌ ଯେତେବେଳେ ଏକ ମାରୁତି କାର୍‌ କିଣିଥିଲେ ଖଟକଡକଳ ଗାଁକୁ ଯାଇଥିଲେ। ସେଠାରେ ସହିଦ୍‌ ଭଗଓ୍ଵନ୍ତ ମାନ୍‌ଙ୍କର ଆଶୀର୍ବାଦ ନେଇଥିଲେ। ସେହିପରି ନିର୍ବାଚନ ପ୍ରଚାର ମଧ୍ୟ ସହିଦ୍‌ଙ୍କ ଗାଁରୁ ଆରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ମାନ୍‌ କହିଛନ୍ତି ଯେ, ସହିଦ୍‌ ଭଗଓ୍ଵନ୍ତଙ୍କ ଦ୍ୱାରା ଲେଖାଯାଇଥିବା ପ୍ରତି ଶବ୍ଦ ସେ ପଢ଼ିଛନ୍ତି। ତାଙ୍କ ଯୋଗୁଁ ସେ ରାଜନୀତିରେ ପାଦ ଥାପିଛନ୍ତି। ଭଗତ ସିଂହଙ୍କ ପୁତୁରା ଅଭୟ ସିଂହ ସାନ୍ଧୁ ଯେତେବେଳେ ରାଜ୍ୟର ପୂର୍ବତନ ମନ୍ତ୍ରୀ ମନପ୍ରୀତ ସିଂହ ବାଦଲଙ୍କ ସହିତ ମିଶି ପିପୁଲ୍ସ ପାର୍ଟି ଅଫ୍‌ ପଂଜାବ ଦଳ ଗଠନ କଲେ, ସେଥିରେ ନିଜେ କର୍ମକର୍ତ୍ତା ଥିଲେ। କିନ୍ତୁ ଦୁଃଖର କଥା ହେଲା ଯେ, ଦଳ ବେଶୀ ଦିନ ଧରି ତିଷ୍ଠି ରହିପାରିଲା ନାହିଁ।

ସରକାରୀ କାର୍ଯ୍ୟାଳୟରେ ଭଗତ ସିଂହଙ୍କ ଫଟୋ

ମାର୍ଚ୍ଚ ୧୦ ତାରିଖରେ ନିର୍ବାଚନ ଜିତିବା ପରେ ଭଗଓ୍ଵନ୍ତ ମାନ୍‌ ଘୋଷଣା କରିଥିଲେ ଯେ, ଭଗତ ସିଂହଙ୍କ ଫଟୋ ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ଲଗାଯିବ। ସେ ନିଷ୍ପତ୍ତି ନେଇଥିଲେ ଯେ, ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ସହିତ ସହିଦ ଭଗତ ସିଂହଙ୍କ ମଧ୍ୟ ଚିତ୍ର ପଂଜାବର ସରକାରୀ କାର୍ଯ୍ୟାଳୟରେ ଦେଖାଯିବ। ମାନ୍‌ଙ୍କ ଚିନ୍ତା ଯେ, ସେ ପୂରା ପଂଜାବକୁ ହଳଦିଆ ରଂଗରେ ରଂଗେଇବେ। ଶପଥ ସମାରୋହକୁ ସ୍ମରଣୀୟ ରଖିବା ପାଇଁ ସେ କାର୍ଯ୍ୟକ୍ରମ ସ୍ଥଳୀକୁ ହଳଦିଆ ରଂଗ କରିଥିଲେ।

‘ଆପ୍‌’ର ଐତହାସିକ ବିଜୟ

ପଂଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ଐତିହାସିକ ବିଜୟ ହାସଲ କରିଛି। ୧୧୭ ଆସନ ବିଶିଷ୍ଟ ପଂଜାବ ବିଧାନସଭା ଆସନରୁ ୯୨ଟି ଆମ ଆଦମୀ ପାର୍ଟିର ବିଧାୟକ ହାତରେ ରହିଛି। ଦେଶର ସର୍ବ ପୁରାତନ ରାଜନୈତିକ ଦଳ ‘କଂଗ୍ରେସ’କୁ ୧୮, ବିଜେପିକୁ ୨ ଓ ଅକାଳୀ ଦଳକୁ ୪ଟି ଆସନ ମିଳିଥିବା ବେଳେ ଅନ୍ୟକୁ ଗୋଟିଏ ଆସନରେ ବିଜୟ ମିଳିଥିଲା। ପଂଜାବରେ ଗତ ଫେବ୍ରୁଆରୀ ମାସ ୨୦ ତାରିଖରେ ଭୋଟ ଗ୍ରହଣ କରାଯାଇଥିଲା। ମାର୍ଚ୍ଚ ୧୦ ତାରିଖରେ ଏହାର ଫଳାଫଳ ଘୋଷଣା କରାଯାଇଥିଲା।  ଧୁରୀ ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ଭଗୱନ୍ତ ମାନ୍‌ ୫୮ ହଜାର ଭୋଟରେ ବିଜୟୀ ହୋଇଥିଲେ। 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments