ଭୁବନେଶ୍ବର: ସଂପର୍କକୁ ଗଢ଼ି ଜାଣିଲେ ସ୍ବର୍ଗ ପାଲଟିଯିବ। ସନ୍ଦେହ କଲେ ନର୍କ ପାଲଟିବା ପାଇଁ ବେଶୀ ସମୟ ଲାଗିବ ନାହିଁ। ସପଂର୍କ ଯାହା ବି ହେଉ ନା କାହିଁକି, ଏଥିରେ ଯେତେବେଳେ ସନ୍ଦେହ ଆସିଯାଏ, ତାହା ହିଂସା ଆଡ଼କୁ ଗତି କରିଥାଏ। ଫଳ ସ୍ବରୂପ ଦୁଇ ବା ତିନିଟି ପରିବାର ଦୁଇ/ତିନି ଦଶନ୍ଧି ଯାଏଁ ଛାରଖାର ହୋଇଯାଏ। ତଥାପି ଲୋକେ ନିଜ ଲୋକଙ୍କୁ ହତ୍ୟା କରିବା ପାଇଁ ପଛାନ୍ତି ନାହିଁ। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସୁପାରୀ ଦେଇ ହତ୍ୟାକାଣ୍ଡରେ ସଂପୃକ୍ତ ହୋଇ ଜେଲ ଯାଆନ୍ତି। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରୁ ଶୁକ୍ରବାର ଏଭଳି ଏକ ଘଟଣାର ପର୍ଦ୍ଦାଫାସ ହୋଇଛି।
ସ୍ତ୍ରୀଙ୍କୁ ହଟାଇଲା ସ୍ବାମୀ
ମାଲକାନଗିରି ଥାନା ଅନ୍ତର୍ଗତ ଏମ୍ଭି୩୫ ଗ୍ରାମର ବିପ୍ଲବ ମଣ୍ଡଳକୁ ୮ ବର୍ଷ ତଳେ ରିଙ୍କୁ ମଣ୍ଡଳ ବିବାହ କରିଥିଲେ। ବିବାହର କିଛି ବର୍ଷ ସଂପର୍କ ଠିକ୍ଠାକ ଚାଲିଥିବା ବେଳେ ପରେ ଦଂପତିଙ୍କ ମଧ୍ୟ ତିକ୍ତତା ଦେଖାଯାଇଥିଲା ଏହାର କାରଣ ଥିଲା ପ୍ରେମ ସଂପର୍କ। ସ୍ତ୍ରୀର ପ୍ରେମ ସଂପର୍କକୁ ବିପ୍ଲବ ହଜମ କରିପାରୁ ନଥିଲା। ରିଙ୍କୁ ନିର୍ଯାତନା ମାମଲା ରୁଜୁ କରିଥିଲେ। ବର୍ଷେ ପୂର୍ବରୁ ଶାଶୁଘର ଛାଡ଼ି ନିଜ ବାପ ଘରେ ରହୁଥିଲେ। କିନ୍ତୁ ବିପ୍ଲବ ଜାଣିବାକୁ ପାଇଥିଲା ଯେ, ରିଙ୍କୁ ଦେହ ବ୍ୟବସାୟ କରି ଚଳୁଛି। ତେଣୁ ବିପ୍ଲବ ଛାଡ଼ପତ୍ର ଦେବା ପାଇଁ ରିଙ୍କୁଙ୍କୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ରିଙ୍କୁ ଏଥିରେ ରାଜି ହୋଇ ନଥିଲା। ବରଂ ୫ ବର୍ଷ ବୟସର ପୁଅ ନାମରେ ଜମି ପଂଜୀକୃତ କରିବାକୁ ଦାବି କରିଥିଲେ। ଏହା ପରେ ପତ୍ନୀଙ୍କୁ ହତ୍ୟା କରିବାର ଯୋଜନା କରିଥିଲା। ସେ ରିଙ୍କୁକୁ ହତ୍ୟା ପାଇଁ ଦୁଇ ଜଣ ସୁପାରି କିଲର ଜୟନ୍ତ ମଲ୍ଲିକ(୨୪) ଓ ଦିଲୀପ ସିଲ(୨୬)କୁ ୫୦ ହଜାର ଟଂକା ଦେବା ନେଇ ମୁଲଚାଲ କରିଥିଲା। ଜୟନ୍ତକୁ ବିପ୍ଲବ ନିଜ ପତ୍ନୀଙ୍କ ନମ୍ବର ଦେଇ ଗ୍ରାହକ ହୋଇ ତାକୁ ସିଖପାଲୀ ନିକଟସ୍ଥ ସିଙ୍ଗରାଜଖୋଣ୍ଟା ଜଂଗଲକୁ ନେବାକୁ କହିଥିଲା। ପରେ ଜଂଗଲରେ ତାକୁ ହତ୍ୟା କରିବା ପାଇଁ କହିଥିଲା। ଯୋଜନା ମୁତାବକ ରିଙ୍କୁକୁ ଫୋନ କରି ବାଲିମେଳା ଛକରୁ ତାକୁ ଜୟନ୍ତ ଜଂଗଲକୁ ନେଇଥିଲା। ପରେ ବିପ୍ଲବ ଏବଂ ଦିଲୀପ ଜଂଗଲରେ ପହଞ୍ଚିଥିଲେ। ମିଳିମିଶି ରିଙ୍କୁକୁ ହତ୍ୟା କରିଥିଲେ।
ଭାଇକୁ ଶେଷ କଲା ଭଉଣୀ
ଭାଇ-ଭଉଣୀର ସଂପର୍କ ନିଆରା। କାରଣ ଭଉଣୀଟିଏ ଭାଇର ଦୀର୍ଘାୟୁ କାମନା କରି ଅନେକ ଉପବାସ ଓ ବ୍ରତ କରିଥାଏ। ମା’ ପରେ ପରେ ଭାଇକୁ ଯଦି କିଏ ବେଶୀ ସ୍ନେହ କରୁଥାଏ ସେ ହେଉଛନ୍ତି ଭଉଣୀ। ହେଲେ ସହି ଭଳି ସମ୍ପର୍କକୁ ତୁଚ୍ଛ କରି ସୁପାରୀ ଦେଇ ନିଜ ଭାଇକୁ ହତ୍ୟା କରିଛି ଭଉଣୀ। ମହାରାଷ୍ଟ୍ରର ନାଗପୁର ଅଞ୍ଚଳରେ ଏହିଭଳି ଏକ ଛାତି ଥରାଇଦେବା ଭଳି ଘଟଣା ଘଟିଛି। ହୁଦକେଶ୍ବର ଅଞ୍ଚଳର ରଜତ କୈଳାଶ ଭୋକେ ତାଙ୍କ ମାଆ ସହ ରହୁଥିବା ବେଳେ ଭଉଣୀ (ଆଭା କୈଳାସ ଭୋକେ)ଙ୍କ ଛାଡପତ୍ର ପରେ ସେ ମଧ୍ୟ ବାପଘରେ ଆସି ରହୁଥିଲେ। ଏହାରି ଭିତରେ ତଣ୍ଡାପେଠରେ ରହୁଥିବା ଅତୁଲ ଭମୋଡେଙ୍କ ସହ ଆଭାର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଏବିଷୟରେ କୈଳାଶ ଜାଣିବାକୁ ପାଇଥିଲା, ଯାହାକୁ ନେଇ ଆଭାକୁ ବିରୋଧ କରିବା ସହ ମାରପିଟ ମଧ୍ୟ କରିଥିଲା। ଏନେଇ ଆଭା ରାଗିଯାଇ ନିଜ ଭାଇକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା । ଏବିଷୟରେ ପ୍ରେମିକ ଅତୁଲକୁ କହିଥିଲା। ଆଭା, ଅତୁଲ ଓ ଅତୁଲର ସାଙ୍ଗ ପପୁ ରାମଲାଲ ହତ୍ୟା ପାଇଁ ଯୋଜନା କରିଥିଲେ। ପୂର୍ବ ଯୋଜନା ମୁତାବକ ଅତୁଲ ଓ ପପୁ ମଦ୍ୟପାନ କରିବା ପାଇଁ ରଜତକୁ ଡାକି ନେଇଥିଲେ । ପରେ ଉଭୟ ରଜତକୁ ହତ୍ୟା କରି ମୃତଦେହକୁ ଏକ ହ୍ରଦ ଭିତରକୁ ଫିଙ୍ଗି ଦେଇଥିଲେ। ୧୭ରୁ ନିଖୋଜ ଥିବା ରଜତର ମୃତ ଦେହ ୧୦ ଦିନ ପରେ ଉଦ୍ଧାର ହେବା ପରେ ଘଟଣା ପଦାରେ ପଡ଼ିଥିଲା।
ମା’ ପୋଛିଲା ଝିଅର ସିନ୍ଦୁର
୨୦୨୧ ଅଗଷ୍ଟ ମାସର ଘଟଣା। ରାଜସ୍ଥାନ ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଥିଲା, ଯିଏକି ନିଜ ଝିଅର ସିନ୍ଦୁର ପୋଛି ଦେଇଥିଲା। ଗ୍ୟାରସି ଦେବୀଙ୍କ ଝିଅ ମାଗାଜୀ ଘାଟି ନିବାସୀ ବିନୋଦଙ୍କୁ ପ୍ରେମ ବିବାହ କରିଥିଲେ। ଝିଅର ପ୍ରେମ ବିବାହର ୪ ବର୍ଷ ପରେ ମଧ୍ୟ ମାଗାଜୀ ଏହାକୁ ସହ୍ୟ କରିପାରୁ ନଥିଲେ। ବିନୋଦଙ୍କ ଚାଳିଚଳଣ, ଆଚାର ବ୍ୟବହାର ତାଙ୍କୁ ଆଦୌ ପସନ୍ଦ ନଥିଲା। ଏଥିପାଇଁ ସବୁଦିନ ପାଇଁ ଜ୍ୱାଇଁକୁ ରାସ୍ତାରୁ ହଟାଇବା ପାଇଁ ଷଡ଼ଯନ୍ତ୍ର ରଚିଥିଲେ। ଜବର ଏବଂ ଧନରାଜଙ୍କ ସହିତ ଯୋଗଯୋଗ କରିଥିଲା। ପଡ଼ୋଶୀ ଜବର ସିଂ ରାଜପୁରୋହିତ ଏବଂ ଧନରାଜ ବୈଷ୍ଣବଙ୍କୁ ୫ଲକ୍ଷ ଟଙ୍କା ସୁପାରି ଦେଇଥିଲା। ଯୋଜନା ଅନସୁାରେ ସୁପାରୀ କିଲରମାନେ ଜ୍ୱାଇଁ ବିନୋଦଙ୍କୁ ପ୍ରଥମେ ମଦ୍ୟପାନ କରାଇଥିଲେ ଏବଂ ପରେ ତାଙ୍କୁ ସ୍କୃ ଡ୍ରାଇଭର ସାହାଯ୍ୟରେ ୨୦୨୧ ଅଗଷ୍ଟ ୧ ତାରିଖରେ ହତ୍ୟା କରିଥିଲେ। ତା’ପରେ ଶରୀରକୁ ଏକ ପ୍ଲାଷ୍ଟିକ୍ ବ୍ୟାଗରେ ରଖି ସୁରପୁରା ଡ୍ୟାମ୍ ନିକଟରେ ଫିଙ୍ଗି ଦେଇ ଆସିଥିଲେ।