Tuesday, September 10, 2024
Homeଖବରପ୍ରମୁଖ ଖବରହ୍ରାସ ପାଇବ ମଦ୍ୟପାନଜନିତ ଅଘଟଣ!

ହ୍ରାସ ପାଇବ ମଦ୍ୟପାନଜନିତ ଅଘଟଣ!

ଭୁବନେଶ୍ବର: ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ପରିଚାଳିତ ଓଡ଼ିଶା ସରକାର ନୂଆ ଅବକାରୀ ନୀତି ପ୍ରଣୟନ କରିଛନ୍ତି। ସେପ୍ଟେମ୍ବର ମାସରୁ ଏହା ଲାଗୁ ହୋଇଥିବା ବେଳେ ୨୦୨୫ ମସିହା ମାର୍ଚ୍ଚ ମାସ କିମ୍ବା ପରବର୍ତ୍ତୀ ନୀତି ଆସିବା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ସରକାର କହିଛନ୍ତି। ନୂଆ ଅବକାରୀ ନୀତିରେ ବେଆଇନ ମଦ କାରବାରକୁ ରୋକିବା ତଥା ମଦ୍ୟପାନ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ ସର୍ତ୍ତ ରଖାଯାଇଛି। ନୂଆ ନୀତି ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ। ଗ୍ରାମାଞ୍ଚଳରେ କେବଳ ତିନି ତାରକା କିମ୍ବା ତା’ଠାରୁ ଅଧିକ ବର୍ଗର ହୋଟେଲ ବ୍ୟତୀତ କୌଣସି ନୂଆ ଠିପିଖୋଲା ଦୋକାନ ବ୍ୟବସ୍ଥା କରାଯାଇନାହିଁ।

ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଚଳିତ ଆର୍ଥିକ ବର୍ଷରେ ପୂର୍ବରୁ ନବୀକରଣ ହୋଇ ନ ଥିବା ୫୭ଟି ମଦଦୋକାନର ପୁନଃନବୀକରଣ କରାଯିବ ନାହିଁ। ପ୍ରତିବର୍ଷ ବର୍ଦ୍ଧିତ ହେଉଥିବା ସର୍ବନିମ୍ନ ନିଶ୍ଚିତ ପରିମାଣ(ଏମ୍ଜିକ୍ୟୁ ଫାକ୍ଟର)ର ଚଳିତବର୍ଷ ବୃଦ୍ଧି ହେବନାହିଁ। ବାର୍ଗୁଡ଼ିକ କେବଳ ସଙ୍ଗୀତ ପରିବେଷଣର ଅନୁମତି ପାଇବେ। କିନ୍ତୁ ନୃତ୍ୟ ପରିବେଷଣ(ବାର ଡ୍ୟାନ୍ସ)କୁ ଅନୁମତି ଦିଆଯିବ ନାହିଁ। ନିଶା ସେବନ ବିରୋଧରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରିଛନ୍ତି। ବେଆଇନ ମଦ କାରବାରକୁ ରୋକିବା ଏବଂ ଧରପଗଡ଼କୁ ଜୋରଦାର କରିବା ପାଇଁ ନୂଆ ଅବକାରୀ କେନ୍ଦ୍ର ପ୍ରତିଷ୍ଠା ସହ ନୂଆ ନିଯୁକ୍ତି, କର୍ମଚାରୀଙ୍କୁ ତାଲିମ ଏବଂ ଅଧିକ ଯାନ ଯୋଗାଇବା ପାଇଁ ନୂଆ ଅବକାରୀ ନୀତିରେ ବ୍ୟବସ୍ଥା ରହିଛି।

ବଢୁଛି ଚିକିଟି ମଦ ମୃତ୍ୟୁ ଘଟଣା

ରାଜ୍ୟରେ ନୂଆ ଅବକାରୀ ନୀତି ପ୍ରଣୟନ ହୋଇଥିବା ବେଳେ ଗଂଜାମ ଜିଲ୍ଲାର ଚିକିଟି ବିଷାକ୍ତ ମଦ୍ୟପାନ ଘଟଣାକୁ ନେଇ ଚର୍ଚ୍ଚା ଚାଲିଛି। କାରଣ ଏଠାରେ ଚତୁର୍ଥ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏଥି ସହିତ ମଦ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି। ଏଣେ ଆଉ ୩ ଜଣ ପୀଡ଼ିତଙ୍କର ଚିକିତ୍ସା ଚାଲିଛି। ତୃତୀୟ ବ୍ୟକ୍ତି ଭାବେ ଲକ୍ଷ୍ମଣଙ୍କ ମୃତ୍ୟୁ ହୋଇଥିଲା। ତାଙ୍କର ଏକ ମାତ୍ର ପୁଅ ଦୁଇ ବର୍ଷ ତଳେ ମରିଯାଇଥିଲା l ଲକ୍ଷ୍ମଣ ମୁଲ ଖଟି ପକ୍ଷାଘାତରେ ପୀଡିତ ଥିବା ସ୍ତ୍ରୀ ଏବଂ ପାଗିଳୀ ଝିଅଙ୍କ ଭରଣ ପୋଷଣ କରୁଥିଲେl ଲକ୍ଷ୍ମଣଙ୍କ ମୃତ୍ୟୁରେ ବେସାହାରା ହୋଇଯାଇଛନ୍ତି ପରିବାରl ଏଣୁ ରାଜ୍ୟ ସରକାର ଲକ୍ଷ୍ମଣଙ୍କ ସମେତ ସମସ୍ତ ମଦ ମୃତ୍ୟୁ ପରିବାରଙ୍କୁ ତୁରନ୍ତ ୨୦ ଲକ୍ଷ କ୍ଷତିପୂରଣ ଯୋଗାଇବାକୁ ଜେନାପୁର ସାହି ବାସିନ୍ଦା ଦାବୀ ଜଣାଇଛନ୍ତି। ଏମକେସିଜି ମେଡ଼ିକାଲ ଆଇସିୟୁରେ ଚିକିତ୍ସିତ ହେଉଥିବା ଜୁର ବେହେରାଙ୍କର ପ୍ରଥମେ ପ୍ରାଣହାନି ଘଟିଥିଲା। ମୃତକ ଚିକିଟି ଜେନାପୁର ବାସିନ୍ଦା। ଜୁର ବେହେରାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଜେନାପୁର ଠାରେ ମୃତକ ଜୁର ବେହେରାଙ୍କ ଶବ ରଖି ରାସ୍ତାରୋକ ଆରମ୍ଭ କରିଥିଲେ ଗ୍ରାମବାସୀ। ଏହାପରେ ଏହି ଘଟଣାରେ ଆଉଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ବିଷାକ୍ତ ମଦ ପିଇ ୨୦ରୁ ଉର୍ଦ୍ଧ୍ୱ ଲୋକ ଅସୁସ୍ଥ ହେଲା ପରେ ଗୁରୁତର ସେମାନଙ୍କୁ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।  

ସ୍ବାଗତଯୋଗ୍ୟ ପଦକ୍ଷେପ

ସରକାର ନୂଆ ଅବକାରୀ ନୀତି ଆଣିଛନ୍ତି। ନିଶ୍ଚିତ ଭାବେ ଏହା ସ୍ବାଗତଯୋଗ୍ୟ ପଦକ୍ଷେପ। ମଦ୍ୟପାନ କରୁନଥିବା ଲୋକ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରୁଥିବା ବେଳେ ଏଥିରେ ସଂଶ୍ଲିଷ୍ଟ ରହୁଥିବା ଲେକେ ସମାଲୋଚନା କରିବା ସ୍ବାଭାବିକ। ଅନ୍ୟପଟରେ କେବଳ ନୀତି ଲାଗୁ କରିଦେବା ବଡ଼କଥା ନୁହେଁ। ବରଂ ନୀତିକୁ କେମିତି ପାଳନ କରାଯାଇପାରୁ ତାହା ଗୁରୁତ୍ବପୂର୍ଣ୍ଣ। ରାଜ୍ୟର ଉପାନ୍ତ ଓ ଆଦିବାସୀ ବହୁଳ ଅଞ୍ଚଳରେ ବ୍ୟାପକ ଦେଶୀମଦ ଚୋରା କାରବାର ହେଉଛି। ଅବକାରୀ ଓ ପୁଲିସ ସମସ୍ତଙ୍କୁ ଠାବ କରିବାରେ ସଫଳ ହୋଇପାରୁ ନାହିଁ। ଚୋରାଚାଲାଣ ବେଳେ ଅନେକ ଅଭିଯୁକ୍ତ ପୁଲିସ ଓ ଅବକାରୀ ହାବୁଡ଼ରେ ପଡୁଛନ୍ତି। କିଛି ମାମଲା ସଲାସତୁରାରେ ସମାଧାନ ହୋଇଯାଇଥାଏ। ଅର୍ଥାତ ମାମଲା ଆଗକୁ ବଢ଼ି ନଥାଏ।

ମଦ ଉଜାଡୁଛି ପରିବାର

ବିଶ୍ବର ସବୁ ଦେଶର ଲୋକେ ମଦ୍ୟପାନ କରୁଛନ୍ତି। ଭାରତ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ତେବେ ଭାରତର ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଲୋକେ ଅଧିକ ମଦ୍ୟପାନ କରୁଛନ୍ତି। ଭାରତରେ ୧୮.୭ ପ୍ରତିଶତ ଲୋକ ମଦ୍ୟପାନ କରନ୍ତି। ସହରାଞ୍ଚଳରେ ଏହା ୧୬.୫ ପ୍ରତିଶତ ଥିବା ବେଳେ ଗ୍ରାମାଞ୍ଚଳରେ ଏହା ୧୯.୯ ପ୍ରତିଶତ। ମଦ୍ୟପାନ ମାମଲରେ ଅରୁଣାଚଳ ପ୍ରଦେଶ ଆଗରେ ରହିଛି। ଲକ୍ଷାଦୀପରେ ପୁରୁଷମାନଙ୍କ ମଦ୍ୟପାନ ହାର ୦.୪ ପ୍ରତିଶତ। କେରଳରେ ମହିଳାମାନେ ୦.୨ ପ୍ରତିଶତ ମଦ୍ୟପାନ କରନ୍ତି। ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମହିଳାମାନେ ମଦ୍ୟପାନ କରନ୍ତି। ରାଉରକେଲାରେ ପ୍ରାୟତଃ ଅଧିକ ସମୟରେ ମଦଜନିତ ଘଟଣା ଦେଖିବାକୁ ମିଳୁଛି। ମଦ୍ୟପାନ ଯୋଗୁଁ ଅନେକଙ୍କ ପରିବାର ଉଜୁଡି ଯାଉଛି। ସମାଜରେ ବିଶୃଙ୍ଖଳା ଦେଖାଯାଉଛି। ଗୁଜରାଟ ଓ ବିହାର ବ୍ୟତୀତ ଅନ୍ୟ ରାଜ୍ୟରେ ମଦକୁ ନିଷେଧ କରାଯାଇପାରୁ ନାହିଁ। ସରକାର ରାଜସ୍ବ ଆଶାରେ ଏହାକୁ ବନ୍ଦ କରିପାରୁ ନାହାନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments