Tuesday, September 17, 2024
Home୧୫୦୦ ଊର୍ଦ୍ଧ୍ବ ମିଲିସିଆଙ୍କ ଆତ୍ମସମର୍ପଣ
Array

୧୫୦୦ ଊର୍ଦ୍ଧ୍ବ ମିଲିସିଆଙ୍କ ଆତ୍ମସମର୍ପଣ

ଭୁବନେଶ୍ବର: ଉପାନ୍ତ ଓ ଦୁର୍ଗମ ଅଞ୍ଚଳରେ ମାଓଦୁର୍ଗ ଦିନକୁ ଦିନ ଅଧିକ ଦୁର୍ବଳ ହେବାରେ ଲାଗିଛି। ମାଓବାଦୀଙ୍କ ବଳ କୁହାଯାଉଥିବା ମିଲିସିଆଙ୍କ ସମର୍ଥନ ମିଳିପାରୁ ନାହିଁ। ମିଳିସିଆମାନେ ସମର୍ଥନ ଦେଉ ନ ଥିବାରୁ ମାଓବାଦୀମାନେ ଆଉ ପୂର୍ବଭଳି ସକ୍ରିୟ ହୋଇପାରୁ ନାହାନ୍ତି। ସ୍ଥାନୀୟ ଲୋକଙ୍କର ସମର୍ଥନ ଅଭାବ କାରଣରୁ ମାଓବାଦୀମାନେ ସର୍ବସାଧାରଣ ସଂପତ୍ତିକୁ ପୂର୍ବ ଭଳି ଆଉ ନଷ୍ଟ କରିପାରୁ ନାହାନ୍ତି। ମିଲିସିଆମାନଙ୍କର ବଡ଼ ବଡ଼ ଗୋଷ୍ଠୀ ସରକାରଙ୍କ ଜନମଙ୍ଗଳ କାର୍ଯ୍ୟରେ ଆକର୍ଷିତ ହେଉଛନ୍ତି। ସରକାରଙ୍କୁ ସମର୍ଥନ ଜଣାଇ ସାଧାରଣ ନାଗରିକଙ୍କ ଭଳି ଜୀବନଯାପନ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ବିଗତ ୫ ମାସ ମଧ୍ୟରେ ପୁଲିସ ନିକଟରେ ପାଖାପାଖି ୧୫୦୦ରୁ ଊର୍ଦ୍ଧ୍ବ ମିଲିସିଆ  ଆତ୍ମସମର୍ପଣ କରିଛନ୍ତି।

ମାଓ ସଂଗଠନର ନିର୍ଯାତନା କାରଣରୁ ମାଓବାଦୀମାନେ ମଧ୍ୟ ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି। ନିଜ ଅଞ୍ଚଳର ଲୋକଙ୍କ ସହିତ ମିଳିମିଶି ରହିବା ଓ ପିଲାଛୁଆଙ୍କୁ ମଣିଷ କରିବା ଉଦ୍ଦେଶ୍ୟରେ ମାଓବାଦୀମାନେ ସଂଗଠନ ଛାଡ଼ି ସାଧାରଣ ଜୀବନଯାପନ ଶୈଳୀକୁ ଆପଣାଉଛନ୍ତି। ମାଓବାଦୀଙ୍କ ଭଳି ମିଳିସିଆମାନେ ମଧ୍ୟ ହିଂସାତ୍ମକ କାମରେ ନିଜକୁ ସାମିଲ କରିବା ପାଇଁ ଚାହୁଁ ନାହାନ୍ତି।  

ସରକାରଙ୍କ ଉଦ୍ୟମ ଜାରି

ସ୍ବାଭିମାନ ଅଂଚଳରୁ ନକ୍ସଲମାନଙ୍କୁ ହଟାଇ ଶାନ୍ତି ପ୍ରତିଷ୍ଠା କରିବାରେ ପୁଲିସ ଓ ବିଏସଏଫ ଉଦ୍ୟମ ଜାରି ରଖିଛନ୍ତି। ଏଥି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନକଲ୍ୟାଣ ଯୋଜନା ଲାଗୁ କରିଛନ୍ତି। ମାଓ ସଂଗଠନ ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେଉଥିବା ନକ୍ସଲ ଓ ମିଲିସିଆଙ୍କୁ  ଆତ୍ମନିର୍ଭରଶୀଳ ସହ ବିଭିନ୍ନ କାମରେ ମଧ୍ୟ ନିୟୋଜିତ କରାଯିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଆତ୍ମସମର୍ପଣ ସମୟରେ ପୁଲିସ ତରଫରୁ ଏମାନଙ୍କୁ ଶାଢି, ଲୁଙ୍ଗି ଭଳି ବହୁ ଦୈନନ୍ଦିନ ଜିନିଷ ପ୍ରଦାନ କରାଯାଉଛି। ସେହିପରି ସେମାନଙ୍କର ପିଲାମାନଙ୍କୁ ପାଠ୍ୟ ଓ ଖେଳ ସାମଗ୍ରୀ ଦିଆଯାଉଛି।

ନକ୍ସଲଙ୍କ କୁଶପୁତ୍ତଳିକା ଦାହ  

ମାଓ ସଂଗଠନ ପ୍ରତି ଏହାର ସମର୍ଥକମାନେ ବିମୁଖ ହେବାରେ ଲାଗିଛନ୍ତି। ସ୍ବାଭିମାନ ଅଞ୍ଚଳର ଯନ୍ତାପାଇ ଠାରେ ଶନିବାର ୪୦୦ରୁ ଊର୍ଦ୍ଧ୍ବ ଆନ୍ଧ୍ର ଓ ଓଡିଶାର ମିଲିସିଆମାନେ ଆତ୍ସମର୍ପଣ କରିଛନ୍ତି। ପୁଲିସ ପକ୍ଷରୁ ଆୟୋଜିତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି କାର୍ଯ୍ୟକ୍ରମରେ ଓଡିଶା ଏବଂ ଆନ୍ଧ୍ରପ୍ରଦେଶର ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ। ଯେଉଁ ମିଲିସିଆମାନେ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି, ଏକଦା ସେମାନେ ପୁଲିସ ଏବଂ ନିରୀହ ଲୋକଙ୍କୁ ହତ୍ୟା କରିବା ପାଇଁ ନିୟୋଜିତ ହୋଇଥିଲେ। ସେହିଭଳି ବହୁ ହିଂସାରେ ମଧ୍ୟ ଏମାନେ ଜଡିତ ହେଉଥିଲେ। ମାଓବାଦୀଙ୍କ କଥାରେ ଅନୁପ୍ରାଣିତ ହୋଇ ହିଂସା ପଥ ଆପଣେଇଥିଲେ। କିନ୍ତୁ ଏବେ ସେମାନେ ମାଓବାଦୀଙ୍କ ସମସ୍ତ ଜିନିଷକୁ ନିଆଁରେ ପୋଡି ଦେବା ସହ ନକ୍ସଲଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

ବିକାଶ କାର୍ଯ୍ୟ ଜାରି

ମାଓବାଦୀ ଓ ମିଲିସିଆମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳ ସମେତ କୋରାପୁଟ, ନବରଂଗପୁର, ରାୟଗଡ଼ା, କନ୍ଧମାଳ, ସୁନ୍ଦରଗଡ଼, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ମାଓ ଅଧ୍ୟ୍ୟଷିତ ଅଞ୍ଚଳର ବିକାଶ କାର୍ଯ୍ୟ ଜାରି ରହିଛି। ଦୁର୍ଗମ ଅଞ୍ଚଳରେ ନୂତନ ରାସ୍ତା, ବ୍ରିଜ ନିର୍ମାଣ କରାଯିବା ସହ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ମଧ୍ୟ ଠିକ କରାଯାଉଛି। ସେହିପରି ପିଲାମାନଙ୍କର ପାଠପଢ଼ା ପାଇଁ ପଦକ୍ଷେପ ନିଆଯାଉଛି। କୃଷି କ୍ଷେତ୍ରର ବିକାଶ ପାଇଁ ପ୍ରୋତ୍ସାହନ ଦିଆଯାଉଛି ଯେଉଁଥି ପାଇଁ ନକ୍ସଲ ସଂଗଠନରୁ ଏହାର ସଦସ୍ୟମାନେ ବାହାରି ଆସି ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି। ତଥ୍ୟ ଅନୁସାରେ ଚଳିତ ବର୍ଷ  ଜୁନ ୨ ତାରିଖେ ୫୦ରୁ ଉର୍ଦ୍ଧ୍ବ ମିଲିସିଆ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ। ଜୁନ ୧୧ ତାରିଖରେ ୩୪୭, ଅଗଷ୍ଟ ୨୨ ତାରିଖରେ ୫୫୦, ସେପ୍ଟେମ୍ବର ୧୭ ତାରିଖରେ ଆନ୍ଧ୍ର ଏବଂ ଓଡିଶାର ୩୧୩ ଜଣ ମିଲିସିଆ ଆତ୍ମସମର୍ପଣ କରିଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments