Sunday, February 25, 2024
Homeଅନ୍ୟାନ୍ୟହୀରାକୁଦ ଜଳଭଣ୍ଡାରରେ ପଞ୍ଜୁରୀ ଭିତରେ ମାଛ ଚାଷ ପାଇଁ ପ୍ରୋତ୍ସାହନ

ହୀରାକୁଦ ଜଳଭଣ୍ଡାରରେ ପଞ୍ଜୁରୀ ଭିତରେ ମାଛ ଚାଷ ପାଇଁ ପ୍ରୋତ୍ସାହନ

ଭୁବନେଶ୍ବର: ହୀରାକୁଦ ଜଳଭଣ୍ଡାରରେ ପଞ୍ଜୁରୀ (କେଜ୍‌ କଲଚର୍‌) ଭିତରେ  ମାଛ ଚାଷ ପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ଘୋଷଣା କରିଛନ୍ତି। ଓଡ଼ିଶାରେ ୬.୮୪ ଲକ୍ଷ ହେକ୍ଟର ପରିମିତ ବିସ୍ତୃତ ମଧୁର ଜଳ ଉତ୍ସ ରହିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟରେ ପ୍ରାୟ ୮.୧୬ ଲକ୍ଷ ମେଟ୍ରିକ୍ ଟନ୍ ମାଛ ଉତ୍ପାଦିତ ହୋଇଛି। ଓଡ଼ିଶାରେ ଭାରତୀୟ କାର୍ପ ମାଛ ଓ ଅନ୍ୟ ପ୍ରଜାତି ମାଛର ଚାହିଦା ନିରନ୍ତର ବୃଦ୍ଧି ପାଉଛି। ରାଜ୍ୟ ସରକାର, ରାଜ୍ୟରେ ଥିବା ବୃହତ ଓ ମଧ୍ୟମ ଜଳଭଣ୍ଡାର ଗୁଡ଼ିକରେ ମଧୁର ଜଳ ମାଛ ଉତ୍ପାଦନ ବୃଦ୍ଧି ନିମନ୍ତେ ଏକ ନୀତି ପ୍ରଚଳନ ପୂର୍ବକ ପଞ୍ଜୁରୀ ଭିତରେ ମାଛ ଚାଷ ପାଇଁ ପ୍ରୋତ୍ସାହନ ଦେଉଛନ୍ତି। ବୃହତ ଓ ମଧ୍ୟମ ଜଳଭଣ୍ଡାରର ଜଳଉତ୍ସର ଏକ କ୍ଷୁଦ୍ର ଅଞ୍ଚଳକୁ (୧%) ଏଥି ନିମନ୍ତେ ବିନିଯୋଗ କଲେ, ଏହା ଓଡ଼ିଶା ରାଜ୍ୟର ମଧୁରଜଳ ମାଛ ଉତ୍ପାଦନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

ରାଜ୍ୟର ମଧୁର ଜଳ ମାଛ ଉତ୍ପାଦନ ବୃଦ୍ଧି ନିମନ୍ତେ, ପଞ୍ଜୁରୀ ଭିତରେ ମାଛ ଚାଷ ଏକ ଉନ୍ନତ ଓ ଅଭିନବ ଜ୍ଞାନ କୌଶଳ ଏବଂ ଏହା ପ୍ରଚୁର ମାଛ ଉତ୍ପାଦନ ପାଇଁ ଏକ ଉଜ୍ଜ୍ୱଳ ସମ୍ଭାବନା ସୃଷ୍ଟି କରିବ। ଏହା ଦ୍ୱାରା ରାଜ୍ୟ, ମାଛର ଆବଶ୍ୟକତା ପୂରଣ କରିବା ସହିତ ସ୍ୱାବଲମ୍ବୀ ହୋଇପାରିବ ଏବଂ ଜଳକୃଷି କ୍ଷେତ୍ରରେ

ମତ୍ସ୍ୟ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ସହିତ ନୂତନ ନିଯୁକ୍ତି ସୃଷ୍ଟି କରି ପାରିବ। ଏହି ପଞ୍ଜୁରୀ ବା କେଜ୍‌ ଗୁଡ଼ିକ ଜଳଭଣ୍ଡାରରେ ମାଛ ଚାଷ ନିମନ୍ତେ ଏକ ଆବଦ୍ଧ କ୍ଷେତ୍ର ଅଟେ। ସାଧାରଣତଃ ଏହା ଚାରିଦିଗରୁ ଜାଲ ଦ୍ୱାରା ଆବଦ୍ଧ କରାଯାଏ ଏବଂ କେବଳ ଉପରିଭାଗ ଖାଦ୍ୟ ପରିବେଷଣ ଏବଂ ପଞ୍ଜୁରୀସ୍ଥିତ ମାଛ ପରିଚାଳନା ନିମନ୍ତେ ଖୋଲା ରଖାଯାଏ। ଏହି ପଞ୍ଜୁରୀ ଗୁଡ଼ିକ ଗୋଲାକାର, ବର୍ଗାକାର କିମ୍ବା ଆୟତାକାର ଭଳି ବିଭିନ୍ନ ଆକୃତିର ହୋଇଥାଏ ଏବଂ ଉତ୍ପାଦନ ଦୃଷ୍ଟିରୁ ସବୁଗୁଡ଼ିକ ସମଉପଯୋଗୀ ଅଟେ। ଏହି ପଞ୍ଜୁରୀଗୁଡ଼ିକ ମୁଖ୍ୟତଃ ଚାଷ ପାଇଁ ଉଦ୍ଦିଷ୍ଟ ପ୍ରଜାତି, ସହନଶକ୍ତି, ମୂଲ୍ୟ, ପଦାର୍ଥର ଉପଲବ୍‌ଧତା, ନିର୍ମାଣ ନିମନ୍ତେ ସୁବିଧା ଓ ସହଜ ସରବରାହକୁ ଲକ୍ଷ୍ୟ ରଖି ପ୍ରସ୍ତୁତ କରାଯାଏ।

ପ୍ରଥମ ଦଫାରେ ଏହି ପଞ୍ଜୁରୀ ଭିତରେ ମାଛ ଚାଷ ନିମନ୍ତେ ହୀରାକୁଦ ଜଳଭଣ୍ଡାରକୁ ୫ଟି ଜୋନ୍ ଏବଂ ୧୦୦ ଗୋଟି ସବ୍‌ଜୋନ୍‌ରେ ବିଭକ୍ତ କରାଯାଇଛି। ଯେଉଁଥିରେ ପ୍ରାୟ ୨୪୦୦ଟି ପଞ୍ଜୁରୀ ସ୍ଥାପନ କରାଯାଇ ପାରିବ। ଏହି ସ୍ଥିରିକୃତ ସବ୍ ଜୋନ୍ ଗୁଡ଼ିକ ମୁଖ୍ୟତଃ ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି, ମତ୍ସ୍ୟ ଚାଷୀ, ଘରୋଇ ଉଦ୍ୟୋଗୀ ଏବଂ କମ୍ପାନୀମାନଙ୍କୁ ଲିଜ୍ ସୂତ୍ରରେ ପ୍ରଦାନ କରାଯିବ। ପ୍ରତ୍ୟେକ ସବ୍‌ଜୋନ୍‌ରେ ପଞ୍ଜୁରୀ ନିମନ୍ତେ ୬୦୦ ବର୍ଗ ମିଟର ପରିମିତ ଜଳଭାଗ ରହିବ ଏବଂ ସେଥିରେ ୬ ମିଟର ଲମ୍ବ, ୪ମିଟର ପ୍ରସ୍ଥ, ୪ ମିଟର ଗଭୀରତା ବିଶିଷ୍ଟ ୨୪ଟି ଆୟତାକାର ପଞ୍ଜୁରୀ କିମ୍ବା ୧୬ ମିଟର ବ୍ୟାସ ବିଶିଷ୍ଟ ୩ ଗୋଟି ଗୋଲାକାର ପଞ୍ଜୁରୀ ସ୍ଥାପନ କରାଯାଇ ପାରିବ। ପ୍ରତି ଆୟତକାର ପଞ୍ଜୁରୀରୁ ୩୦୦୦ କିଗ୍ରା ପର୍ଯ୍ୟନ୍ତ ମାଛ ଉତ୍ପାଦନ କରାଯାଇ ପାରିବ।

ଏହି ପଞ୍ଜୁରୀ ଗୁଡ଼ିକରେ ଭାକୁର, ରୋହି, ମିରିକାଳି, ଅମୁର କାର୍ପ, ଜଳଙ୍ଗ, ଏକଲିଙ୍ଗ ବିଶିଷ୍ଟ ଗିଫ୍‌ଟ୍ ଟିଲାପିଆ, ଭେକ୍‌ଟି, ଖୁରାଣ୍ଟ ଓ ବଟର୍ କ୍ୟାଟ୍ ଫିସ୍ (କଣ୍ଟିଆ) ଇତ୍ୟାଦି ପ୍ରଜାତିର ମାଛ ଚାଷ ନିମନ୍ତେ ଅନୁମତି ପ୍ରଦାନ କରାଯିବ। ପଞ୍ଜୁରୀ ଭିତରେ ମାଛ ଚାଷ ପାଇଁ ପ୍ରସ୍ତୁତ ନୀତି ଓ ନିୟମ ସମୁହରେ ଜଳର ଗୁଣବତ୍ତା ରକ୍ଷା, ପଞ୍ଜୁରୀ ପରିଚାଳନା ଓ ମାଛମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ସ୍ୱତନ୍ତ୍ର ସର୍ତ୍ତ ରଖାଯାଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments