ନୂଆଦିଲ୍ଲୀ: ସ୍ୱାଧୀନତା ସମସ୍ତଙ୍କ ମୁହଁରେ ହସ ଫୁଟାଉଛି । ମଣିଷ ହେଉ କି ସମାଜ, ରାଜ୍ୟ ହେଉ ଅଥିବା ଦେଶ, ସ୍ୱାଧୀନତା ପାଇଲେ ସମସ୍ତେ ଖୁସି ହୋଇଥାନ୍ତି । କିନ୍ତୁ ସ୍ୱାଧୀନତା ପାଇବା ପାଇଁ ଅନେକଙ୍କୁ ସଂଘର୍ଷ କରିବାକୁ ପଡ଼ିଥାଏ । ବହୁତ କମ ଲୋକଙ୍କୁ କମ ପରିଶ୍ରମ ଅଥବା ଝାଳ ନବୁହାଇ ସ୍ୱାଧୀନତା ମିଳି ଯାଇଥାଏ । ଭାରତ ଦିନକ ପରେ ସ୍ୱାଧୀନତାର ୭୫ ବର୍ଷରେ ପାଦ ଥାପିବ । ବ୍ରିଟିଶ ଶାସକମାନଙ୍କ ଠାରୁ ଦେଶକୁ ସ୍ୱାଧୀନତା ମିଳିବା ଏକ ଦୀର୍ଘ ଦିନର ସଂଘର୍ଷ କାହାଣୀ ରହିଛି ।
ସ୍ୱାଧୀନତା ସଂଗ୍ରାମରେ ଜାତୀୟ କଂଗ୍ରେସର ଯୋଗଦାନ ସ୍ମରଣୀୟ । ଯେଉଁ ସମୟରେ ଦେଶ ସ୍ୱାଧୀନତା ହାସଲ କଲା, ଆଜିକାଲି ଭଳି ଏତେଗୁଡ଼ିଏ ରାଜନୈତିକ ଦଳ ନଥିଲା କି ସ୍ୱାର୍ଥପର ଲୋକ ନଥିଲେ । ଦେଶର ସ୍ୱାଧୀନତା ଆନ୍ଦୋଳନରେ ହଜାର ହଜାର ସଂଗ୍ରାମୀ ନିଜର ମନ ଓ ପ୍ରାଣକୁ ଏକଜୁଟ କରିଥିଲେ । ବୋଧେ ଆଜିକାଲି ଭଳି ଲୋକ ସ୍ୱାଧୀନତା ସଂଗ୍ରାମରେ ଲଢ଼େଇ କରିଥିଲେ ଦେଶ ସ୍ୱାଧୀନତା ହାସଲ କରିବା ସହଜ ହୋଇପାରି ନଥାନ୍ତା ଏବଂ ଯଦି ବି ହୋଇଥାନ୍ତା ଭିନ୍ନ ପ୍ରକାରରେ । ଦେଶର ସ୍ୱାଧୀନତା ସଂଗ୍ରାମ ଯେତିକି ପୁରୁଣା ହେଉଛି, ଯୁବପିଢ଼ି ସ୍ୱାଧୀନତାର ମୂଲ୍ୟବୋଧକୁ ସେତିକି ହୃଦୟଙ୍ଗମ କରିପାରୁ ନାହାନ୍ତୁ ।
ତ୍ରିରଙ୍ଗା ସମସ୍ତଙ୍କ ପାଇଁ ଗର୍ବ
ଦେଶର ତ୍ରିରଙ୍ଗା ପତାକା ଆମ ସମସ୍ତଙ୍କ ପାଇଁ ଗର୍ବ । ଆକାଶରେ ଯେତେବେଳେ ତ୍ରିରଙ୍ଗା ଉଡୁଥାଏ, ସେହି ସମୟରେ ସମସ୍ତଙ୍କୁ ଗର୍ବ ଅନୁଭବ ହୋଇଥାଏ । ଜାତିର ପିତା ମହାତ୍ମା ଗାନ୍ଧୀ ୧୯୨୧ରେ ପ୍ରଥମ ଥର ପାଇଁ ଭାରତୀୟ ଜାତୀୟ କଂଗ୍ରେସର ପାତାକ ପାଇଁ ପ୍ରସ୍ତାବ ଦେଇଥିଲେ । ସେହି ସମୟରେ ପତାକାର ରଂଗ ନାଲି ଓ ସବୁଜ ସ୍ତର ଥିଲା । ଏଥିରେ ଗାନ୍ଧିଜୀଙ୍କ ଚରଖାକୁ ପ୍ରତୀକ ରଖାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ନାଲି ସ୍ଥାନରେ କମଳା ରଂଗକୁ ମିଶ୍ରିତ କରାଗଲା । ସେହିପରି ଏକ ଧଳା ସ୍ତର ରଖାଯାଇ, ଏଠାରେ ଶାନ୍ତିର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଏକ ଚକକୁ ସ୍ଥାନୀତ କରାଯାଇଥିଲା ।
ଭିକ୍ଟୋରିଆ ପାର୍କରେ ଉଡ଼ିଥିଲା ଐତିହାସିକ ପତାକା
ଦେଶର ଜାତୀୟ ପ୍ରସ୍ତୁତ ହେବା ପୂର୍ବରୁ ଭାରତୀୟ ଜାତୀୟ କଂଗ୍ରେସର ଏକ ପତାକାକୁ ଆଜି ଉତ୍ତର ପ୍ରଦେଶର ଏକ ପରିବାର ସ୍ମୃତି ହିସାବରେ ସାଇତି ରଖିଛନ୍ତି । ମେରଠରେ ଜଣେ ବ୍ୟକ୍ତିଙ୍କ ପାଖରେ ଏବେ ବି ସେହି ପତାକା ରହିଛି, ଯାହାକୁ ସ୍ୱାଧୀନତା ପୂର୍ବରୁ କଂଗ୍ରେସ ଅଧିବେଶନରେ ଉତ୍ତୋଳନ କରାଯାଇଥିଲା । ଆଜାଦ ହିନ୍ଦ୍ ଫୌଜ ସହିତ ଏହି ପତାକାର ସଂପର୍କ ରହିଛି । କଂଗ୍ରେସ ଏହି ତ୍ରିରଙ୍ଗା ପତାକାକୁ ମେରଠର ଭିକ୍ଟୋରିଆ ପାର୍କରେ ଉଡାଇଥିଲା । ଏବେ ଏହି ପତାକା ମେରଠ ଜିଲ୍ଲା ହସ୍ତିନାପୁର ନିବାସୀ ଦେବ ନାଗର ପରିବାର ପାଖରେ ରହିଛି ।
ଅମୂଲ୍ୟ ପଦାର୍ଥ ଠାରୁ କମ ନୁହେଁ
ଦେଶ ସ୍ୱାଧୀନତା ପୂର୍ବରୁ ଉତ୍ତର ପ୍ରଦେଶର ମେରଠସ୍ଥିତ ଭିକ୍ଟୋରିଆ ପାର୍କରେ ଆୟୋଜିତ କଂଗ୍ରେସର ଅଧିବେଶନ ସମୟରେ ୧୪ଫୁଟ ଲମ୍ବା ଓ ୯ ଫୁଟ ଓସାର ତ୍ରିରଙ୍ଗା ଉଡ଼ିଥିଲା । ଏହା ଥିଲା ୧୯୪୬ ମସିହା ନଭେମ୍ବର ୨୩ ତାରିଖର ଆୟୋଜନ । ଏହି ଐତିହାସିକ ପତାକା ସହିତ ଦେଶର କିଛି ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ଜୀବନ ଜଡ଼ିତ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଆଜାଦ ହିନ୍ଦ ଫୌଜର ଡିଭିଜନର କମାଣ୍ଡର ଥିବା ସ୍ୱର୍ଗତଃ କର୍ଣ୍ଣେଲ ଗଣପତରାମ ନଗରଙ୍କ ପରିବାର ପାଇଁ ଏହି ପତାକା କୌଣସି ଅମୂଲ୍ୟ ପଦାର୍ଥ ଠାରୁ କମ ନୁହେଁ ।
ପଣ୍ଡିତ ନେହେରୁ ଦେଇଥିଲେ ପତାକା
ମେରଠର ହସ୍ତିନାପୁର ନିବାସୀ ଗୁରୁ ନାଗର (୬୧) ହେଉଛନ୍ତି ସ୍ୱର୍ଗତଃ କର୍ଣ୍ଣେଲ ଗଣପତରାମ ନାଗରଙ୍କ ନାତି । ସେ କୁହନ୍ତି ସ୍ୱାଧୀନତା ପୂର୍ବରୁ ଭିକ୍ଟୋରିଆ ପାର୍କରେ ଏହି ତ୍ରିରଙ୍ଗାକୁ ଉଡ଼ାଯାଇଥିଲା । ଏହି କାମ କରିଥିଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏବଂ ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷ ଆଚାର୍ଯ୍ୟ ଜେବି କୃପଳାନୀ । ଏହି ସମୟରେ ଜେଜେବାପା ଗଣପତରାମ ନାଗର ମଧ୍ୟ ଉପସ୍ଥିତ ଥିଲେ ବୋଲି ଗୁରୁ ନାଗର କହିଛନ୍ତି । ଏହା ଐତିହାସିକ ପତାକା ହୋଇଥିବାରୁ ସାଇତି ରଖାଯାଇଛି । ମେଜର ଜେନେରାଲ ଗଣପତରାମ ୧୯୦୫ ମସିହା ଅଗଷ୍ଟ ୧୬ ତାରିଖରେ ଜନ୍ମ ହୋଇଥିଲେ । ସେ କଲେଜ ପଢ଼ିବା ପରେ ୧୯୨୮ରେ କିଙ୍ଗ ଅଫିସର ପଦରେ ନିଯୁକ୍ତି ପାଇଥିଲେ । ଏହା ପରେ ସେ ୧୯୩୯ରେ ଆଜାଦ ହିନ୍ଦ ଫୌଜରେ ସାମିଲ ହୋଇଥିଲେ । ସୁଭାଷ ଚନ୍ଦ୍ର ବୋଷଙ୍କ ନିକଟତର ହେବା ପରେ ତାଙ୍କୁ ମେଜର ଜେନେରାଲ ପଦ ମିଳିଥିଲା ।