Friday, September 13, 2024
Homeଖବରପ୍ରମୁଖ ଖବର୨୦୨୪ରେ କ୍ଷମତା ପାଇଁ ଅଙ୍କ କଷା

୨୦୨୪ରେ କ୍ଷମତା ପାଇଁ ଅଙ୍କ କଷା

ଭୁବନେଶ୍ବର: ତିନି ମାସ ପରେ ସାଧାରଣ ନିର୍ବାଚନ ହେବ। ସାରା ଦେଶରେ ଲୋକସଭା ନିର୍ବାଚନ ପାଇଁ ମତଦାନ ହେବ। ଭାରତର କେନ୍ଦ୍ର ସ୍ଥଳ ମଧ୍ୟପ୍ରଦେଶ ସମେତ ଛତିଶଗଡ଼ ଓ ରାଜସ୍ଥାନରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପିକୁ ବିପୁଳ  ଜନମତ ମିଳିଛି। ତେଲେଙ୍ଗାନାରେ ଯଦିଓ ଆଞ୍ଚଳିକ ଦଳ ବିଆରଏସ୍‌କୁ ପରାସ୍ତ କରି କଂଗ୍ରେସ କ୍ଷମତାକୁ ଫେରିଛି, ତଥାପି ଅନ୍ୟ ରାଜ୍ୟଗୁଡ଼ିକରେ କଂଗ୍ରେସର ନେତୃତ୍ବ ପୂର୍ବ ଭଳି ଶକ୍ତି ନଥିଲା ଭଳି ମନେ ହେଉଛି। କଂଗ୍ରେସ ନେତୃତ୍ବରେ ଇଣ୍ଡିଆ ମେଟରେ ମଧ୍ୟ ଶକ୍ତି ନଥିଲା ଭଳି ମନେ ହେଉଛି। ତେଣୁ ବିଜେପି ୨୦୨୪ରେ ପୁଣି ଥରେ କେନ୍ଦ୍ରରେ ସରକାର ଗଢ଼ିବା ପାଇଁ ଦୃଢ଼ ଆଶା ରଖିଛି।

ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ମି‌ଜୋରାମ ନିର୍ବାଚନର ଫଳ ଆଗାମୀ ସାଧାରଣ ନିର୍ବାଚନ ଉପରେ ପଡ଼ିବ ବୋଲି ରାଜନେତାମାନେ ମତ ପ୍ରକାଶ କରିଛନ୍ତି। ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡିକୁ ୧୧୨ଟି ଆସନ ମିଳିଥିଲା। ବିଜେପିକୁ ୨୩ ଓ କଂଗ୍ରେସ ୯ଟି ଆସନ ଅକ୍ତିଆର କରିଥିଲା। ୨୦୧୪ ନିର୍ବାଚନ ତୁଳନାରେ ବିଜେଡିକୁ ୫ଟି କମ୍‌ ଆସନ ମିଳିଥିବା ବେଳେ କଂଗ୍ରେସ ମଧ୍ୟ ୭ଟି ଆସନ ହରାଇଥିଲା। ମାତ୍ର ବିଜେପିକୁ ୨୦୧୪ ତୁଳନାରେ ୧୩ଟି ଆସନ ଅଧିକ ମିଳିଥିଲା। ତେଣୁ ଆଶା କରାଯାଉଛି ଯେ, ଆଗାମୀ ନିର୍ବାଚନରେ ବିଜେପିକୁ ପୂର୍ବ ତୁଳନାରେ ଅଧିକ ଜନମତ ମିଳିପାରେ। ପଶ୍ଚିମ ଓଡ଼ିଶାକୁ ଲାଗି ଛତିଶଗଡ଼ ରହୁଥିବାରୁ ଲୋକଙ୍କର ମାନସିକତାରେ ପରିବର୍ତ୍ତନ ଆସିପାରେ। ପଶ୍ଚିମଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟାଳୟ ପଶ୍ଚିମ ଓଡ଼ିଶାରେ ପ୍ରତିଷ୍ଠା, କୋଶଲ ରାଜ୍ୟ ଗଠନ ଦାବି ନେଇ ଏଥର ପଶ୍ଚିମ ଓଡ଼ିଶାର ଜନତା ନିଜ ଅଞ୍ଚଳରେ ନେତା ପରିବର୍ତ୍ତନ କରିପାରନ୍ତି। ଅନ୍ୟପଟରେ ମୁଖ୍ୟମନ୍ତ୍ରୀଙ୍କ ତୁଳନାରେ ଆମ ଓଡ଼ିଶାର ତଥା ୫ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ସବୁ ବିକାଶ ମୂଳକ କାର୍ଯ୍ୟରେ ସଂପୃକ୍ତ ରହୁଥିବାରୁ ଅନେକ ମତଦାତା ଏହାକୁ ଗ୍ରହଣ କରୁନାହାନ୍ତି।

କମିଛି ନବୀନଙ୍କ ଲୋକପ୍ରିୟତା

ଗତ ଅଗଷ୍ଟ ମାସରେ ଇଣ୍ଡିଆ ଟୁଡେ ମୁଡ୍‌ ଅଫ୍‌ ଦି ନେସନ୍‌ ଦ୍ବାରା ଅନୁଷ୍ଠିତ ସର୍ଭେ ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ରାଜ୍ୟରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବିବେଚିତ ହୋଇଛନ୍ତି ସତ। କିନ୍ତୁ ୨୦୧୯ରେ ନବୀନଙ୍କ ଯେଉଁଭଳି ଲୋକପ୍ରିୟତା ଥିଲା, ତାହା ଏବେ ନାହିଁ। ସର୍ଭେରେ ସାମିଲ ହୋଇଥିବା ମୋଟ୍‌ ୩,୭୬୦ ମତଦାତାଙ୍କ ମଧ୍ୟରୁ ୬୧.୩ ପ୍ରତିଶତ ନବୀନଙ୍କୁ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି। ମାତ୍ର ଗତବର୍ଷ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ୭୮ ପ୍ରତିଶତ ଥିଲା। ଛତିଶଗଡ଼ର ଭୂପେଶ ବଘେଲ ଦ୍ବିତୀୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଥିଲେ। କିନ୍ତୁ ଏଥର ବିଧାନସଭା ନିର୍ବାଚନରେ ଛତିଶଗଡ଼ରେ କଂଗ୍ରେସକୁ ପରାଜୟର ଶିକାର ହେବାକୁ ପଡ଼ିଛି।

ବିଜେପିର ନୂଆ ରଣନୀତି

୨୦୧୯ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ପ୍ରତକ୍ଷ୍ୟ ଭାବେ ରାଜ୍ୟର ଶାସନ ନକରି ସ୍ବେଚ୍ଛାକୃତ ଅବସର ନେଇଥିବା ଆଇଏଏସ୍‌ ଅଧିକାରୀ ଭି କାର୍ତ୍ତିକେୟନ ପାଣ୍ଡିଆନକୁ ସବୁ କାମରେ ନିୟୋଜିତ କରିଛନ୍ତି। ବିଜେଡିର ସଦସ୍ୟ ଯଦିଓ ଖୋଲାଖୋଲି ଭାବେ ବିରୋଧ କରିପାରୁ ନାହାନ୍ତି। ତଥାପି ଅନେକ ନେତାଙ୍କ ମନ କୁହୁଳୁଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଅନ୍ୟପଟରେ ସାମାଜିକ ଗଣମାଧ୍ୟମରେ ମଧ୍ୟ ଯାହା ଚର୍ଚ୍ଚା ହେଉଛି, ୨୦୨୪ ନିର୍ବାଚନରେ ବିଜେଡିର ସ୍ଥିତି ଆଗ ଭଳି ହୋଇ ନପାରେ। ପଡୋଶୀ ରାଜ୍ୟରେ ବିଜେପିକୁ ବଡ଼ ସଫଳତା ମିଳିବା ପରେ ଓଡ଼ିଶାରେ ମଧ୍ୟ ଦଳ ନୂଆ ରଣନୀତି ନେଇ ମଇଦାନକୁ ଓହ୍ଲାଇବ। ଏଥି ପାଇଁ ବିଜେପି ପ୍ରକ୍ରିୟା ଆରମ୍ଭ କରିଦେଇଛି। ବିଜେପି ୨୦୨୪ ନିର୍ବାଚନ ପାଇଁ ମିସନ ୧୨୦ ଲକ୍ଷ୍ୟରେ କାମ କରୁଛି।  

କଂଗ୍ରେସର ଦାବି ୯୦ ଆସନ

ତେଲେଙ୍ଗାନା ପରି ଓଡ଼ିଶାରେ କଂଗ୍ରେସ ୩ ନମ୍ବରରୁ ଉଠି ୧ ନମ୍ବର ହେବାକୁ ଲକ୍ଷ୍ୟ ରଖିଛି।  ଦଳ ଓଡ଼ିଶାରେ ମିସନ ୯୦ ସଫଳ କରିବାକୁ ଉଦ୍ୟମ କରୁଛି। ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି ଯେ, ତେଲେଙ୍ଗାନାରେ ଆଞ୍ଚଳିକ ଦଳକୁ ମାତ୍ ଦେଇ କଂଗ୍ରେସ ସରକାର ଗଢ଼ିବାକୁ ସକ୍ଷମ ହୋଇଛି। ତେଣୁ ସମାନ ଢଙ୍ଗରେ ଓଡ଼ିଶାରେ ବିଜେଡିକୁ ମାତ୍ ଦେବାକୁ ରାଜ୍ୟ କଂଗ୍ରେସ ଯୋଜନା କରୁଛି। ତେଲେଙ୍ଗାନା ‌ପଡ଼ୋଶୀ ରାଜ୍ୟ ହୋଇଥିବାରୁ ରାଜ୍ୟର ସୀମାନ୍ତ ଜିଲ୍ଲାଗୁଡ଼ିକରେ ବିଜୟର ପ୍ରଭାବ ପଡ଼ିବ। ୨୦୨୪ ନିର୍ବାଚନରେ ଯୁବବର୍ଗଙ୍କୁ ଅଧିକ ଗୁରୁତ୍ବ ଦିଆଯିବ। ଯାହାର ଜିତିବା କ୍ଷମତା ଅଧିକ ଥିବ ସେମାନଙ୍କୁ ଦଳ ଟିକେଟ୍ ଦେବ ବୋଲି ସେ କହିଛନ୍ତି। ସେହିପରି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, କଂଗ୍ରେସ ଦଳ ଜାତି, ଧର୍ମର କାର୍ଡ ଖେଳେନାହିଁ। କଂଗ୍ରେସ ଏକ ଧର୍ମନିରପେକ୍ଷ ଦଳ। ସବୁ ଜାତି, ଧର୍ମ ଓ ସମସ୍ତଙ୍କୁ ନେଇ ଦଳ ଆଗକୁ ବଢ଼ିଥାଏ। ସ୍ବାଧୀନତା ସମୟରେ ସବୁ ଧର୍ମର ଲୋକ ଏକାଠି ହୋଇଥିଲେ। ଦେଶରେ କଂଗ୍ରେସ ନେତା ଯଦି ଏକତ୍ରିତ ହେବେ ତାହାଲେ କଂଗ୍ରେସ ପୁଣିଥରେ ଶାସନକୁ ଫେରିବ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments