Tuesday, October 15, 2024
Home୨୫ ବର୍ଷ ପରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ, ଏବେଠୁ ପ୍ରସ୍ତୁତି ଆରମ୍ଭ
Array

୨୫ ବର୍ଷ ପରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ, ଏବେଠୁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ଶ୍ରୀମନ୍ଦିରରେ ଦୀର୍ଘ ୨୫ ବର୍ଷ ପରେ ମହାପ୍ରଭୁଙ୍କ ବହୁ ପ୍ରତୀକ୍ଷିତ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ । ଅର୍ଥାତ ଆସନ୍ତା ନଭେମ୍ବର ୨୭ ତାରିଖ ଠାରୁ ଶ୍ରୀଜିଉମାନେ ନାଗାର୍ଜୁନ ବେଶ ଧାରଣ କରିବେ । କାର୍ତ୍ତିକ ମାସରେ ଚଳିତ ବର୍ଷ ପଂଚୁକ ଛଅ ଦିନ ଅନୁଷ୍ଠିତ ହେଉଥିବାରୁ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ହେବ । କିନ୍ତୁ ଦୁଃଖର ବିଷୟ ହେଲା ଯେ, କୋଭିଡ-୧୯ କଟକଣା ଯୋଗୁଁ ଶ୍ରୀଜଗନ୍ନାଥଙ୍କ ଏହି ଅପୂର୍ବ ବେଶ ଦର୍ଶନରୁ ବଂଚିତ ହେବେ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ । ମାତ୍ର ପରଂପରାକୁ ବଜାୟ ରଖିବା ଲାଗି ନାଗାର୍ଜୁନ ବେଶରେ ସଜାଇ ହେବେ ୩ ଠାକୁର । ସେଥିପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ପାଇଁ ଚନ୍ଦ୍ରକୋଟ ବଳରାମ ଖୁଣ୍ଟିଆ ଏହାର ଅନୁକୂଳ କରିଛନ୍ତି ।

ଡିସେମ୍ବର ମାସରେ ଖୋଲିବ ଶ୍ରୀମନ୍ଦିର!

କରୋନା ଭାଇରସ ସଂକ୍ରମଣ ଯୋଗୁଁ ସାଧାରଣ ଭକ୍ତଙ୍କ ଲାଗି ଶ୍ରୀମନ୍ଦିରର ଦ୍ୱାର କେବେ ଖୋଲିବା ତା’ର କୌଣସି ସୁନିଶ୍ଚିତା ନାହିଁ । ସଂକ୍ରମଣ ହ୍ରାସ ପାଇଲେ ଆଗାମୀ ଡିସେମ୍ବରରେ ଶ୍ରୀମନ୍ଦିରକୁ ଭକ୍ତମାନଙ୍କୁ ପ୍ରବେଶ ଦିଆଯାଇପାରେ । କିନ୍ତୁ ଏଭଳି ପରିସ୍ଥିତି ଯଦି ଆସିବ ତା’ହେଲେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଦର୍ଶନ କରିବାରୁ ଲକ୍ଷ ଲକ୍ଷ ଲୋକ ବଂଚିତ ହେବେ । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଗରୁଡ଼ ସ୍ତମ୍ଭ ଠାରୁ ସାଧାରଣ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ଦିଆଯାଉ ବୋଲି ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି । ଏବାବଦରେ ସରକାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି ।

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ସ୍ୱତନ୍ତ୍ର

ନାଗାର୍ଜୁନ ବେଶ ଅନ୍ୟ ଯେକୌଣସି ବେଶ ତୁଳନାରେ ସ୍ୱତନ୍ତ୍ର । କାରଣ ମହାପ୍ରଭୁଙ୍କୁ ବୀର ବେଶରେ ସଜାଯାଇଥାଏ । ତାଙ୍କର ଏହି ବେଶ ଦର୍ଶନ କରିବା ପାଇଁ ପୁରୀକୁ ବାହାର ରାଜ୍ୟରୁ ନାଗାମାନଙ୍କର ମଧ୍ୟ ଆଗମନ ହୋଇଥାଏ । କରୋନା କଟକଣା ଯୋଗୁଁ ଗତ ମାର୍ଚ୍ଚ ୩ୟ ସପ୍ତାହରୁ ଶ୍ରୀମନ୍ଦିରକୁ ସାଧାରଣ ଭକ୍ତ ଓ ଦର୍ଶକଙ୍କୁ ମନା କରାଯାଇଛି । ଏହାରି ମଧ୍ୟରେ ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ାଯାତ୍ରା, ନିଳାଦ୍ରୀ ବିଜେ, ଶ୍ରାବଣ ପୂର୍ଣ୍ଣିମା, ଦଶହରା ଅତିକ୍ରମ କରିସାରିଛି । କିନ୍ତୁ ରତ୍ନ ସିଂହାସରେ ଠାକୁରଙ୍କୁ ଦର୍ଶନ କରିପାରିନାହିଁ ଭକ୍ତ । ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ସମୟରେ କଟକଣା ଥିବାରୁ ଭକ୍ତମାନେ ଟିଭିରେ ଏହା ଦେଖିଥିଲେ । କିନ୍ତୁ ନାଗାର୍ଜୁନ ବେଶ ଟିଭିରେ ପ୍ରସାରଣ ହେବ କି ନାହିଁ ତାହା ଆଶଙ୍କା ସୃଷ୍ଟି ହୋଇଛି । କାରଣ ମହାପ୍ରଭୁଙ୍କର ଏହି ଅପୂର୍ବ ବେଶ ରତ୍ନସିଂହାସନରେ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ଭିତରକୁ ଭିଡିଓ ଓ କ୍ୟାମେରା ନିଷେଧ ଅଛି । କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଚାହିଁଲେ ଭକ୍ତଙ୍କୁ ଠାକୁରଙ୍କ ନାଗାର୍ଜୁନ ବେଶ ଟିଭିରେ ଦର୍ଶନ ମିଳିପାରିବ ।

ଆଶା ରହିଯିବ ନାଗାର୍ଜୁନ ବେଶ ଦର୍ଶନ

ନାଗାର୍ଜୁନ ବେଶର ସ୍ୱତନ୍ତ୍ରତା ରହିଛି । ଯୋଡ଼ା ଆଶାଢ ପଡୁଥିବା ବର୍ଷରେ ଶ୍ରୀଜିଉଙ୍କ ନବକଳେବର ହୋଇଥାଏ । ଏହା କେବେ କେବେ ୧୨ ବର୍ଷରେ ପଡ଼ିଥାଏ, ତ ବେଳେବେଳେ ୧୯ ବର୍ଷରେ ହୋଇଥାଏ । କିନ୍ତୁ ପଂଚୁକ ଛଅ ଦିନ ହେଲେ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥାଏ, ଯାହାକି ଚଳିତ ବର୍ଷ ୨୫ ବର୍ଷ ପରେ ଆସିଛି । ବର୍ତ୍ତମାନ ପରିଦୃଶ୍ୟ ଯାହା ଦେଖାଯାଉଛି, ଶ୍ରୀମନ୍ଦିରକୁ ପ୍ରବେଶ କରି ନାଗାର୍ଜୁନ ବେଶ ଦର୍ଶନ କରିବା ସହଜ ନୁହେଁ । ଯେଉଁମାନେ ବର୍ଷ ବର୍ଷ ଧରି ମହାପ୍ରଭୁଙ୍କ ଏହି ବେଶ ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି, ସେମାନଙ୍କୁ ନିଶ୍ଚିତ ଭାବେ ଆଘାତ ଲାଗିବ । କାରଣ ମହାପ୍ରଭୁ ନାଗାର୍ଜୁନ ବେଶ ଆଉଥରେ କେବେ ଧାରଣ କରିବେ ତାହା ଏବେଠାରୁ କହିହେବ ନାହିଁ । ଯଦି ପୁଣି ୨୫ ବର୍ଷ ପରେ ନାଗାର୍ଜୁନ ବେଶ ଧାରଣ କରନ୍ତି, ତା’ହେଲେ ସେତେବେଳେକୁ ଆଜିର ଯୁବକ ସେତେବେଳକୁ ବୟସ୍କ ହୋଇଯାଇଥିବା । ସେହିଭଳି ଆଜିର ବୟସ୍କ ସେତେବେଳେ ବୃଦ୍ଧ ହୋଇଯିବ ଏବଂ ବୃଦ୍ଧମାନେ ପ୍ରାୟତଃ ଏହି ଦୁନିଆରେ ନ ଥିବେ ।

୬୦ ଲକ୍ଷ ଭକ୍ତଙ୍କ ପାଇଁ ପ୍ରସ୍ତୁତି ହୋଇଥିଲା

ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ସମୟରେ ପୁରୀକୁ ୬୦ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ଆସିବେ ବୋଲି ପୂର୍ବରୁ ଆକଳନ କରାଯାଉଥିଲା । ଏଥି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଗତ ବର୍ଷ ଶେଷରୁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲା । ସେହିପରି ମନ୍ଦିରର ବିକାଶ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଭଲ ପାଣ୍ଠି ଯୋଗାଇ ଦେଇଥିଲେ । ମନ୍ଦିର ସମ୍ମୁଖରେ ସୌନ୍ଦର୍ଯ୍ୟକାମ ଆରମ୍ଭ ହୋଇଯାଇଛି । ମନ୍ଦିର ଚାରିପାଖରୁ ଜବରଦଖଲ ଉଚ୍ଛେଦ କରାଯାଇଛି ।

୧୯୯୬ରେ ଜୀବନ ହାରିଥିଲେ ୬ ଜଣ ଭକ୍ତ, ଶତାଧିକ ଆହତ

ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ଶେଷ ଥର ପାଇଁ ୧୯୯୪ରେ ଅନୁଷ୍ଠିତ ହୋଇଥିଲା । ସେହି ସମୟରେ ପ୍ରବଳ ଭକ୍ତଙ୍କର ସମାଗମ ହୋଇଥିଲା । ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ୬ ଜଣ ଲୋକ ପ୍ରାଣ ହରାଇଥିଲେ । ସେହିପରି ଶତାଧିକ ଲୋକ ଆହତ ହୋଇଥିଲେ ।

କେବେ କେବେ ପଡ଼ିଥିଲା ନାଗାର୍ଜୁନ ବେଶ

-୧୯୯୪ ନଭେମ୍ବର ୧୬
-୧୯୯୩ ନଭେମ୍ବର ୨୬
-୧୯୬୮ ନଭେମ୍ବର ୦୩
-୧୯୬୭ ନଭେମ୍ବର ୧୬
-୧୯୬୬ ନଭେମ୍ବର ୨୬

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments