Tuesday, September 10, 2024
Homeୟୁକ୍ରେନ୍ ଛାଡ଼ିଲେଣି ୧୦ଲକ୍ଷ ବିଦେଶୀ ନାଗରିକ
Array

ୟୁକ୍ରେନ୍ ଛାଡ଼ିଲେଣି ୧୦ଲକ୍ଷ ବିଦେଶୀ ନାଗରିକ

ଭୁବନେଶ୍ୱର: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଗତମାସ ୨୪ ତାରିଖ ଠାରୁ ଯୁଦ୍ଧ ଜାରି ରହିଛି । ୟୁକ୍ରେନରୁ ଏକାଧିକ ସହରକୁ ରୁଷିଆର ସୈନିକମାନେ ଅକ୍ତିଆର କରିସାରିଛନ୍ତି । ବଡ଼ ବଡ଼ ପ୍ରତିଷ୍ଠାନ ଉପରେ ରୁଷିଆ ତରଫରୁ ଆକ୍ରମଣ କରାଯାଉଛି । ଫଳରେ ବହୁ ଧନଜୀବନକୁ କ୍ଷତି ପହଞ୍ଚାଉଛି । ବିଗତ ୭ଦିନ ମଧ୍ୟରେ ଗୁଳି, ବୋମା, ରକେଟ ଓ ମିସାଇଲ ମାଡ଼ରେ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇସାରିଛି । ୟୁକ୍ରେନରେ ପରିସ୍ଥିତି ବହୁତ ଖରାପ ଥିବାରୁ ବିଦେଶୀ ନାଗରିକମାନେ ସ୍ୱଦେଶକୁ ଫେରିଯାଉଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏପର୍ଯ୍ୟନ୍ତ ୧୦ ଲକ୍ଷରୁ ଊଦ୍ଧ୍ୱର୍ ବିଦେଶୀ ନାଗରିକ ୟୁକ୍ରେନ୍ ଛାଡ଼ିସାରିଛନ୍ତି । ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହୋଇଛି । ଫେବ୍ରୁଆରୀ ୩ ତାରିଖରେ ପୁଣି ଥରେ ଉଭୟ ଦେଶ ମଧ୍ୟରେ ବେଲାରୁଷରେ ଆଲୋଚନା ହେଉଛି ।

ୟୁକ୍ରେନରେ ଅଟକି ରହିଯାଇଥିବା ଭାରତୀୟ ନାଗରିକମାନଙ୍କୁ ଆଣିବା ପାଇଁ ଭାରତ ସରକାର ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି । ଭାରତୀୟ ବାୟୁ ସେନା ସମେତ ଅନ୍ୟ ବିମାନ ମାଧ୍ୟମରେ ୟୁକ୍ରେନରୁ ଭାରତୀୟମାନଙ୍କୁ ଉଦ୍ଧାର କରାଯାଉଛି । ବାୟୁସେନାର ସି-୧୭ ଗ୍ଲୋବମାଷ୍ଟର ବିମାନ ରୋମାନିଆ ଓ  ୟୁକ୍ରେନରୁ ଫେରିଆସିଛି । ଭାରତୀୟ ନାଗରିକଙ୍କୁ ନେଇ ୩ଟି ସି-୧୭ ଗ୍ଲୋବମାଷ୍ଟର ବିମାନ ନିଜର ହୋମବେସ ହିଣ୍ଡନରେ ଗୁରୁବାର ସକାଳୁ ଅବତରଣ କରିଛି । ହିଣ୍ଡରନରେ ଭାରତୀୟଙ୍କୁ ସ୍ୱାଗତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଅଜୟ ଭଟ୍ଟ ମଧ୍ୟ ହିଣ୍ଡନ ପହଞ୍ଚିଥିଲେ । କେନ୍ଦ୍ରମନ୍ତ୍ରୀ ୟୁକ୍ରେନ ଫେରନ୍ତାଙ୍କ ସୁଖଦୁଃଖ କଥା ପଚାରି ବୁଝିଛନ୍ତି । ଭାରତ ସରକାରଙ୍କ ୪ ଜଣ ମନ୍ତ୍ରୀ ୟୁକ୍ରେନ୍ର ପଡୋଶୀ ଦେଶକୁ ଯାଇଛନ୍ତି । ଯେତେଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ନାଗରିକଙ୍କୁ ସେଠାରୁ ଉଦ୍ଧାର କରା ନଯାଇଛି, ସେତେଦିନ ପର୍ଯ୍ୟନ୍ତ ଭାରତୀୟ ବାୟୁସେନାର ବିମାନ ସହିତ ଘରୋଇ ଉଡାଣ ମଧ୍ୟ ପରିଚାଳନା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତ ।

ଉଦ୍ଧାର କାମରେ ୯ ବିମାନ

ବିଗତ ୪ ଦିନ ମଧ୍ୟରେ ଭାରତ ସରକାର ୟୁକ୍ରେନ୍ରେ ଥିବା ଭାରତୀୟମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ବହୁ ଉଦ୍ୟମ କରୁଛନ୍ତି । ଭାରତୀୟ ଛାତ୍ରଛାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆର ବିମାନ ମୁମ୍ବାଇ ଆସିିଛି । ଏଥିରେ ୧୮୩ ଜଣ ଭାରତୀୟ ବୁଖାରେଷ୍ଟରୁ ଫେରିଛନ୍ତି । ପୂର୍ବରୁ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଟୁଇଟ କରି କହିଥିଲେ ଯେ, ବାୟୁସେନା ସମେତ ୯ଟି ବିମାନ ଆଜି ହଙ୍ଗେରି, ରୋମାନିଆ, ସ୍ଲୋଭାକିଆ ଓ ପୋଲାଣ୍ଡରୁ ଦିଲ୍ଲୀ ପହଞ୍ଚିଛି । ଏହା ବ୍ୟତୀତ ଅନ୍ୟ ୬ଟି ବିମାନ ଖୁବ ଶୀଘ୍ର ଆସିବ । ସେ ଟୁଇଟ୍ କରି କହିଥିଲେ ଯେ, ମୋଟ ୩୦୦୦ ଭାରତୀୟଙ୍କୁ ଆଣିବାର ବାକି ଅଛି ।    

କଥାହେଲେ ମୋଦୀ-ପୁତିନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ ବୁଧବାର ଫୋନ୍ରେ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ୨ୟ ଥର ପାଇଁ ପୁତିନଙ୍କ ସହିତ କଥା ହୋଇଛନ୍ତି । ଏହି କଥାବାର୍ତ୍ତା ବେଳେ ପୁତିନ ଭରସା ଦେଇଛନ୍ତି ଯେ, ୟୁକ୍ରେନ୍ରେ ଫସିଥିବା ଭାରତୀୟମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସହାୟତା ଦେବେ ।
ଖାରକିଭକୁ ରୁଷିଆ ନିୟନ୍ତ୍ରଣ କରିସାରିଛି । ଏଠାରେ ବହୁ ସଂଖ୍ୟାରେ ଭାରତୀୟ ଛାତ୍ର-ଛାତ୍ରୀମାନେ ଥିବା ବେଳେ ସେମାନଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି ରୁଷିଆ ପ୍ରତିଶ୍ରୁତି ଦେଇଛି । ଏକ ସ୍ୱତନ୍ତ୍ର କରିଡର ମାଧ୍ୟମରେ ଖୁବ ଶୀଘ୍ର ରୁଷିଆ ନେଇ ସେଠାରୁ ଭାରତ ପଠାଇ ଦିଆଯିବ ବୋଲି ପୁତିନ କହିଛନ୍ତି ।

ଫେରୁଛନ୍ତି ଓଡ଼ିଆ ଛାତ୍ରୀ

ୟୁକ୍ରେନ୍ରେ ୧୧ ଲକ୍ଷ ୩୩ ହଜାର ୭୪୯ ବିଦେଶୀ ଛାତ୍ରଛାତ୍ରୀ ମେଡିକାଲ ଓ ଅନ୍ୟ ବିଷୟରେ ପାଠ ପଢ଼ୁଛନ୍ତି । ସେହିପରି ଭାରତରୁ ପ୍ରାୟ ୧୮ ହଜାର ଛାତ୍ରଛାତ୍ରୀ ୟୁକ୍ରେନରେ ପଢ଼ିବା ପାଇଁ ଯାଇଛନ୍ତି । ୟୁକ୍ରେନରେ ବର୍ତ୍ତମାନ ସ୍ଥିତି ଖରାପ ଥିବାରୁ ସେମାନେ ଫେରିଆସୁଛନ୍ତି । ଭାରତୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନେକ ଅଛନ୍ତି ଓଡ଼ିଆ । ୟୁକ୍ରେନ୍ର ଉଦଗ୍ରୋଦରେ ଯଦିଓ ଯୁଦ୍ଧର ପ୍ରଭାବ ସେତେ ବେଶୀ ନୁହେଁ, ତଥାପି ଆଗାମୀ ଦିନରେ ବଡ଼ ଆଶଙ୍କାକୁ ଦୃଷ୍ଟିରେ ରଖି ସେଠାରୁ ମଧ୍ୟ ଛାତ୍ରଛାତ୍ରୀମାନେ ସ୍ୱଦେଶ ଫେରିଯାଉଛନ୍ତି । ସେଠାରେ ଏବେ ଥିବା ଭାରତୀୟମାନେ ବଡ଼ ସଙ୍କଟ ମଧ୍ୟରେ ଦିନ କାଟୁଛନ୍ତି । ଜୀବନର କୌଣସି ନିଶ୍ଚିତତା ନାହିଁ । ବହୁଦୂର ଚାଲିଚାଲି ଯିବାକୁ ପଡୁଛି । ପୁଣି ସୀମା ଡେଇଁବା ପାଇଁ ମଧ୍ୟ ଅସୁବିଧାର ସାମ୍ନା କରିବାକୁ ପଡୁଛି । ଖାର୍କିଭ ଓ ଲିଲିଭ ଅଞ୍ଚଳରେ ସ୍ଥିତି ଅଧିକ ଭୟଙ୍କର ରୂପ ଦେଖିବାକୁ ମିଳିଛି ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments