Friday, September 13, 2024
Home୨୦୨୪ ପାଇଁ ବିଜେପିର ପ୍ରସ୍ତୁତି
Array

୨୦୨୪ ପାଇଁ ବିଜେପିର ପ୍ରସ୍ତୁତି

ଭୁବନେଶ୍ବର: ପ୍ରାୟ ଏକ ବର୍ଷ ପରେ ଓଡ଼ିଶାରେ ଲୋକସଭା ସମେତ ବିଧାନସଭା ନିର୍ବାଚନ ହେବ। ଏଥି ପାଇଁ ରାଜନୈତିକ ଦଳଗୁଡ଼ିକ ନିଜ ନିଜ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। କଂଗ୍ରେସ ପକ୍ଷରୁ ‘ଭାରତ ଯୋଡ଼ୋ’ କାର୍ଯ୍ୟକ୍ରମ ଜାରି ଥିଲା ବେଳେ ‘ହାତରେ ହାତ ଯୋଡୋ’ ଅଭିଯାନ ଚାଲିଛି। ବିଗତ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଖରାପ ଥିବାରୁ ଆଗାମୀ ଦିନରେ ଏଥିରେ ସଂଶୋଧନ ଆଣିବା ପାଇଁ ଦଳ ପ୍ରୟାସ କରୁଛି। ଅପରପକ୍ଷେ ମୁଖ୍ୟ ବିରୋଧୀ ଦଳ ୨୦୨୩ ବିଧାନସଭା ନିର୍ବାଚନରେ ବିଜେଡିକୁ ମାତ ଦେବା ପାଇଁ ଜୀବନ ଦେଇ ଲଢ଼ିବାକୁ ରଣନୀତି ପ୍ରସ୍ତୁତ କରୁଛି।

ସାଧାରଣ ନିର୍ବାଚନ-୨୦୨୩ରେ ବିଜେପି କେମିତି ଭଲ ପ୍ରଦର୍ଶନ କରିବ। ଲୋକଙ୍କର ମନ ଜିଣିବ। ଓଡ଼ିଶା ବିଧାନସଭାରେ ନିଜର ସଂଖ୍ୟା ଅଧିକ ପ୍ରଦର୍ଶିତ କରିବ, ସେନେଇ ଦଳ ଯୋଜନା କରୁଛି। ଶାସକ ଦଳର ଦୁର୍ବଳତାକୁ ଲୋକଲୋଚନକୁ ଆଣିବା ସହିତ କେନ୍ଦ୍ରର ଯୋଜନା ଓ ସହାୟତା ଲୋକଙ୍କ ମନରେ ବସାଇବା ପାଇଁ ମଧ୍ୟ ପ୍ରଚାର କରିବ। ଏଥି ସହିତ ୨୩ ବର୍ଷର ଶାସନରେ ରାଜ୍ୟ କେତେ ବିକାଶ କରିଛି ସେନେଇ ଲୋକଙ୍କ ପାଖରେ ରିପୋର୍ଟ କାର୍ଡ ଦେଖାଇବ। ବିଜେପି ଆଜି ରାଜନୈତିକ ଚିଠା ପ୍ରସ୍ତାବରେ ପାରିତ କରି ରାଜ୍ୟ ସରକାରଙ୍କ ନିନ୍ଦା କରିଛି।

ଦିନକୁ ୯ଜଣଙ୍କୁ ଦୁଷ୍କର୍ମ

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି ଯେ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶାନ୍ତି ସୁରକ୍ଷା ଓ ଧନ ଜୀବନକୁ ସୁରକ୍ଷା ଦେବାରେ ବିଜେଡି ସରକାର ବିଫଳ ହୋଇଛନ୍ତି। ପ୍ରତିଦିନ ୯ଟି ଦୁଷ୍କର୍ମ ଓ ୮ଟି ହତ୍ୟାକାଣ୍ଡ ହେଉଛି। ମନ୍ତ୍ରୀ ଓ ବିଧାୟକମାନେ ମଧ୍ୟ ଅପରାଧିକ କାମ ସହିତ ଜଡ଼ିତ ରହୁଛନ୍ତି। ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ପ୍ରାୟ ୨୮ ଲକ୍ଷରୁ ଊର୍ଦ୍ଧ୍ବ ଘର କେନ୍ଦ୍ର ସରକାର ଓଡ଼ିଶାକୁ ଯୋଗାଇ ଦେଇଛନ୍ତି। କିନ୍ତୁ ହିତାଧିକାରୀ ଚୟନକୁ ଦଳୀୟ ଆଧାରରେ କରାଯାଇଛି। ହିତାଧିକାରୀଙ୍କ ତାଲିକା ଲାଗିବା ପରେ ଗାଁଗାଁରେ ଅସନ୍ତୋଷ ଦେଖାଦେଇଛି। ସେହିପରି ଧାନ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗ ଆଜି ଚାଷୀ ମୁଣ୍ଡରେ ଚଡକ ପକାଇଛି।

ପ୍ରତାରଣା କଲେ ସରକାର

ରାଜ୍ୟରେ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି। ମେକ୍ ଇନ୍ ଓଡ଼ିଶାରେ ସେଭଳି ନିଯୁକ୍ତି କିମ୍ବା ପୁଞ୍ଜି ନିବେଶ ହୋଇ ପାରିନାହିଁ। କେବଳ ଏକ ପ୍ରତିଶତ ପୁଞ୍ଜି ନିବେଶ ହୋଇଛି ବୋଲି ବିଜେପି କହିଛି। କୋଭିଡ ସମୟରେ ୨୦ ଲକ୍ଷ ଲୋକଙ୍କ ନାମ ପଂଜୀକରଣ କରାଯାଇଥିଲା। ଏମାନଙ୍କୁ ନିଯୁକ୍ତି ଦେବେ ବୋଲି ସରକାର କହିଥିଲେ। କିନ୍ତୁ ଏହା ପ୍ରତାରଣରେ ପରିଣତ ହୋଇଛି। ରାଜ୍ୟରେ କାମ ନ ମିଳିବାରୁ ଲୋକେ ପୁଣି ଥରେ ଦାଦନ ଖଟିବାକୁ ବାହାରକୁ ଚାଲିଯାଇଛନ୍ତି।  

ବିଜେଡି ପାଇଁ ପ୍ରତିଦ୍ବନ୍ଦ୍ବୀ ଦରକାର

ଓଡ଼ିଶାରେ ବିରୋଧୀ ଦଳ ଶକ୍ତିଶାଳୀ ହୋଇପାରୁନାହାନ୍ତି। ବିଜେଡିକୁ କଡ଼ା ଟକ୍କର ଦେବା ପାଇଁ ବିରୋଧୀ ପାଖରେ ବଳ ନାହିଁ। କିନ୍ତୁ ବିଜେଡି ସହ ଲଢ଼େଇ ପାଇଁ ପ୍ରତିଦ୍ୱନ୍ଦୀ ଦରକାର। ବୋଲି ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି। ସେ ଆହୁରି କହିଛନ୍ତି, ଓଡ଼ିଶା ଯଦି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ର ସମିତିର (ବିଆରଏସ୍) ନେତା କେସିଆରଙ୍କ ଫୋକସକୁ ଆସୁଛି ଆମେ ଖୁସି ହେବା କଥା। ରାଜ୍ୟରେ ବିରୋଧୀ ଦଳ ଶକ୍ତିଶାଳୀ ହେଲେ ଲୋକଙ୍କ ପାଖକୁ ଶାସନ ଠିକ୍ ଭାବରେ ପହଞ୍ଚି ପାରିବ।

ନିର୍ବାଚନ ଅବଲୋକନ

୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳକୁ ୧୧୨, ବିଜେପକୁ ୨୩, କଂଗ୍ରେସକୁ ୯ ଓ ସିପିଆଇ (ଏମ) ଗୋଟିଏ ଆସନରେ ବିଜୟ ମିଳିଥିଲା। ସେହିପରି ଜଣେ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ଜିତିଥିଲେ। ୨୦୧୪ ନିର୍ବାଚନରେ ବିଜେଡିକୁ ୧୧୭, କଂଗ୍ରେସକୁ ୧୬ ଓ ବିଜେପିକୁ ୧୦ଟି ଆସନରେ ବିଜୟ ମିଳିଥିଲା। ଅନ୍ୟ ଦଳ ୪ଟି ଆସନରେ ବିଜୟୀ ହୋଇଥିଲେ। ମୋଟାମୋଟି ଭାବେ କହିବାକୁ ଗଲେ ବିଗତ ୨ଟି ନିର୍ବାଚନରେ ବିଜେପିର ଆସନ ସଂଖ୍ୟା ବଢ଼ିଥିବାରୁ ଆଗାମୀ ସାଧାରଣ ନିର୍ବାଚନରେ ଭଲ କରିବାକୁ ଆଶା ରଖିଛି। ଅନ୍ୟପଟରେ କଂଗ୍ରେସର ସ୍ଥିତି ଦିନକୁ ଦିନ ଆହୁରି ଖରାପ ସ୍ତରକୁ ଯାଉଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments