ନୂଆଦିଲ୍ଲୀ: ହିମାଚଳ ପ୍ରଦେଶକୁ ତିନିଦିନ ପର୍ଯ୍ୟନ୍ତ ହୋଇଥିବା ଲଗାଣ ବର୍ଷା ଅସ୍ତବ୍ୟସ୍ତ କରିଦେଇଛି । ରାଜ୍ୟରେ ଭୟଙ୍କର ବର୍ଷା ବିଭୀଷିକା କାରଣରୁ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହଙ୍କୁ ଜାତୀୟ ଜରୁରୀକାଳୀନ ଘୋଷିତ ଦାବି କରିବାକୁ ପଡ଼ିଛି । ବର୍ଷା ଯୋଗୁଁ ହିମାଚଳକୁ ପାଖାପାଖି ୧୦୫୦ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି । ଏହି ବିପର୍ଯ୍ୟୟ କାରଣରୁ ୮୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୨ ଜଣ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବନ୍ୟାଜଳରେ ୭୯ଟି ଘର ସଂପୂର୍ଣ୍ଣ ଭସାଇ ନେଇଥିଲା ବେଳେ ୩୩୩ ଘରକୁ ଆଂଶିକ କ୍ଷତି ପହଞ୍ଚାଇଛି । ରାସ୍ତାଘାଟ ଧୋଇନେଇଥିବାରୁ ହିମାଳଚ ପ୍ରଦେଶ ଲୋକ ସେବା ଆୟୋଗ (ଏଚ୍ପିପିଏସ୍ସି) ଦ୍ୱାରା ଆୟୋଜିତ ଜୁଲାଇ ୨୩ ପରୀକ୍ଷାକୁ ବାତିଲ କରିଦିଆଯାଇଛି ।
ହିମାଚଳ ପ୍ରଦେଶ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କହିବା ଅନୁସାରେ ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ୧୨୯୯ ସଡ଼କ ବନ୍ଦ କରାଯାଇଛି । ଏହା ବ୍ୟତୀତ ମଣ୍ଡିରୁ କୁଲ୍ଲୁକୁ ସଂଯୋଗ କରୁଥିବା ୨୧ ନମ୍ବର ଜାତୀୟ ରାଜପଥ, ଗ୍ରମ୍ଫୁ-ଲୋସର ୫୦୫ ନମ୍ବର ଜାତୀୟ ରାଜପଥ, କୁଲ୍ଲୁ-ମନାଲି ୩ ନମ୍ବର ଜାତୀୟ ରାଜପଥ ଓ ୭୦୭ ନମ୍ବର ଜାତୀୟ ରାଜପଥର ଶିଲାଇରେ ଗମନାଗମନ ଠପ ହୋଇଯାଇଛି । ପ୍ରବଳ ବର୍ଷା କାରଣରୁ ହିମାଚଳ ସଡ଼କ ପରିବହନ ନିଗମର ୮୭୬ ବସ୍ ରୁଟ୍ ପ୍ରଭାବିତ ହୋଇଛି । ସେହିପରି ୪୦୩ଟି ଯାତ୍ରୀବାହୀ ବସ୍ ବିଭିନ୍ନ ସ୍ଥାନରେ ଫସିଯାଇଛି ।
୫୦ ବର୍ଷ ମଧ୍ୟରେ ରେକର୍ଡ ବର୍ଷା
ମୁଖ୍ୟମନ୍ତ୍ରୀ କୁଲ୍ଲୁରେ ଆକାଶମାର୍ଗରୁ ସର୍ଭେ କରିଥିଲେ । ସର୍ଭେ ସମୟରେ ସେ କହିଥିଲେ ଯେ, ହିମାଚଳ ପ୍ରଦେଶରେ ବିଗତ ୫୦ ବର୍ଷ ମଧ୍ୟରେ ଏହିଭଳି ବର୍ଷା ହୋଇନାହିଁ । ହିମାଚଳ ପ୍ରଦେଶରେ ଜୁନ ୨୪ରେ ମୌସୁମୀ ଛୁଇଁଥିଲା । ଗଣମାଧ୍ୟମ ରିପୋର୍ଟ ଅନୁସାରେ ବର୍ଷା ଯୋଗୁଁ ଜଳ ଶକ୍ତି ବିଭାଗକୁ ୩୫୦.୫୦ କୋଟି, ପିଡବ୍ଲୁଡିକୁ ୬୧୬.୮ କୋଟି, ଉଦ୍ୟାନ କୃଷିକୁ ୭୦.୩୬ କୋଟି ଏବଂ ସହରାଞ୍ଚଳ ବିଭାଗକୁ ୩.୧୫ କୋଟି କ୍ଷତି ପହଞ୍ଚାଇଛି । ରାଜ୍ୟରେ ୪,୬୮୬ ବିଦ୍ୟୁତ ସୁବିଧା ଏବଂ ୭୮୫ ସ୍ଥାନରେ ପାନୀୟ ଜଳ ଯୋଜନା ପ୍ରଭାବିତ ହୋଇଛି । ଡେପୁଟି ମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ ବିଗତ ଦିନରେ କହିଥିଲେ ଯେ, ଜଳ ଶକ୍ତି ବିଭାଗର ୪୬୮୦ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି, ଯେଉଁଥିରେ କି ୩୨୩.୩୦ କୋଟି ଟଙ୍କା କ୍ଷତି ହୋଇଥିବା ଆଶଙ୍କା କରାଯାଉଛି । ରାଜ୍ୟବ୍ୟାପି ୨୫୦୦ ଟ୍ରାନ୍ସଫରର୍ମର ବନ୍ଦ ରହିଛି ।
ପ୍ରବଳ ବର୍ଷାର କାରଣ
ପାଣିପାଗ ବିଭାଗର ବୈଜ୍ଞାନିକ ସୋମା ସେନ୍ ରାୟଙ୍କ କହିବା ଅନୁସାରେ ମୌସୁମୀ ଓ ପଶ୍ଚିମା ଝଡ଼ ଜଳବାୟୁ ଉପରେ ପ୍ରଭାବ ପକାଇଥିଲା । ପ୍ରବଳ ବର୍ଷା କାରଣରୁ ବ୍ୟାସ ନଦୀ, ପାର୍ବତୀ ନଦୀ ଏବଂ ରାବୀ ନଦୀ ହିମାଚଳ ଦେଇ ପ୍ରବାହିତ ହୋଇଛି । ଏଥିରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେଉଛି । ଜୁଲାଇ ୧ରୁ ୯ ତାରିଖ ପର୍ଯ୍ୟନ୍ତ ସାଧାରଣ ୧୬୦.୬ ମିଲିମିଟର ତୁଳନାରେ ୨୭୧.୫ ମିମି ବର୍ଷା ହୋଇଥିଲା । ଏହା ୬୯ ପ୍ରତିଶତ ଅଧିକ ରେକର୍ଡ କରାଯାଇଥିଲା । ଜୁଲାଇ ୧୦ ତାରିଖରେ ରାଜ୍ୟରେ ସାଧାରଣ ଠାରୁ ୧୦୦୭ ପ୍ରତିଶତ ବର୍ଷା ଅଧିକ ହୋଇଥିଲା । ଦିନକରେ ରାଜ୍ୟରେ ହାରାହାରୀ୯୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା । ସାଧାରଣତଃ ଏହି ସମୟ କାଳରେ କେବଳ ୮.୩ ମିଲିମିଟର ବର୍ଷା ହୋଇଥାଏ । ପ୍ରାକୃତିକ ବିପର୍ଯ୍ୟୟ ପାଇ ରାଜ୍ୟ ସରକାର ହେଲ୍ପଲାଇନ୍ ନମ୍ବର ଜାରି କରିଛନ୍ତି ।
ବିପର୍ଯ୍ୟୟର କାରଣ
ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଅନୁସାରେ ନଦୀକୂଳରୁ ୨୫ ମିଟର ଦୂର ପର୍ଯ୍ୟନ୍ତ ନିର୍ମାଣ କାମ ବନ୍ଦ ରଖାଯାଇଛି । କିନ୍ତୁ ନଦୀତଟ ପର୍ଯ୍ୟନ୍ତ ବେଆଇନ ନିର୍ମାଣ କାର୍ଯ୍ୟକୁ ସ୍ୱୀକୃତି ଦିଆଯାଇଥିଲା । ଫଳତଃ ନଦୀକୂଳରେ ନିର୍ମାଣ ହୋଇଥିବା ଘର ବହିଯାଇଥିଲା । ସେହିପରି ନିୟମ ଅନୁସାରେ ବେଆଇନ ଉତ୍ତୋଳନ ନହେବା ଦରକାର । ବ୍ୟାସ, ରାବୀ, ପାର୍ବତୀରେ ବେଆଇନ ଉତ୍ତୋଳନ କରାଯାଇଛି । ମନାଲୀ ନିକଟରେ ରାଜପଥ ସଡ଼କ ଏଥି ପାଇଁ ପ୍ରଭାବିତ ହୋଇଛି । ଯେଉଁ ନଦୀକୁ ଲୋକେ ପୂଜା କରୁଥିଲେ, ସେଠାରେ ଉତ୍ତୋଳନ କରିଛନ୍ତି ।