Sunday, February 9, 2025
Homeହୃଦୟ ଜିତିଲେ ବାୟୁସେନାର ‘ସୂର୍ଯ୍ୟକିରଣ’ ଟିମ୍
Array

ହୃଦୟ ଜିତିଲେ ବାୟୁସେନାର ‘ସୂର୍ଯ୍ୟକିରଣ’ ଟିମ୍

ଭୁବନେଶ୍ବର: ଭାରତୀୟ ବାୟୁସେନାର ଏକ ସ୍ବତନ୍ତ୍ର ଟିମ୍ ‘ସୂର୍ଯ୍ୟକିରଣ’ ଓଡ଼ିଶାର ଆକାଶରେ ଶକ୍ତି ପ୍ରଦର୍ଶନ କରିଛି। ଟିମ୍ର ବାୟୁବୀରମାନେ ୯ଟି ହକ୍ ଲଢୁଆ ବିମାନରେ ଭୁବନେଶ୍ବର ଓ ପୁରୀରେ ନିଜର କଳା ପ୍ରଦର୍ଶନ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଏଥି ସହିତ ପରୋକ୍ଷରେ ବିଦେଶୀ ଶତ୍ରୁଙ୍କୁ ନିଜର ବଳ କେତେ ତାହା ଦର୍ଶାଇଛନ୍ତି। ଏହାର କାରଣ ହେଲା ଯେ, ‘ସୂର୍ଯ୍ୟକିରଣ’ର ଏୟାର ଶୋ’କୁ କେବଳ ଓଡ଼ିଶାବାସୀଙ୍କ ମଧ୍ୟରେ ସୀମତି ନ ଥିଲା। ବରଂ ରାଜ୍ୟର ଦୁଇଟି ପ୍ରମୁଖ ସ୍ଥାନରେ ଏହି ଶୋ’ର ଆୟୋଜନ ହୋଇଥିବାରୁ ରାଜ୍ୟ ବାହାର ଓ ବିଦେଶୀମାନେ ମଧ୍ୟ ଦେଖିବାର ସୁଯୋଗ ପାଇପାରିଛନ୍ତି।

ବିଶ୍ବର ପ୍ରସିଦ୍ଧ ସହରଗୁଡ଼ିକ ମଧ୍ୟରେ ପୁରୀ ହେଉଛି ଅନ୍ୟତମ। ଏଠାରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ବିଶାଳ ବେଳାଭୂମି ପାଇଁ ବିଦେଶୀ ନାଗରିକମାନଙ୍କ ମଧ୍ୟ ଅଧିକାଂଶ ସମୟରେ ଉପସ୍ଥିତି ଦେଖିବାକୁ ମିଳିଥାଏ। ବାୟୁସେନାର ଏୟାର ଶୋ’ ବେଳାଭୂମିରେ ଅନୁଷ୍ଠିତ ହୋଇଥିବାରୁ ଏହାକୁ ଓଡ଼ିଶା, ରାଜ୍ୟ ବାହାର ଓ ବିଦେଶୀ ନାଗରିକମାନେ ମଧ୍ୟ ଦେଖିଛନ୍ତି। ଏହି ଶୋ’ ଦେଖିବା ଦ୍ବାରା ବିଦେଶୀ ନାଗରିକମାନେ ମଧ୍ୟ ଜାଣିବାକୁ ପାଇଛନ୍ତି ଯେ, ଭାରତର ବାୟୁ ସେନା କେତେ ଦକ୍ଷ ଓ ସାହସୀ। ଯେଉଁ ବିଦେଶୀ ନାଗରିକମାନେ ବେଳାଭୂମିରେ ବାୟୁସେନାର ଶୋ’ ଦେଖିଛନ୍ତି ନିଶ୍ଚିତ ଭାବେ ନିଜ ଦେଶର ବାୟୁସେନା ସହିତ ବ୍ୟକ୍ତିଗତ ଭାବେ ତୁଳନା କରିବେ।

ଭୁବନେଶ୍ବର ଓ ପୁରୀରେ ଏୟାର ଶୋ’

ଓଡ଼ିଶାରେ ସୂର୍ଯ୍ୟକିରଣ ଟିମ୍ ଭୁବନେଶ୍ବରସ୍ଥିତ କୁଆଖାଇ ଓ ପୁରୀ ବେଳାଭୂମିରେ ଚଳିତ ମାସ ୧୬ ଓ ୧୮ ତାରିଖରେ ଶୋ’ କରିଛନ୍ତି। ବାୟୁବୀରମାନେ ଚିତ୍ତାକର୍ଷକ ଶୋ’ ପାଇଁ ୯ଟି ହକ୍ ବିମାନରେ ଭଳିକି ଭଳି ଦୁଃସାହସିକ କ୍ରୀଡ଼ା କୌଶଳ ଦେଖାଇଛନ୍ତି। ରାଜଧାନୀ ଓ ପୁରୀ ଆକାଶରେ ଲଢ଼ୁଆ ବିମାନର ଗର୍ଜନ ଶୁଭୁଥିଲା। ଏଥିପାଇଁ ବାୟୁସେନା ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ରାଜ୍ୟପାଳ ଗଣେଶ ଲାଲ ବାୟୁସେନାର ଏହି ଚିତ୍ତାକର୍ଷକ ଶୋ’ ଦେଖିବାକୁ କୁଆଖାଇ ବାଲିଯାତ୍ରା ପଡ଼ିଆରେ ଉପସ୍ଥିତ ଥିଲେ।

୫୦୦ରୁ ୧୦୦୦ ଫୁଟରେ ଉଡିଲା ଲଢୁଆ ବିମାନ

ସୂର୍ଯ୍ୟକିରଣ ଟିମ୍ ପକ୍ଷରୁ ହୋଇଥିବା  ଶୋ’କୁ  ଦୁଇଟି ପର୍ଯ୍ୟାୟ ଯଥା  କୋମ୍ପୋଜାଇଟ୍ ଓ ସିଙ୍କୋରେ ଭାଗ କରାଯାଇଥିଲା।  ପ୍ରଥମ ପର୍ଯ୍ୟାୟରେ ୫୦୦ରୁ ୧୦୦୦ଫୁଟ ଉଚ୍ଚତାରେ ସବୁ ବିମାନ ଭଡ଼ାଣ ଭରିଥିଲେ। ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଗୋଟିକ ପରେ ଗୋଟିଏ ସବୁ ବିମାନ ଆକାଶମାର୍ଗରେ ଚିତ୍ତାକର୍ଷକ ଶୋ’ ପ୍ରଦର୍ଶନ କରିଥିଲେ । ଏୟାର ଶୋ’ଦେଖିବାକୁ ଉଭୟ ସ୍ଥାନରେ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଲକ୍ଷାଧିକ ଲୋକଙ୍କର ଗହଳି ଦେଖିବାକୁ ମିଳିଥିଲା। ଶୋ’ ପାଇଁ କୁଆଖାଇ ନଦୀର ଉଭୟ ପାର୍ଶ୍ୱରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଓଡ୍ରାଫ୍ ଟିମ୍ ସହ ୪୫ ସେକ୍ସନ୍ ଫୋର୍ସ ମୁତୟନ ରହିଥିଲେ । ସେହିପରି ପୁରୀ ବେଳାଭୂମିରେ ମଧ୍ୟ ଅଘଟଣ ଓ ଦୁର୍ଘଟଣା ଏଡେଇବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।  

‘ସୂର୍ଯ୍ୟକିରଣ’ କ’ଣ?

ବାୟୁସେନାର ଏରୋବାଟିକ୍ ଡିସପ୍ଲେ ଟିମ୍ ଏହା ହେଉଛି ସୂର୍ଯ୍ୟକିରଣ। ୧୯୮୨ ମସିହାରେ ବାୟୁସେନାର ସୁବର୍ଣ୍ଣ ଜୟନ୍ତୀ ଅବସରରେ ପ୍ରଥମ ଏରୋବାଟିକ୍ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ମାଧ୍ୟମରେ  ୯ଟି ହକ୍  ହଣ୍ଟର ଏୟାରକ୍ରାଫ୍ଟ ଉଡାଇଥିଲେ ବାୟୁବୀର। ସେହି ସମୟରେ ଏହାର ନାଁ ‘ଥଣ୍ଡରବୋଲ୍ଟସ’ ରଖାଯାଇଥିଲା ।  ୧୯୯୦ ମସିହାରେ ଏଥିରେ ଭାରତ ନିର୍ମିତ ୪ଟି  କିରଣ ଏମ୍କେ ୨ ଟ୍ରେନର ସାମିଲ କରାଯାଇଥିଲା।  ୧୯୯୬ ବେଳକୁ ଏଥିରେ ଆଉ ଦୁଇଟି ଏୟାରକ୍ରାଫ୍ଟ ସାମିଲ କରାଯାଇଥିଲା । ଏଥିସହ ବାୟୁସେନାର ଏରୋବାଟିକ୍ ଡିସପ୍ଲେ ଟିମ୍ର ନୂଆ ନାଁ ରଖାଯାଇଥିଲା ‘ସୂର୍ଯ୍ୟ କିରଣ’। ଅକ୍ଟୋବର ୮ ତାରିଖରେ ବାୟୁସେନା ଦିବସ ଅବସରରେ ଏହି ଟିମ୍ ସ୍ବତନ୍ତ୍ର ଶୋ’ କରିଥାନ୍ତି।  ସୂର୍ଯ୍ୟକିରଣ ଟିମ୍ ପକ୍ଷରୁ ୨୦୦୧ରେ ବିଦେଶରେ ପ୍ରଥମଥର ପାଇଁ ଚିତ୍ତାକର୍ଷକ ଶୋ’ ପ୍ରଦର୍ଶନ କରିଥିଲେ। ତା’ପରଠାରୁ ସୂର୍ଯ୍ୟକିରଣ ଟିମ୍ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଚିତ୍ତାକର୍ଷକ ଶୋ’ ପ୍ରଦର୍ଶନ କରିଆସୁଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments