ଭୁବନେଶ୍ବର: ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ହେଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ହୋଇ ଆସୁଛି। ଏଥି ପାଇଁ ବିଭିନ୍ନ ସମୟରେ ଆନ୍ଦୋଳନ କରି ଆସୁଛନ୍ତି। ପଶ୍ଚିମ ଓଡ଼ିଶାର ଓକିଲ ସଂଘ ତରଫରୁ ମଧ୍ୟ ଆନ୍ଦୋଳନକୁ ତୀବ୍ର କରୁଛନ୍ତି। ବିଗତ ଦିନରେ ପ୍ରତିମାସର ଶେଷ ୩ ଦିନ ଆନ୍ଦୋଳନ କରୁଥିଲେ। ପରେ ନିଷ୍ପତ୍ତି ବଦଳି ଥିଲା। ଓକିଲ ସଂଘ ଆନ୍ଦୋଳନକୁ ଜାରି ରଖିଛି। ଯେତେଦିନ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି, ସେତେଦିନ ପର୍ଯ୍ୟନ୍ତ ଆନ୍ଦୋଳନକୁ ପ୍ରତ୍ୟାଖାନ ପ୍ରବେ ନାହିଁ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।
ଦେଶର ଏକାଧିକ ରାଜ୍ୟରେ ହାଇକୋର୍ଟର ବେଞ୍ଚ ରହିଛି। ଲୋକ ସଂଖ୍ୟା ଓ ମାମଲା ସଂଖ୍ୟା ବଢୁଥିବାରୁ ଓଡ଼ିଶାରେ ମଧ୍ୟ ହାଇକୋର୍ଟ ବେଞ୍ଚର ପ୍ରତିଷ୍ଠା ନିହାତି ହେବା ଦରକାର। ଏହା ଦ୍ବାରା ପଶ୍ଚିମ ଓଡ଼ିଶାବାସୀ କଟକ ଆସି ଖର୍ଚ୍ଚାନ୍ତ ହେବାରୁ ମୁକୁଳି ପାରିବେ। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ନେଇ କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟ ସହମତି ଦେଇଥିବା କୁହାଯାଉଛି। କିନ୍ତୁ ରାଜ୍ୟ ସରକାରଙ୍କ ମତାମତ ଓଲଟା। ଏହି ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ କାଦୁଅ ଫିଙ୍ଗାଫିଙ୍ଗି ହେଉଛନ୍ତି। ତେବେ ପ୍ରଶାସନିକ ସୁବିଧା ଓ ଆବଶ୍ୟକତା ଦୃଷ୍ଟିରୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀମାନେ ନିଜର ପ୍ରତିକ୍ରିୟା ଦିଅନ୍ତି। ଏହି ପ୍ରସଙ୍ଗକୁ ଗୁରୁତର ସହିତ ନିଆଯାଇ ସମସ୍ୟାର ସମାଧାନ ହୋଇପାରିଲେ ପଶ୍ଚିମ ଓଡ଼ିଶାରେ କୋଟିଏରୁ ଅଧିକ ଲୋକଙ୍କୁ ଉପକାର ମିଳିପାରନ୍ତା।
ଆନ୍ଦୋଳନ ସ୍ଥଗିତ, ଆଶା ଉଦ୍ଜୀବିତ
ବଡ଼ଧରଣର ଅପ୍ରୀତିକର ଘଟଣା ପରେ ଓକିଲମାନେ ଧର୍ମଘଟକୁ ଡିସେମ୍ବର ୧୩ ସନ୍ଧ୍ୟାରେ ସ୍ଥଗିତ ରଖିଛନ୍ତି।ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ପଶ୍ଚିମ ଓଡ଼ିଶାର ସମସ୍ତ ବାର ଆସୋସିଏସନ୍କୁ ନେଇ ଗଠିତ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଆଶାବାଦୀ ଅଛି ବୋଲି କ୍ରିୟାନୁଷ୍ଠାନ କମିଟି କହିଛି। ଏ ଦିଗରେ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ସମସ୍ତ ସାମ୍ବିଧାନିକ ସଂସ୍ଥାଠାରୁ ସହଯୋଗ ମିଳିବ ବୋଲି ଆଶା ପ୍ରକାଶ ପାଇଛି। କମିଟି ଆନ୍ଦୋଳନ ସ୍ଥଗିତ ରଖିବା ସହିତ ସୁପ୍ରିମକୋର୍ଟଙ୍କ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛି। ଏ ନେଇ କମିଟି କେନ୍ଦ୍ର, ରାଜ୍ୟ ସରକାର ଓ ହାଇକୋର୍ଟଙ୍କ ଉପରେ ମଧ୍ୟ ଭରସା ରଖିଛି।
କୋର୍ଟ ଛାଡ଼ି ପଳାଇଲେ ବିଚାରପତି
ଆଇନଜୀବୀଙ୍କ ଆନ୍ଦୋଳନ ସୋମବାର ତୀବ୍ର ରୂପ ନେଇଥିଲା। କାରଣ ଘଟଣାସ୍ଥଳରେ ୧୪୪ ଧାରା ଲାଗୁ ହୋଇଥିଲେ ସୁଦ୍ଧା ଏହାକୁ କେହି ଖାତିର କରି ନ ଥିଲେ। ଓକିଲ ସଂଘକୁ ବିଭିନ୍ନ ରାଜନୈତିକ ଦଳ, ସାଂସ୍କୃତିକ ଓ ସାମାଜିକ ସଙ୍ଗଠନର ସଦସ୍ୟ ଏବଂ ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭ କରି କଳାକାର, ଚାଷୀ, ଶ୍ରମିକ ଓ କିନ୍ନରମାନେ ମଧ୍ୟ ସମର୍ଥନ ଜଣାଇଥିଲେ। ବ୍ୟାପକ ପୁଲିସ ମୁତୟନ ହୋଇଥିଲେ ମଧ୍ୟ ଆନ୍ଦୋଳନକାରୀ କୋର୍ଟ ଭିତରକୁ ପ୍ରବେଶ କରି ଭଙ୍ଗାରୁଜା କରିଥିଲେ। ଫଳରେ କାର୍ଯ୍ୟରତ ଜିଲ୍ଲାଜଜ୍ଙ୍କ ସମେତ ଅନ୍ୟ ବିଚାରପତିମାନଙ୍କୁ ସେଠାରୁ ବାହାରିଯିବାକୁ ପଡ଼ିଥିଲା।
୪୩ ଓକିଲଙ୍କ ଲାଇସେନ୍ସ ସସପେଣ୍ଡ
ହାଇକୋର୍ଟ ବେଞ୍ଚ ନେଇ ସମ୍ବଲପୁରରେ ହୋଇଥିବା ଆନ୍ଦୋଳନ ଜାତୀୟ ଖବର ପାଲଟିଛି। ଏହାକୁ ନେଇ ଅନ୍ୟ ରାଜ୍ୟରେ ଚର୍ଚ୍ଚା ହେଉଛି। ସୁପ୍ରିମକୋର୍ଟ ଘଟଣା ସଂପର୍କରେ ଅବଗତ ହୋଇଛନ୍ତି। ବାର କାଉନସିଲ ଅଫ ଇଣ୍ଡିଆ ୪୩ ଜଣ ଆଇନଜୀବୀଙ୍କ ଲାଇସେନ୍ସକୁ ସସ୍ପେଣ୍ଡ କରିଛନ୍ତି। ସୋମବାର ୨୯ ଜଣ ଓକିଲଙ୍କ ଲାଇସେନ୍ସ ରୋକ୍ ଲାଗିଥିଲା। ମଙ୍ଗଳବାର ପୁଣି ୧୪ ଜଣଙ୍କ ଲାଇସେନ୍ସ ବାତିଲ ହେଲା ପରେ ଏହି ସଂଖ୍ୟା ଏବେ ୪୩ରେ ପହଂଚିଛି। ଏହି ଆଇନଜୀବୀମାନଙ୍କ ଲାଇସେନ୍ସ ୧୮ ମାସ ପାଇଁ ସସପେଣ୍ଡ ହୋଇଛି। ତେବେ ଅନ୍ୟ ଓକିଲଙ୍କ ଲାଇସେନ୍ସ ଆଗାମୀ ଆଦେଶ ପର୍ଯ୍ୟନ୍ତ ବାତିଲ ହୋଇଛି। ରାଜ୍ୟରେ ପୂର୍ବରୁ ଏହିଭଳି ଘଟଣା ଘଟି ନ ଥିଲା।