ଭୁବନେଶ୍ୱର: କରୋନା ଭାଇରସ ମହାମାରୀ କାରଣରୁ ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅଫ୍ଲାଇନ୍ କ୍ଲାସ ବନ୍ଦ ରହିଛି । ଶିକ୍ଷାବର୍ଷ ୨୦୨୧-୨୨ ଆରମ୍ଭ ହୋଇଯାଇଥିଲେ ବି କୋଭିଡ ସଂକ୍ରମଣର ଉଗ୍ର ରୂପ ପାଇଁ ପିଲାମାନଙ୍କର ପାଠପଢ଼ାରେ ବ୍ୟାପକ ବାଧା ଉପୁଜିଛି । ଏହାରି ମଧ୍ୟରେ ରାଜ୍ୟ ସରକାର ଗତ ୨୧ ତାରିଖ ଠାରୁ ୟୁଟ୍ୟୁବ ମାଧ୍ୟମରେ ପାଠ ପଢ଼ା ଆରମ୍ଭ କରିଦେଇଛନ୍ତି । ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ଏହି ଅନ୍ଲାଇନ୍ କ୍ଲାସ ଜାରି ରହିଛି । ସପ୍ତାହକୁ ୫ ଦିନ (ସୋମବାର ଠାରୁ ଶୁକ୍ରବାର) ଅନ୍ଲାଇନ୍ କ୍ଲାସ ହେଉଥିବା ବେଳେ ଶନିବାର ଓ ରବିବାର ଏହା ବନ୍ଦ ରହୁଛି ।
ରାଜ୍ୟ ସରକାର କେଉଁ ଶ୍ରେଣୀରେ କେଉଁ ବିଷୟରେ ପାଠ ପଢ଼ାଇବେ ସମୟ ସାରଣୀ ଜାରି କରିଛନ୍ତି । ରାଜ୍ୟର ବଛା ବଛା ଶିକ୍ଷକଙ୍କୁ ନେଇ ପାଠ ପଢ଼ାଉଛନ୍ତି । ଶିକ୍ଷକମାନଙ୍କର ଶିକ୍ଷାଦାନ ଶୈଳୀ ବି ଉଚ୍ଚକୋଟୀର । କିନ୍ତୁ ଏସବୁ ସତ୍ତ୍ୱେ ୟୁଟ୍ୟୁବ କ୍ଲାସରେ ଛାତ୍ରଛାତ୍ରୀଙ୍କର ଭାଗିଦାରୀ ନୈରାଶ୍ୟ ଜନକ । ଚଳିତ ଶିକ୍ଷା ବର୍ଷରେ ପ୍ରାୟ ୬ ଲକ୍ଷ ପିଲା ମାଟ୍ରିକ ପରୀକ୍ଷା ଦେବେ । କିନ୍ତୁ ବହୁତ କମ ଛାତ୍ରଛାତ୍ରୀ ଏବେ ଅନ୍ଲାଇନ୍ କ୍ଲାସରେ ସକ୍ରିୟ ରହୁଛନ୍ତି । ସହରାଂଚଳରେ ପିଲାମାନେ ଏକ ପ୍ରକାର ସକ୍ରିୟ ରହୁଥିବା ବେଳେ । ଗ୍ରାମାଂଚଳ ଏହା କମ । ଦୁର୍ଗମ ଓ ଜଙ୍ଗଲ ଘେରା ଗାଁର ଅବସ୍ଥା ଆହୁରି ଖରାପ ।
ସ୍ମାର୍ଟଫୋନ୍-ଇଣ୍ଟରନେଟ ଅଭାବ
ଗ୍ରାମାଂଚଳ ଓ ଦୁର୍ଗମ ଅଂଚଳରେ ଲୋକଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ପିଲାମାନଙ୍କର ଅନ୍ଲାଇନ୍ ପାଠରେ ସ୍ମାର୍ଟ ଫୋନ୍ ଏକ ପ୍ରମୁଖ ସମସ୍ୟା । କିଛି ଲୋକଙ୍କ ପାଖରେ ସ୍ମାର୍ଟଫୋନ୍ ଥିଲେ ବି ଇଣ୍ଟରନେଟର ଅଭାବ ରହୁଛି । ସ୍ମାର୍ଟରେ ଅନ୍ଲାଇନ ପାଠ ପଢ଼ିବା ପାଇଁ ଇଣ୍ଟରନେଟ ଡାଟା ଦରକାର । ଧରାଯାଉ ଦଶମ କ୍ଲାସରେ ଦିନକୁ ପ୍ରାୟ ୪ଟି କ୍ଲାସ ହେଉଛି । ଏହି ୪ଟି କ୍ଲାସରେ ଯୋଗ ଦେବାକୁ ହେଲେ ୧.୫ ଜିବି ଡାଟା ଆବଶ୍ୟକ । ଏକ ମାସ ପାଇଁ ପାଖାପାଖି ୪୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । କିନ୍ତୁ ଗରିବ ପରିବାରକୁ ୪୦୦ ଟଙ୍କା ବହୁତ ବଡ଼ ।
ପାହାଡ଼ ଉପରେ ପାଠ
ସମସ୍ୟା ଏତିକିରେ ଅଟକିନାହିଁ । ଏବେ ବି ରାଜ୍ୟର ଅନେକ ଗାଁ ଅଛି, ଯେଉଁଠି ମୋବାଇଲ ନେଟୱାର୍କ ନଥାଏ । ଏଭଳି ସ୍ଥାନର ପିଲାମାନେ ନେଟୱାର୍କ ପାଇବା ପାଇଁ ପାହାଡ ଉପରକୁ ଚଢ଼ିବା ପଛାଉ ନାହାନ୍ତି । ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକର ଟିଟିମିରି ଗାଁ ହେଉଛି ଏହାର ଜ୍ୱଳନ୍ତ ଉଦାହରଣ । ଏଠାରେ ପିଲାମାନେ ନେଟୱାର୍କ ପାଇପାରୁ ନଥିବାରୁ ପାଠ ପଢ଼ିବା ଲାଗି ୨ କିଲୋମିଟର ପାହାଡ଼ ଚଢୁଥିବା ଦୃଷ୍ଟିଗୋଚର ହେଉଛି । ପିଲାମାନଙ୍କର ପାଠପଢ଼ାରେ ବର୍ଷା ବାଧକ ସାଜୁଥିବା ବେଳେ ଅଭିଭାବକ ମାନେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବାରୁ ସ୍ମାର୍ଟଫୋନ କିଣିପାରୁ ନାହାନ୍ତି ।
ଉପସ୍ଥାନ ହାର ସାମାନ୍ୟ
ଗତ ୨୫ ତାରିଖ ୧୯ଟା ୪୫ରେ ଦଶମ ଶ୍ରେଣୀର ଇଂରାଜୀ କ୍ଲାସ ଥିଲା । ଏଥିରେ ୩୬ ହଜାର ପିଲା ଅଂଶଗ୍ରହଣ କରିଥିଲେ । ବୈଷୟିକ ସମସ୍ୟା କାରଣରୁ ବିଜ୍ଞାନ କ୍ଲାସ ଅଧାରେ ଅଟକିଯାଇଥିଲା । ୧୭ ମିନିଟରେ ୧୧ ହଜାର ୩୪୫ ଜଣ ଛାତ୍ରଛାତ୍ରୀ ଅନ୍ଲାଇନ୍ ଥିଲେ । ସେହିପରି ୯ମ ଶ୍ରେଣୀ ବିଜ୍ଞାନ କ୍ଲାସରେ ୩୬ ମିନିଟ ପର୍ଯ୍ୟନ୍ତ ପ୍ରାୟ ୨୪ ହଜାର ଛାତ୍ରଛାତ୍ରୀଙ୍କ ଉପସ୍ଥିତି ଦର୍ଶାଉ ଥିଲା । ପିଲାମାନଙ୍କର ଉପସ୍ଥାନ ହାର କମ ରହୁଥିବା ଦୃଷ୍ଟିଗୋଚର ହେଉଛି । ୟୁଟ୍ୟୁବ୍ରେ ପିଲାମାନେ ଅନ୍ଲାଇନ୍ ନ ହେବାର ଅନ୍ୟ ଏକ କାରଣ ହେଉଛି, ପରେ ମଧ୍ୟ ପଢ଼ାଯାଇପାରିବ । କିନ୍ତୁ କ୍ଷୋଭର ବିଷୟ ହେଲା ଯେ, ରାଜ୍ୟରେ ଦଶମ ଶ୍ରେଣୀରେ ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ଥିବା ବେଳେ ସେଥିରୁ ୫୦ ହଜାର ଛାତ୍ର ଏକକାଳୀନ କ୍ଲାସ କରୁ ନଥିବା ଦୃଷ୍ଟିଗୋଚର ହେଉଛି ।