ନୂଆଦିଲ୍ଲୀ: ଆଗାମୀ ୨ ବର୍ଷ ମଧ୍ୟରେ ନୂଆ ସଂସଦ ଭବନ ନିର୍ମାଣ ହେବ । ଜାତୀୟ ରାଜଧାନୀ ନୂଆଦିଲ୍ଲୀସ୍ଥିତ ସଂସଦ ଭବନ ନିକଟରେ ଏହାକୁ ନିର୍ମାଣ କରାଯିବ । ନୂତନ ଭବନର ନିର୍ମାଣ ଶୈଳୀ ପ୍ରସ୍ତୁତ ହୋଇସାରିଥିବା ବେଳେ ଗୁରୁବାର ଏହାର ଭୂମିପୂଜା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୫୦ ବର୍ଷର ସ୍ଥିତିକୁ ଦୃଷ୍ଟିରେ ରଖି ଏହାର ନିର୍ମାଣ ହେବ । ବର୍ତ୍ତମାନ ତୁଳନାରେ ୧୫୦ ପ୍ରତିଶତ ବସିବା କ୍ଷମତା ଅଧିକ ରହିବ ବୋଲି କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଛି । ଲୋକସଭାକୁ ଜାତୀୟ ପକ୍ଷୀ ମୟୂର ଡିଜାଇନ ଦିଆଯିବାକୁ ଥିବା ବେଳେ ରାଜ୍ୟ ସଭାର ଡିଜାଇନ ହେବ ଜାତୀୟ ପୁଷ୍ପ ପଦ୍ମ ପରି । ଏତଦ୍ ବ୍ୟତୀତ ତିନିକୋଣିଆ କୋଠାରେ ବଡ଼ ସମ୍ବିଧାନ ଅଭ୍ୟର୍ଥନା କକ୍ଷ ରହିବ ।
ଭୂମି ପୂଜା କଲେ ପ୍ରଧାନମନ୍ତ୍ରୀ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ନୂଆ ସଂସଦ ଭବନ ପାଇଁ ଭୂମି ପୂଜନ କରିଛନ୍ତି । ଦେଶ ସ୍ୱାଧୀନତା ପ୍ରାପ୍ତିର ପ୍ଲାଟିନମ ଜୁବୁଲି ବର୍ଷ ପୂର୍ତ୍ତି ଅବସରରେ ୨୦୨୨ ଯାଏଁ ନୂତନ ସଂସଦ ଭବନର ନିର୍ମାଣ କାମ ଶେଷ ହେବ । ସେହି ବର୍ଷ ଶୀତକାଳୀନ ଅଧିବେଶନ ଏଠାରେ ଆରମ୍ଭ ହେବ । ବର୍ତ୍ତମାନ ଲୋକସଭାର ଆସନ ସଂଖ୍ୟା ୫୫୨ ଥିବା ବେଳେ ଭବିଷ୍ୟତରେ ୮୮୮କୁ ଲକ୍ଷ୍ୟରେ ରଖାଯାଇ ବ୍ୟବସ୍ଥା କରାଯାଇଛି । ସେହିଭଳି ରାଜ୍ୟସଭାରେ ୩୮୪ ଜଣ ସଦସ୍ୟ ବସିବା ପାଇଁ ଭିତ୍ତିଭୂମି କରାଯାଛଛି । ବର୍ତ୍ତମାନ ପରିପ୍ରେକ୍ଷୀରେ ରାଜ୍ୟସଭାର ସଦସ୍ୟ ସଂଖ୍ୟା ୨୪୫ । ଏହି ଅବସରରେ ଲୋକସଭା ବାଚସ୍ପତି ଓମ ବିର୍ଲା, ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ଗୃହ ଓ ନଗର ବ୍ୟାପାନ୍ତ୍ରାଜ୍ୟ ମନ୍ତ୍ରୀ ହରଦୀପ ସିଂହ ପୁରୀ ଓ ରାଜ୍ୟସଭାର ଉପସଭାପତି ହରିବଂଶ ନାରାୟଣ ସିଂହ ସାମିଲ ଥିଲେ ।
୪ ମହଲା ହେବ ସଂସଦ ଭବନ
ମୋଟ ୬୪ ହଜାର ବର୍ଗମିଟର ଅଂଚଳରେ ନୂତନ ସଂସଦ ଭବନର ନିର୍ମାଣ ହେବ । ଟାଟା ପ୍ରୋଜେକ୍ଟ ଲିମିଟେଡ ଏହାକୁ ନିର୍ମାଣ କରିବ । ଏଚସିପି ଡିଜାଇନ ପ୍ଲାନିଂ ଏବଂ ମ୍ୟାନେଜମେଣ୍ଟ ପ୍ରାଇଭେଟ ଲିମିଟେଡ ଦ୍ୱାରା ପ୍ରସ୍ତୁତ ସଂସଦ ଭବନ ୪ ମହଲା ବିଶିଷ୍ଟ ହେବ । ପ୍ରତି ମହଲାରେ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ରହିବ । ପ୍ରଥମ ମହଲାରେ ମନ୍ତ୍ରୀ, ଭିଆଇପି, ସାଂସଦ ଓ ଅତିଥିଙ୍କ ପାଇଁ ଡାଇନିଂ ରହିବ । ସଂବିଧାନ ହଲକୁ ୩ଟି ପ୍ରବେଶ ପଥ ସଂଯେଗ କରିବ ।
ଅତ୍ୟାଧୁନିକ ସୁବିଧା
ମନ୍ତ୍ରାଳୟ ଅନୁସାରେ, ନୂତନ ସଂସଦ ଭବନରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସୁବିଧା ରହିବ । ସୋଲାର ସିଷ୍ଟମର ବ୍ୟବହାର ଯୋଗୁଁ ବିଦ୍ୟୁତ ଶକ୍ତିକୁ ମଧ୍ୟ ସଂଚୟ କରାଯାଇପାରିବ । ସେହିଭଳି ଭୂମିକମ୍ପକୁ ମୁକାବିଲା କରିବା ପାଇଁ ମଧ୍ୟ ନୂତନ ସଂସଦ ଭବନର କ୍ଷମତା ରହିବ ।
ଭାରତୀୟ କଳା ଓ ସ୍ଥାପତ୍ୟକୁ ଗୁରୁତ୍ୱ
ସଂସଦର ନୂତନ ଭବନରେ ଭାରତୀୟ କଳା ଓ ସଂସ୍କୃତିକୁ ଗୁରୁତ୍ୱ ଦିଆଯାଇଛି । ଆଂଚଳିକ କଳା, ଶିଳ୍ପ ଓ ବାସ୍ତୁକଳାର ବିଚିତ୍ର ସମ୍ଭାର ପ୍ରଦର୍ଶିତ ହେବ । ସରକାର କହିଛନ୍ତି ଯେ, ଏକବିଂଶ ଶତାବ୍ଦୀର ଆବଶ୍ୟକତା ପୂରଣ କଲା ଭଳି ଏହାର ନିର୍ମାଣ ଶୈଳୀ । କେନ୍ଦ୍ର୍ରୀୟ ସମ୍ବିଧାନ ଗ୍ୟାଲେରୀକୁ ସ୍ଥାନ ଦିଆଯାଇଛି, ଯାହାକୁ କି ସାଧାରଣ ଲୋକ ମଧ୍ୟ ଦେଖିପାରିବେ । ଏହା ବ୍ୟତୀତ ପରିବେଶଯୁକ୍ତ ଅନୁକୂଳ କାର୍ଯ୍ୟଶୈଳୀର ବ୍ୟବହାର ମଧ୍ୟ ହେବ ।
ବର୍ତ୍ତମାନର ସଂସଦ ଭବନ
ରାଷ୍ଟ୍ରପତି ଭବନଠାରୁ ମାତ୍ର ୭୫୦ ମିଟର ଦୂରରେ ବର୍ତ୍ତମାନର ସଂସଦ ଭବନ ରହିଛି । ଏହା ଇଣ୍ଡିଆ ଗେଟ, ଯୁଦ୍ଧ ସ୍ମାରକୀ ସ୍ଥଳ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଅନ୍ୟ ପ୍ରଶାସନିକ ଶାଖା ପରିସରରେ ଏହା ଛିଡ଼ା ହୋଇଛି । ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ ୧୧ତମ ଶତାବ୍ଦୀରେ ନିର୍ମିତ ଚଉଷଠୀ ଯୋଗିନୀ ମନ୍ଦିରର ନିର୍ମାଣ ଶୈଳୀରେ ସଂସଦ ଭବନ ନିର୍ମାଣ ହୋଇଛି । ବ୍ରିଟିଶ ଶାସକ ନିଜର ଇମ୍ପରିଆଲ ଲେଜିଲେଟିଭ କାଉନସିଲ ପାଇଁ ଏହାକୁ ୧୯୨୧ରେ ନିର୍ମାଣ ଆରମ୍ଭ କରିଥିଲେ । ଏହି କୋଠା ୨୦୨୭ରେ କାର୍ଯ୍ୟକ୍ଷମ ହୋଇଥିଲା । ୧୯୪୭ ଯାଏଁ ଏହାର ମାଲିକ ଥିଲେ ଇଂରେଜମାନେ । କିନ୍ତୁ ଦେଶ ସ୍ୱାଧୀନ ହେବା ପରେ ଅର୍ଥାତ ୧୯୫୦ରେ ଭାରତର ସମ୍ବିଧାନ ହେବା ପରେ ଏହି କୋଠାକୁ ସଂସଦ ଭବନ କରାଯାଇଥିଲା । ବର୍ତ୍ତମାନ ସଂସଦ ଭବନରେ ୭୯୦ ଜଣ ସଦସ୍ୟ ବସିବା ପାଇଁ ବ୍ୟବସ୍ଥା ଥିବା ବେଳେ ଏହା ଆଗାମୀ ଦିନରେ ୧୩୫୦କୁ ବୃଦ୍ଧି ପାଇବ ।