Saturday, October 5, 2024
Home୭ ଦିନ ମଧ୍ୟରେ କେମିତି କାର୍ଯ୍ୟକ୍ଷମ ହେବ ଉଠା ଜଳସେଚନ ପ୍ରକଳ୍ପ?
Array

୭ ଦିନ ମଧ୍ୟରେ କେମିତି କାର୍ଯ୍ୟକ୍ଷମ ହେବ ଉଠା ଜଳସେଚନ ପ୍ରକଳ୍ପ?

ଭୁବନେଶ୍ୱର: ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଚାଷୀକୁଳଙ୍କ ପାଇଁ ଦାଉ ସାଜିଛି। ବର୍ଷା ଅଭାବ ଯୋଗୁଁ ଖରିଫ ଋତୁର ଚାଷ ଆରମ୍ଭରୁ ପ୍ରଭାବିତ ହୋଇଛି। ଜୁନ୍‌ ମାସରେ ଖରିଫ ଋତୁର ଚାଷ ଆରମ୍ଭ ହେବା ସମୟରେ ସ୍ୱଳ୍ପ ବର୍ଷା ହୋଇଥିଲା। ଜୁଲାଇ ମାସରେ ସାମାନ୍ୟ ଉନ୍ନତି ଆସିଥିବା ବେଳେ ଅଗଷ୍ଟ ମାସରେ ବର୍ଷା ପୁଣି ଚାଷୀଙ୍କ ଜୀବନ ସହିତ ଖେଳ ଖେଳିଥିଲା। ଏବେ ରାଜ୍ୟର ମାତ୍ର କେଇଟା ଜିଲ୍ଲାର ଚାଷୀ ଖୁସିରେ ଥିବା ବେଳେ ଅଧିକାଂଶ ସ୍ଥାନରେ ବର୍ଷା ଅଭାବ ଯୋଗୁଁ ମରୁଡ଼ି ପରିସ୍ଥିତି ଉପୁଜିଛି।

ନିଅଣ୍ଟିଆ ବର୍ଷା ଯୋଗୁଁ ରାଜ୍ୟର ସବୁସ୍ଥାନରେ ଧାନରୁଆ ହୋଇପାରି ନାହିଁ। ଅନେକ ସ୍ଥାନରେ ବିହୁଡ଼ା ହୋଇ ପାରି ନାହିଁ। ଏବେ ମାଟି ଫାଟି ଆଁ କରିଛି। ବର୍ଷା ଯଦି ସେପ୍ଟେମ୍ବର ମାସରେ ଭଲ ହୁଏ ବି ଉତ୍ପାଦନରେ ବ୍ୟାପକ ବାଧା ସାଜିବ। ରାଜ୍ୟରେ ଜଳସେଚନର ବ୍ୟବସ୍ଥା ବ୍ୟାପକ ନଥିବାରୁ ଚାଷୀମାନେ ଏଥର ଚାଷକାମକୁ ସୁରଖୁରରେ କରିପାରି ନାହାନ୍ତି। ଗାଁ ପୋଖରୀଗୁଡ଼ି ଅଧା ଲେଖାଏଁ ପାଣି ରହିଛି। ଛୋଟ ଛୋଟ ନାଳରେ ମଧ୍ୟ ପାଣି ନାହିଁ। ଜନ୍ମାଷ୍ଟମୀ ସରିଯାଇଥିବା ବେଳେ ଏବେ ଚାଷ କାମ ଅଧାଅଧୁରାରେ ରହିଛି।  

ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଅଗଷ୍ଟ ୩୧ ତାରିଖରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ। ଚାଷୀ ମାନଙ୍କ ପାଇଁ ଜରୁରୀକାଳୀନ ଫସଲ ଯୋଜନା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୧୩ଟି ବ୍ଲକ୍‌ରେ ବର୍ଷାର ଅଭାବ ଦେଖାଦେଇଛି, ଯାହାକି କୃଷି କାର୍ଯ୍ୟକ୍ରମକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇ ଦୈନିକ ଭିତ୍ତିରେ ପରିସ୍ଥିତି ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଚାଷୀଙ୍କୁ ଡିଜେଲ ପମ୍ପ ଯୋଗାଇବେ ସରକାର

ଫସଲ ପାଇଁ ଜରୁରୀକାଳୀନ ଯୋଜନା, କେନାଲ ଗୁଡିକରେ ଜଳପ୍ରବାହ  ପାଇଁ ପରାମର୍ଶ ଦେଇଥିଲେ। ଚାଷୀ ମାନଙ୍କ ଫସଲ ନଷ୍ଟ ହେବା କ୍ଷେତ୍ରରେ ଦ୍ଵିତୀୟ ଫସଲ ପାଇଁ ବିହନ ଓ ମିନିକିଟ୍‌ ଯୋଗାଇ ଦେବା ଏବଂ ଯେଉଁଠାରେ ଫସଲ ଅଛି, ତାକୁ ସୁରକ୍ଷିତ ରଖିବା ପାଇଁ ରିହାତି ଦରରେ ଚାଷୀ ମାନଙ୍କୁ ଡିଜେଲ ପମ୍ଫସେଟ୍‌ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଚାଷୀ ମାନଙ୍କ ଜମିକୁ ଜଳଯୋଗାଣକୁ ସୁରକ୍ଷିତ ରଖିବା ପାଇଁ ଗୋଟିଏ ଜାଗାରେ ଅଧ ଏକରରୁ ଅଧିକ ଥିବା ଚାଷ ଜମି ପାଇଁ ପୋଖରୀ ଖୋଳିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ସମସ୍ତ ଉଠା ଜଳସେଚନ ପଏଣ୍ଟ ଗୁଡିକୁ ୭ ଦିନ ମଧ୍ୟରେ ମରାମତି ଓ ପୁନରୁଦ୍ଧାର କରି କାର୍ଯ୍ୟକ୍ଷମ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।

ବିବାହ ସମୟରେ ବାଇଗଣ ରୁଆ

ବର୍ତ୍ତମାନର ରାଜ୍ୟ ସରକାର ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ଧରି କ୍ଷମତାରେ ରହିଛି। ଏବେ ରାଜ୍ୟରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ଦେଖାଯିବା ପରେ ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି। ସରକାର ଚାଷ ଜମିକୁ ପାଣି ଯୋଗାଇବା ପାଇଁ ଚିନ୍ତା କରୁଛନ୍ତି। କିନ୍ତୁ ବିଗତ ୨୦ ବର୍ଷ ମଧ୍ୟରେ କ୍ଷେତକୁ ପାଣିର ଉପଯୁକ୍ତ ବ୍ୟବସ୍ଥା କଲା ଭଳି ଦୃଷ୍ଟିଗୋଚର ହେଉନାହିଁ। ରାଜ୍ୟରେ ହଜାର ହଜାର ଉଠା ଜଳସେଚନ ପ୍ରକଳ୍ପ ଅଚଳ ହୋଇପଡ଼ିଛି। ଅନେକ ଗୁଡ଼ିଏ ପ୍ରକଳ୍ପ ଅନୁମୋଦନ ହୋଇଥିଲେ ବି ନିର୍ମାଣ କାମ ହୋଇପାରି ନାହିଁ। ଏମିତି ବି ପ୍ରକଳ୍ପ ରହିଛି, ଯାହାକି ବର୍ଷ ବର୍ଷ ହୋଇ ଅଧାପନ୍ତରିଆ ହୋଇ ପଡ଼ିଛି। ତେବେ ୭ ଦିନ ମଧ୍ୟରେ ସମସ୍ତ ଉଠା ଜଳସେଚନ ପ୍ରକଳ୍ପ କେମିତି କାର୍ଯ୍ୟକ୍ଷମ ହୋଇପାରିବ, ସେନେଇ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ମୋଟାମୋଟି ଭାବରେ କହିବାକୁ ଗଲେ ବିବାହ ସମୟରେ ସରକାର ବାଇଗଣ ଗଛ ଲଗାଇଲା ଭଳି କାମ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments