ଭୁବନେଶ୍ୱର: ଆମେ ପୁରାଣରେ ପଢ଼ିଛେ ଯେ ତ୍ରେତୟା ଓ ଦ୍ୱାପର ଯୁଗରେ ଭଗବାନ ଯୁଦ୍ଧପାଇଁ ଧନୁ ଓ ତୀର ବ୍ୟବହାର ହେଉଥିଲା। ଆଦିମ ଯୁଗର ମନୁଷ୍ୟ ମଧ୍ୟ ଶିକାର ଉଦେଶ୍ୟ ହେଉ ଅଥବା ନିଜକୁ ସୁରକ୍ଷିତ ରଖିବା ପାଇଁ ଧନୁ ଓ ତୀର ବ୍ୟବହାର କରୁଥିଲେ। କିନ୍ତୁ ଅତ୍ୟାଧୁନିକ ଯୁଗରେ ମଣିଷ ଯେତେବେଳେ ହ୍ରିଂସ ରୂପ ଧାରଣ କରୁଛି ଓ ତୀରବିଦ୍ଧ କରୁଛି, ଯେକୌଣସି ବ୍ୟକ୍ତିଙ୍କୁ ଏହା ବ୍ୟଥିତ କରିପକାଇବ।
ଆଦିବାସୀ ଅଧ୍ୟୁଷିତ ଅଂଚଳରେ ପାରଂପରିକ ଅସ୍ତ୍ରକୁ ଦେଶ ସ୍ୱାଧୀନତା ପ୍ରାପ୍ତିର ୭୩ ବର୍ଷ ପରେ ମଧ୍ୟରେ ବ୍ୟବହାର କରାଯାଉଛି। ମାତ୍ର ଅଳ୍ପ ଦିନର ବ୍ୟବଧାନରେ ତୀର ଦ୍ୱାରା ଆକ୍ରମଣରେ ୨ ଜଣ ଗୁରୁତର ହୋଇଛନ୍ତି। ଏଥିରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ଶିକାର ହୋଇଛନ୍ତି। ମନୁଷ୍ୟ ଯେତେବେଳେ ହ୍ରିଂସ ରୂପ ନେଉଛି, ସେତେବେଳେ ସେ ନିଜ ପରିବାର କଥା ଚିନ୍ତା କରିପାରୁ ନାହିଁ । ନିଜେ ଯେତେବେଳେ ଅପରାଧୀ ହେଉଛି, ସେ ଆଇନର ପରିସର ଭିତରେ ରହିବାଟା ତ ସୁନିଶ୍ଚିତ । ଅପରାଧୀ ଯେତେବେଳେ ଜେଲ ଯାଏ ଅଥବା ମୃତ୍ୟୁ ଦଣ୍ଡର ସମ୍ମୁଖୀନ ହୁଏ, ସେହି ସମରେ ତାର ପରିବାର ଏକ ପ୍ରକାର ଅନାଥ ହୋଇଯାଇଥାଏ । କେବଳ ସେତିକି ନୁହେଁ ପ୍ରତିପକ୍ଷ ପରିବାରଟା ମଧ୍ୟ ଉଜୁଡିଯାଇଥାଏ ।
ମଝିଆ ଭାଇର ତୀର ମାଡ଼ର ଶିକାର ହେଲା ସାନ ଭାଇ
ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କେନ୍ଦୁମୁଣ୍ଡ ଗାଁରେ ଗତ ଶନିବାର ରାତିରେ ମଝିଆଁ ଭାଇର ତୀର ମାଡ଼ରେ ବଡ଼ଭାଇ ଗୁରୁତର ହୋଇଥିଲେ। ଗୁରୁତରଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଦୁଇ ଭାଇ ମଧ୍ୟରେ ସାମାନ୍ୟ ବଚସା ହେବାପରେ ଏହା ଝଗଡା ରୂପ ନେଇଥିଲା । ମଝିଆ ଭାଇ ତିବରୁ ପିଙ୍ଗୁଆ ରାଗରେ ଜର୍ଜରିତ ହୋଇ ବଡ଼ ଭାଇ ବୁଧୁରାମଙ୍କୁ ତୀର ମାରିଥିଲା। ଏହି ତୀର ବୁଧୁଙ୍କ ପେଟରେ ବାଜିଥିଲା ଗ୍ରାମବାସୀଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ବୁଧୁଙ୍କୁ କରଞ୍ଜିଆ ଡାକ୍ତରଖାନାକୁ ଅଣାଯାଇଥିଲା। କିନ୍ତୁ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।
ଫାଣ୍ଡି ଅଧିକାରୀଙ୍କୁ ତୀର ମାଡ଼
ଗତ ୫ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ଟେନ୍ସା ଫାଣ୍ଡି ଅଧିକାରୀଙ୍କୁ ତୀର ମରାଯାଇଥିଲା। ବେଆଇନ ଭାବେ ମଦ ପ୍ରସ୍ତୁତି କରାଯାଉଥିବା ସ୍ଥାନରେ ଚଢ଼ାଉ ପାଇଁ ଯାଇଥିବା ଫାଣ୍ଡି ଅଧିକାରୀ ଅଶୋକ କୁମାର ବେହେରା ତୀର ମାଡ଼ର ଶିକାର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଟେନସାସ୍ଥିତ ସେଲ ହସ୍ପିଟାଲ ଓ ପରେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତୀର ମାଡ କରିଥିବା ମଦ ବେପାରୀ ଘଟଣାସ୍ଥଳରୁ ଫେରାର ହୋଇ ହୋଇଯାଇଥିଲେ। ଘଟଣାର ପରଦିନ ପୁଲିସ ଅଭିଯୁକ୍ତ ମଦ ବେପାରୀକୁ ଗିରଫ କରିଥିଲା।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତୀର ମାଡ଼
ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା କୁକୁଡିମୁଣ୍ଡି ଗ୍ରାମରେ ଗତବର୍ଷ ଅକ୍ଟୋବର ୨୧ ତାରିଖରେ ମଧ୍ୟ ତୀର ମାଡ଼ ଘଟଣା ଘଟିଥିଲା। ଏହି ଥାନା ଅନ୍ତର୍ଗତ କୁକୁଡିମୁଣ୍ଡି ଗ୍ରାମରେ ଜମି ବାଡ଼ି ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ପଡୋଶୀକୁ ତୀର ମାଡ଼ କରିଥିଲା। ତୀର ମାଡ଼ର ଶିକାର ହେବା ପରେ ମୃତ ବ୍ୟକ୍ତି ସମରା ଦେହୁରୀଙ୍କୁ ଗୁରୁତର ଅବସ୍ଥାରେ ରାଇରଂଗପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସମରାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ପ୍ରେମ ସଂପର୍କ ଯୋଗୁଁ ତୀର ମାଡ଼
କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କାଳିଆହତା ଅଂଚଳରେ ଗତ ବର୍ଷ ଜୁନମାସରେ ବଡ଼ଭାଇର ତୀର ମାଡ଼ରେ ସାନଭାଇର ମୃତ୍ୟୁ ହୋଇଥିଲା। ଭାଉଜ ସହିତ ଅନୈତିକ ପ୍ରେମ ସଂପର୍କ ଯୋଗୁଁ ଏହି ହତ୍ୟାକାଣ୍ଡ ହୋଇଥିଲା। ବଡ଼ ଭାଇ ପ୍ରତିଶୋଧ ନେବାକୁ ଯାଇ ସାନଭାଇକୁ ତୀର ମାଡ଼ କରିଥିଲା।