Wednesday, October 9, 2024
Homeଖବରପ୍ରମୁଖ ଖବର୧୪୧ ସାଂସଦ ନିଲମ୍ବିତ

୧୪୧ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ସଂସଦର ଶୀତକାଳନୀ ଅଧିବେଶନ ସମୟରେ ସୁରକ୍ଷା ଭଙ୍ଗ ଏବଂ ଏହି ମାମଲାରେ ଗୃହ ମନ୍ତ୍ରୀଙ୍କ ବିବୃତି ଦାବିରେ ଉଭୟ ‌ଲୋକସଭା ଏବଂ ରାଜ୍ୟସଭାରେ ବିରୋଧୀ ଦଳଙ୍କ ହଟ୍ଟଗୋଳ ଜାରି ରହିଛି। ବିରୋଧୀ ଦଳର ଏହି ଦାବିକୁ ସରକାର ମାନିବାକୁ ପ୍ରସ୍ତୁତ ନୁହଁନ୍ତି। ବରଂ ବିରୋଧକାରୀ ସାଂସଦଙ୍କ ବିପକ୍ଷରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ହଟ୍ଟଗୋଳ କରିଥିବା ସାଂସଦମାନଙ୍କୁ ନିଲମ୍ବନ କରାଯାଉଛି। ବାଚସ୍ପତି ଓମ୍‌ ବିର୍ଲା ମଙ୍ଗଳବାର ୪୯ ଓ ସୋମବାର  ୭୮ ଜଣ ସାଂସଦଙ୍କୁ ନିଲମ୍ବନ କରିଛନ୍ତି। ଗୋଟିଏ ଦିନରେ ଏତେ ସଂଖ୍ୟକ ସାଂସଦଙ୍କୁ ଏହାପୂର୍ବରୁ କେବେ ନିଲମ୍ବନ କରାଯାଇ ନଥିଲା। ତେଣୁ ସଂସଦରେ ଏଭଳି ଅଭାବନୀୟ ଘଟଣାକୁ ଇତିହାସ ବୋଲି କୁହାଯାଉଛି। ଗତ ୧୩ ତାରିଖରେ ଏହି ପ୍ରସଙ୍ଗରେ ୧୪ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା।

ସଂସଦ ହେଉଛି ଗଣତନ୍ତ୍ର ରୂପୀ ମନ୍ଦିର। ଏହାକୁ ସୂଚାରୁ ରୂପେ ଚଳାଇବା ପ୍ରତ୍ୟେକ ସାଂସଦମାନଙ୍କର ଧର୍ମ ହେବା ଦରକାର। ନିର୍ବାଚିତ ଓ ଚୟନୀତ ସାଂସଦ ଏଠାରେ ଏକତ୍ର ହୋଇ ଜନତାଙ୍କ ବିକାଶ ଉଦ୍ଦେଶ୍ୟରେ ଚର୍ଚ୍ଚା କରିବା କଥା। କିନ୍ତୁ ବର୍ଷ ବର୍ଷ ହେଲା ଦେଖାଯାଉଛି ଯେ, ଗୃହରେ ବିରୋଧୀଙ୍କ ସ୍ବରକୁ ଅଣଦେଖା କରାଯାଉଛି। ଶାସକ ଦଳ ପାଖରେ କ୍ଷମତା ଥିବାରୁ ମନଇଚ୍ଛା ନିଷ୍ପତ୍ତି ନେଉଛନ୍ତି। ଗୃହରେ ଆଲୋଚନା ଗୃହୀତ ହେଲା ପରେ ତାହା ଆଇନରେ ପରିଣତ ହୋଇଥାଏ। ସେହି ଆଇନ ସିଧାସଳଖ ଲୋକଙ୍କ ବିକାଶ କାମରେ ଆସିଥାଏ। ବିରୋଧୀମାନଙ୍କ କାମ ହେଲା ସେମାନେ ବିଭିନ୍ନ ପ୍ରସଙ୍ଗ ଗୃହରେ ସମସ୍ତଙ୍କୁ ନଜରକୁ ଆଣିବା। ତେଣୁ ବିରୋଧୀଙ୍କ ପ୍ରସଙ୍ଗକୁ ଶାସକ ଦଳକ ଗୁରୁତ୍ବ ନଦେବା ଗଣତନ୍ତ୍ର ପାଇ ଶୁଭଙ୍କର ନୁହେଁ। ବରଂ ବିରୋଧୀଙ୍କ କଥାକୁ ଗୁରୁତ୍ବ ଦେଇ ଏହାର ସମାଧାନ ଦିଗରେ ସହାୟକ ହେବା ଏକ ଭଲ ସରକାରର ବୁଦ୍ଧିମାନ କାମ।

ଦିନକରେ ୭୮ ସାସଂଦ ନିଲମ୍ବିତ

ଚଳିତ ଶୀତକାଳନୀ ଅଧିବେଶନରେ ଗୋଟିଏ ସପ୍ତାହ ମଧ୍ୟରେ ବିରୋଧୀ ଦଳର ୧୪୧ ଜଣ ସାଂସଦ ନିଲମ୍ବିତ ହୋଇସାରିଛନ୍ତି। ଲୋକସଭାରେ ସୋମବାର କଂଗ୍ରେସର ଲୋକସଭା ନେତା ଅଧୀର ରଂଜନ ଚୌଧୁରୀ, ଉପନେତା ଗୌରବ ଗୋଗୋଇ, ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀ, କାକଳି ଘୋଷ ଦସ୍ତିଦାର, ସୌଗତ ରାୟ ଓ ଶତାବ୍ଦୀ ରୟ, ଡିଏମ୍‌କେ ସାଂସଦ ଏ ରାଜା ଓ ଦୟାନିଧି ମାରନଙ୍କ ସମେତ ୩୩ ସାଂସଦଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ରାଜ୍ୟସଭାରେ ଜୟରାମ ରମେଶ, ରଣଦୀପ ସିଂହ ସୂର୍ଯ୍ୟେୱାଲା, ଡିଏମ୍‌କେର କାନିମୋଝି ଏବଂ ଆର୍‌ଜେଡିର ମନୋଜ କୁମାର ଝାଙ୍କ ସମେତ ୪୫ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ଲୋକସଭାରେ ୩୦ ସାଂସଦ ଚଳିତ ଅଧିବେଶନର ଅବଶିଷ୍ଟ ସମୟ ପର୍ଯ୍ୟନ୍ତ ନିଲମ୍ବିତ ହୋଇଛନ୍ତି। ସ୍ବାଧିକାର କମିଟି ସେମାନଙ୍କ ଆଚରଣ ସଂପର୍କରେ ରିପୋର୍ଟ ଦେବା ପର୍ଯ୍ୟନ୍ତ ଅନ୍ୟ ୩ ଜଣ ନିଲମ୍ବିତ ରହିବେ। ସେହିପରି ରାଜ୍ୟସଭାର ୩୫ ସାଂସଦଙ୍କୁ ଚଳିତ ଅଧିବେଶନର ଶେଷ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି। ସ୍ବାଧିକାର କମିଟିର ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅନ୍ୟ ୧୦ ଜଣ ସାଂସଦ ନିଲମ୍ବିତ ରହିବେ ବୋଲି ବିରୋଧୀ ଦଳ କହିଛି।  

ବିରୋଧୀଙ୍କ ପ୍ରତିକ୍ରିୟା

ନିଲମ୍ବନକୁ ନେଇ ବିରୋଧୀ ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସଂସଦରେ ବିରୋଧୀଙ୍କ କଣ୍ଠରୋଧ କରିବା ଲାଗି ସରକାର ନୂଆ ଅସ୍ତ୍ର ପ୍ରୟୋଗ କରୁଛନ୍ତି ବୋଲି ଅଭିଯୋଗ ଆସିଛି।  କଂଗ୍ରେସ ସାଂସଦ ଶ୍ରୀ ଚୌଧୁରୀ କହିଛନ୍ତି, ସରକାର ଏକଛତ୍ରବାଦର ଶୀର୍ଷରେ ପହଞ୍ଚିଛନ୍ତି। ସଂସଦକୁ ଏକ ଦଳ କାର୍ଯ୍ୟାଳୟ ଭଳି ଚଳାଇବାକୁ ଚାହୁଛନ୍ତି। କିନ୍ତୁ ତାହା ହୋଇପାରିବ ନାହିଁ। ସରକାର ବିରୋଧୀଙ୍କ ଉପରେ ବୁଲଡୋଜର ଚଳାଉଛନ୍ତି। ସଂସଦର ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ ଦାୟିତ୍ବ ନେବାକୁ ଗୃହମନ୍ତ୍ରୀ ଭୟ କରୁଛନ୍ତି। ଲୋକସଭା ବାହାରେ ସେମାନଙ୍କ ପ୍ରତିବାଦ ଜାରି ରହିବ ବୋଲି ଶ୍ରୀ ଗୋଗୋଇ କହିଥିବା ବେଳେ  ରାଜ୍ୟସଭା ନେତା ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଥମେ ଅନୁପ୍ରବେଶକାରୀମାନେ ସଂସଦ ଉପରେ ଆକ୍ରମଣ କଲେ। ଏହାପରେ ମୋଦୀ ସରକାର ସଂସଦ ଓ ଗଣତନ୍ତ୍ର ଉପରେ ଆକ୍ରମଣ କରୁଛନ୍ତି। ଏକଛତ୍ରବାଦୀ ମୋଦୀ ସରକାରଙ୍କ ଦ୍ବାରା ସମସ୍ତ ପ୍ରକାର ଗାଣତାନ୍ତ୍ରିକ ନୀତିକୁ ଅଳିଆ ଗଦାକୁ ଫିଙ୍ଗି ଦିଆଯାଇଛି। ସରକାରଙ୍କ ନିକଟରେ ସେ ଦୁଇଟି ଦାବି ରଖିଛନ୍ତି ବୋଲି ମତ ଦେଇଛନ୍ତି।

ଡିସେମ୍ବର ୧୩ରେ ହୋଇଥିଲା ହଙ୍ଗାମା

ସଂସଦଭବନରେ ଲୋକସଭାର ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଗତ ୧୩ ତାରିଖ ଦିନ ହଙ୍ଗାମା ହୋଇଥିଲା। ଏହି ଘଟଣାକୁ ନେଇ ୮ ଜଣ ସୁରକ୍ଷାକର୍ମୀ ନିଲମ୍ବିତ ହୋଇଥିଲେ। ଲୋକସଭା ପରିସରରେ ଦୁଇ ଅନୁପ୍ରବେଶକାରୀଙ୍କ ଗ୍ୟାସ୍‌ ସ୍ପ୍ରେ ଘଟଣା ନେଇ ଅଧିବେଶନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସଂସଦ ଆକ୍ରମଣ ବାର୍ଷିକୀ ଅବସରରେ ଘଟିଥିବା ଏହି ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଏନ୍‌ଡିଏ ଶାସନରେ ବିଜେପି ସାଂସଦ ପ୍ରତାପ ସିହ୍ମା ଦୁଇ ଅନୁପ୍ରବେଶକାରୀଙ୍କୁ ପାସ୍‌ ଦେଇଥିବାରୁ ଏହା ଗମ୍ଭୀର ସ୍ଥିତି ଆଣିଛି। ତେବେ ଏହି ଘଟଣା ଷଡ଼ଯନ୍ତ୍ର ଥିଲା କି? ତାହା ତଦନ୍ତ ଶେଷ ହେଲା ପରେ ଜଣାପଡ଼ିବ। କିନ୍ତୁ କ୍ଷୋଭର କଥା ହେଲା ଯେ, ୧୪୦ କୋଟି ଭାରତୀୟମାନଙ୍କ ପାଇଁ ଯେଉଁଠି ଆଲୋଚନା ହୋଇଥାଏ, ସେଠାରେ ଏଭଳି ଅଭାବନୀୟ ଘଟଣାକୁ ସହଜରେ ଗ୍ରହଣ କରାଯାଇ ପାରୁ ନାହିଁ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments