Tuesday, October 15, 2024
Homeଖବରପ୍ରମୁଖ ଖବର୪ ରାଜ୍ୟରୁ କିଛି ଶିଖିବେ କି ଓଡ଼ିଶାବାସୀ?

୪ ରାଜ୍ୟରୁ କିଛି ଶିଖିବେ କି ଓଡ଼ିଶାବାସୀ?

ଭୁବନେଶ୍ବର: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାର ବିଧାନସଭା ନିର୍ବାଚନୀ ଫଳାଫଳ ଆସିଛି। ପ୍ରଥମ ୩ଟି ରାଜ୍ୟରେ ଏଥର ବିଜେପି ଜଲୱା ଦେଖାଉଥିବାବେଳେ, ତେଲେଙ୍ଗାନରେ କଂଗ୍ରେସ ବିଜୟର ବାନା ଉଡ଼ାଇଛି। ମୋଟାମୋଟି ଭାବେ କହିବାକୁ ଗଲେ ଏହି ୪ଟି ରାଜ୍ୟର ଜନତା ପରିବର୍ତ୍ତନ ଚାହିଁଛନ୍ତି। କଂଗ୍ରେସର ଘୋଷଣାପତ୍ରକୁ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ର ଜନତା ସ୍ବୀକାର କରିନାହାନ୍ତି। ଭାରତର କେନ୍ଦ୍ର ସ୍ଥଳ କୁହାଯାଉଥିବା ମଧ୍ୟପ୍ରଦେଶରେ ବିଜେପି ପଦ୍ମ ଫୁଟାଇଛି। ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ମଧ୍ୟପ୍ରଦେଶରେ ନିର୍ବାଚନ ୧୧୪ଟି ଆସନରେ ଜିତି ସରକାର ଗଢ଼ିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଦଳୀୟ କନ୍ଦଳ ଯୋଗୁଁ ସରକାର ଭୁଶୁଡ଼ି ପଡ଼ିଥିଲା ଓ ୧୦୯ଟି ଆସନରେ ବିଜୟ ହାସଲ କରିଥିବା ବିଜେପି ଅନ୍ୟ ଦଳର ବିଧାୟକଙ୍କ ସମର୍ଥନରେ କ୍ଷମତାକୁ ଆସିଥିଲା।  

୪ ରାଜ୍ୟରେ ମୋଟ ୬୩୮ଟି ବିଧାନସଭା ଆସନରେ ମତଦାନ ହୋଇଥିଲା। କିନ୍ତୁ ବିଜେପିକୁ ୩୪୧ଟି ଆସନରେ ବିଜୟ ମିଳିଛି। କିନ୍ତୁ ମଧ୍ୟ ଭାରତରେ ବିଜେପି କ୍ଷମତାକୁ ଫେରିଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ୫୧୯ରୁ ୩୩୩ ଆସନରେ ବିଜେପି ବିଜୟୀ ହୋଇଛି। କଂଗ୍ରେସର ଘୋଷଣାପତ୍ର ମତଦାତାଙ୍କୁ ଲୋଭରେ ପକାଇପାରି ନାହିଁ। ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସର କାର୍ଯ୍ୟକୁ ଲୋକେ ପସନ୍ଦ କରିନାହାନ୍ତି। ବିଜେପିର କାର୍ଯ୍ୟଶୈଳୀକୁ ଜନତା ଗ୍ରହଣ କରି ପୁଣି ଥରେ ଭୋଟ ଦେଇଛନ୍ତି। ବିଜେପିକୁ ରାଜସ୍ଥାନରେ ୧୯୯ରୁ ୧୧୫ ଓ ମଧ୍ୟପ୍ରଦେଶରେ ୨୩୦ରୁ ୧୬୪ ଆସନରେ ବିଜୟ ମିଳିଛି। କଂଗ୍ରେସକୁ ଏହି ରାଜ୍ୟରେ ଯଥାକ୍ରମେ ୬୯ ଓ ୬୫ଟି ଆସନରେ ବିଜୟ ମିଳିଛି। ଉପରୋକ୍ତ ୪ଟି ରାଜ୍ୟର ନିର୍ବାଚନ ଫଳାଫଳରୁ ଓଡ଼ିଶାବାସୀ ମଧ୍ୟ ଶିଖିବାର ଅଛି। କାରଣ ରାଜ୍ୟରେ ଗୋଟିଏ ସରକାର ଦୀର୍ଘ ଦିନ ରହିଲେ ହିଂସା, ଅପରାଧ, ଅରାଜକତା, ନିର୍ଯାତନା ଓ ଦୁର୍ନୀତି ଆଦି ବଢ଼ିଚାଲିଲେ, ଯାହାକି ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ। ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାର ଲୋକେ ପରିବର୍ତ୍ତନ ଆଣି ଗଣତନ୍ତ୍ରକୁ ମଜବୁତ କରିବାରେ ସହାୟକ ହୋଇପାରିଛନ୍ତି।  

ବିକାଶ ଚାହୁଁଛନ୍ତି ଯୁବବର୍ଗ: ମୋଦୀ

ବିପୁଳ ବିଜୟ ପରେ ବିଜେପି ଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏହି ବିଜୟ ଏକ ଐତିହାସିକ ବିଜୟ। ଏହା ସୁଶାସନର ବିଜୟ, ଏହି ବିଜୟ ବିକଶିତ ଭାରତର ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ।  ଦେଶର ୪ଟି ଜାତିର ବିକାଶ ହେଲେ ଦେଶର ବିକାଶ ହେବ। ଏହି ୪ଟି ଜାତି ହେଲେ ନାରୀ, ଯୁବଗୋଷ୍ଠୀ,କୃଷକ ଓ ଗରିବ। ମୁଁ ମୋ ମାଆ, ଭଉଣୀ, ଝିଅମାନଙ୍କ ଆଗରେ ପ୍ରଣାମ କରୁଛି, ମୁଁ ମୋର ଯୁବ ବନ୍ଧୁମାନଙ୍କ ସମ୍ମୁଖରେ ଅଛି, ମୁଁ ମୋର କୃଷକ ସହକର୍ମୀଙ୍କ ସମ୍ମୁଖରେ ଅଛି, ସେମାନଙ୍କ ନିଷ୍ପତ୍ତି ଆଗରେ ମୁଁ ମୋର ଗରିବ ପରିବାର ଆଗରେ ପ୍ରଣାମ କରୁଛି। ଏହି ନିର୍ବାଚନ ଫଳାଫଳ ଆଉ ଏକ କଥା ସ୍ପଷ୍ଟ କରିଛି ଯେ ଦେଶର ଯୁବବର୍ଗ କେବଳ ବିକାଶ ଚାହୁଁଛନ୍ତି।

ହାରିଲେ କେସିଆର

ତେଲେଙ୍ଗାନାରେ ବିଆରଏସ୍ର ଯୁଗ ଶେଷ ହୋଇଛି। ଏଠାରେ କଂଗ୍ରେସ ସରକାର ଗଢ଼ିବାକୁ ଯାଉଛି। କଂଗ୍ରେସକୁ ୬୪ ଓ ବିଆରଏସ୍କୁ ୩୯ଟି ଆସନରେ ବିଜୟ ମିଳିଛି। କେସିଆରଙ୍କ ଆଞ୍ଚଳିକ ଦଳ ବିଆରଏସ୍କୁ ଲୋକେ ଗ୍ରହଣ କରି ନାହାନ୍ତି। ଯଦିଓ ବିଆରଏସ୍ ସରକାରରେ ତେଲେଙ୍ଗାନାର ବିକାଶକୁ ଭୁଲି ହେବନାହିଁ, ତଥାପି ଲୋକେ ଆହୁରି ନୂଆ ଚାହାନ୍ତି। ଚଳିତ ନିର୍ବାଚନରେ ବିଜେପିକୁ ତେଲେଙ୍ଗାନରେ ୮ଟି ଆସନରେ ବିଜୟ ମିଳିଛି। ଏଠାରେ ୨୦୧୮ ନିର୍ବାଚନରେ ବିଆରଏସ୍କୁ ୮୮, କଂଗ୍ରେସକୁ ୧୯ ଓ ବିଜେପିକୁ ଗୋଟିଏ ଆସନ ମିଳିଥିଲା।

ରାୟପୁରରେ ଚମକିଲେ ଓଡ଼ିଆ ପୁଅ

ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପିକୁ ୫୪ଟି ଆସନ ମିଳିଥିବା ବେଳେ କଂଗ୍ରେସକୁ ୩୫ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଏଠାରେ ଜଣେ ଓଡ଼ିଆ ପୁଅ ପୁରନ୍ଦର ମିଶ୍ର ବିଜୟୀ ହୋଇଛନ୍ତି। ସେ ରାୟପୁର (ଉତ୍ତର) ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ହୋଇ ଜିତିଛନ୍ତି।  ଶ୍ରୀ ମିଶ୍ର ୫୪,୨୭୯ ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା କଂଗ୍ରେସର ପ୍ରାର୍ଥୀ କୁଲଦୀପ ସିଂହ ଜୁନେଜାଙ୍କ ଠାରୁ ୨୩,୦୫୪ ଖଣ୍ଡ ଅଧିକ ଭୋଟରେ ଜିତିଛନ୍ତି। କୁଲଦୀପଙ୍କୁ ୩୧,୨୨୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ଅଜିତ କୁକରେଜାଙ୍କୁ ୨୨,୯୩୯ ଖଣ୍ଡ ଭୋଟ୍ ମିଳିଛି। ପୁରନ୍ଦର ମିଶ୍ର ନିର୍ବାଚନ ଜିତିଲା ପରେ ରାୟପୁରସ୍ଥିତ ଓଡ଼ିଆ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ସବର ମାହୋଲ ଦେଖାଯାଇଛି।

ଖାତା ଖୋଲିପାରିଲାନି ଆପ୍

ଦିଲ୍ଲୀ ପରେ ପଂଜାବରେ ସରକାର ଗଢ଼ିବା ପରେ ଆମ୍ ଆଦମୀ ପାର୍ଟି ଅନ୍ୟ ରାଜ୍ୟରେ ମଧ୍ୟ ସଂପ୍ରସାରିତ ହେବ ବୋଲି ଆକଳନ କରାଯାଉଥିଲା। ଆପ୍ ଦଳ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ପାଖାପାଖି ୨୦୦ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇଥିଲେ ବି, ଗୋଟିଏ ବି ସିଟରେ କେହି ବି ଜଣେ ପ୍ରାର୍ଥୀ ବିଜୟୀ ହେଇପାରିନାହାଁନ୍ତି। ମଧ୍ୟପ୍ରଦେଶରେ ୭୦, ରାଜସ୍ଥାନରେ ୮୮ ଓ ଛତିଶଗଡରେ ୫୭ଟି ସିଟରେ ପ୍ରାର୍ଥୀ ଦେଇଥିଲା। ଏମିତି କି ଏହି ରାଜ୍ୟ ସବୁକୁ ଯାଇ ଅରବିନ୍ଦ କେଜ୍ରିୱାଲ ଏବଂ ଭଗୱନ୍ତ ମାନ୍ ନିର୍ବାଚନୀ ରାଲି ବି କରିଥିଲେ। ଏହାସହିତ ମାଗଣା ଶିକ୍ଷା, ମାଗଣା ବିଜୁଳି ଭଳି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏତେ ସବୁ ପ୍ରତିଶ୍ରୁତି ପରେ ବି ୨୦୦ ଆସନରୁ ଗୋଟିଏ ବି ଆସନରେ କେହି ବି ଆପ୍ ପ୍ରାର୍ଥୀ ବିଜୟୀ ହେଇପାରିନାହାଁନ୍ତି। ଅନେକ ପ୍ରାର୍ଥୀଙ୍କ ଜମାନତ ମଧ୍ୟ ରଦ୍ଦ ହେଇଯାଇଛି।  

୪ ରାଜ୍ୟର ଫଳାଫଳ ଓଡ଼ିଶା ଉପରେ ପଡ଼ିବ: ବିଜେପି

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ର ବିଧାନସଭା ନିର୍ବାଚନ ଫଳାଫଳ ନରେନ୍ଦ୍ର ମୋଦୀଙ୍କ ଉପରେ ଲୋକଙ୍କ ଭରସାକୁ ପ୍ରମାଣ କରୁଛି। ‘ଏହି ରେଜଲ୍ଟ ପ୍ରଭାବ ଲୋକସଭା ନିର୍ବାଚନରେ ନିଶ୍ଚିତ ଭାବେ ପଡ଼ିବ। ଆଗାମୀ ଲୋକସଭା ନିର୍ବାଚନ ଆମେ ବହୁତ ବଡ଼ ମାତ୍ରାରେ ଜିତିବୁ। ‘ମୁଁ ୨ ମାସ କାଳ ଛତିଶଗଡ଼ରେ ଥିଲି, ଲୋକଙ୍କ ମତାମତ ସ୍ପଷ୍ଟ ଥିଲା। ‘ମୋଦୀଙ୍କ ନେତୃତ୍ବରେ ଦେଶ ପ୍ରଗତି କରୁଥିବା ସେମାନେ କହିଛନ୍ତି। ଛତିଶଗଡ଼ର ପ୍ରଭାବ ଓଡ଼ିଶା ଉପରେ ନିଶ୍ଚିତ ପଡ଼ିବ। ସେହିପରି ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ରବିବାର କହିଛନ୍ତି ଏହା ସେମିଫାଇନାଲ ଥିଲା। ୨୦୨୪ରେ ଫାଇନାଲ ହେବ। ବିଜେପି ସମୟରେ ବିକାଶ ହେଉଥିଲା। କଂଗ୍ରେସ ସମୟରେ ବିକାଶ ହୋଇନାହିଁ। ତେଣୁ ଲୋକେ ବିକାଶକୁ ଦୃଷ୍ଟିରେ ରଖି ବିଜେପିକୁ ପୁଣି ଥରେ ସମର୍ଥନ ଜଣାଇଛନ୍ତି। କଂଗ୍ରେସ ଶାସନ କାଳରେ ୪୦ ବର୍ଷରେ ୧୪ ଲକ୍ଷ କୋଟି ଟଙ୍କାର ଋଣରେ ବୁଡ଼ିଥିଲା ଦେଶ। ଓଡ଼ିଶା ପାଇଁ ଯାହା ରଣନୀତି ଦରକାର ତାହା କରିବୁ। ଓଡ଼ିଶାରେ ଗଣତନ୍ତ୍ର ପ୍ରତିଷ୍ଠା କରିବାକୁ ପଡ଼ିବ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments