Tuesday, September 10, 2024
Homeହିଂସାର ନିଆଁରେ ଜଳୁଛି ମଣିପୁର
Array

ହିଂସାର ନିଆଁରେ ଜଳୁଛି ମଣିପୁର

ନୂଆଦିଲ୍ଲୀ: ମେ’ ମାସ ୩ ତାରିଖ ଠାରୁ ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷକୁ ନେଇ ଅଶାନ୍ତ ହୋଇପଡ଼ିଥିବା ମଣିପୁରରେ ହିଂସା ଥମିବାର ନାଁ ଧରୁନାହିଁ। ଇମ୍ଫାଲ ଉପତ୍ୟାକାରେ ଉପୁଜିଥିବା ଏହି ହିଂସାରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି। ୩୦୦ରୁ ଅଧିକ ଲୋକ ଗୁରୁତର ହେବା ସହିତ କୋଟିକୋଟି ଟଙ୍କା କ୍ଷତି ହୋଇସାରିଛି। ଏହି ହିଂସା ୫୦ ଦିନ ଅତିକ୍ରମ କରିସାରିଥିଲେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଜାରି ରହିଛି। ଏହିକ୍ରମରେ ଶୁକ୍ରବାର ବିଳମ୍ବିତ ରାତିରେ ମଣିପୁରର ମନ୍ତ୍ରୀ ଏଲ ସୁସିନଡ୍ରୋଙ୍କ ଘରୋଇ ଗୋଦାମରେ କିଛି ଲୋକ ନିଆଁ ଲଗାଇ ଦେଇଛନ୍ତି। ଇମ୍ଫାଲ ଇଷ୍ଟର ଚିଙ୍ଗାରେଲ ଠାରେ ଏହି ଗୋଦାମଟି ରହିଥିଲା।

ମଣିପୁର ହିଂସା ଯୋଗୁଁ କେବଳ ରାଜ୍ୟ ସରକାର ନୁହେଁ। ବରଂ ପଡୋଶୀ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଛି। ମଣିପୁରକୁ ପଡୋଶୀ ରାଜ୍ୟରୁ ଜିନିଷପତ୍ର ଆମଦାନୀ ଅସୁବିଧା ହେଉଛି। ସେହିପରି ରାଜ୍ୟରୁ ବାହାରକୁ ଜିନିଷପତ୍ର ରପ୍ତାନୀ ହୋଇପାରି ନାହିଁ। ରାଜ୍ୟର ସାଧାରଣ ଜନତା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଗତ ୩ ତାରିଖ ଦିନ ହିଂସା ଆରମ୍ଭ ହେବା ମାତ୍ରେ ରାଜ୍ୟରେ ୫ ଦିନ ପାଇଁ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଥିଲା। ସେହିପରି ୧୪୪ ଧାରା ଲାଗୁ କରିଦିଆଯିବା ଫଳରେ ଯାତାୟତ ଠପ୍ ହୋଇଯାଇଥିଲା। ଏବେ ପରିସ୍ଥିତି ଯଦିଓ ପୂର୍ବାପେକ୍ଷା ସୁଧୁରୁଛି, ତଥାପି ସଂପୂର୍ଣ୍ଣ ରୂପେ ସ୍ବାଭାବିକ ହେବାକୁ ଆହୁରି କିଛି ଦିନ ଲାଗିବ।  

ମଣିପରୁରେ ପୋଡ଼ାଜଳା

ମଣିପୁରର ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଘଟଣା ଜାରି ରହିଛି। ଶୁକ୍ରବାର ମଧ୍ୟରାତ୍ରରେ ଏକ ଗୋଦାମରେ ନିଆଁ ଲାଗି ଯିବାରୁ ସେଠାରେ ଥିବା ସବୁ ସମ୍ପତ୍ତି ଜଳିପୋଡ଼ି ପାଉଁଶ ହୋଇଯାଇଛି। ଉପଦ୍ରବକାରୀମାନେ ଖୁରାଇ ଠାରେ ଥିବା ମନ୍ତ୍ରୀ ସୁସିନଡ୍ରୋଙ୍କ ଘରେ ମଧ୍ୟ ନିଆଁ ଲଗାଇ ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ସୁରକ୍ଷାକର୍ମୀମାନେ ଠିକଣା ସମୟରେ ପଦକ୍ଷେପ ଯୋଗୁ ବଡ଼ ଅଘଟଣକୁ ରୋକା ଯାଇ ପାରିଛି। ଉପଦ୍ରବକାରୀଙ୍କୁ ବିଦା କରିବା ପାଇଁ ପୁଲିସ ପକ୍ଷରୁ ଲୁହବୁହା ଗ୍ୟାସ୍ ବ୍ୟବହାର କରାଯାଇଥିଲେ। ତେବେ ପୁଲିସ୍ର କାର୍ଯ୍ୟାନୁଷ୍ଠାନ ଓ ଉପଦ୍ରବକାରୀଙ୍କ ଲଣ୍ଡକାଣ୍ଡ ଯୋଗୁ କେହି ବି ମୃତାହତ ହୋଇନାହାନ୍ତି। କିନ୍ତୁ ନିଆଁରେ ପୋଡ଼ି ହୋଇ ଅନେକ ସମ୍ପତ୍ତି ନଷ୍ଟ ହୋଇଯାଇଛି। ହିଂସା ଯୋଗୁ ପ୍ରଭାବିତ ହୋଇଥିବା ଲୋକଙ୍କୁ ରଖିବା ପାଇଁ ହୋଇଥିବା ସ୍ଥାନଗୁଡ଼ିକୁ ମୁଖ୍ୟମନ୍ତ୍ରୀ ବୀରେନ ସିଂହ ବୁଲି ଦେଖିଥିଲେ। କେବଳ ଏତିକି ନୁହେଁ ବିଗତ ୨ ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପୋଡ଼ାଜଳା ହୋଇଛି। 

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ

ମଣିପୁର ହିଂସା ଶେଷ କରିବା ପାଇଁ ରାଜ୍ୟର ନେତାଙ୍କ ମୁଣ୍ଡ ବ୍ୟଥାର କାରଣ ପାଣଲିଟିଛି। ହିଂସା ପ୍ରବଣ ମଣିପୁରର ୯ ବିଜେପି ବିଧାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ଏନ୍ ବୀରେନ୍ ସିଂହଙ୍କ ନେତୃତ୍ବାଧୀନ ସରକାରରୁ ସମ୍ପୂର୍ଣ୍ଣ ଆସ୍ଥା ଏବଂ ବିଶ୍ବାସ ହରାଇ ଦେଇଛନ୍ତି ବୋଲି କହିଛନ୍ତି। ଏଥି ସହିତ ଏକ ୫ ସୂତ୍ରୀ ସ୍ମାରକପତ୍ର ଦେଇ ବିଧାୟକମାନେ କହିଛନ୍ତି, ସରକାର ଏବଂ ପ୍ରଶାସନ ଉପରେ କୌଣସି ଭରସା ନାହିଁ। କୁକି ଏବଂ ମୈତେଇ ବିଧାୟକମାନଙ୍କ ମଧ୍ୟରେ ଏକ ବୈଠକ ପାଇଁ ସେମାନେ ଅନୁରୋଧ କରିଛନ୍ତି। ମଣିପୁରର ବିଭିନ୍ନ ଅଂଶରେ କେନ୍ଦ୍ରୀୟ ବାହିନୀ ମୁତୟନ କରିବାପାଇଁ ସେମାନେ ଅନୁରୋଧ କରିଛନ୍ତି। ସେହିଭଳି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ଏକ ଭିଡିଓ ବାର୍ତ୍ତା ଜାରି କରି ମଣିପୁରରେ ଶାନ୍ତି ପାଇଁ ଅନୁରୋଧ କରିଛନ୍ତି।

ମୁକ୍ତ ହେଲେ ୧୨ ଉଗ୍ରବାଦୀ

ମଣିପୁରରେ ଅସ୍ଥିରତା ଲାଗିରହିଛି। ସୁନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ ଜୁନ୍ ୨୪ ତାରିଖ ଦିନ ରାଜ୍ୟର ପୂର୍ବ ଇମ୍ଫାଲ୍ ଅନ୍ତର୍ଗତ ଇଥାମ୍ ଗ୍ରାମରେ ଅଭିଯାନ ଚଳାଇ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ଜବତ କରି ମଣିପୁରୀ ଉଗ୍ରବାଦୀ ସଙ୍ଗଠନ ‘କେୱାଇକେଏଲ୍’ର ୧୨ଜଣ କ୍ୟାଡର୍ଙ୍କୁ ଗିରଫ କରିଥିଲା। ଇଥାମ୍ ଗ୍ରାମରେ ମହିଳାମାନଙ୍କ ନେତୃତ୍ବରେ ପ୍ରାୟ ୧୫୦୦ ଉତ୍ତ୍ୟକ୍ତ ଜନତା ଘେରାଉ କରିବାରୁ ଶନିବାର ଦିନ ସେନା ବାଧ୍ୟ ହୋଇ ‘କାଙ୍ଗ୍ଲେଇ ୟାୱଲ୍ କାନ୍ନା ଲୁପ୍’ (କେୱାଇକେଏଲ୍) ୧୨ଜଣ ଉଗ୍ରବାଦୀଙ୍କୁ ମୁକ୍ତ କରିଦେଇଛି। ସରକାରୀ ଅଧିକାରୀମାନେ ଗଣମାଧ୍ୟମକୁ ଏହା କହିଛନ୍ତି। ସାଧାରଣ ନାଗରିକମାନଙ୍କ ଜୀବନ ବିପନ୍ନ ନ କରିବା ଲାଗି ସେନା ଭାବିଚିନ୍ତି ଏଭଳି ନିଷ୍ପତ୍ତି ଗ୍ରହଣ କରିବା ପରେ ଜବତ ଅସ୍ତ୍ରଶସ୍ତ୍ର ନେଇ ଘଟଣାସ୍ଥଳରୁ ଚାଲିଆସିଥିବା କଥା ସେମାନେ କହିଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments