ଭୁବନେଶ୍ୱର: ଖରିଫ ଋତୁରେ ଧାନ ଚାଷ ଅମଳର ଆଦ୍ୟ ପର୍ବ ଆରମ୍ଭ ହୋଇଛି । ୬୦ରୁ ୭୦ ଦିନ ମଧ୍ୟରେ ଅମଳ ହୋଇପାରୁଥିବା ଧାନ ଏବେ ପାକଳ ହୋଇଯାଇଛି । କିଛି କିଛି ସ୍ଥାନରେ ଧାନ କଟା ଆରମ୍ଭ ହୋଇଯାଇଥିବା ବେଳେ ନଭେମ୍ବର ଦ୍ୱିତୀୟ ସପ୍ତାହ ବେଳକୁ ଚାଷୀମାନେ ନିଜର ୫୦ ପ୍ରତିଶତ ଧାନ କାଟିବେ । କିନ୍ତୁ ଏଭଳି ସମୟରେ ହାତୀପଲ ଆସି ଫସଲ ନଷ୍ଟ କରିବା ଆରମ୍ଭ କରିଦେଇଛନ୍ତି ।
ହାତୀମାନେ ଏବେ ବିଶେଷ କରି ସୁନ୍ଦରଗଡ଼ ଜିଲ୍ଲାର ବଣାଇ, କୋଇଡା, ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର, ସମ୍ବଲପୁର ରେଢ଼ାଖୋଲ, ଯୁଯୁମୁରା, ନାକଟିଦେଉଳ, ଦେବଗଡ ଜିଲ୍ଲାର ରିଆମାଳ, ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ, ବନ୍ତଳା, ପାଳଲହଡ଼ା, ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର, ଭୁବନ, କଙ୍କଡ଼ାହାଡ଼, କଟକ ଜିଲ୍ଲାର ଆଠଗଡ଼, ଚୌଦ୍ୱାର, କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର, ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଂଚଳରେ ହାତୀପଲମାନେ ବ୍ୟାପକ ଭାବେ ଧାନଚାଷ ନଷ୍ଟ କରିଥାନ୍ତି ।
ସୁନ୍ଦରଗଡ଼ରେ ହାତୀ ଉତ୍ପାତ
ବିଗତ ୩ ଦିନ ହେବ ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଓ ବଣାଇ ଅଂଚଳରେ ଝାଡ଼ଖଣ୍ଡି ହାତୀପଲ ଉତ୍ପାତ କରିଛନ୍ତି । ମଙ୍ଗଳବାର କୁତ୍ରା ଅଂଚଳରେ ହାତୀପଲ ଘର ଭାଙ୍ଗିଥିବା ବେଳେ ବୁଧବାର ରାତିରେ ବ୍ୟାପକ ଫସଲ ନଷ୍ଟ କରିଛନ୍ତି । କିଛି ଦିନ ପୂର୍ବରୁ ହାତୀପଲ କାମାକ୍ଷାନଗର ଅଂଚଳରେ ହାତୀପଲ ଫସଲ ନଷ୍ଟ କରିଥିଲେ । ସେହିପରି ହାତୀପଲ ଚୌଦ୍ୱାର ଅଂଚଳରେ ଲୋକଙ୍କୁ ଭୟଭୀତ କରିଥିଲେ । ଝାଡ଼ଖଣ୍ଡି ହାତୀପଲ ଡିସେମ୍ବର-ଜାନୁଆରୀରେ ନୀଳଗିରି ଅଂଚଳରେ ଉତ୍ପାତ କରିଥାନ୍ତି ।
ହାତୀର ଚଲାପଥରେ ଅଧିକ କ୍ଷତି ହୋଇଥାଏ ଧାନ
ସବୁଠାରୁ ବଡ଼ କଥା ହେଲା ଯେ, ହାତୀମାନେ ଧାନ ଯେତିକି ଖାଆନ୍ତି ନାହିଁ, ତାଠାରୁ ଅଧିକ କ୍ଷତି କରିଥାନ୍ତି । ରାତିରେ ଯେତେବେଳେ ହାତୀମାନେ ଜଙ୍ଗଲରୁ ଧାନ କ୍ଷେତରେ ପହଂଚିଥାଆନ୍ତି, ପ୍ରଥମେ ଗୋଟିଏ ଘଣ୍ଟା ଯାଏଁ ନିଦ୍ଧିଷ୍ଟ ସ୍ଥାନରେ ପେଟପୁରା ଖାଆନ୍ତି । କିନ୍ତୁ ରାତି ପାହିବା ପୂର୍ବରୁ ସେମାନେ ଯେତେବେଳେ ଜଙ୍ଗଲକୁ ଫେରିବାକୁ ବାହାରିବେ ତାଙ୍କ ଚଲାପଥରେ ଫସଲ ମାଟିରେ ମିଶିଯାଇଥାଏ । ହାତୀମାନଙ୍କ ଦ୍ୱାରା ମଡ଼ାଯାଇଥିବା ଫସଲ ବାହାର କରି ଘରକୁ ଆଣିବା ସହଜ ହୋଇ ନଥାଏ ।
କ୍ଷତି ତୁଳନାରେ କ୍ଷତିପୂରଣ ମିଳୁଛି କମ
ବନ୍ୟପ୍ରାଣୀ ଆଇନ ଅନୁଯାୟୀ ଜଙ୍ଗଲର ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି । କିନ୍ତୁ ସରକାର ଚାଷୀଙ୍କୁ ଅଣଦେଖା କରନ୍ତି । ହାତୀମାନଙ୍କ ଦ୍ୱାରା ଯେତିକି ପରିମାଣରେ ଫସଲ ନଷ୍ଟ ହୋଇଥାଏ, ଚାଷୀମାନେ ତାର କାଣିଚାଏ କ୍ଷତିପୂରଣ ପାଇଥାନ୍ତି । ଧରାଯାଉ ଏକ ନିଦ୍ଧିଷ୍ଟ ଅଂଚଳରେ ହାତୀମାନେ ଯଦି ଗୋଟିଏ ଏକର ଧାନ ଫସଲ ଖାଇଥାନ୍ତି ଅଥବା ନଷ୍ଟ କରିଥାନ୍ତି, ଚାଷୀଙ୍କୁ କ୍ଷତିପୂରଣ ବାବଦକୁ ୫ ହଜାର ଟଙ୍କା ମଧ୍ୟ କ୍ଷତିପୂରଣ ମିଳି ନଥାଏ । କିନ୍ତୁ ଚାଷୀମାନେ ଗୋଟଏ ଏକର ଧାନ ଚାଷ ପାଇଁ ୧୫ରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିଥାନ୍ତି । ଅପରପକ୍ଷେ ଗୋଟିଏ ଏକର ଧାନଚାଷରୁ ଚାଷୀ ୩୦ ହଜାର ଟଙ୍କା ଫସଲ ଅମଲ କରିବାର ଲକ୍ଷ୍ୟ ରଖିଥାଏ ।
ହାତୀପଲ ଧାନ ଖାଆନ୍ତି, ଜୀବନ ନେଇଯାଆନ୍ତି
ଜଙ୍ଗଲ ହ୍ରାସ ପାଇବା ଫଳରେ ହାତୀପଲମାନେ ଫସଲ ଖାଇବା ପାଇଁ ଗ୍ରାମ୍ୟ ଅଭିମୁଖେ ବାହାରି ଆସୁଛନ୍ତି । ସେମାନେ ଧାନଖାଇବା ସହିତ ବେଳେ ବେଳେ ଲୋକଙ୍କର ଜୀବନ ନେଇଯାଉଛନ୍ତି । ଖେତରୁ ଧାନଫସଲ ଘରକୁ ଆସିବା ପରେ ପରେ ହାତୀମାନେ ଘରକୁ ମଧ୍ୟ ପଶି ଖାଇବା ପାଇଁ ପଛାଉନାହାନ୍ତି ।
ଏଭଳି କ୍ଷେତ୍ରରେ ହାତୀମାନେ ଘର ଭାଙ୍ଗିଦିଅନ୍ତି ଓ ମଣିଷ ମାରିଦେଇଥାନ୍ତି । ଏହାର ଜ୍ୱଳନ୍ତ ଉଦହାରଣ ହେଉଛି ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ କୋଲଗାଁ । ମାର୍ଚ୍ଚ ମାସ ୩୧ ତାରିଖ ରାତି କୋଲଗାଁ ସରପଂଚ ଉମାକାନ୍ତ ମିର୍ଦ୍ଧାଙ୍କ ବାପା କନ୍ଧ ମିର୍ଦ୍ଧା, ମା’ ଉର୍ମିଳା, ଭାଣିଜୀ ରଶ୍ମିତା ଓ ସମ୍ବଲପୁର ସଦର ରେଂଜ ନୂଆବରଙ୍ଗାମାଲ ଗ୍ରାମର କୃପାଳୁ କୁମ୍ଭାରଙ୍କ ଝିଅ ମାନସୀଙ୍କୁ ହାତୀ ଆକ୍ରମଣ କରିଥିଲା । ଏମାନେ ସମସ୍ତେ ଘରେ ଶୋଇଥିଲେ । ମାନସୀ ଚିକିତ୍ସା ପରେ ସୁସ୍ଥ ହୋଇଥିବା ବେଳେ ଅନ୍ୟମାନେ ପ୍ରାଣ ହାରିଥିଲେ ।