Monday, October 14, 2024
Homeହିତାହିତ ଜ୍ଞାନ ଭୁଲିଗଲେ ହେତୁବାଦୀ!
Array

ହିତାହିତ ଜ୍ଞାନ ଭୁଲିଗଲେ ହେତୁବାଦୀ!

ଭୁବନେଶ୍ବର: ଗ୍ରହଣ ଓ ଆମିଷକୁ ନେଇ ବିଗତ ୧୫ ଦିନ ହେଲା ରାଜ୍ୟର ଗଣମାଧ୍ୟମରେ ଖବର ପ୍ରକାଶନ ଜାରି ରହୁଛି। ହେତୁବାଦୀ ଗୋଷ୍ଠୀ ଓ ପରଂପରାବାଦୀଙ୍କ ମଧ୍ୟରେ ଏହି ଅଘୋଷିତ ଲଢ଼େଇ ଚାଲିଛି। ଆସ୍ଥା, ଆମିଷ ଓ ଭୋଜନକୁ ନେଇ ଆରମ୍ଭ ହୋଇଥିବା ଅଘୋଷିତ ଲଢ଼େଇ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ସଂଘର୍ଷ ଦେଖାଯାଇଛି। ଉଭୟ ଗୋଷ୍ଠୀ ମଧ୍ୟରେ ପିଟାପିଟି ହୋଇଥିଲା। ଦୁଇ ଗୋଷ୍ଠୀର ସଦସ୍ୟ ବିଧା, ଗୋଇଠା ମାରିବା ସହିତ ଗୋବର ଓ ଢେଲାପଥର ମାଡ଼ କରିଥିଲେ। ପୁଲିସ୍ ଉପସ୍ଥିତ ଥିଲେ ବି କେହି ଭୟ କରୁ ନ ଥିଲେ। ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘ ସମୟ ଧରି ସଂଘର୍ଷ ଜାରି ରହିଥିଲା। ହେତୁବାଦୀଙ୍କର କାର୍ଯ୍ୟକଳାପକୁ ନେଇ ରାଜ୍ୟସାରା ଚର୍ଚ୍ଚା ହେଉଛି। ମଣିଷ ଯେଉଁଠି ରହୁନା କାହିଁକି ଶୃଙ୍ଖଳିତ ରହିବା ଦରକାର ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ଏହି ଦେଶର ନାଗରିକ ନିଜ ଇଚ୍ଛାରେ ଜୀବନ ପରିଚାଳନା କରିବାର ସ୍ବାଧୀନତା ରହିଛି। କିଏ କେବେ କ’ଣ ଖାଇବେ, ପିନ୍ଧିବେ, ବୁଲିବେ, ପାଳିବେ, ଦେଖିବେ ତାହା ବ୍ୟକ୍ତିଗତ। ଏହାକୁ ନେଇ ଗୋଷ୍ଠୀ ବିବାଦ ହେବା ଅତ୍ୟନ୍ତ ଦୁଃଖ ଦାୟକ। ଅନ୍ୟପଟରେ ଯେଉଁ ଗୋଷ୍ଠୀ ଗ୍ରହଣ ସମୟରେ ଖାଦ୍ୟ ଗ୍ରହଣ କରୁଛନ୍ତି ଅଥବା ଆମିଷ ଭୋଜନ କରୁଛନ୍ତି ତାହା ବି ବ୍ୟକ୍ତିଗତ। ସେମାନେ ଗଣମାଧ୍ୟମ ଆଗକୁ ନ ଆସି ଘର ଭିତରେ ବି ମନ ପସନ୍ଦର ଭୋଜନ କରିପାରନ୍ତେ। କିନ୍ତୁ ଚର୍ଚ୍ଚାକୁ ଆସିବା ପାଇଁ ଏକ ପ୍ରକାରର ଡ୍ରାମା କରୁଛନ୍ତି। ଗ୍ରହଣ ଦିନ ଆଗରୁ ମଧ୍ୟ ଲୋକେ ଆମିଷ ଖାଉଥିଲେ। କିନ୍ତୁ ନିଜକୁ ଏହି ଭଳି ଭାବେ ପ୍ରଦର୍ଶିତ କରୁ ନ ଥିଲେ।

ଭୁବନେଶ୍ବର-ବ୍ରହ୍ମପୁରରେ ତାଣ୍ଡବ

ଗ୍ରହଣରେ ଖାଦ୍ୟ ଭକ୍ଷଣକୁ ନେଇ ଦ୍ବିତୀୟ ଥର ପାଇଁ ମଙ୍ଗଳବାର ହେତୁବାଦୀ ଓ ପରଂପରାବାଦୀ ମୁହାଁମୁହିଁ ହୋଇଛନ୍ତି। ଭୁବନେଶ୍ବର ଓ ବ୍ରହ୍ମପୁରରେ ହେତୁବାଦୀମାନଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି। ବ୍ରହ୍ମପୁରରେ ସାମୂହିକ ଭୋଜନର ଆୟୋଜନ ହୋଇଥିଲା। ବଜରଂଗ ଦଳର କର୍ମୀଙ୍କ ସମେତ ପରଂପରାବାଦୀମାନେ ଆୟୋଜନ ସ୍ଥଳରେ ପହଞ୍ଚି ସାମୂହିକ ଭୋଜନର ଆୟୋଜନକୁ ତୀବ୍ର ବିରୋଧ କରିଥିଲେ। ହେତୁବାଦୀଙ୍କ ପକ୍ଷରୁ ଲଗାଇଥିବା ବ୍ୟାନରକୁ ଚିରି ଦେଇଥିଲେ। ଏଥି ସହିତ ଗୋବର ମାଡ଼ କରିଥିଲେ। ହେତୁବାଦୀମାନେ ମଧ୍ୟ ପଛରେ ପଡ଼ି ନ ଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଧସ୍ତଧସ୍ତା ହୋଇଥିଲା। ପରିସ୍ଥିତି ଅଣାୟତ ହେବାକୁ ପୁଲିସ୍ ଲାଠି ମାଡ଼ କରିଥିଲା।

ସୂର୍ଯ୍ୟୋପରାଗରେ ଖାଇଥିଲେ ଚିକେନ୍

ଗତ ଅମାବାସ୍ୟା ତିଥିରେ ଓଡ଼ିଶା ହେତୁବାଦୀ ସମାଜ ସୂର୍ଯ୍ୟୋପରାଗ ଜନିତ ଅନ୍ଧବିଶ୍ବାସ ଦୂର ପାଇଁ ବିରିୟାନି ଭୋଜି କରିଥିଲେ। ଏହି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ସଦସ୍ୟ ଯୋଗ ଦେଇଥିଲେ, ଯେଉଁଥିରେ କି ଡାକ୍ତର, ଅଧ୍ୟାପକ, ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ଭଳି ଅନେକ ହେତୁବାଦୀମାନେ ସାମିଲ ହୋଇଥିଲେ। ପରାଗ ସମୟରେ ଅନ୍ନ ଖାଇଲେ ହଜମ ହୁଏ ନାହିଁ ବୋଲି ସାଧାରଣରେ ଏକ ଧାରଣା ବହୁଦିନ ପୂର୍ବରୁ ରହିଛି। ଏଥିପାଇଁ ପରାଗ ସମୟରେ ପାକ ନିଷେଧ କରାଯାଇଥାଏ। କିନ୍ତୁ ହେତୁବାଦୀମାନେ ଏହାକୁ ଗ୍ରହଣ କରନ୍ତି ନାହିଁ।

