ନୂଆଦିଲ୍ଲୀ: ନିଜର ଯାବତୀୟ ଶକ୍ତି ଆବଶ୍ୟକତା ପୂରଣ କରି ଏ କ୍ଷେତ୍ରରେ ଶତପ୍ରତିଶତ ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତୀୟ ରେଳବାଇ ଲକ୍ଷ୍ୟ ରଖିଛି। ଏହା ସହିତ ଜାତୀୟ ସୌରଶକ୍ତି ଲକ୍ଷ୍ୟ ହାସଲ ଦିଗରେ ଉଲ୍ଲେଖନୀୟ ଅବଦାନ ଯୋଗାଇ ଦେବାକୁ ମଧ୍ୟ ନିଷ୍ପତ୍ତି ନେଇଛି। ଏହି ଲକ୍ଷ୍ୟ ହାସଲ ଦିଗରେ ଏକ ବୈଠକ ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଯୋଗଦେଇଥିବା ଡେଭଲପରମାନେ ରେଳବାଇର ଅକ୍ଷୟଶକ୍ତି ବିକାଶ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଏ କ୍ଷେତ୍ରରେ ରେଳବାଇ ଯେଉଁ ଲକ୍ଷ୍ୟ ରଖିଛି ୨୦୩୦ ସୁଦ୍ଧା ତାହା ପୂରଣ କରିବାକୁ ସବୁମନ୍ତେ ଉଦ୍ୟମ କରିବେ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି।
ରେଳବାଇ ତାହାର ସୌରଶକ୍ତି ଉତ୍ପାଦନରେ କେବଳ ଆତ୍ମନିର୍ଭଶୀଳ ହେବାକୁ ଚାହୁଁ ନାହିଁ, ଅଧିକରୁ ଅଧିକ ଅକ୍ଷୟ ଶକ୍ତି ଉତ୍ପାଦନ କରି ଜାତୀୟ ସୌର ଅଭିଯାନରେ ସାମିଲ ହୋଇ ଦେଶର ଲକ୍ଷ୍ୟ ପୂରଣ କରିବାକୁ ମଧ୍ୟ ଆଗ୍ରହ ପ୍ରକାଶ କରିଛି।
ଏହି ଲକ୍ଷ୍ୟ ପୂରଣ କରିବା ଦିଗରେ ଭାରତୀୟ ରେଳବାଇ ନିଜର ଖାଲି ଜାଗାଗୁଡିକୁ ସୌରପ୍ଲାଣ୍ଟ ନିର୍ମାଣ ପାଇଁ ଯୋଗାଇଦେବ। ଇତିମଧ୍ୟରେ ଏ ସଂକ୍ରାନ୍ତ ଏକ ପାଇଲଟ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ସଫଳତାର ସହ କାର୍ଯ୍ୟ କରୁଛି। ମଧ୍ୟପ୍ରଦେଶର ବୀନାଠାରେ ୧.୭ ମେଗାୱାଟ କ୍ଷମତା ବିଶିଷ୍ଟ ଏକ ସୌରଶକ୍ତି ପ୍ରକଳ୍ପରୁ ଉତ୍ପାଦିତ ଶକ୍ତିକୁ ସିଧାସଳଖ ୨୫ କେଭି ଟ୍ରାକ୍ସନ ସିଷ୍ଟମ ସହ ଯୋଡ଼ାଯାଇଛି। ଏହାଦ୍ୱାରା ଅଣପାରମ୍ପରିକ ଊର୍ଜ୍ଜାରେ ଟ୍ରେନ ଚଳାଚଳ ସମ୍ଭବ ହୋଇଛି। ଏଥିସହିତ ଉତ୍ତରପ୍ରଦେଶର ରାୟବରେଲିରେ ଥିବା ମଡର୍ଣ୍ଣ କୋଚ୍ ଫ୍ୟାକ୍ଟ୍ରିରେ ୩ ମେଗାୱାଟର ଏକ ସୌରପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି। ଏଥିରୁ ଉତ୍ପାଦିତ ଶକ୍ତି ସେହି କାରଖାନାର ବିଭିନ୍ନ ଊର୍ଜ୍ଜା ଆବଶ୍ୟକତା ପୂରଣ କରୁଛି। ସେହିଭଳି ଦିୱାନାଠାରେ ୨ ମେଗାୱାଟ ଏବଂ ଭିଲାଇରେ ୨୫ ମେଗାୱାଟ କ୍ଷମତା ବିଶିଷ୍ଟ ୨ଟି ସୌରଶକ୍ତି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଏଥିରୁ ଉତ୍ପାଦିତ ଶକ୍ତି ରାଜ୍ୟ ଟ୍ରାନ୍ସମିସନ ୟୁଟିଲିଟି ଓ କେନ୍ଦ୍ର ଟ୍ରାନ୍ସମିସନ ୟୁଟିଲିଟିକୁ ଯୋଗାଇ ଦିଆଯିବ।
୨୦୨୩ ସୁଦ୍ଧା ଦେଶର ସବୁ ରେଳଲାଇନକୁ ଶତପ୍ରତିଶତ ବିଦ୍ୟୁତ୍କରଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୩୦ ସୁଦ୍ଧା ଭାରତୀୟ ରେଳବାଇ ମୋଟ ଊର୍ଜ୍ଜା ବ୍ୟବହାର ପରିମାଣ ୩୩ ବିଲିୟନ ୟୁନିଟରେ ପହଞ୍ଚିବ ବୋଲି ହିସାବ କରାଯାଇଛି। ରେଳବାଇ ଏ ବାବଦରେ ଏବେ ବାର୍ଷିକ ୨୨ ବିଲିୟନ ୟୁନିଟ ବ୍ୟବହାର କରୁଛି।
ଏହି ପ୍ରୟାସରେ ଇତିମଧ୍ୟରେ ରେଳବାଇ ନିଜର ଖାଲି ସ୍ଥାନ ଏବଂ ରେଳପଥ ପାଶ୍ୱର୍ରେ ୩ ଗିଗାୱାଟ ସୌର ପ୍ରକଳ୍ପ ପ୍ରତିଷ୍ଠା ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ କରିଛି। ରେଳବାଇର ଏକ ପିଏସ୍ୟୁ ରେଳ ଊର୍ଜ୍ଜା ପରିଚାଳନା କମ୍ପାନୀ ବା ଆରଇଏମ୍ସିଏଲ୍ ଏହି ନିଲାମ କାର୍ଯ୍ୟ ବୁଝାସୁଝା କରୁଛି। ପ୍ରସ୍ତାବିତ ଏହିସବୁ ସୌର ପ୍ରକଳ୍ପରୁ ଯେଉଁ ବିଦ୍ୟୁତ୍ ଉତ୍ପାଦିତ ହେବ ତାହାକୁ ସ୍ୱଳ୍ପ ମୂଲ୍ୟରେ ରେଳବାଇକୁ ବିକ୍ରି କରାଯିବ। ଏହାଛଡ଼ା ଏହି ପ୍ରକଳ୍ପ ମାଧ୍ୟମରେ ରେଳବାଇର ଜମି ମଧ୍ୟ ସୁରକ୍ଷିତ ହୋଇପାରିବ।
ବୈଠକ ଅବସରରେ ରେଳମନ୍ତ୍ରୀ ଶ୍ରୀ ଗୋଏଲ କହିଥିଲେ ଯେ ଏହିସବୁ ପ୍ରକଳ୍ପ ନିର୍ମାଣରେ ଯେଉଁମାନେ ସାମିଲ ହେବେ ସେମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ। ଜବରଦଖଲମୁକ୍ତ ରେଳଜମିରେ ଏସବୁ ପ୍ରକଳ୍ପ ତିଆରି ହେବ। ଡେଭଲପରମାନଙ୍କ ଦ୍ୱାରା ରେଳପଥର ଦୁଇପାଶ୍ୱର୍ରେ ପାଚେରି ନିର୍ମାଣ କରାଯିବ। ଏହା ଫଳରେ ରେଳପଥରେ ଅନୁପ୍ରବେଶକୁ ରୋକିହେବ।