Saturday, September 14, 2024
Home୫-ଟି ସଚିବଙ୍କୁ ନେଇ ଜନତା ଅସନ୍ତୁଷ୍ଟ କି?
Array

୫-ଟି ସଚିବଙ୍କୁ ନେଇ ଜନତା ଅସନ୍ତୁଷ୍ଟ କି?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କୁ ନେଇ ଗତ ଏକ ସପ୍ତାହ ହେଲା ଚର୍ଚ୍ଚା ଜୋରଦାର ଧରିଛି । ବିଳମ୍ବରେ ହେଲେ ବି ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ପ୍ରତି ଅସନ୍ତୋଷ ଜାହିର କରିଛନ୍ତି । କିଛି ମାସ ହେବ ୫-ଟି ସଚିବ ବିଭିନ୍ନ ଜିଲ୍ଲାକୁ ୨ ଦିନିଆ ଗସ୍ତ କରି କରି ସେଠାରେ ନୂଆ ପ୍ରକଳ୍ପ ଘୋଷଣା କରିବାକୁ ବିରୋଧୀମାନେ ସହ୍ୟ କରିପାରୁ ନାହାନ୍ତି । ଅନ୍ୟପଟରେ ରାଜ୍ୟ ସରକାର ସ୍ୱୀକାର କରୁଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ରାଜ୍ୟର ବିଭିନ୍ନ ସ୍ଥାନକୁ ଗସ୍ତ କରୁଛନ୍ତି । ୫-ଟି ସଚିବ ଶ୍ରୀ ପାଣ୍ଡିଆନ ମଧ୍ୟ ଏହା କହୁଛନ୍ତି ।

ବିଜେଡି ସରକାରଙ୍କ ୫ମ ପାଳିରେ ୫-ଟି ରାଜ୍ୟରେ ବିଭାଗ ଖୋଲିଥିଲା । ଏହି ବିଭାଗ ଖୋଲିବା ଦ୍ୱାରା ଏବେ ସରକାରରେ ସବୁଠାରୁ କ୍ଷମତାଶାଳୀ ବ୍ୟକ୍ତି ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନ । ରାଜ୍ୟର ଉନ୍ନୟନ ପ୍ରକଳ୍ପ ପାଇଁ ମନ୍ତ୍ରୀ କି ବିଧାୟକ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିପାରୁ ନାହାନ୍ତି । ଯଦିଓ ରାଜ୍ୟ ହେଉ ବା ଦେଶର କୌଣସି ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହିଁବେ, ପ୍ରଥମେ ୫-ଟି ସଚିବଙ୍କୁ ଭେଟିବେ ।  ରାଜ୍ୟରେ ବିକାଶ ପାଇଁ କେଉଁଠି କ’ଣ ନିର୍ମାଣ ହେବ, ତାହା ନବୀନ ପଟ୍ଟନାୟକ ହିଁ ନିଷ୍ପତ୍ତି ନିଅନ୍ତି । ଘଟଣାସ୍ଥଳକୁ ୫-ଟି ସଚିବ ଯାଆନ୍ତି । ବିଗତ ୨ ବର୍ଷ ହେଲା ଦେଖିବାକୁ ମିଳୁଛି ଯେ, ମନ୍ତ୍ରୀ କିମ୍ବା ବିଧାୟକମାନେ ନୂଆ ପ୍ରକଳ୍ପ ନେଇ ଘୋଷଣା କରିପାରୁ ନାହାନ୍ତି । ରାଜ୍ୟର ରାଜନୀତି ଏକପ୍ରକାର ସ୍ଥାଣୁ ପାଲଟି ଯାଇଛନ୍ତି । ଜନତାମାନେ ନେତାଙ୍କୁ ଭୋଟ ଦେଇଥିଲେ । କିନ୍ତୁ ନେତାମାନେ ଲୋକଙ୍କର ସମସ୍ୟା ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କହିପାରୁ ନାହାନ୍ତି ।

ସଚିବଙ୍କ ଗସ୍ତରେ ରାଜନୈତିକ ଛାପ

ଅନ୍ୟପଟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଯେତେବେଳେ ଜିଲ୍ଲାସ୍ତରରେ ଗସ୍ତ କରୁଛନ୍ତି ଏବଂ ଯେଉଁଭଳି ଘୋଷଣା କରୁଛନ୍ତି ଆଶ୍ଚର୍ଯ୍ୟ ହେବାକୁ ପଡୁଛି । ୫-ଟି ସଚିବ ଯଦିଓ ଜଣେ ଅମଳା କର୍ମଚାରୀ, ତଥାପି ତାଙ୍କର ସଭାସ୍ଥଳୀକୁ ପୂରା ବିଜେଡି ରଂଗରେ ସଜେଇ ଦିଆଯାଉଛି । ଚର୍ଚ୍ଚା ହେଉଛି ଯେ, ପାଣ୍ଡିଆନ ଯେଉଁ ଜିଲ୍ଲାକୁ ଗସ୍ତ କରୁଛନ୍ତି, ସେଠାରେ ସରକାରୀ କର୍ମଚାରୀଙ୍କ ଠାରୁ ୨ ହଜାର ଟଙ୍କା ଲେଖାଏଁ ଚାନ୍ଦା ଆଦାୟ କରାଯାଉଛି । କର୍ମଚାରୀମାନଙ୍କର ଛୁଟି ବାତିଲ କରିଦିଆଯାଉଛି। ମାତ୍ର ୫-ଟି ସଚିବ ଯେଉଁଭଳି ଭାବେ ଉନ୍ନୟନ ପ୍ରକଳ୍ପ ନେଇ ଘୋଷଣା କରୁଛନ୍ତି ଲୋକେ ଖୁସି ହୋଇଯାଉଛନ୍ତି। ମୁଖ୍ୟମନ୍ତ୍ରୀ ପରେ ରାଜ୍ୟରେ ୫-ଟି ସଚିବ ଅଧିକ ଲୋକପ୍ରିୟ ହୋଇପାରିଛନ୍ତି। କାରଣ ବିଗତ ୨୨ ବର୍ଷରେ ରାଜ୍ୟରେ ଯାହା ହୋଇପାରି ନଥଲା ମାତ୍ର ୧ ବର୍ଷରେ ତାହା ଘୋଷଣା କରିପାରୁଛନ୍ତି ପାଣ୍ଡିଆନ। କିନ୍ତୁ ନିର୍ମାଣ କେବେ ଓ କେମିତି ହେବ ତାହା ସମୟ କହିବ।

୫ଟି ସଚିବଙ୍କୁ ବିଜେପି ସାଂସଦଙ୍କ ଟାର୍ଗେଟ

ଗତ ୧୮ ତାରିଖ ଦିନ୫-ଟି ସଚିବଙ୍କ ନାମ ନେଇ ଟାର୍ଗେଟ କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ । ସେ ସରକାରଙ୍କ ସଚିବଙ୍କୁ କେତୋଟି ପ୍ରଶ୍ନ କରିଥିଲେ । କିନ୍ତୁ ୫-ଟି ସଚିବଙ୍କ ସ୍ଥାନରେ ବିଜେଡିର ଜଣେ ବରିଷ୍ଠ ନେତ୍ରୀ ଶ୍ରୀମୟୀ ମିଶ୍ର ଏହାର ଉତ୍ତର ରଖିଥିଲେ । ଏଥିରୁ ରାଜ୍ୟର ରାଜନୀତିର ଦୁର୍ବଳତା ଜଣାପଡୁଛି । ଯାହାକୁ ପ୍ରଶ୍ନ ପଚରାଯାଉଛି, ସେ ଉତ୍ତର ନଦେଇ ବିଜେଡି କାହିଁକି ଉତ୍ତର ଦେଉଛି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ସୃଷ୍ଟି ହେଉଛି । ନବୀନ ଠିକ କରୁଛନ୍ତି କି ଭୁଲ କରୁଛନ୍ତି, ତାହା ସେ ଜାଣିଛନ୍ତି । କିନ୍ତୁ ସେଦିନ ଶ୍ରୀମତୀ ଷଡ଼ଙ୍ଗୀ ବିଜେଡିକୁ ପ୍ରଶ୍ନ କରି ନଥିଲେ । ରାଜ୍ୟର ଅନେକ ଲୋକ ଆଶ୍ଚର୍ଯ୍ୟ ଯେ, ପାଣ୍ଡିଆନ ଶାସକ ନା ପ୍ରଶାସକ? ରାଜ୍ୟ ଶାସନ ବ୍ୟବସ୍ଥାରେ ପାଣ୍ଡିଆନଙ୍କର ଯେଉଁଭଳି ଭୂମିକା ରହୁଛି, ଆଉ କାହାରି ରହୁନାହିଁ । କିଛି ଦିନ ପୂର୍ବରୁ ଗଂଜାମ ଜିଲ୍ଲାର ଶେରଗଡ଼ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୫-ଟି ସଚିବ ଭିକେପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ବୋଲି ଆସିକା ସାଂସଦ ପ୍ରମିଳା ବିଶୋୟୀ ସମ୍ବୋଧିତ କରିଥିଲେ । ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଏହା ପାଣ୍ଡିଆନଙ୍କ ଲୋକପ୍ରିୟତା ହୋଇପାରେ ଅଥବା ପ୍ରମିଳାଙ୍କ ଅଜଣାତରେ ହୋଇପାରେ । କିନ୍ତୁ ପ୍ରମିଳା ଏବାଦରେ ପରେ ଆଉ ମୁହଁ ଖୋଲି ନଥିଲେ। କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, ଓଡ଼ିଶାରେ ଏବେ ବିଚିତ୍ର ଶାସନ ଚାଲିଛି। ପୂର୍ବରୁ ମନ୍ତ୍ରୀଙ୍କ ସରକାରୀ ଗସ୍ତ କାର୍ଯ୍ୟକ୍ରମକୁ ସଚିବମାନେ ତଦାରଖ କରୁଥିଲେ। ଏବେ ସଚିବଙ୍କ କାର୍ଯ୍ୟକ୍ରମକୁ ମନ୍ତ୍ରୀ, ବିଧାୟକମାନେ ତଦାରଖ କରୁଛନ୍ତି। ଯାହାର ନମୁନା ଏବେ ୫-ଟି ସଚିବଙ୍କ ଗସ୍ତ ବେଳେ ଜଳଜଳ ହୋଇ ପଦାରେ ପଡ଼ିଛି। 

ମୁଖ୍ୟମନ୍ତ୍ରୀଙ୍କ ବଦଳରେ ସଚିବଙ୍କ ବ୍ୟୟବହୁଳ ଗସ୍ତ

୫-ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କ ଦୁଇଦିନିଆ ବାଲେଶ୍ବର ଗସ୍ତକୁ ନେଇ ଶାସକ ଦଳର ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ତତ୍ପର ହୋଇଉଠିଥିଲା ବେଳେ ବିଜେପି ଓ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିଲା। ସଚିବଙ୍କ ଗସ୍ତ ଚୂଡ଼ାନ୍ତ ହେବାପରେ ପଞ୍ଚାୟତ ଓ ବ୍ଲକ୍‌ ସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ପ୍ରତିଦିନ ବିରୋଧୀଦଳ ପକ୍ଷରୁ ବୈଠକ କରାଯାଇଥିଲା ଦୁଇ ପ୍ରମୁଖ ବିରୋଧୀଦଳ ବିଜେପି ଓ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ ଡାକି ୫-ଟି ସଚିବଙ୍କ ଗସ୍ତକାର୍ଯ୍ୟକ୍ରମକୁ ବିରୋଧ କରିଥିଲେ। ଜଳେଶ୍ୱର ନିର୍ବାଚନମଣ୍ଡଳୀ ବିଜେପି ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥର ମଧୁବନ ହୋଟେଲ ସମ୍ମିଳନୀ କକ୍ଷରେ ବି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ବଦଳରେ ସଚିବଙ୍କ ବ୍ୟୟବହୁଳ ଗସ୍ତ ଓଡ଼ିଶାର ସଚେତନ ଜନତାଙ୍କ ପାଇଁ ଅପମାନ ସଦୃଶ ବୋଲି ମତ ପ୍ରକାଶ ପାଇଥିଲା।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments