ଭୁବନେଶ୍ବର: ବିଗତ ୨ ଦଶନ୍ଧି ମଧ୍ୟରେ ଓଡ଼ିଶାରେ ହୋଇଥିବା ନିର୍ବାଚନ ମଧ୍ୟରେ ଏଥରର ସଂସ୍କରଣ ଭିନ୍ନ ଅନୁଭୂତି ଆଣିଛି। ରାଜ୍ୟବାସୀ ଯାହା ଭାବି ନଥିଲେ ତାହା ହୋଇଛି। ୨୪ ବର୍ଷର ଶାସନରେ ବ୍ରେକ୍ ଲାଚିଛି। ବିଜେଡିକୁ ଜନତା ସ୍ବୀକାର କରିନାହାନ୍ତି। ଦଳର ଅନେକଗୁଡ଼ିଏ ବରିଷ୍ଠ ନେତାଙ୍କୁ ପରାଜିତ ହେବାକୁ ପଡ଼ିଛି। ଏପରିକି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ମଧ୍ୟ କଣ୍ଟାବାଞ୍ଜିର ଜନତା ସମର୍ଥନ ଦେଲେ ନାହିଁ। ନବୀନ ହିଁ ଶୋଚନୀୟ ଭାବେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ଠାରୁ ୧୬,୩୨୧ ଭୋଟ୍ ବ୍ୟବଧାନରେ ପରାସ୍ତ ହୋଇଛନ୍ତି। ବାହାରେ ରହୁଥିବା ଦାଦନଙ୍କୁ ଟ୍ରେନ୍ ଓ ବସ୍ରେ ଆଣିବାର ବ୍ୟବସ୍ଥା କରାଯାଇଥିଲା। ବହୁ ବିଜେଡି ନେତା କଣ୍ଟାବାଞ୍ଜିରେ ଡେରା ପକାଇଥିଲେ। ପାଣ୍ଡିଆନ୍ ଏଠାରେ ମାରାଥନ୍ ପ୍ରଚାର କରିଥିଲେ। କିନ୍ତୁ କଣ୍ଟାବାଞ୍ଜି ସହରରେ ନବୀନ ଥରୁଟିଏ ବି ପାଦ ରଖିଲେ ନାହିଁ।
ବରିଷ୍ଠ ନେତାଙ୍କୁ ମତ ମିଳିଲାନି
ବିଜେଡି ସରକାରରେ ବରିଷ୍ଠ ମନ୍ତ୍ରୀ ଓ ନେତା ଚଳିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ଭଟଲିରୁ ବିଧାୟକ ସୁଶାନ୍ତ ସିଂ, ଭୁବନେଶ୍ବର ଏକାମ୍ରରୁ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ଟିଟିଲାଗଡ଼ରୁ ବିଧାୟିକା ଟୁକୁନି ସାହୁ, ମହାକାଳପଡ଼ାରୁ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବଡ଼ମ୍ବାରୁ ବିଧାୟକ ଦେବୀ ପ୍ରସାଦ ମିଶ୍ର, ଭଂଜନଗରରୁ ବିଧାୟକ ବିକ୍ରମ କେଶରୀ ଆରୁଖଙ୍କୁ ହାରିବାକୁ ପଡ଼ିଛି। ବିଜେଡିର ୫୨ ଜଣ ବିଧାୟକ ନିର୍ବାଚନ ହାରିଛନ୍ତି। ଏହି ତାଲିକାରେ ଅଛନ୍ତି ଉପବାଚସ୍ପତିଙ୍କ ସମେତ ୧୨ମନ୍ତ୍ରୀ। ପ୍ରଣବ କୁମାର ବଳବନ୍ତରାୟ, ନୃସିଂହ ଚରଣ ସାହୁ, ସୁଧୀର କୁମାର ସାମଲ, ମୁକେଶ ପାଲ, ସାନନ୍ଦ ମାରଣ୍ଡି, ପ୍ରଫୁଲ୍ଲ ସାମଲ, ରୋହିତ ପୂଜାରୀ, ଦେବେଶ ଆଚାର୍ଯ୍ୟ, ଦିବ୍ୟଶଙ୍କର ମିଶ୍ର, ଦୀପାଳି ଦାସ, ଅଳକା ମହାନ୍ତି, ସ୍ନେହାଙ୍ଗିନୀ ଛୁରିଆ, ସୁଶାନ୍ତ ସିଂହ, ମହୀଧର ରଣା, ପଦ୍ମନାଭ ବେହେରା, ସରୋଜ ମେହେର, ପ୍ରଭୁ ଜାନୀ, ବିକ୍ରମ ପଣ୍ଡା, ଶ୍ରୀକାନ୍ତ ସାହୁ, ଦେବୀ ପ୍ରସାଦ ମିଶ୍ର, ଚନ୍ଦ୍ରସାରଥୀ ବେହେରା, ରୁଦ୍ରପ୍ରତାପ ମହାରଥୀ, ଉମାକାନ୍ତ ସାମନ୍ତରାୟ ପ୍ରମୁଖ ନିର୍ବାଚନ ହାରିଛନ୍ତି।
ହାରିଗଲେ ସୁରଙ୍କ ଦୁଇପୁଅ
ଚଳିତ ନିର୍ବାଚନରେ ଜଟଣୀର ବିଧାୟକ ସୁରେଶ ରାଉତରାୟ (ସୁର)କୁ ନେଇ ମଧ୍ୟ ଚର୍ଚ୍ଚା ହୋଇଛି। ଦୀର୍ଘ ଦଶନ୍ଧିର କଂଗ୍ରେସ ସହିତ ରଖିଥିବା ସଂପର୍କକୁ ସୁର ରାଉତରାୟ ମାଟିରେ ମିଶାଇ ଦେଇଛନ୍ତି। ପୁଅକୁ ବିଜେଡିରୁ ସାଂସଦ କରାରଇ ଭବିଷ୍ୟତ ଗଢ଼ିବା ପାଇଁ ଦେଖିଥିବା ସ୍ବପ୍ନ ଚୁରମାର ହୋଇଯାଇଛି। ତାଙ୍କର ବଡ଼ପୁଅ ନିମାପଡ଼ା ବିଧାନସଭା ଓ ସାନପୁଅ ଭୁବନେଶ୍ବର ଲୋକସଭା ଆସନରୁ ପରାଜିତ ହୋଇଛନ୍ତି। ସୁରଙ୍କର ଚାଲାକିରେ ମତଦାତା ଫସି ନାହାନ୍ତି। ବରଂ କଡ଼ା ଜବାବ ଦେଇଛନ୍ତି। ବିଜେଡିର କଳ ଓ ବଳ ସହ ସୁରେଶ ରାଉତରାୟଙ୍କ ସମର୍ଥକ ଓ ପାଇକ ସମାଜ ମନ୍ମଥଙ୍କ ଉପରେ ଆଶୀର୍ବାଦ ଦେବେ ବୋଲି ଭରସା ଥିଲା। କିନ୍ତୁ ବିଜେପିର ହାୱା ଓ ଅପରାଜିତା ଷଡ଼ଙ୍ଗୀଙ୍କ ଲୋକପ୍ରିୟତା ମନ୍ମଥଙ୍କୁ ପରାସ୍ତ କରିଛି। ଅପରାଜିତାଙ୍କ ଠାରୁ ମନ୍ମଥ ୩୫ ହଜାରରୁ ଅଧିକ ଭୋଟ୍ରେ ପରାସ୍ତ ହୋଇଛନ୍ତି। ସାନପୁଅ ସିଦ୍ଧାର୍ଥ କୁମାର ରାଉତରାୟଙ୍କୁ ନିମାପଡ଼ା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରତିଭା ପରିଡ଼ାଙ୍କ ଠାରୁ ସେ ପାଖାପାଖି ୮୮ ହଜାର ୩୬୪ ଖଣ୍ଡ କମ୍ ଭୋଟ୍ ପାଇଛନ୍ତି।
ଲେଖା ଛିଣ୍ଡାଇଲେ ପ୍ରଦୀପ ପାଣିଗ୍ରାହୀ
ଗଂଜାମ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଚେହେରା ହେଉଛନ୍ତି ପ୍ରଦୀପ ପାଣିଗ୍ରାହୀ, ଯିଏକି ଚଳିତ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ହୋଇ ୫,୧୩,୧୦୨ ଭୋଟ୍ ପାଇଛନ୍ତି। ସେ ବିଜେଡି ପ୍ରାର୍ଥୀ ଭୃଗୁବକ୍ସି ପାତ୍ରଙ୍କୁ ୧,୬୫,୪୭୬ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି। ଗଂଜାମ, ଯାହାକି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଜିଲ୍ଲାରେ ଦୁର୍ଗ ଭାଙ୍ଗିଛି। ଜିଲ୍ଲାର ୧୩ ବିଧାନସଭା ଆସନରୁ କେବଳ ନବୀନ ଓ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ ବାଦ୍ ଦେଲେ ବାକି ୧୧ଟି ଆସନରେ ଭାରତୀୟ ଜନତା ପାର୍ଟିର ବିଜୟ ହୋଇଛି। ପୂର୍ବତନ ବିଜେଡିର ଟାଣୁଆ ନେତା ପ୍ରଦୀପ ପାଣିଗ୍ରାହୀ ଗତ ଫେବ୍ରୁଆରି ୨୧ ତାରିଖରେ ଯେତେବେଳେ ବିଜେପିରେ ଯୋଗଦେଲେ, ସେତେବେଳେ ସେ କହିଥିଲେ ଯେ, ଏଥର ଲେଖା ଛିଣ୍ଡିବ। ବାସ୍ତବରେ ପ୍ରଦୀପ ଯାହା କହିଥିଲେ, ତାହାହିଁ କରିଛନ୍ତି।
୨୬ ବର୍ଷର ବିଜେଡି ୭ମାସରେ ବେହାଲ
୧୯୯୭ ମସିହା ଡିସେମ୍ବର ୨୬ ତାରିଖ ଦିନ ବିଜେଡିର ଜନ୍ମ। ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ସ୍ବପ୍ନକୁ ପୂରା କରିବା ଉଦ୍ଦେଶ୍ୟରେ ଏହି ଆଞ୍ଚଳିକ ଦଳର ସୃଷ୍ଟି ହୋଇଥିଲା। ଦଳ ପ୍ରତିଷ୍ଠା ହେବା ଦିନ ଠାରୁ ନବୀନ ପଟ୍ଟନାୟକ ଏହାର ସଭାପତି ଅଛନ୍ତି। ନବୀନଙ୍କ ନେତୃତ୍ବରେ ବିଜେଡି ୨୦୧୯ ସାଧାରଣ ନିର୍ବାଚନ ଯାଏଁ ଅପରାଜିତ ଥିଲା। ଏପରିକି ୨୦୨୨ ପଞ୍ଚାୟତିରାଜ ଓ ୨୦୨୩ରେ ପୌର ନିର୍ବାଚନରେ ମଧ୍ୟ ଦଳକୁ ଅଦ୍ଭୁତପୂର୍ବ ସଫଳତା ମିଳିଥିଲା। ତେବେ ଗତ ୬ ମାସ ମଧ୍ୟରେ ଦଳରେ ମନୋମାଳିନ୍ୟ ଦେଖାଯାଉଥିଲା। ବିଶେଷ ଭାବେ ସ୍ବେଚ୍ଛାକୃତ ଅବସର ନେଇଥିବା ଭିକେ ପାଣ୍ଡିଆନ ଗତବର୍ଷ ଅକ୍ଟୋବରରେ ବିଜେଡିରେ ଯୋଗଦେବା ଠାରୁ ଦଳର ବରିଷ୍ଠ ନେତାମାନେ ଅବହେଳାର ଶିକାର ହେଉଥିଲେ। ରାଜ୍ୟବାସୀ ଏହା ସବୁ ଦେଖୁଥିଲେ ଏବଂ ଠିକଣା ସମୟରେ ଜବାବ ଦେଇଛନ୍ତି। ଚଳିତ ନିର୍ବାଚନରେ ବିଜେଡି ୨୧ରୁ ଗୋଟିଏ ଲୋକସଭା ଆସନରେ ବିଜୟୀ ହୋଇପାରିଲା ନାହିଁ। ସେହପରି ୧୪୭ ବିଧାନସଭା ଆସନରୁ ୫୧ଟିରେ ବିଜୟୀ ହୋଇପାରିଛି।