ଭୁବନେଶ୍ବର: ଜଙ୍ଗଲରେ ଚଳପ୍ରଚଳ କରୁଥିବା ଜୀବଜନ୍ତୁଙ୍କ ମଧ୍ୟରେ ହାତୀମାନଙ୍କ ପରେ ବାଘ ହେଉଛି ଅନ୍ୟତମ ଶକ୍ତିଶାଳୀ ପ୍ରାଣୀ। କିନ୍ତୁ ବାଘମାନେ ଶିକାରୀଙ୍କ ତୁଳନାରେ ଦୁର୍ବଳ ହୋଇ ପଡୁଛନ୍ତି। ଶିକାରୀ ଗୁଳିରେ ଟଳି ପଡୁଛନ୍ତି। ରାଜ୍ୟରେ ବାଘ ଶିକାରୀଙ୍କ ପ୍ରାଦୂର୍ଭାବ ଦେଖାଯାଇଛି। ବାଘ ଶିକାରୀମାନେ ବାରମ୍ବାର ବନ ବିଭାଗ, ଏସ୍ଟିଏଫ୍ ହାତରେ ଧରାପଡ଼ୁଛନ୍ତି। ନବରଙ୍ଗପୁର, ରାୟଗଡା, କନ୍ଧମାଳ, ସମ୍ବଲପୁର, ବୌଦ୍ଧ, ମୟୂରଭଂଜ, କଳାହାଣ୍ଡି ଓ ମାଲକାନଗିରି ଜିଲ୍ଲାରେ ବିଗତ ୭ ମାସ ମଧ୍ୟରେ ୧୬ଟି ବାଘ ଛାଲ ଜବତ ହୋଇଛି। ଏଥିରେ ଗୋଟିଏ ମହାବଳ ଓ ବାକି ସବୁ କଲରାପତରିଆ ସାମିଲ ହୋଇଥିବା ଜଣାପଡ଼ିଛି।
ରାଜ୍ୟର ବିଭିନ୍ନ ଜଙ୍ଗଲରେ ପ୍ରାୟ ୭୦୦ରୁ ଊର୍ଦ୍ଧ୍ବ ଚିତାବାଘ ଓ ୨୭ଟି ମହାବଳ ବାଘ ଥିବା ବିଗତ ଦିନରେ ସରକାର କହିଥିଲେ। କିନ୍ତୁ ନୂଆପଡ଼ା ଓ କେନ୍ଦୁଝର ଜିଲ୍ଲାରେ ବାଘର ଗତିବିଧି ସ୍ଥାନୀୟ ଲୋକଙ୍କର ଚିନ୍ତା ବଢ଼ାଇଥିଲା। ଅନ୍ୟ ସ୍ଥାନରେ ବାଘ ଅଛନ୍ତି କି ନାହିଁ, ତାହା ଲୋକଲୋଚନକୁ ଆସୁନାହିଁ। କିନ୍ତୁ ସରକାରୀ ରିପୋର୍ଟରେ ରାଜ୍ୟରେ ବାଘମାନଙ୍କର ଉପସ୍ଥିତି ଥିବା ଦର୍ଶାଯାଉଛି। ସେ ଯାହା ବି ହେଉ ବନ ବିଭାଗର କର୍ମଚାରୀଙ୍କ ଦ୍ବାରା ପାଟ୍ରୋଲିଂ ଠିକ୍ ଭାବେ ହେଉ ନଥିବାରୁ ବାଘମାନେ ଶିକାରୀଙ୍କ ଗୁଳିରେ ଜୀବନ ହରାଉଛନ୍ତି। କମ୍ ପରିଶ୍ରମରେ ଲକ୍ଷାଧିକ ଟଙ୍କା ରୋଜଗାର କରିବା ପାଇଁ ଶିକାରୀମାନେ ବାଘ ଶିକାର କରୁଛନ୍ତି। ଶିକାରୀମାନଙ୍କ ମଧ୍ୟରୁ କିଛି ବ୍ୟକ୍ତି ଧରାପଡୁଛନ୍ତି। କିନ୍ତୁ ଅନେକ ବନ୍ୟପ୍ରାଣୀ ଶିକାରୀ ବନବିଭାଗ ଆଖିରୁ ଖସିଯାଉଛନ୍ତି।
୨ଦିନରେ ୭ ବାଘଛାଲ ଜବତ
ରାଜ୍ୟରେ ୨ ଦିନରେ ୭ଟି ବାଘ ଛାଲ ଜବତ ହୋଇଛି। ବନ ବିଭାଗ ମୟୁରଭଞ୍ଜ ଜିଲ୍ଲା ବହଳଦା ଗାଁରେ ଚଢ଼ଉ କରି ୪ଟି କଲରାପତରିଆ ବାଘ ଛାଲ ଜବତ କରିଛି। ବାଘ ଛାଲ ଚାଲାଣ କରିବା ପାଇଁ ଯୋଜନା କରୁଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ତିନିଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି। ତେବେ ଏହି ଅଭିଯୁକ୍ତମାନେ କାହାକୁ ଏହା ବିକ୍ରି କରିଥାନ୍ତେ ଓ ଏହା ପଛରେ କୌଣସି ରାକେଟ କାମ କରୁଛି କି ସେ ନେଇ ତଦନ୍ତ ଚାଲିଛି। ଏସଟିଏଫ ପକ୍ଷରୁ ଜୁଲାଇ ୨୨ ତାରିଖରେ କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର-ନର୍ଲାର ଶ୍ରୀପଲ୍ଲୀ ଛକରେ ଚଢ଼ଉ କରାଯାଇ ୩ଟି କଲରାପତରିଆ ବାଘ ଛାଲ ଓ ୩ଟି ହରିଣ ଛାଲ ଜବତ କରାଯାଇଥିଲା। ଚଢଉ ସମୟରେ ଖଗେଶ୍ୱର ପୁଟେଲ ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିଲା।
କେବେ କେଉଁଠି ବାଘ ଛାଲ ଜବତ
ଜୁଲାଇ ୨୩: ମୟୂରଭଂଜ ଜିଲ୍ଲା ବହଳଦାରେ ୪ଟି
ଜୁଲାଇ ୨୨: କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର-ନର୍ଲାର ଶ୍ରୀପଲ୍ଲୀ ଛକରେ ୩ଟି
ଜୁନ ୧୬: ନବରଙ୍ଗପୁର ଜିଲ୍ଲା ରାଇଘରରୁ
ମେ’ ୨୫: ରାୟଗଡା ସହରର ସିରିଗୁଡା ସ୍ୱର୍ଗଧାମ ଛକରୁ
ମେ’ ୧୪: କନ୍ଧମାଳ ଜିଲ୍ଲା ଲୁଚାଚୋରାରୁ
ଏପ୍ରିଲ ୨୪: କନ୍ଧମାଳ ଜିଲ୍ଲା ଖଜୁରିପଡ଼ାରୁ
ଏପ୍ରିଲ ୧୨: ସମ୍ବଲପୁର ନାକଟିଦେଉଳ
ମାର୍ଚ୍ଚ ୨୦: ବୌଦ୍ଧ ଜିଲ୍ଲା ହରଭଙ୍ଗା
ଫେବ୍ରୁଆରି ୧: ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ଥାନା କତରା
ଜାନୁଆରି ୩: ବୌଦ୍ଧ ଜିଲ୍ଲାର ଏକ ନିଦ୍ଦିଷ୍ଟ ସ୍ଥାନରେ
ଜାନୁଆରି ୧୯: ମାଲକାନଗିରି ଜିଲ୍ଲା ପୋଟେରୁ କେନାଲ
ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଦାବି
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଗତ ମାର୍ଚ୍ଚ ୨୮ ତାରିଖରେ ବିଧାନସଭାର ଶୀତକାଳୀନ ଅଧିବେଶନରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ଅଣ ତାରକା ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ ୨୦୧୮ର ତଥ୍ୟ ଅନୁଯାୟୀ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ୨୮ଟି ମହାବଳ ବାଘ ଓ ୭୬୦ଟି କଲରା ପତରିଆ ବାଘ ଅଛନ୍ତି। ଗତ ୧୦ ବର୍ଷରେ ୨୦୧୨-୧୩ରୁ ୨୦୨୧-୨୨ ଭିତରେ ୬ଟି ମହାବଳ ବାଘ ମରିଥିବା ବେଳେ ସେଥିରୁ ୩ଟି ଶିକାରୀଙ୍କ ଦ୍ଵାରା ମରିଛନ୍ତି। ସେହିପରି ୧୦ ବର୍ଷରେ ୪୯ଟି କଲରାପତରିଆ ବାଘ ମରିଥିବା ବେଳେ ୨୬ଟି ଶିକାରୀଙ୍କ ଦ୍ଵାରା ମୃତ୍ୟୁ ହୋଇଛି।