ଶୁଣିଲେନି ପରାମର୍ଶ

ସୂର୍ଯ୍ୟୋପରାଗରେ ହେତୁବାଦୀ ସମାଜ ବିରିୟାନି ଖାଇବା ଓ ଅନ୍ୟମାନଙ୍କୁ ବିରିୟାନି ଖାଇବାକୁ ନେଇ ଜଗଦ୍ଗୁରୁ ଶଙ୍କରଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜା ଆକ୍ରୋଶ ଦେଖାଯାଇଥିଲେ। ଆମିଷ ଓ ବିରିୟାନୀ ଖାଇଥିବା ବ୍ୟକ୍ତିମାନେ ଅଜ୍ଞାନତାର ବଶବର୍ତ୍ତୀ ହୋଇଛନ୍ତି ବୋଲି କହିଥିଲେ। ସେମାନଙ୍କଠାରେ ସାଧୁଙ୍କ ଜ୍ଞାନ ନାହିଁ। ଆମର ଶାସ୍ତ୍ରୀୟ ବିଧି, ଦର୍ଶନ ବିଜ୍ଞାନ ଓ ବ୍ୟବହାର, ତିନିଟିଯାକ ବିଭିନ୍ନ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ। ଦିନରେ ଦହି ଖାଇଲେ ସ୍ବାସ୍ଥ୍ୟପକ୍ଷେ ହିତକର। କିନ୍ତୁ, ସୂର୍ଯ୍ୟାସ୍ତ ପରେ ଦହି ଖାଇଲେ ଦେହ ଅସୁସ୍ଥ ହେବ। ଶଙ୍କରାଚାର୍ଯ୍ୟ ବଡ଼ ପରାମର୍ଶ ଦେଇଥିଲେ ମଧ୍ୟ ହେତୁବାଦୀମାନେ ଶୁଣି ନାହାନ୍ତି।  

ଥାନାରେ ମାମଲା

ସୂର୍ଯ୍ୟୋପରାଗ ସମୟରେ ବ୍ରାହ୍ମଣ ସମାଜ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ନେଇ ସମ୍ବଲପୁର ଟାଉନ୍ ଥାନାରେ ବ୍ରହ୍ମ ମଣ୍ଡପ ପଣ୍ଡିତ ମହାସଭା ପକ୍ଷରୁ ହେତୁବାଦୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରାଯାଇଥିଲା। ମହାସଭା ପକ୍ଷରୁ ଚନ୍ଦ୍ରକାନ୍ତ ପାଣିଗ୍ରାହୀ ଲିଖିତ ଅଭିଯୋଗ କରିଥିଲେ। ଚନ୍ଦ୍ରଗ୍ରହଣ ଅବସରରେ ଟିଭିରେ ମନ୍ତବ୍ୟ ନେଇ ହାଇକୋର୍ଟର ବରିଷ୍ଠ ଆଇନୀଜୀବୀ  ଦିଲ୍ଲୀପ କୁମାର ଆଚାର୍ଯ୍ୟ ହେତୁବାଦୀ ଏବଂ ପଠାଣିସାମନ୍ତ ପ୍ଲାନେଟୋରିୟମ ଉପନିର୍ଦେଶକଙ୍କ ନାମରେ ଖଲ୍ଲିକୋଟ ଥାନାରେ ଏତଲା ଦେଇଛନ୍ତି। ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଏକ ବିଷୟ ଉପରେ ଆଲୋଚନା ଚକ୍ରରେ  ଭାଗ ନେଇଥିବା ହେତୁବାଦୀ ପ୍ରତାପ ରଥ, ସତ୍ୟରଞ୍ଜନ ପାଢୀ  ଏବଂ ପଠାଣିସାମନ୍ତ ପ୍ଲାନେଟୋରିୟମ ଉପନିର୍ଦେଶକ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ ଯେଉଁ ଭଳି ହିନ୍ଦୁ, ସନାତନ ଧର୍ମ କୁ ନେଇ ମନ୍ତବ୍ଯ ଦେଇଛନ୍ତି ତାହାକୁ ଘୋର ନିନ୍ଦା କରିବା ସହ ସେ  ୩ଜଣଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments