Tuesday, September 10, 2024
Homeଖବରଦୁଇମାସରେ ୧୪ଥର ଆକ୍ରମଣ

ଦୁଇମାସରେ ୧୪ଥର ଆକ୍ରମଣ

ସାଧାରଣ ନିର୍ବାଚନ-୨୦୨୪ ପରଠାରୁ ଏବଂ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପୂର୍ବରୁ ଆତଙ୍କବାଦୀମାନେ ମାତିଛନ୍ତି। ବିଗତ ୨ ମାସ ହେବ ଘାଟିରେ ଆତଙ୍କବାଦୀମାନେ ସକ୍ରିୟ ରହିଛନ୍ତି। ଆତଙ୍କବାଦୀମାନେ ସେନା ଓ ସାଧାରଣ ଜନତାଙ୍କୁ ଟାର୍ଗେଟ କରୁଛନ୍ତି। ସୁରକ୍ଷା ବ୍ୟବସ୍ଥା ଯେତେ ମଜବୁତ ଥିଲେ ମଧ୍ୟ ଆତଙ୍କବାଦୀମାନେ ଏହାକୁ ଖାତିର କରୁନାହାନ୍ତି। ସେନା ଡାଳେଡାଳେ ଗଲେ ଆତଙ୍କବାଦୀମାନେ ପତ୍ରେପତ୍ରେ ଯାଉଛନ୍ତି। ସେଥିପାଇଁ ସେନାର ଚିନ୍ତା ବଢ଼ିଯାଇଛି। କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ଅତିରିକ୍ତ ବଳ ମୁତୟନ କରୁଛନ୍ତି। ଏହି କ୍ରମରେ ମାଲକାନଗିରିରୁ ଏକ ବିଏସ୍ଏଫ୍ ଟିମ୍ ଜମ୍ମୁ କଶ୍ମୀରରେ ମୁତୟନ ହେଉଛନ୍ତି।

ଜମ୍ମୁ କଶ୍ମୀରରେ ଦୁଇ/ତିନିମାସ ପରେ ବିଧାନସଭା ନିର୍ବାଚନ ହେବ। ଏଥି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନିକଟରେ ନିର୍ବାଚନ ଆୟୋଗ ଜମ୍ମୁ କଶ୍ମୀରରେ ସମୀକ୍ଷା କରିଥିଲେ। ଏହି ଟିମ୍ ଫେରିବାର ଗୋଟିଏ ଦିନ ପରେ ଶନିବାର ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସୁରକ୍ଷା ବାହିନୀର ଦୁଇ ଜଣ ସେନା ଯବାନ ସହିଦ ହୋଇଥିଲେ। ୪ ଜଣ ଯବାନ ଓ ୨ ଜଣ ଗ୍ରାମବାସୀ ଆହତ ହୋଇଥିଲେ। ରବିବାର ଦିନ ମଧ୍ୟ ଜମ୍ମୁ କଶ୍ମୀରର କିସ୍ତୱାରରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା। ସେନା ଆତଙ୍କବାଦୀଙ୍କୁ ଚାରିଆଡ଼ୁ ଘେରି ରହିଥିଲା। ଏହି ସର୍ଚ୍ଚ ଅପରେସନ ପାଇଁ ପାରା କମାଣ୍ଡୋଙ୍କୁ ନିୟୋଜିତ କରାଯାଇଥିଲା।

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ସକ୍ରିୟ
ଅଗଷ୍ଟ ୧୧: କିସ୍ତୱାରରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର।
ଅଗଷ୍ଟ ୧୦: ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଜଣ ସେନା ଯବାନ ସହିଦ।  
ଜୁଲାଇ ୨୭: କୁପଓ୍ଵାଡ଼ାରେ ନିୟନ୍ତ୍ରଣ ରେଖା ଉପରେ ପାକିସ୍ତାନୀ ସେନାର ଆକ୍ରମଣ। ବ୍ୟାଟ୍ କମାଣ୍ଡୋଙ୍କ ଆକ୍ରମଣରେ ଭାରତୀୟ ସେନାର କ୍ୟାପଟେନଙ୍କ ସମେତ ୪ ଜଣ ଯବାନ ଆହତ।
ଜୁଲାଇ ୨୪: କୁଲଗାମରେ ଏନକାଉଣ୍ଟର, ଆତଙ୍କବାଦୀ ନିହତ, ଯବାନ ମଧ୍ୟ ସହିଦ।
ଜୁଲାଇ ୨୨: ରାଜୌରୀରେ ଶୌର୍ଯ୍ୟ ଚକ୍ର ବିଜେତା ଗ୍ରାମ ସୁରକ୍ଷା ଗୋଷ୍ଠୀର ଜଣେ ସଦସ୍ୟଙ୍କ ଘରେ ଆତଙ୍କବାଦୀଙ୍କ ଆକ୍ରମଣ।
ଜୁଲାଇ ୧୮: ଡୋଡାରେ ଆକ୍ରମଣ ପରେ ଆତଙ୍କବାଦୀ ଫେରାର, ଦୁଇ ଯବାନ ଆହତ।
ଜୁଲାଇ ୧୮: କୁପଓ୍ଵାଡ଼ାର କେରାନ ସେକ୍ଟରରେ ଅନୁପ୍ରବେଶ ବିଫଳ, ୨ ଆତଙ୍କବାଦୀ ନିହତ।
ଜୁଲାଇ ୧୬: ଡୋଡାରେ ଏନକାଉଣ୍ଟର, କ୍ୟାପଟେନଙ୍କ ସମେତ ୪ ଯବାନ ସହିଦ।
ଜୁଲାଇ ୮: କଠୁଆ ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ ୫ ଯବାନ ସହିଦ, ୫ ଯବାନ ଆହତ।
ଜୁଲାଇ ୭: ରାଜୌରୀ ଜିଲ୍ଲାର ଏକ ସୁରକ୍ଷା ପୋଷ୍ଟଉପରେ ଆତଙ୍କବାଦୀ ଆକ୍ରମଣରେ ସେନାର ଜଣେ ଯବାନ ଆହତ ହୋଇଥିଲେ।
ଜୁନ୍ ୨୬: ଡୋଡା ଜିଲ୍ଲାରେ ଏନକାଉଣ୍ଟରରେ ୩ ବିଦେଶୀ ଆତଙ୍କବାଦୀ ନିହତ।
ଜୁନ୍ ୧୨: ଡୋଡା ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ ଜଣେ ପୁଲିସ କର୍ମଚାରୀ ଆହତ।
ଜୁନ୍ ୧୧/୧୨: କଠୁଆ ଜିଲ୍ଲାରେ ଏନକାଉଣ୍ଟରରେ ଦୁଇ ବିଦେଶୀ ଆତଙ୍କବାଦୀ ନିହତ ହୋଇଥିଲେ। ଏଥିରେ ଜଣେ ସିଆରପିଏଫ୍ ଯବାନ ସହିଦ ।
ଜୁନ୍ ୧୧/୧୨: ଡୋଡା ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଯବାନ ଓ ଜଣେ ସ୍ୱତନ୍ତ୍ର ପୁଲିସ ଅଧିକାରୀ ଆହତ।  

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଦୀର୍ଘ ଦିନ ଧରି ଏକ ପ୍ରକାରର ଶାନ୍ତି ଦେଖିବାକୁ ମିଳୁଥିଲା। କାଁ ଭାଁ ଆତଙ୍କବାଦୀ ଗତିବିଧି ଦେଖିବାକୁ ମିଳୁଥିଲା। ସାଧାରଣ ଜନତା ବିନା ଭୟରେ ଯାତାୟତ କରୁଥିଲେ। କିନ୍ତୁ ସାଧାରଣ ନିର୍ବାଚନ-୨୦୨୪ର ଫଳାଫଳ ଆସିବା ପରେ ଆତଙ୍କବାଦୀମାନେ ଅଧିକ ସକ୍ରିୟ ହୋଇଯାଇଥିବା ଅନୁମାନ କରାଯାଉଛି। ଭାରତୀୟ ନିୟନ୍ତ୍ରଣ ରେଖା ନିକଟରେ ସେନାର ଯବାନମାନେ ପଇଁତରା ମାରୁଛନ୍ତି। ଗୁଇନ୍ଦା ସଂସ୍ଥାମାନେ ସକ୍ରିୟ ରହିଛନ୍ତି। ଜମ୍ମୁ କଶ୍ମୀର ପୁଲିସ ମଧ୍ୟ ଆତଙ୍କବାଦୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ରଖିଛି। ଏସବୁ ସତ୍ତ୍ବେ ଆତଙ୍କବାଦୀମାନେ ନିଜ ଲକ୍ଷ୍ୟରେ ଆଗେଇ ଚାଲିଛନ୍ତି। ସୁଯୋଗ ଦେଖି ଗୋଟିଏ ପରେ ଗୋଟିଏ ଆକ୍ରମଣ କରିଚାଲିଛନ୍ତି। ଏହି କାରଣରୁ ସେନାର ଚିନ୍ତା ବଢ଼ିଯାଇଛି।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments