Tuesday, September 10, 2024
Home୭୫ ବର୍ଷର ସ୍ୱାଧୀନ ଭାରତରେ ଓଡ଼ିଶା କେତେ ବିକଶିତ?
Array

୭୫ ବର୍ଷର ସ୍ୱାଧୀନ ଭାରତରେ ଓଡ଼ିଶା କେତେ ବିକଶିତ?

ଭୁବନେଶ୍ୱର: ସାରା ଭାରତରେ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଭାରତୀୟ ମାନେ ତ୍ରିରଙ୍ଗା ଉଡ଼ାଉଛନ୍ତି। ଉତ୍ତରରେ ଜମ୍ମୁ କଶ୍ମୀର ଠାରୁ ଦକ୍ଷିଣ କନ୍ୟାକୁମାରୀ ଯାଏଁ ଏବଂ ପୂର୍ବରେ ମଣିପୁର ଠାରୁ ପଶ୍ଚିମରେ ରାଜସ୍ଥାନ ଯାଏଁ ତ୍ରିରଙ୍ଗା ଉଡ଼ିଛି। ତେବେ ବ୍ରିଟିଶ ହାତରୁ ମୁକୁଳିବା ପରେ ଦେଶର ବିକାଶ ହୋଇଛି, ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ। କୃଷିକାର୍ଯ୍ୟ କ୍ଷେତ୍ରରେ ପଂଜାବ, ହରିଆଣା, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ମଧ୍ୟପ୍ରଦେଶ ଆଦି ରାଜ୍ୟର ବିକାଶ  କେତେ ପରିମାଣରେ ହୋଇଛି, ଦେଖିଲା ଲୋକ ବିଶ୍ୱାସ କରିପାରିବେ। ସେହିପରି ଶିଳ୍ପ କ୍ଷେତ୍ରରେ ଦିଲ୍ଲୀ, ଗୁଜରାଟ, ତାମିଲନାଡୁ, ମହାରାଷ୍ଟ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିଛି। ବିକାଶ ପାଇଁ କୃଷି ଓ କଳକାରଖାନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ସ୍ୱାଧୀନ ଭାରତରେ ଓଡ଼ିଶା ହେଉଛି ଅନ୍ୟତମ ପୁରୁଣା ରାଜ୍ୟ। ମାତ୍ର କ୍ଷୋଭର ବିଷୟ ଯେ, ଓଡ଼ିଶା ଯେଭଳି ବିକଶିତ ହେବା କଥା ତାହା ହୋଇ ପାରିନାହିଁ। ୧୯ ୪୭ ମସିହା ଠାରୁ ରାଜ୍ୟର ଦାୟିତ୍ୱ ୨ଟି ରାଜନୈତିକ ଦଳ ହାତରେ ରହିଛି। ପ୍ରାୟ ୫୦ ବର୍ଷ ଶାସନ କରିଛି କଂଗ୍ରେସ। ସେହିପରି ବିଜୁ ଜନତା ଦଳ ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ଧରି କ୍ଷମତାରେ ରହିଛି। କିନ୍ତୁ ରାଜ୍ୟ ଆଶାନୁସାରେ ଆତ୍ମନିର୍ଭରଶୀଳ ହୋଇପାରି ନାହିଁ। ଓଡ଼ିଶା ପରେ ଜନ୍ମ ନେଇଥିବା ରାଜ୍ୟ ଗୁଡ଼ିକୁ ଅତି ନିକଟରୁ ଦେଖିଲେ ଆମର ସ୍ଥିତି କେଉଁଠି, ନିଶ୍ଚିତ ଭାବେ ଲାଜ ଲାଗିଥାଏ। ଏହାର ଉଦାହରଣ ହେଉଛି ପଡୋଶୀ ଛତିଶଗଡ଼ ଏବଂ ଝାଡ଼ଖଣ୍ଡ। ଏହି ୨ଟି ରାଜ୍ୟର ଜନ୍ମ ୨୦୦୦ ମସିହାରେ ହୋଇଥିଲା।

ସବୁଥାଇ ଓଡ଼ିଶା ଗରିବ

ଓଡ଼ିଶାରେ ଜମି, ଜଳ ଓ ଜଙ୍ଗଲର ଅଭାବ ନାହିଁ। ମାତ୍ର ଏହାକୁ ସଠିକ ଭାବରେ ବ୍ୟବହାର କରାଯାଇ ପାରୁ ନାହିଁ। ସମୁଦ୍ର ପତ୍ତନ ଠାରୁ ଓଡ଼ିଶା ତୁଳନାରେ ଛତିଶଗଡ଼ ଓ ଝାଡ଼ଖଣ୍ଡ ବହୁ ଉଚ୍ଚରେ ରହିଛି। କିନ୍ତୁ ସେହି ରାଜ୍ୟ ଗୁଡ଼ିକରେ ଜଳସେଚନର ବ୍ୟବସ୍ଥା ରହିଛି। ଓଡ଼ିଶାରେ ମାତ୍ର କିଛିଟା ଜିଲ୍ଲାରେ ଜଳସେଚନ ହୋଇପାରିଛି। ବିଶ୍ୱର ଅନ୍ୟତମ ଦୀର୍ଘତ୍ତମ ନଦୀବନ୍ଧ ‘ହୀରାକୁଦ’ରୁ ମାତ୍ର ୩ଟି ଜିଲ୍ଲାକୁ ଚାଷ ପାଇଁ ପାଣି ଯୋଗାଯାଇ ପାରୁଛି। ଏହା ପୁଣି ସଂପୂର୍ଣ୍ଣ ରୂପେ ନୁହେଁ। ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାର ଜଳ ଓଡ଼ିଶାର ଚାଷୀମାନଙ୍କ ଶୋଷ ମେଣ୍ଟାଇପାରୁ ନାହିଁ। ଫଳରେ କୃଷି ଉତ୍ପାଦନ କ୍ଷେତ୍ରରେ ଆମେ ଅନ୍ୟ ରାଜ୍ୟ ତୁଳନାରେ ବହୁ ପଛରେ।

ଓଡ଼ିଆଙ୍କୁ ମିଳୁ ନାହିଁ କାମ

ରାଜ୍ୟରେ କୋଲ ଇଣ୍ଡିଆ, ଭିଲାଇ ଷ୍ଟିଲ ପ୍ଲାଣ୍ଟ, ନାଲକୋ, ବେଦାନ୍ତ, ଆଦିତ୍ୟ ଆଲୁମିନା, ପାରଦୀପ ପୋର୍ଟ, ଗୋପାଳପୁର ବନ୍ଦର, ଇଣ୍ଡିଆନ ଅଏଲ ଭଳି ଅନେକ ଗୁଡ଼ିଏ ରାଷ୍ଟ୍ରାୟତ୍ତ କଂପାନୀ ରହିଛି। କିନ୍ତୁ ଦୁର୍ଭାଗ୍ୟର ବିଷୟରେ ଏହି ସବୁ କଳକାରଖାନାରେ ଓଡ଼ିଆଙ୍କ ତୁଳନାରେ ଅଣଓଡ଼ିଆଙ୍କ ସଂଖ୍ୟା ଅଧିକ। ରାଜ୍ୟର ଶ୍ରମିକମାନଙ୍କୁ ଏହି ସବୁ କଂପାନୀମାନଙ୍କରେ କମ ପରିମାଣରେ କାମ ଧନ୍ଦା ମିଳୁଛି। ତେଣୁ ଆମ ରାଜ୍ୟର ଲୋକଙ୍କୁ ପେଟ ପୋଷିବା ପାଇଁ ବାହାର ରାଜ୍ୟକୁ ଯିବାକୁ ପଡୁଛି। ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, କେଳର, ମହାରାଷ୍ଟ୍ର, ଦିଲ୍ଲୀ, ଗୁଜୁରାଟ, ଛତିଶଗଡ଼ରେ ଲକ୍ଷାଧିକ ଦାଦନ ଖଟୁଛନ୍ତି। ବିଶେଷ ଭାବେ ତାମିଲନାଡୁ ଓ ଗୁଜୁରାଟରେ ବହୁ ପରିମାଣରେ ଓଡ଼ିଆ କାମ କରୁଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ

୭୫ତମ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ କହିଛନ୍ତି, ସବୁ କ୍ଷେତ୍ରରେ ଓଡ଼ିଶା ବିକାଶର ନୂଆ ନୂଆ ମାଇଲଷ୍ଟୋନ ହାସଲ କରିଛି। ଆଗକୁ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ନିଜର ପରିଚୟକୁ ଆହୁରି ଉଜ୍ଜଳ କରିପାରିବ। ତେବେ ଆମେ କେତେ ବିକଶିତ ତାହା, ପ୍ରବାସୀ ଓଡ଼ିଆଙ୍କୁ ଜଣା। କାରଣ ଯେଉଁମାନେ ରାଜ୍ୟରେ ରୋଜଗାର ନପାଇ ବାହାର ରାଜ୍ୟରେ ଖଟୁଛନ୍ତି ଏବଂ ଅନେକ ସମୟରେ ନିର୍ଯାତନା ପାଉଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments