ଭୁବନେଶ୍ୱର: ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ୟୁଟ୍ୟୁବ୍ରେ କ୍ଲାସ ଜାରି ରହିଛି । ରାଜ୍ୟବ୍ୟାପୀ ଏବେ ପ୍ରାୟ ୧୨ ଲକ୍ଷ ଛାତ୍ରଛାତ୍ରୀ ପିଲା ଏହି କ୍ଲାସ ସହିତ ଜଡ଼ିତ ରହୁଛନ୍ତି । ପ୍ରାୟ ୪ ଲକ୍ଷ ପିଲା ୟୁଟ୍ୟୁବର କ୍ଲାସକୁ ସବ୍ସ୍କ୍ରାଇବ୍ କରିଥିବା ନେଇ ରାଜ୍ୟ ସରକାର କହିଛନ୍ତି । କିନ୍ତୁ ରାଜ୍ୟରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ପାଖାପାଖି ୮୦ ଲକ୍ଷ ଛାତ୍ରଛାତ୍ରୀ ଅଛନ୍ତି । ଏଥିରୁ ଯଦି ୧୨ ଲକ୍ଷ ପିଲା କ୍ଲାସ କରୁଛନ୍ତି, ତା’ହେଲେ ସିଂହ ଭାଗ ଅନୁପସ୍ଥିତ ରହୁଛନ୍ତି । ତଥାପି ରାଜ୍ୟ ସରକାର ନିଜର ବାହାଦୁରୀ ନେଉଛନ୍ତି ।
ରାଜ୍ୟରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ପ୍ରାୟ ୫୮ ଲକ୍ଷ ପିଲା ୟୁଟ୍ୟୁବ କ୍ଲାସରୁ ବାଦ ପଡୁଛନ୍ତି । ଏହି ପିଲାମାନଙ୍କ ମଧ୍ୟରୁ ଅଧିକାଂଶ ୟୁଟ୍ୟୁବରେ କ୍ଲାସ କରିବାକୁ ନିଶ୍ଚିତ ଚାହୁଁଥିବେ । କିନ୍ତୁ ଗରିବୀ ହେଉ ଅଥବା ବ୍ୟବସ୍ଥା ନଥିବାରୁ ସେମାନେ ୟୁଟ୍ୟୁବରେ ପାଠ ପଢ଼ିପାରୁ ନାହାନ୍ତି । ରାଜ୍ୟର ଆର୍ଥିକ ସ୍ଥିତି ଏଭଳି ସମୃଦ୍ଧ ନୁହେଁ ଯେ, ପ୍ରତ୍ୟେକ ଘରେ ସ୍ମାର୍ଟଫୋନ ଓ କମ୍ପ୍ୟୁଟର ଥିବ । ଧନୀ ଓ ମଧ୍ୟବିତ୍ତ ପରିବାରରେ ସ୍ମାର୍ଟ ଫୋନ ଓ କମ୍ପ୍ୟୁଟର ଥିବା ବେଳେ ଗରିବ ପରିବାରରେ ସାଧାରଣ ଫୋନ ରହୁଛି । ଅନେକ ଗରିବ ପରିବାରରେ ସାଧାରଣ ଫୋନଟିଏ ବି ନାହିଁ ।
ମୋବାଇଲ ନେଟୱାର୍କ ସମସ୍ୟା
ଆର୍ଥିକ ଅଭାବ ଓ ମୋବାଇଲ ନେଟୱାର୍କଜନିତ ସମସ୍ୟା ପାଇଁ ପିଲାମାନଙ୍କୁ ହଇରାଣ ହେବାକୁ ପଡୁଛି । ଗ୍ରାମାଞ୍ଚଳର ପିଲାମାନେ ଘରଠାରୁ ଦୂରକୁ ଯାଇ ପାଠ ପଢୁଛନ୍ତି । ଘରେ ମୋବାଇଲ ନେଟୱାର୍କ ନଥିବାରୁ ବାଧ୍ୟ ହୋଇ ରାସ୍ତାକଡ଼, ବିଲ, ପୋଖରୀ ବନ୍ଧ ଓ ପାହାଡ଼କୁ ଚଢ଼ିବାକୁ ପଡୁଛି । ଦୁର୍ଗମ ଓ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ମୋବାଇଲ ନେଟୱାର୍କ ହେଉଛି ବଡ଼ ସମସ୍ୟା । ତେଣୁ ପିଲମାନଙ୍କୁ ହଇରାଣ ହେବାକୁ ପଡୁଛି । କୋରାପୁଟ, ରାୟଗଡ଼ା, ଗଜପତି, ଗଂଜାମ, ମୟୂରଭଂଜ ଜିଲ୍ଲାର ଦୁର୍ଗମ ଅଂଚଳରେ ପିଲାମାନେ ମୋବାଇଲ ନେଟୱାର୍କ ଖୋଜି ଖୋଜି ଘରଠାରୁ ଅନେକ ଦୂରକୁ ଚାଲିଯାଉଛନ୍ତି । କାର୍ଯ୍ୟକ୍ରମର ପ୍ରଥମ ଦିନରେ କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ ଅନ୍ତର୍ଗତ ୨ଟି ପଂଚାୟତରେ ଥିବା ପିଲାମାନେ ୟୁଟ୍ୟୁବରେ କ୍ଲାସ କରିପାରି ନଥିଲେ । ଏନେଇ ଅଭିଭାବକମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଆଣିଥିଲେ ।
ଗରିବ ପିଲାଙ୍କୁ ଆଘାତ
ମଧ୍ୟବିତ୍ତ ପରିବାରରେ ସ୍ମାର୍ଟଫୋନ ଅଛି । କିନ୍ତୁ ଯେଉଁ ପରିବାରରେ ୨ ଜଣ ପିଲା ସ୍କୁଲ ଛାତ୍ର ହୋଇଥିବେ ଏବଂ ଘରେ ଗୋଟିଏ ସ୍ମାର୍ଟ ଫୋନ୍ ଥିବ । ଏହିପରି ସ୍ଥିତିରେ ପିଲା ୨ଟିଙ୍କ ପାଠପଢ଼ାରେ ଅସୁବିଧା ହେବ । ଅନ୍ଲାଇନ୍ କ୍ଲାସ ଗୁଡ଼ିକ ସକାଳ ୧୦ଟା ୪୫ରୁ ଅପରାହ୍ନ ୧ଟା ୩୦ ପର୍ଯ୍ୟନ୍ତ ହେଉଛି । ଗରିବ ଶ୍ରେଣୀର ପିଲାଙ୍କ ପାଇଁ ୟୁଟ୍ୟୁବ କ୍ଲାସ ଆହୁରି ଆଘାତ ଦେଇଛି । କାରଣ ସେମାନେ ୟୁଟ୍ୟୁବରେ କ୍ଲାସ କରିବାକୁ ଆଗ୍ରହ ରଖିଥିଲେ ବି ନିଜ ପାଖରେ ସ୍ମାର୍ଟଫୋନ ନଥିବାରୁ ଏହା ସମ୍ଭବ ହୋଇପାରୁ ନାହିଁ । କିଛି ସ୍ଥାନରେ ଗୋଟିଏ ମୋବାଇଲକୁ ମଝିରେ ରଖି ଏକାଧିକ ପିଲା ପାଠ ପଢୁଛନ୍ତି, ଯାହା ଦ୍ୱାରା କି କୋଭିଡ-୧୯ ଗାଇଡଲାଇନ ଉଲ୍ଲଂଘନ ହେଉଛି ।
ସ୍ୱାଗତଯୋଗ୍ୟ ପଦକ୍ଷେପ
କରୋନା ସଂକ୍ରମଣ ଯୋଗୁଁ ପ୍ରଥମରୁ ଅଷ୍ଟମ ଯାଏଁ ଦୀର୍ଘ ୧୬ ମାସ ହେବ ଅଫଲାଇନ୍ରେ କ୍ଲାସ ହୋଇପାରି ନାହିଁ । ଗତ ଜାନୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ନବମ ଓ ଦଶମ ଶ୍ରେଣୀର ପିଲା ସ୍କୁଲ ଯାଇଥିଲେ । କରୋନାର ୨ୟ ଲହର ଆସିବା ପରେ ଏହା ମଧ୍ୟ ବନ୍ଦ ହୋଇଗଲା । ଶେଷରେ ସରକାର ବାଧ୍ୟ ହୋଇ ବିକଳ୍ପ ମାଧ୍ୟମରେ ଫଳାଫଳ ବାହାର କରୁଛନ୍ତି । ପ୍ରଥମରୁ ନବମ ଶ୍ରେଣୀ ଯାଏଁ ସମସ୍ତ ପିଲାଙ୍କୁ ଉତ୍ତିର୍ଣ୍ଣ କରିଛନ୍ତି । ୟୁଟ୍ୟୁବ ମାଧ୍ୟମରେ ଶିକ୍ଷାଦାନ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ଏକ ଭଲ ପଦକ୍ଷେପ । ରାଜ୍ୟର ଦକ୍ଷ ଶିକ୍ଷକମାନେ ପିଲାମାନଙ୍କୁ ଶିକ୍ଷାଦାନ କରୁଛନ୍ତି । ବହୁତ ସରଳ ଭାବରେ ପାଠ ପଢ଼ାଇବା ଶୈଳୀକୁ ଉପସ୍ଥାପନ କରୁଛନ୍ତି । ଆବଶ୍ୟକ ସମୟରେ ପିଲାଙ୍କ ସମ୍ମୁଖରେ ଅନେକ ତଥ୍ୟ ଓ ଚିତ୍ର ଉପସ୍ଥାପନ କରୁଛନ୍ତି । ଯେଉଁ ପିଲାମାନେ ସ୍ଥିର ରହି ପାଠ ପଢ଼ନ୍ତି, ୟୁଟ୍ୟୁବ କ୍ଲାସ ସେମାନଙ୍କ ପାଇଁ ଅଧିକ ଉପଯୋଗୀ ହୋଇପାରିବ । କିନ୍ତୁ ଚଗଲାମୀ ଛାତ୍ରଙ୍କ ପାଇଁ ଫଳ ଓଲଟା ହେବ ।